ଜୀବନର ଅନ୍ୟ ନାମ ଜଞ୍ଜାଳ। ହେଲେ ସେ ଜଞ୍ଜାଳ ବି ଜଞ୍ଜିର ପରି ଲାଗେ, ଯଦି ସେଥିରେ ଯନ୍ତ୍ରଣା ଯୋଡ଼ି ହୋଇଯାଏ। ହଜାରେ ବାଧାବିଘ୍ନ ସତ୍ତ୍ବେ  ନିଜକୁ ଜଞ୍ଜିରରୁ ମୁକୁଳାଇ ମୁକ୍ତ ଆକାଶର ବିହଙ୍ଗ ପରି ଉଡ଼ିପାରୁଥିବା ମଣିଷ ହିଁ ବୁଝିଥାଏ ଜୀବନର ଅସଲ ସଂଜ୍ଞା। ଏଭଳି ଜଣେ ନିଆରା ମଣିଷ ହେଉଛନ୍ତି ସଂଘମିତ୍ରା ପଣ୍ଡା। କର୍କଟ ଛଡ଼ାଇ ନେଲା ସ୍ବପ୍ନ, କପାଳରୁ ପୋଛି ଦେଲା ସିନ୍ଦୂର, ମୂହୁର୍ତ୍ତକେ ଅପରିଚିତ ପାଲଟିଲେ ବନ୍ଧୁ ଓ ପରିବାରବର୍ଗ; ହେଲେ ଏ ଦାରୁଣ ଦୁଃଖ କିନ୍ତୁ ତାଙ୍କୁ ଜୀବନ ସଂଗ୍ରାମରେ ହରାଇପାରିନି। ପରିସ୍ଥିତି ଛଡ଼ା‌ଇ ନେଇପାରିନି ତାଙ୍କ ଓଠର ହସ, ମନର ବଳ ଓ ବଞ୍ଚିବାର ସାହସ।

Advertisment

Science Programme: ଓପନ୍ ଡେ- ଆଇଆଇଏସଏଫ କର୍ଟେନ ରେଜର୍ ଇଭେଣ୍ଟରେ ଭାଗ ନେଲେ ୮୦୦ ଛାତ୍ରଛାତ୍ରୀ

୨୦୧୩ ମସିହାର କଥା। ସଂଘମିତ୍ରାଙ୍କ ମାଆଙ୍କର କର୍କଟ ଚିହ୍ନଟ ହେଲା। ମାଆଙ୍କର ସ୍ତନକର୍କଟ ଥିଲେ ଝିଅଠି ହେବାର ସମ୍ଭାବନା ଥାଏ ବୋଲି ଡାକ୍ତରଙ୍କ ଠାରୁ ଶୁଣିବା ପରେ ସେ ଭୟଭୀତ ହୋଇଗଲେ। ତା’ପରଠାରୁ ବାରମ୍ବାର ନିଜ ଶରୀରକୁ ନିରୀକ୍ଷଣ କରୁଥିଲେ। ୨୦୧୫ ମସିହାରେ ଦିନେ ସେ ତାଙ୍କ ବାମ ସ୍ତନରେ କ୍ଷୁଦ୍ର ଟେଳାଟିଏ ଥିବା ଅନୁଭବ କଲେ। ଡାକ୍ତରଙ୍କ ନିକଟକୁ ଗଲେ। ଜଣା‌ପଡ଼ିଲା ଯେ ତାଙ୍କୁ ଦ୍ବିତୀୟ ପର୍ଯ୍ୟାୟ ସ୍ତନକର୍କଟ। କାଳବିଳମ୍ବ ନକରି ମୁମ୍ବାଇର ଟାଟା ମେମୋରିଆଲ୍‌ ହସ୍ପିଟାଲ୍‌ରେ ଚିକିତ୍ସା ଆରମ୍ଭ କରିଦେଲେ। ପ୍ରାରମ୍ଭିକ ପର୍ଯ୍ୟାୟ ହୋଇଥିବାରୁ କର୍କଟ ପରି ମହାମାରୀରୁ ସେ ସୁସ୍ଥ ହେଲେ। ହେଲେ ଡାକ୍ତର ସୂଚାଇ ଦେଇଥିଲେ କି ଯଦି ଦ୍ବିତୀୟ ଥର କର୍କଟ ଫେରେ ତ ସାଂଘାତିକ ହୋଇପାରେ। ଦୁର୍ଭାଗ୍ୟକୁ ସେୟା ହିଁ ହେଲା। ୨୦୨୨ ମସିହାରେ ସଂଘମିତ୍ରାଙ୍କ ଡାହାଣ ସ୍ତନରେ ପୁଣି କର୍କଟ ଚିହ୍ନଟ ହେଲା। ଏଥର କିନ୍ତୁ ଚତୁର୍ଥ ପର୍ଯ୍ୟାୟ!

ସଂଘମିତ୍ରାଙ୍କୁ ଧରି ତାଙ୍କ ସ୍ବାମୀ ଭୋ ଭୋ ହୋଇ କାନ୍ଦିବାକୁ ଲାଗିଲେ। ଉଭୟ ପ୍ରେମ ବିବାହ କରିଥିଲେ। ଏଲ୍‌ଆଇସି ଏଜେଣ୍ଟ୍‌ ଭାବେ କାମ କରୁଥିବା ସ୍ବାମୀ ମହେନ୍ଦ୍ରବାବୁ ସଂଘମିତ୍ରାଙ୍କୁ ଖୁବ୍‌ ଭଲ ପାଉଥିଲେ। ୨୦୨୩ ଅକ୍ଟୋବର ୧୮ ତାରିଖ। ସକାଳୁ ସଂଘମିତ୍ରାଙ୍କ ମନଟା ଭାରୀ ଭାରୀ ‌ଲାଗୁଥା‌ଏ। ମଧ୍ୟାହ୍ନ ସମୟ। ସ୍ବାମୀ ତାଙ୍କ ହାତଧରି ଖଟ ଉପରେ ବସିଥାନ୍ତି। ଉଭୟ ପତି-ପତ୍ନୀ ହସଖୁସିରେ ମସ୍‌ଗୁଲ୍‌। ଯୌବନ ବେଳର ପ୍ରେମଗପ, ନୂଆକରି ସଂସାର କରିବାର ଗପ, ସବୁପରେ ବି ପରସ୍ପରଙ୍କ ପ୍ରତି ବଢ଼ିଥିବା ତାଙ୍କ ଆବେଗର ଗପ। ଗପୁ ଗପୁ ଭାବପ୍ରବଣ ହୋଇଗଲେ ମହେନ୍ଦ୍ର। ଖୁବ୍ କାନ୍ଦିଲେ। ପତ୍ନୀଙ୍କ ଜୀବନ ଯେ ଅନିଶ୍ଚିତ, ତାହାକୁ ସେ ଗ୍ରହଣ କରିପାରୁ ନଥିଲେ। ବାରମ୍ବାର କହୁଥିଲେ, ‘‘ତୋତେ ମୁଁ ମରିବା ଅବସ୍ଥାରେ ଦେଖିପାରିବିନି। ତୁ ଥିବୁ ମୁଁ ଚାଲିଯିବି।’’

Birsa Munda: ବିର୍ସା ମୁଣ୍ଡାଙ୍କ ଜୟନ୍ତୀରେ ଜନଜାତୀୟ ଉନ୍ନତ ଗ୍ରାମ ଅଭିଯାନ

ମହେନ୍ଦ୍ରଙ୍କ କାନ୍ଦ ବୋଧେ ଈଶ୍ବରଙ୍କ କାନରେ ବାଜିଲା। ସେହିଦିନ ସଂଧ୍ୟାରେ ଯୋଡ଼ା ଷ୍ଟ୍ରୋକ୍‌ରେ ସଂଘମିତ୍ରାଙ୍କ ହାତ ଛାଡ଼ିଦେଇ ଆଖି ବୁଜିଦେଲେ ମହେନ୍ଦ୍ର। ବୋଝ ଉପରେ ନଳିତାବିଡ଼ା ପରି ଥିଲା ସ୍ବାମୀଙ୍କ ମୃତ୍ୟୁ ପରେ ଶୁଦ୍ଧିକର୍ମ ପାଇଁ ଶଶୁରଘର ଲୋକଙ୍କ ଅସହଯୋଗ ଓ ତାତ୍ସଲ୍ୟ। ଯନ୍ତ୍ରଣାକୁ ଛାତିରେ ଚାପି ସବୁ କାମ ଏକାକୀ କଲେ। ମନକୁ ଟାଣ କଲେ।  ନିଜକୁ ବଞ୍ଚିବାକୁ ହେବ ଓ ପିଲାମାନଙ୍କୁ ମଣିଷ କରିବାକୁ ପଡ଼ିବ। ସ୍ବାମୀ ଚାଲିଯିବାର କିଛି ମାସ ପୂର୍ବରୁ ୟୁଟ୍ୟୁବ୍‌ରେ ସେ ‘କ୍ୟାନ୍‌ସର୍‌ ଜର୍ଣ୍ଣି’ ନାମକ ଏକ ଚ୍ୟାନେଲ୍‌ ଖୋଲି ଭିଡିଓ ଅପ୍‌ଲୋଡ୍‌ ଆରମ୍ଭ କରିଥିଲେ। ସୋସିଆଲ୍‌ ମିଡିଆକୁ ରୋଜଗାରର ଏକ ମାଧ୍ୟମ କରିବାକୁ ସେ ସ୍ଥିରକଲେ। ଇନ୍‌ଷ୍ଟାଗ୍ରାମ୍‌ ଓ ଫେସ୍‌ବୁକ୍‌ରେ ବି ଆକାଉଣ୍ଟ୍‌ ଖୋଲିଲେ। ଭିନ୍ନ ଭିନ୍ନ ସ୍ବାଦର ଭିଡିଓ ପ୍ରସ୍ତୁତ କରି ସେୟାର୍‌ କଲେ। ତା‌ଙ୍କର ହସ ହସ ମୁହଁ ପାଇଁ ଓଡ଼ିଶାବାସୀ ତାଙ୍କୁ ଭଲପାଇବା ଅଜାଡ଼ି ଦେଲେ। ସେ ଆଜି ଜଣେ ସଫଳ ସୋସିଆଲ୍‌ ମିଡିଆ ଇନ୍‌ଫ୍ଲୁଏନ୍ସର୍‌। ୟୁଟ୍ୟୁବ୍‌ରେ ତାଙ୍କର ପାଖାପାଖି ୩ ଲକ୍ଷ ସବ୍‌ସ୍କ୍ରାଇବର୍‌।   ଫେସ୍‌ବୁକ୍‌ରେ ୬୬ ହଜାର ଓ ଇନ୍‌ଷ୍ଟାଗ୍ର‌ାମ୍‌ରେ  ପ୍ରାୟ ୪୦ ହଜାର ଫଲୋୟର୍ସ। ଚେହେରା ଦେଖି କେହି ତାଙ୍କ ଦୁଃଖକୁ କଳିପାରିବ ନାହିଁ; ତା‌ହା ହିଁ ତାଙ୍କର ସ୍ବାତନ୍ତ୍ରୢ। ସୋସିଆଲ୍‌ ମିଡିଆ ରୋଜଗାରରୁ ନିଜର ଚିକିତ୍ସା ଓ ଘରଖର୍ଚ୍ଚ ତୁଲାଉଛନ୍ତି ସଂଘମିତ୍ରା।

ମୁମ୍ବାଇରେ ଚାକିରି କରୁଥିବା ସଙ୍ଘମିତ୍ରାଙ୍କ ବଡ଼ପୁଅର ଆଜି ବାହାଘର। ନବମ ଶ୍ରେଣୀରେ ପଢୁଥିବା ସାନପୁଅଙ୍କ ପାଇଁ ସେ ଆଉ କିଛି ଦିନ ବଞ୍ଚିବାକୁ ଚାହାନ୍ତି ବୋଲି କହିବା ବେଳେ ଟିକିଏ ଭାରୀ ହୋଇ ଯାଇଥିଲା ସଂଘମିତ୍ରାଙ୍କ କଣ୍ଠସ୍ବର। ସ୍ବାମୀଙ୍କ ନାମକୁ ଅମର ରଖିବା ପାଇଁ ସେ ‘ମହେନ୍ଦ୍ର ଫାଉଣ୍ଡେସନ୍‌’ ଜରିଆରେ ଦୁଃଖୀଦରିଦ୍ରଙ୍କୁ ସହାୟତା ବି କରୁଛନ୍ତି। ଜଣେ ‘କର୍କଟ ଯୋଦ୍ଧା’ ଭାବେ ସେ ବିଭିନ୍ନ ସମ୍ମାନରେ ସମ୍ମାନିତ ହୋଇଛନ୍ତି।

Odisha