ଜାନୁଆରି ୩୦ ତାରିଖ- ମହାତ୍ମା ଗାନ୍ଧୀଙ୍କ ମହାପ୍ରୟାଣ ଦିବସ। ଏହିଦିନ ଆତତାୟୀର ଗୁଳିରେ ସେ ପ୍ରାଣ ଦେଇଥିଲେ। ତାହା ଥିଲା ତାଙ୍କର ବଳିଦାନ। ସେଥିପାଇଁ ମାର୍ଚ୍ଚ-୨୩ର ଭଗତ ସିଂହ, ସୁଖଦେବ ଥାପର ଓ ଶିବରାମ ରାଜଗୁରୁଙ୍କ ଫାଶୀ ଦିବସ ପରି ଏହି ଦିନଟିକୁ ବି ସହିଦ ଦିବସ ରୂପେ ପାଳନ କରାଯାଏ। ନିଜର ଜୀବନକାଳରେ କରିଯାଇଥିବା କର୍ମଗୁଡ଼ିକ ପାଇଁ ଗାନ୍ଧୀଜୀ ଆଜି ଅମର ରହିଛନ୍ତି। ତାଙ୍କର ଅନେକ ବାଣୀ ଆଜି ବି ଆମକୁ ପଥ ପ୍ରଦର୍ଶନ କରୁଛି। ଗାନ୍ଧୀଜୀଙ୍କ ପାଇଁ ସତ୍ୟ ଓ ଈଶ୍ବର ଥିଲେ ଏକ। ସେ କହୁଥିଲେ–‘‘ସତ୍ୟ ହିଁ ଈଶ୍ବର ଓ ଈଶ୍ବର ହିଁ ସତ୍ୟ।’’ ୧୯୩୬ ମସିହା ଏପ୍ରିଲ୍ ୨୫ ତାରିଖରେ ‘ହରିଜନ’ରେ ସେ ଲେଖିଥିଲେ– ‘‘ଏକ ଜୀବନ୍ତ ନିୟମ, ଯାହା ସମଗ୍ର ବିଶ୍ବବ୍ରହ୍ମାଣ୍ଡକୁ ଚଳାଇଛି, ତାହା ହିଁ ଈଶ୍ବର। ଏପରି ଏକ ଅଟଳ ବିଶ୍ବାସ ନ ରହିଲେ, ପରିପୂର୍ଣ୍ଣ ଜୀବନଟିଏ ବଞ୍ଚିବା ଅସମ୍ଭବ।’’
ଗାନ୍ଧୀଜୀଙ୍କ ଈଶ୍ବର ବିଶ୍ବାସ ତାଙ୍କର ଉପଲବ୍ଧିରୁ ସୃଷ୍ଟି ହୋଇଥିଲା। ‘ୟଙ୍ଗ୍ ଇଣ୍ଡିଆ’ରେ ୩୧ ଡିସେମ୍ବର ୧୯୩୧ରେ ସେ ଲେଖିଥିଲେ–ତରୁଣ ବୟସରେ ସେ ‘ବିଷ୍ଣୁସହସ୍ରନାମ’ ପଢ଼ି ଈଶ୍ବରଙ୍କର ନାମଗୁଡ଼ିକ ସଂପର୍କରେ ପରିଚିତ ହୋଇଥିଲେ। କିନ୍ତୁ ସେଇ ହଜାରେ ନାମ ତାଙ୍କର ସବୁ ନାମ ନୁହେଁ। ପ୍ରକୃତ କଥା, ଯାହା ଆମେ ବିଶ୍ବାସ କରୁ, ତାହା ହେଉଛି–ଦୃଶ୍ୟମାନ ଜଗତରେ ଯେତିକି ଜୀବ ଅଛନ୍ତି, ଈଶ୍ବରଙ୍କର ସେତିକି ନାମ। ତେଣୁ ଈଶ୍ବର ନାମହୀନ, ଅନାମ। ସେହିପରି ଈଶ୍ବରଙ୍କର ରୂପସଂଖ୍ୟା ଅସଂଖ୍ୟ। ତେଣୁ ସେ ଅରୂପ। ସେହିପରି ମଧ୍ୟ, ସେ ଅନେକ କଣ୍ଠ ଦେଇ ଆମ ସହିତ କଥା ହେଉଥିବାରୁ ସେ ଅବାକ୍।
Digital India: ଡିଜିଟାଲ ନିଶାରେ ଯୁବପିଢ଼ି: ବୟସ ଆଧାରିତ କଟକଣା ପାଇଁ ପ୍ରସ୍ତାବ
ଅଭେଦ୍ୟ ଅନ୍ଧକାରକୁ ଆମେ ଯେତେ ଅଭେଦ୍ୟ ବୋଲି ଭାବିଥାଉ, ତାହା ବାସ୍ତବରେ ସେତେ ଅଭେଦ୍ୟ ନୁହେଁ।
ଈଶ୍ବର ଆମକୁ କ’ଣ ଦେଇଛନ୍ତି, ସେ ବାବଦରେ ସେ ଗୋଟିଏ ଅତି ଗୁରୁତ୍ବପୂର୍ଣ୍ଣ କଥା କହିଛନ୍ତି। ତାହା ‘ହରିଜନ’ର ୨୦ ଏପ୍ରିଲ୍ ୧୯୩୪ ସଂଖ୍ୟାରେ ସେ ଲେଖିଥିଲେ। ତାହା ହେଉଛି– ‘‘ଆମକୁ ଚାରିପଟୁ ବେଢ଼ି ରହିଥିବା ଅଭେଦ୍ୟ ଅନ୍ଧକାର ଏକ ଅଭିଶାପ ନୁହେଁ; ବରଂ ଆଶୀର୍ବାଦ। ଈଶ୍ବର ଆମକୁ କେବଳ ଆମ ସାମ୍ନାରେ ଥିବା ପାହାଚଟିକୁ ଦେଖିବାର ଶକ୍ତି ଦେଇଛନ୍ତି। ସେହି ଦିବ୍ୟ ଆଲୋକ ଯଦି ଆମକୁ କେବଳ ସେହି ଗୋଟିଏ ପାହାଚ ଦେଖାଇ ଦେଉଛି, ତାହା ହିଁ ଯଥେଷ୍ଟ। ଆମର ପୂର୍ବ ଅନୁଭୂତିରୁ ଆମେ ନିଶ୍ଚୟ ବୁଝିପାରିବା, ଯେ ଗୋଟିଏ ପାଦ ଆଗେଇବା ପରେ ଆମକୁ ଆର ପାହାଚଟି ନିଶ୍ଚୟ ଦୃଶ୍ୟ ହେବ। ଏଣୁ ଅଭେଦ୍ୟ ଅନ୍ଧକାରକୁ ଆମେ ଯେତେ ଅଭେଦ୍ୟ ବୋଲି ଭାବିଥାଉ, ତାହା ବାସ୍ତବରେ ସେତେ ଅଭେଦ୍ୟ ନୁହେଁ।
Follow Us