ପ୍ରେମେନ୍ଦ୍ର ପରିଚ୍ଛା
ପ୍ରକୃତି ତା’ର ସୌନ୍ଦର୍ଯ୍ୟ ଅଜାଡ଼ି ଦେବାରେ ମାଲକାନଗିରି ଜିଲ୍ଲାକୁ ଆଦୌ ଅବହେଳା କରିନାହିଁ। ଜିଲ୍ଲାରେ ଥିବା ସାତଟି ବ୍ଲକ୍ରେ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ବହୁ ପର୍ଯ୍ୟଟନସ୍ଥଳୀ ରହିଛି। ସେ ମଧ୍ୟରେ ଅନ୍ୟତମ ଚିତ୍ରକୋଣ୍ଡା। ଏବେ ରାଜ୍ୟର ବିଭିନ୍ନ ସ୍ଥାନରେ ଗ୍ରୀଷ୍ମର ପ୍ରଭାବ ଅନୁଭୂତ ହେଉଥିବା ବେଳେ ଚିତ୍ରକୋଣ୍ଡାରେ କିନ୍ତୁ ଶୀତର ପ୍ରଭାବ ରହିଛି। ଏବେ ବି ରାତିରେ ସେଠାରେ ଶୀତ ହେଉଛି। ଏଥିପାଇଁ ମାର୍ଚ୍ଚ ମାସରେ ମଧ୍ୟ ଚିତ୍ରକୋଣ୍ଡାରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳେ। ଦିନେ ନକ୍ସଲ୍ଙ୍କ ଅାଡ୍ଡା ରୂପେ ବେଶ୍ ପରିଚିତ ଚିତ୍ରକୋଣ୍ଡା ଆସିବାକୁ ଲୋକେ ଅମଙ୍ଗ ହେଉଥିଲେ। ଏବେ କିନ୍ତୁ ସ୍ଥିତି ସଂପୂର୍ଣ୍ଣ ବଦଳି ଯାଇଛି, ପର୍ଯ୍ୟଟକଙ୍କ ସୁଅ ଛୁଟୁଛି।
Encroachment: ରାସ୍ତା ସମ୍ପ୍ରସାରଣ ପାଇଁ ହଟୁଛି ୭୦ ବର୍ଷର ଗଛ
ସେତୁର ନାଁ ଗୁରୁପ୍ରିୟା କାହିଁକି?
ଏହା ପଛରେ ସୁନ୍ଦର ଲୋକ କାହାଣୀଟିଏ ରହିଛି। ଗାଁ’ର ଆଦିବାସୀ ପୁଅ ଗୁରୁ ଭଲ ପାଉଥିଲା ପ୍ରିୟାକୁ। ଗୁରୁ ଥିଲା ଓଡ଼ିଆ ଓ ପ୍ରିୟା ପଡ଼ୋଶୀ ରାଜ୍ୟ ଆନ୍ଧ୍ରର ଝିଅ। ଦୁହେଁ ପରସ୍ପରକୁ ହୃଦୟ ଦେଇଥିଲେ। କିନ୍ତୁ ଦୁହିଁଙ୍କ ମିଳନରେ ବାଧକହେଲେ ଗାଁଲୋକ ଓ ଅନ୍ୟପଟେ ମିଳି ନଥିଲା ପରିବାରର ସମର୍ଥନ। ଶେଷରେ ଗୁରୁ ଓ ପ୍ରିୟା ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଲେ। ଗାଁ ଦେଇ ବହିଯାଇଥିବା ନାଳକୁ ଦୁହେଁ ଡେଇଁ ପଡ଼ିଲେ। କ୍ରମେ ଲୋକେ ଉକ୍ତ ନାଳକୁ ଗୁରୁପ୍ରିୟା କହିବାକୁ ଲାଗିଲେ। ଧୀରେ ଧୀରେ ପାହାଡ଼ରୁ ବହିଆସୁଥିବା ଝରଣା ଓ ଗୁରୁପ୍ରିୟା ନାଳର ସ୍ରୋତକୁ ବାନ୍ଧି ସୃଷ୍ଟି କରାଯାଇଥିଲା ଜଳଭଣ୍ଡାର। ୨୦୨୧ରେ ଜଳଭଣ୍ଡାର ଉପରେ ନିର୍ମିତ ସେତୁର ନାମ ସେହି କାରଣରୁ ରଖାଯାଇଥିଲା ଗୁରୁପ୍ରିୟା। ବିଚ୍ଛିନ୍ନାଞ୍ଚଳବାସୀଙ୍କ ଜୀବନରେଖା ପାଲଟିଥିବା ଏହି ସେତୁ ଗୁରୁପ୍ରିୟାଙ୍କ ପ୍ରେମ କାହାଣୀର ମୂକସାକ୍ଷୀ ରୂପେ ଠିଆ ହୋଇଛି।
ଚିତ୍ରକୋଣ୍ଡା ଅଞ୍ଚଳର ଏକ ଅଳ୍ପ ଆଲୋଚିତ ପର୍ଯ୍ୟଟନସ୍ଥଳୀ ହେଲା ତରାଭୁ ଜଳପ୍ରପାତ। ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ସୀମାରେ ଥିବା ଏହି ଜଳପ୍ରପାତ ପ୍ରକୃତିପ୍ରେମୀଙ୍କ ମନଛୁଇଁବା ଲାଗି ଯଥେଷ୍ଟ। ସୁଉଚ୍ଚ ପର୍ବତରୁ ଝରଝର ନାଦରେ ପଡୁଥିବା ଜଳସ୍ରୋତର ଶୋଭା ଅତୀବ ମନୋରମ। ସ୍ଥାନୀୟ ଅଞ୍ଚଳରେ ଏହି ପ୍ରପାତ ଗୁଞ୍ଜିୱାଡ଼ା ଜଳପ୍ରପାତ ଭାବେ ମଧ୍ୟ ପରିଚିତ। ବଡ଼ ବଡ଼ ଶିଳାଖଣ୍ଡ ପରିବେଷ୍ଟିତ ଏହି ଜଳପ୍ରପାତ ନିକଟକୁ ଯିବାକୁ ହେଲେ ପଥର ଉପରେ ଚଢ଼ିବାକୁ ହୋଇଥାଏ। ଏହା କିଛି ମାତ୍ରାରେ ବିପଜ୍ଜନକ ହୋଇଥିଲେ ହେଁ ବହୁ ପର୍ଯ୍ୟଟକ ଉଚ୍ଚରୁ ପଡୁଥିବା ପାଣିରେ ଗାଧୋଇବା ଏବଂ ସେଲ୍ଫି ନେବାର ଲୋଭ ସମ୍ବରଣ କରିପାରନ୍ତି ନାହିଁ। ଚିତ୍ରକୋଣ୍ଡାରୁ ଏହାର ଦୂରତ୍ବ ପ୍ରାୟ ୨୫ କିଲୋମିଟର୍। ଯଦିଓ ରାସ୍ତା ସାମାନ୍ୟ ଦୁର୍ଗମ, କିନ୍ତୁ ଜଳପ୍ରପାତ ନିକଟରେ ପହଞ୍ଚିବା ପରେ ଯାତ୍ରା ଶ୍ରମ ଅଚିରେ ଲାଘବ ହୋଇଯାଏ।
ଯିବେ କେମିତି, ରହିବେ କେଉଁଠି
ଚିତ୍ରକୋଣ୍ଡା ଯିବାକୁ ହେଲେ ପ୍ରଥମେ କୋରାପୁଟ କିମ୍ବା ଜୟପୁରରେ ପହଞ୍ଚିବାକୁ ହୋଇଥାଏ। ବସ୍ ଓ ଟ୍ରେନ୍ରେ ଆପଣ ଉଭୟ ସ୍ଥାନେର ପହଞ୍ଚି ପାରିବେ। ଏବେ ଭୁବନେଶ୍ବରରୁ ଜୟପୁରକୁ ମଧ୍ୟ ବିମାନ ସେବା ରହିଛି। ସେଠାରୁ ବୈପାରିଗୁଡ଼ା ଦେଇ ଗୋବିନ୍ଦପାଲ୍ଲୀ ଛକ ଏବଂ ତା’ପରେ ପ୍ରାୟ ୫୦ କିଲୋମିଟର୍ ବାଲିମେଳା ରାସ୍ତାରେ ଯିବାକୁ ପଡ଼େ। ବାଲିମେଳା ଠାରୁ ଚିତ୍ରକୋଣ୍ଡାର ଦୂରତା ୨୮ କିଲୋମିଟର୍। ଚିତ୍ରକୋଣ୍ଡାରେ ପହଞ୍ଚିବା ପରେ ନିଜ ସୁବିଧା ଅନୁସାରେ ଗାଡ଼ି ଭଡ଼ାକରି ବିଭିନ୍ନ ପର୍ଯ୍ୟଟନସ୍ଥଳୀ ଭ୍ରମଣ କରିହେବ।
Paddy: ସମ୍ବାଦ ପ୍ରଭାବ: ମାସକ ପରେ ଚାଷୀଙ୍କ ଆକାଉଣ୍ଟରେ ଜମା ହେଲା ଟଙ୍କା
ଛୋଟ ସହର ହେଲେ ବି ଚିତ୍ରକୋଣ୍ଡାରେ ଲଜ୍ ଓ ହୋଟେଲ୍ ରହିଛି। ଏଥିସହ ବନ ବିଭାଗର ଇକୋ ପାର୍କରେ ରହିବା ପାଇଁ ମଧ୍ୟ କଟେଜ୍ ଅଛି। ଏହାକୁ ଅନ୍ଲାଇନ୍ରେ ବୁକିଂ କରିବାକୁ ହୋଇଥାଏ। ପୁଣି ବନବିଭାଗ ପକ୍ଷରୁ ଗୁରୁପ୍ରିୟା ସେତୁ ନିକଟରେ କଟେଜ୍ ନିର୍ମାଣ କରାଯାଇଛି। ଏସବୁ ସ୍ଥାନରେ ରାତ୍ରିଯାପନ ବେଶ୍ ଆନନ୍ଦଦାୟକ। ଚିତ୍ରକୋଣ୍ଡା ରହଣି ସମୟରେ ଜଳଭଣ୍ଡାରରୁ ଧରାଯାଉଥିବା ମାଛରୁ ପ୍ରସ୍ତୁତ ସୁସ୍ବାଦୁ ତରକାରି ଖାଦ୍ୟବିଳାସୀ ପର୍ଯ୍ୟଟକଙ୍କ ମନ କିଣିନିଏ। ଚିତ୍ରକୋଣ୍ଡାକୁ ଥରେ ବୁଲି ଆସିଲେ ପୁଣିଥରେ ଆସିବା ପାଇଁ ନିଶ୍ଚିତ ଭାବେ ଆଗ୍ରହ ହେବ ବୋଲି ସ୍ଥାନୀୟ ଲୋକେ ଦାବି କରନ୍ତି।
ସଦର ମହକୁମା ଚିତ୍ରକୋଣ୍ଡାରୁ ୧୨ କିଲୋମିଟର୍ ଦୂରରେ ରହିଛି ଜଳଭଣ୍ଡାର ଉପରେ ନିର୍ମିତ ଗୁରୁପ୍ରିୟା ସେତୁ। ଏହା ଏବେ ପର୍ଯ୍ୟଟନସ୍ଥଳୀ ପାଲଟିଯାଇଛି। ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତ ସମୟରେ ସେତୁ ଉପରେ ସେଲ୍ଫି ନେବା ଲାଗି ପର୍ଯ୍ୟଟକଙ୍କ ଭିଡ଼ କାହିଁରେ କଣ! ଚିତ୍ରକୋଣ୍ଡା ଜଳଭଣ୍ଡାରର ପର୍ବତ ପରିବେଷ୍ଟିତ ବିସ୍ତୀର୍ଣ୍ଣ ନୀଳ ଜଳରାଶି ଦେଖଣାହାରିଙ୍କୁ ବିଭୋର କରେ। ଜଳଭଣ୍ଡାରରେ ନୌକାରେ ବୁଲିବା ଯଦିଓ ବିପଦପୂର୍ଣ୍ଣ, କିନ୍ତୁ ଏହାର ଆନନ୍ଦ ନେବାକୁ ଚାହାନ୍ତି ପର୍ଯ୍ୟଟକ। ପୁଣି ଧୂଳିପୁଟ ଠାରେ ଥିବା ପାହାଡ଼ୀ ଝରଣାର ଅନନ୍ୟ ସୌନ୍ଦର୍ଯ୍ୟ ପର୍ଯ୍ୟଟକଙ୍କୁ ସେଠାକୁ ଟାଣିନିଏ। ଏହି ଝରଣାରେ ଗାଧୋଇବା ପାଇଁ ପ୍ରାୟତଃ ଭିଡ଼ ଜମିଥାଏ। ପୁଣି ଚିତ୍ରକୋଣ୍ଡାରେ ଥିବା ଇକୋ ପାର୍କରେ ବୁଲିବା ଓ ବୋଟିଂ କରିବା ବେଶ୍ ଆନନ୍ଦଦାୟକ। ଏଠାରେ ଥିବା ହନ୍ତାଳଗୁଡ଼ା ପାହାଡ଼କୁ ଦ୍ବିତୀୟ ଦେଓମାଳି କୁହାଯାଇଥାଏ। ହନ୍ତାଳଗୁଡ଼ା ପାହାଡ଼ ଉପରକୁ ଯିବାକୁ ଏବେ ପକ୍କା ରାସ୍ତା ତିଆରି ହୋଇଛି। ସେହି ପାହାଡ଼ର ଶିଖରରେ ପହଞ୍ଚିବା ପରେ ଚିତ୍ରକୋଣ୍ଡାର ମନଲୋଭା ଦୃଶ୍ୟ ପର୍ଯ୍ୟଟକଙ୍କ କ୍ୟାମେରାରେ କୈଦ୍ ହୋଇଥାଏ। ହନ୍ତାଳଗୁଡ଼ା ଯିବା ରାସ୍ତାରେ ନକ୍ସଲ୍ଙ୍କ ସ୍ମାରକୀ ଓ ନକ୍ସଲ୍ଙ୍କ କାର୍ଯ୍ୟାଳୟ ମଧ୍ୟ ଦେଖିବାକୁ ମିଳେ। ପର୍ଯ୍ୟଟକ ଏଠାରେ ସେଲ୍ଫି ନେବାକୁ ଭୁଲନ୍ତି ନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2026/03/08/sfhhfsxvb-2026-03-08-00-28-41.jpg)