୩୦ ବର୍ଷ ଚାକିରି କରିବା ପରେ ରୋହିତ ଆଉ ପଦୋନ୍ନତି ନେବାକୁ ଆଗ୍ରହୀ ନୁହନ୍ତି। ମୋଟା ଦରମା ପ୍ରତି ତାଙ୍କର ଆସକ୍ତି ବି ନାହିଁ। ‘‘ମୁଁ କ’ଣ ପାଇଁ ଚାକିରି କରୁଛି?’’ ଏହି ପ୍ରଶ୍ନର ଉତ୍ତର ଖୋଜି ଅଧିକ କାର୍ଯ୍ୟଭାର, ଅତିରିକ୍ତ ଦାୟିତ୍ବ ଓ ଦୀର୍ଘ କାର୍ଯ୍ୟସମୟ ଆଉ ଜରୁରି ନୁହେଁ ବୋଲି ସେ ହୃଦୟଙ୍ଗମ କରିଛନ୍ତି। ତେଣୁ, ସେ ସାମୟିକ ମୁକ୍ତବୃତ୍ତ ଲେଖକ ହେବା ସହିତ କର୍ପୋରେଟ୍ କନ୍ସଲ୍ଟାନ୍ସି ଆରମ୍ଭ କରିଛନ୍ତି।
ରୋହିତଙ୍କର ଉପରୋକ୍ତ ଚିନ୍ତାଧାରା ହିଁ ହେଉଛି ସଂପ୍ରତି ଚର୍ଚ୍ଚାରେ ଥିବା ନ୍ୟୂନତମବାଦ ବା ‘ମିନିମାଲିଜିମ୍’। ବ୍ୟକ୍ତିର ଭୌତିକ ଜୀବନଧାରା ସରଳ କରିବା ଏବଂ ଆବଶ୍ୟକତାଠାରୁ ଅଧିକ ସମ୍ପତ୍ତି ଆହରଣରୁ ଦୂରେଇ ରହିବା ଦୃଷ୍ଟିଭଙ୍ଗୀ ଦେଉଥିବା ‘ନ୍ୟୂନତମବାଦ’ ପ୍ରାଚୀନ କାଳରୁ ରହିଆସିଛି। ସମ୍ପ୍ରତି ଏହି ମତବାଦ ବା ଆଦର୍ଶ ପୁନଃକ୍ରିୟାଶୀଳ ହୋଇଉଠୁଛି। ଆଗରୁ ଆଭିଜାତ୍ୟ, ଉନ୍ନତ ସାମାଜିକ ସ୍ଥିତି ଓ ଅବିଶ୍ରାନ୍ତ ଉତ୍ତରଣ ଆଦି ସଫଳତାର ପରିମାପକ ବୋଲି ବିବେଚନା କରାଯାଉଥିଲା। ଏବେ କିନ୍ତୁ କେତେକ ଏହା ଏଡ଼ାଇ ‘ବୃତ୍ତିଗତ ନ୍ୟୂନତମବାଦ’ ଉପରେ ଗୁରୁତ୍ବ ଦେଉଛନ୍ତି। ସମ୍ପ୍ରତି ବିଭିନ୍ନ ଦେଶର ତରୁଣ ପିଢ଼ିଙ୍କୁ ନେଇ କରାଯାଇଥିବା ‘ଗ୍ଲାସ୍ଡୋର୍ କମ୍ୟୁନିଟି’ ଜନମତ ସର୍ଭେରୁ ଜଣାପଡ଼ିଛି କି ତରୁଣ ପିଢ଼ି ମଧ୍ୟ ‘ମିନିମାଲିଜମ୍’ ଚିନ୍ତାଧାରା ପସନ୍ଦ କରୁଛନ୍ତି। ଏହି ସର୍ଭେରେ ଭାଗନେଇଥିବା ୬୮ ପ୍ରତିଶତ ଜେନ୍ ଜି ମୋଟାଅଙ୍କ ଦରମା, ସମ୍ମାନଜନକ ପଦବି ବିନା କୌଣସି ସଂସ୍ଥାର ପରିଚାଳନା ବ୍ୟବସ୍ଥାରେ ରହିବାକୁ ଆଗ୍ରହୀ ନୁହନ୍ତି। ଉପଯୁକ୍ତ ଦରମା ବିନା ମାତ୍ରାଧିକ ଦାୟିତ୍ବ ନେଇ ଚାକିରି କରିବାକୁ ସେମାନେ ପସନ୍ଦ କରୁନାହାନ୍ତି, ବରଂ କୌଣସି ବଡ଼ ସଂସ୍ଥାରେ ନ ରହି, ଏକାଧିକ ରୁଚି ମୁତାବକ କାମ କରିବାକୁ ସେମାନେ ପସନ୍ଦ କରୁଛନ୍ତି।
Dead Body: ନିଖୋଜ ଯୁବତୀଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର
କୃତ୍ରିମ ବୁଦ୍ଧିମତ୍ତାର ଆଗମନ ବିଭିନ୍ନ କ୍ଷେତ୍ରରେ ଦ୍ରୁତ ପରିବର୍ତ୍ତନ କରିଚାଲିଥିବା ବେଳେ କର୍ମକ୍ଷେତ୍ରରେ ପ୍ରବେଶ କରୁଥିବା ବହୁ ‘ଜେନ୍ ଜି’ ଅଭିଳାଷ ସାକାର କରିବା ଅପେକ୍ଷା ସ୍ଥାୟିତ୍ବ ଓ ସ୍ଥିତିସ୍ଥାପକତା ଉପରେ ଗୁରୁତ୍ବାରୋପ କରୁଥିବା ପ୍ରତୀୟମାନ ହେଉଛି। ବୃତ୍ତିଗତ ମାର୍ଗଦର୍ଶକ ବିଷ୍ଣୁ ହରିକୃଷ୍ଣନନ୍ କହନ୍ତି, ‘‘ଜେନ୍ ଜି ସଫଳତାର ପରିଭାଷାକୁ ନୂତନ ଭାବେ ପ୍ରସ୍ତୁତ କରୁଛନ୍ତି। ସେମାନେ ବୃତ୍ତି, ପରିବାର ଓ ବ୍ୟକ୍ତିଗତ ଜୀବନ ଉପରେ ସମଗୁରୁତ୍ବ ଦେଉଛନ୍ତି। ବୃତ୍ତିଗତ ଓ ବ୍ୟକ୍ତିଗତ ଜୀବନରେ ସନ୍ତୁଳନ ରକ୍ଷା କରୁଛନ୍ତି। ସେମାନେ ସ୍ବଳ୍ପ କାମ କରିବାକୁ କହୁନାହାନ୍ତି, ବରଂ ବାସ୍ତବ ତଥା ଫଳପ୍ରଦ କାମ ଚୟନ କରିବାକୁ ଚାହୁଛନ୍ତି। ବହୁ ଶିକ୍ଷାର୍ଥୀ ମତେ ପଚାରନ୍ତି, ‘ମୁଁ ଖାଲି ଚାକିରି ପାଇଁ ଜୀବନଧାରଣ କରିବାକୁ ଚାହେନାହିଁ।’ ଅର୍ଥାତ୍ ଦୀର୍ଘ ସମୟ ଧରି ଘାଣ୍ଟିଚକଟି ହେବା ଅପେକ୍ଷା ସେମାନେ ଚଞ୍ଚଳ କାର୍ଯ୍ୟ ସମାପନ କରିବା ଉଚିତ ବୋଲି ମନେକରନ୍ତି।’’
ଗୋଟାଏ ବହୁରାଷ୍ଟ୍ରୀୟ ସଂସ୍ଥାରେ କାର୍ଯ୍ୟରତ ୨୪ ବର୍ଷୀୟା ଅନଘା ପ୍ରସାଦ ମଧ୍ୟ ଏ ଦର୍ଶନ ଉପରେ ଦୃଢ଼ବିଶ୍ବାସୀ। ସେ କହନ୍ତି,‘‘ସ୍ଥିରତା ପ୍ରଦାନ କରୁଥିବା ମୋର ସାମ୍ପ୍ରତିକ ଚାକିରି ବେଶ୍ ଉପଭୋଗ୍ୟ, କିନ୍ତୁ ମୁଁ ଚାହେନା ଯେ ଏ ଚାକିରି ମୋ ସମଗ୍ର ଜୀବନ ନିର୍ଦ୍ଧାରଣ କରୁ।’’ ଅନଘା ପ୍ରସାଦଙ୍କ ପରି ମନୋଭାବ ପୋଷଣ କରୁଥିବା ଅନେକ ନିଜ ପାଇଁ ସମୟ କାଢ଼ିବା ଉପରେ ଧ୍ୟାନ ଦେଉଛନ୍ତି। ସେମାନେ ଦକ୍ଷତା ବିକାଶରେ, ସାଙ୍ଗସାଥୀଙ୍କ ସହିତ କାଫେ ଯିବାରେ, ସାନ୍ଧ୍ୟକାଳୀନ ମଉଜମସ୍ତିରେ, ଘରେ ଚୁପ୍ଚାପ୍ ଆରାମ କରିବାେର ଅଥବା କିଛି ବ୍ୟକ୍ତିଗତ ରୁଚି ଚରିତାର୍ଥ କରିବାରେ ସମୟ ଅତିବାହିତ କରିବାକୁ ଚାହାନ୍ତି। ସେ ଏହା ମଧ୍ୟ କହନ୍ତି ଯେ ସ୍ଥିରତା ନିମନ୍ତେ କର୍ପୋରେଟ୍ ଚାକିରି କରିବା ସହିତ ତାଙ୍କର ଅଧିକାଂଶ ବନ୍ଧୁ ଷ୍ଟାର୍ଟଅପ୍ ସ୍ଥାପନା ଲାଗି ଉଦ୍ୟମ ଚଳାଇଛନ୍ତି। ଆଜିକାଲି ପାଶ୍ଚାତ୍ୟ ରାଷ୍ଟ୍ରରେ ଏ ଧାରା ସକ୍ରିୟ ହୋଇଛି। ସମ୍ପ୍ରତି ଆମେରିକାରେ କରାଯାଇଥିବା ଏକ ସର୍ବେକ୍ଷଣରୁ ଜଣାପଡ଼ିଛି ଯେ, ଶତକଡ଼ା ୪୮ ଭାଗ ‘ମିଲେନିୟାଲ୍’, ଶତକଡ଼ା ୩୧ ଭାଗ ‘ଜେନ୍ଏକ୍ସର୍’ ଓ ଶତକଡ଼ା ୨୧ ଭାଗ ‘ବୁମର୍ସ’ଙ୍କ ତୁଳନାରେ ‘ଜେନ୍ ଜି’ଙ୍କ ମଧ୍ୟରୁ ଶତକଡ଼ା ୫୭ ଭାଗ ସାମୟିକ କାର୍ଯ୍ୟ କରୁଛନ୍ତି।
Education sambad: ଖୁବ୍ଶୀଘ୍ର ପ୍ରକାଶ ପାଇବ ‘ଶିକ୍ଷା ସମ୍ବାଦ’
ବୃତ୍ତି ଅପେକ୍ଷା ଆବେଗ ଉପରେ ଗୁରୁତ୍ବାରୋପ କରିବା ଧାରା ସମ୍ପ୍ରତି ଭାରତରେ ବି ଦେଖାଦେଇଛି। ଏ ପ୍ରସଙ୍ଗରେ କ୍ୟାରିୟର୍ କାଉନ୍ସେଲର୍ ପ୍ରବୀଣ କମଳାମ୍ମା କହନ୍ତି, ‘‘ଅନେକ ଯୁବା ମାତ୍ର ୩୫ ବର୍ଷ ବୟସରେ ଚାକିରିରୁ ଅବସର ନେବା ଅଥବା ପଦୋନ୍ନତି ପରେ ପଦୋନ୍ନତି ପାଇ କ୍ୟାରିୟର୍ ଗଢ଼ି ତ୍ବରିତ ଅର୍ଥ ଉପାର୍ଜନ ପରେ ସହଳ ଅବସର ନେବା ମାର୍ଗ ଅନୁସରଣ କରୁଛନ୍ତି। ମୁଁ ସ୍କୁଲ୍ ଓ କଲେଜ୍ ପରିଦର୍ଶନରେ ଗଲାବେଳେ ଅନେକ ଶିକ୍ଷାର୍ଥୀ ପ୍ରାୟତଃ ପଚାରନ୍ତି, ଇନ୍ଫ୍ଲୁଏନ୍ସର୍ମାନେ ସାମାଜିକ ଗଣମାଧ୍ୟମରେ ଅର୍ଥ ଉପାର୍ଜନ କରୁଥିବା ବେଳେ ଆମେ କଷ୍ଟକରି ପାଠପଢ଼ିବୁ କାହିଁକି? ଅର୍ଥାତ୍ ଏବେ ବ୍ୟକ୍ତି ମଧ୍ୟରେ ଧୈର୍ଯ୍ୟ ଓ ଧ୍ୟାନନିବିଷ୍ଟ ସମୟ ଅବଧି ସଙ୍କୁଚିତ ହୋଇଚାଲିଛି।’’ କିନ୍ତୁ, ‘କ୍ୟାରିୟର୍ ମିନିମାଲିଜିମ୍’ ବା ‘ମାଇକ୍ରୋ-ରିଟାୟାର୍ମେଣ୍ଟ୍’ ଶବ୍ଦଯୋଡ଼ିକ ଭଲ ଶୁଭୁଥିଲେ ବି ସମସ୍ତଙ୍କ କ୍ଷେତ୍ରରେ ଏହା ପ୍ରଯୁଜ୍ୟ ନୁେହିଁ। ଅସୁବିଧା ବେଳେ କୌଣସି ନିର୍ଭରଯୋଗ୍ୟ ଅବଲମ୍ବନ ଥିବା ବ୍ୟକ୍ତିବିଶେଷଙ୍କୁ ଏସବୁ ସୁହାଏ।
Follow Us