ଭିଲିଆନ୍‌ ମିଲେଟ୍‌ ଭେଜ୍‌ ସୁପ୍‌, ବେୱଫା ମସ୍‌ରୁମ୍‌ ସୁପ୍‌ ଓ ଧୋକେବାଜ୍‌ ଚିକେନ୍‌ ସୁପ୍‌ର ସ୍ବାଦ କେବେ ନେଇଛନ୍ତି? ଆପଣ ଯଦି ସୁପ୍‌ ପିଆରା ତେବେ କେଉଁଠି ନା କେଉଁଠି ଭେଜ୍‌ ସୁପ୍‌ କି ମସ୍‌ରୁମ୍‌ ସୁପ୍‌ ଅଥବା ଚିକେନ୍‌ ସୁପ୍‌ ଚାଖିଥିବେ। କିନ୍ତୁ ନାଁରେ ଭିଲିଆନ୍‌, ବେୱଫା ଓ ଧୋକେବାଜ୍‌ ଭଳି ନକାରାତ୍ମକ ଶବ୍ଦ ପ୍ରୟୋଗ ହୋଇଥିବା ସୁପ୍‌ ହୁଏତ ଆପଣ ପିଇ ନଥିବେ। ଏଭଳି ଅଦ୍ଭୁତ ନାମକରଣ ଥିବା ସୁପ୍‌ର ଠିକଣା ଗୋଟିଏ- ‘ଏମ୍‌ବିଏ୍‌ ସୁପ୍‌ୱାଲା’! ରାଜଧାନୀର ରାସ୍ତାକଡ଼ରେ ସୁପ୍‌ର ପସରା ମେଲିଛନ୍ତି ଏମ୍‌ବିଏ ପଢୁଆ ତରୁଣ। ଏତିକି ନୁହେଁ, ତାଙ୍କ ଷ୍ଟଲ୍‌ରେ ପରଷା ଯାଉଥିବା ଅନ୍ୟ ସୁପ୍‌ର ନାମ ବି ନିଆରା-  ଡିଜେ ଡିସ୍‌କୋ ଚିକେନ୍‌ ସୁପ୍‌, ଫାୟାର୍‌ ମିକ୍ସ ମଟନ୍‌ ସୁପ୍‌, ଦିଲ୍‌ବର୍‌ କ୍ରାବ୍‌ ସୁପ୍‌ ଓ ଝିଙ୍ଗାଲାଲା ପ୍ରନ୍‌ ସୁପ୍‌! ଉଚ୍ଚଶିକ୍ଷିତ ହୋଇଥିଲେ ବି କୌଣସି ଶୀତତାପ ନିୟନ୍ତ୍ରିତ ଅଫିସ୍‌ରେ ସୁଟ୍‌-ବୁଟ୍‌ ପିନ୍ଧା ବାବୁ ନ ବନି ଷ୍ଟଲ୍‌ରେ ଝାଳନାଳ ହୋଇ ସୁପ୍‌ ତିଆରୁଛନ୍ତି କାହିଁକି?

Advertisment

Gold: ୩ ସପ୍ତାହରେ ସୁନା ୭ ହଜାର ମହଙ୍ଗା, ରୁପା ଦର ୩୯ ହଜାର ବଢ଼ିଛି

ଶିକ୍ଷା କେବଳ ଚାକିରି ଖଣ୍ଡେ ପାଇବାର ଜରିଆ ନୁହେଁ। ସବୁ ଶିକ୍ଷିତ ପିଲା ଯେ ଏସି ରୁମ୍‌ରେ ବସି ୧୦ରୁ ୬ ଡ୍ୟୁଟି କରିବେ, ତା’ର ବି କିଛି ମାନେ ନାହିଁ। ଆତ୍ମନିର୍ଭରଶୀଳତା ହିଁ ପ୍ରକୃତ ସଫଳତା। ଏମ୍‌ବିଏ ପଢ଼ିବା ପରେ ବିନା ସଂକୋଚରେ ରାସ୍ତାକଡ଼ରେ ଠେଲା ଲଗାଇ ସୁପ୍‌ ବ୍ୟବସାୟରେ ସଫଳତା ହାସଲ କରିବା କିଛି କମ୍‌ କଥା ନୁହେଁ। ପୁଅ ବଡ଼ ଚାକିରି କରିବ ବୋଲି ବାପାମାଆ ଭାବିଥିଲେ, ହେଲେ ପୁଅ ଚାକିରି ଛାଡ଼ି ଆଜି ଅନ୍ୟକୁ ଚାକିରି ଯୋଗାଇଛି! ବାଲେଶ୍ବରର ବାସିନ୍ଦା ତରୁଣ କୁମାର ମଲ୍ଲିକ୍‌ ଏହା ପ୍ରମାଣ କରି ଦେଖାଇଛନ୍ତି।

ବାଲେଶ୍ବରର ଏକ ମଧ୍ୟବିତ୍ତ ପରିବାରର ସନ୍ତାନ ତରୁଣ ସରକାରୀ ସ୍କୁଲରେ ଶିକ୍ଷା ସମାପ୍ତ କରିବା ପରେ ଫକୀର ମୋହନ କଲେଜରେ ବି.କମ୍‌ କରିଥିଲେ। ପରେ ସେ ବାଲେଶ୍ବର କଲେଜ ଅଫ୍‌ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜିରେ ମାର୍କେଟିଂ ଆଣ୍ଡ୍‌ ଫାଇନାନ୍ସରେ ଏମ୍‌ବିଏ କଲେ। ଲକ୍ଷ୍ୟ ଥିଲା ଭଲ ସଂସ୍ଥାରେ ଚାକିରିଟିଏ କରିବେ। ଆଉ ତାହା ହିଁ ହୋଇଥିଲା। ପଢ଼ା ସରିବା ପରେ ସେ ଏକ ଆଇଟି କମ୍ପାନିରେ ଭଲ ଦରମାରେ ଯୋଗଦେଲେ। ହେଲେ ଚାକିରି କରିବାକୁ ତାଙ୍କ ମନ ମାନୁନଥାଏ। କାହା ଅଧୀନରେ ରହି କାମ କରିବାକୁ ତାଙ୍କୁ ଆଦୌ ଭଲ ଲାଗୁନଥାଏ। ଏମିତିରେ ଦୁଇ ବର୍ଷ ବିତିଗଲା। ସେ ସୁଯୋଗ ଖୋଜୁଥାନ୍ତି କିପରି ନିଜ ଶିଙ୍ଗରେ ମାଟି ତାଡ଼ିବେ!

ଭୁବନେଶ୍ବରର ନୟାପଲ୍ଲୀରେ ତରୁଣଙ୍କର ଜଣେ ସଂପର୍କୀୟ ଭାଇ ସୁପ୍‌ ଦୋକାନ କରିଥାନ୍ତି। ତାଙ୍କ ବେପାର ବି ବଢ଼ିଆ ଚାଲିଥାଏ। ତାଙ୍କୁ ଦେଖିବା ପରେ ତରୁଣଙ୍କ ମନ ସେଇ ବ୍ୟବସାୟ ଆଡ଼କୁ ଢଳିଲା। ସେ ଭାବିଲେ, ମୁଁ ତ ଭଲ ରନ୍ଧାରନ୍ଧି କରିପାରେ, ଯଦି ଗୋଟାଏ ସୁପ୍‌ ଦୋକାନ କରନ୍ତି ତ ‌ମୋର ଆଉ କାହା ଅଧୀନରେ କାମ କରିବାକୁ ପଡ଼ନ୍ତା ନାହିଁ! ହେଲେ ରାସ୍ତାକଡ଼ରେ ସୁପ୍ ବିକିବା କେ‌ତେ ଦୂର ଠିକ୍‌ ହେବ, ସେ କଥା ଭାବି ଅଟକି ଯାଉଥାଆନ୍ତି। ଶେଷରେ ସଂକୋଚ ପରିତ୍ୟାଗ କରି ରାସ୍ତାକୁ ଓହ୍ଲାଇଲେ। ଆଇଟି କମ୍ପାନିର ଉଚ୍ଚଶିକ୍ଷିତ କର୍ମଚାରୀରୁ ପାଲଟିଗଲେ ‘ଏମ୍‌ବିଏ୍‌ ସୁପ୍‌ୱାଲା’!

Odisha Masters: ଓଡ଼ିଶା ମାଷ୍ଟର୍ସ ଅନ୍ତର୍ଜାତୀୟ ବ୍ୟାଡ୍‌ମିଣ୍ଟନ୍: ଫାଇନାଲ୍‌ରେ ଉନ୍ନତି-ଈଶାରାଣୀ, ୟୁସୁଫ-କିରଣ

ପ୍ରଥମେ ଭୁବନେଶ୍ବରର ପଟିଆ‌ ଖାଓ ଗଳିରେ ଠେଲା ଲଗାଇଲେ। ଆକର୍ଷଣୀୟ ନାମକରଣ କରି ସୁପ୍‌ ପ୍ରସ୍ତୁତ କଲେ। ଧୀରେ ଧୀରେ ତାଙ୍କ ହାତତିଆରି ସୁପ୍‌ର ଆଦର ବଢ଼ିଲା। ଗ୍ରାହକଙ୍କ ଭିଡ଼ ଜମିଲା। ତା’ପରେ ବୁଦ୍ଧ ପାର୍କ ନିକଟରେ ଆଉ ଗୋଟାଏ ଠେଲା ଲଗାଇଲେ ତରୁଣ। ବ୍ୟବସାୟକୁ ଆଉ ପାଦେ ଆଗକୁ ନେଇ କିଟ୍‌ କଲେଜ୍‌ ଗଳିରେ ଖୋଲିଲେ ଆଉ ଗୋଟିଏ କାଉଣ୍ଟର୍‌। ତରୁଣ କହନ୍ତି, ‘‘ପ୍ରଥମେ ମୁଁ ନିଜେ ସୁପ୍‌ ତିଆରି କଲି। ଭଲ ସ୍ବାଦ ସହ ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ  ସୁପ୍‌ଗୁଡ଼ିକର ମଜାଦାର ନାମକରଣ ବି କଲି। ଗୋଟାକରୁ ଏବେ ମୋର ତିନିଟି ଠେଲା ହେଲାଣି। ଏକାକୀ ବ୍ୟବସାୟ ତୁଲାଇବାକୁ ସକ୍ଷମ ନହେବାରୁ ୫ ଜଣ ପିଲାଙ୍କୁ ରଖିଛି।’’ ନିଜ ପେଟ ପୋଷିବା ସହ ତରୁଣ ଏବେ ଆଉ ପାଞ୍ଚଟି ପରିବାରର ସାହାରା ପାଲଟିଛନ୍ତି। ଚାକିରି କରିଥିଲେ ସେ ଯେତିକି ଦରମା ପାଉ ନଥାନ୍ତେ, ବେପାରରେ ତା’ଠାରୁ ଅଧିକ ରୋଜଗାର କରୁଛନ୍ତି। ‘ଏମ୍‌ବିଏ୍‌ ସୁପ୍‌ୱାଲା’ଙ୍କ ସୁପ୍‌ ବି ବେଶୀ ଦାମୀ ନୁହେଁ। ମାତ୍ର ୩୦ ଟଙ୍କାରୁ ଆରମ୍ଭ ହେଉଥିବା ତାଙ୍କ ସୁପ୍‌ ସାଧାରଣ ବର୍ଗର ଲୋକଙ୍କୁ ଅଧିକ ଆକର୍ଷିତ କରୁଛି। ସ୍ବାଦ ସହ କେବେ ବି ସାଲିସ୍‌ କରୁ ନଥିବା ତରୁଣଙ୍କର ରାନ୍ଧଣା ଉପରେ ଥିବା ଜ୍ଞାନ କାରଣରୁ ସଫଳତା ମିଳିଛି ତାଙ୍କୁ। ନିଜର ତିନିଟିଯାକ ଠେଲା ଲାଗି ନିତି ସୁପ୍‌ ରାନ୍ଧନ୍ତି ତରୁଣ। ଜଣେ ଶିକ୍ଷିତ ଯୁବକଙ୍କ ରୋଷେଇ ଦକ୍ଷତା କିଭଳି ତାଙ୍କୁ ସ୍ବାବଲମ୍ବୀ ବନାଇପାରେ, ତରୁଣ ତାହାର ସଫଳ ଉଦାହରଣ। ଏବେ ମାସିକ ଲକ୍ଷାଧିକ ଟଙ୍କା କାରବାର କରୁଥିବା ତରୁଣ ବେକାର ଯୁବକଯୁବତୀଙ୍କର ନିଶ୍ଚିତ ଭାବେ ପ୍ରେରଣାର ଉତ୍ସ।