ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାର ପ୍ରଥମ ସ୍ବାଧୀନତା ସଂଗ୍ରାମୀ ସହିଦ ରେଣ୍ଡୋ ମାଝୀଙ୍କ ଜନ୍ମମାଟି ମଦନପୁର ରାମପୁର ବ୍ଲକ୍‌ର ଲୁବେନଗଡ଼ ଆଜି ମଧ୍ୟ ଅବହେଳିତ ଅବସ୍ଥାରେ ପଡ଼ି ରହିଛି। ମଦନପୁର ରାମପୁର ବ୍ଲକ୍‌ର ଉର୍ଲାଦାନୀ ପଞ୍ଚାୟତ ଅଧୀନରେ ଲୁବେନଗଡ଼ ଗାଁ ରହିଥିଲା। ୨୦୧୬ ମସିହାରେ ପଞ୍ଚାୟତ ପୁନର୍ଗଠନ ବେଳେ ଲୁବେନଗଡ଼ ଏକ ପଞ୍ଚାୟତର ମାନ୍ୟତା ପାଇଥିଲା। ଉର୍ଲାଦାନୀଠାରୁ ଲୁବେନଗଡ଼ର ଦୂରତା ୨୭ କିମି। ପ୍ରଧାନମନ୍ତ୍ରୀ ଗ୍ରାମସଡ଼କ ଯୋଜନାରେ ତିଆରି ଏହି ରାସ୍ତା ଅତ୍ୟନ୍ତ ନିମ୍ନମାନର କାମ ଯୋଗୁଁ ଏହାର ସ୍ଥାୟିତ୍ବକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଲୁବେନଗଡ଼ ପଞ୍ଚାୟତ ମହକୁମା ହୋଇଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ (ଲକ୍ଷ୍ମୀ) ବସ୍‌ ସହିତ ସଂଯୋଗ ହୋଇ ପାରିନାହିଁ। ସ୍ୱାସ୍ଥ୍ୟସେବା ପାଇଁ ଲୁବେନଗଡ଼ ପଞ୍ଚାୟତବାସୀ ୧୫ କିମି ଦୂର କନ୍ଧମାଳଜିଲ୍ଲା ବାଲିଗୁଡ଼ା ବ୍ଲକ୍‌ ଅନ୍ତର୍ଗତ ବାରଖମା ଡାକ୍ତରଖାନା ଉପରେ ନିର୍ଭର କରୁଛନ୍ତି। ୨୦୦୪ ମସିହାରେ ଲୁବେନଗଡ଼ ଗାଁରେ ହଇଜା ବ୍ୟାପି ପ୍ରାୟ ୧୫ ଜଣଙ୍କର ମୃତ୍ୟୁ ଘଟିଥିଲା। ସେହିଭଳି ମ୍ୟାଲେରିଆରେ ଆକ୍ରାନ୍ତ ହୋଇ ଶିଶୁ, ବୟସ୍କଙ୍କ ସମେତ ମହିଳାଙ୍କ ଜୀବନ ଅକାଳରେ ଝଡ଼ିପଡ଼ୁଛି।

Advertisment

The history: ଭଗ୍ନାବଶେଷ ବଖାଣୁଛି ନଳବଂଶ ଇତିହାସ

Gadgets in Focus: ଫୋକସ୍‌ରେ ଗ୍ୟାଜେଟ୍: ମିଡ୍‌ରେଞ୍ଜ ଦର ପ୍ରିମିଅମ୍‌ ଫିଚର

ଏଠାରେ ଏକ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପ୍ରତିଷ୍ଠା କରିବାକୁ ଦାବି ହୋଇ ଆସୁଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉ ନାହିଁ। ଲୁବେନଗଡ଼  ଗ୍ରାମବାସୀଙ୍କ ପାଇଁ କିମ୍ବଦନ୍ତି ଥିବା ରାଜାଚୁଆ ଓ ରାଣୀଚୁଆ ଭରସା ସାଜିଛି। ବର୍ତ୍ତମାନ ଏଠାରେ ବସୁଧା ଯୋଜନାରେ ପାଇପ ଜଳଯୋଗାଣ ପାଇଁ ଅନୁଦାନ ଆସିଛି। କିନ୍ତୁ ଅଧାପନ୍ତରିଆ ହୋଇ ପଡ଼ିରହିଛି। ବହୁ ଯୋଗ୍ୟ ହିତାଧିକାରୀ ବର୍ଷବର୍ଷ ଧରି ବାର୍ଦ୍ଧକ୍ୟ ଭତ୍ତା ପାଇଁ ଆବେଦନ କରି ଅପେକ୍ଷାରେ ଅଛନ୍ତି। ଲୁବେନଗଡ଼ ପଞ୍ଚାୟତ ମହକୁମାରେ ଏଏନ୍‌ଏମ୍‌ କେନ୍ଦ୍ର ଓ ପ୍ରାଣିଧନ ନିରୀକ୍ଷକ କେନ୍ଦ୍ର ମଧ୍ୟ ନାହିଁ। ଲାହିଡିଠାରୁ ଲୁବେନଗଡ଼ ଗାଁ ପର୍ଯ୍ୟନ୍ତ ରାସ୍ତା ଅବସ୍ଥା ଶୋଚନୀୟ ଥିବା ଯୋଗୁଁ ପଞ୍ଚାୟତ ପକ୍ଷରୁ ମୋହନଗିରି ରାସ୍ତା ଦେଇ ପ୍ରାୟ ୫୫ କିମି ମଦନପୁର-ରାମପୁର ବ୍ଲକ୍‌ରୁ ପିଡିଏସ୍‌ ଚାଉଳ ଆଣିଥାନ୍ତି। ଆଦିବାସୀବହୁଳ ଲୁବେନଗଡ଼ରେ ଜଙ୍ଗଲ ଜମି ଅଧିକାର ମଧ୍ୟ ଧର୍ମକୁ ଆଖିଠାର ସାଜିଛି। ଲୁବେନଗଡ଼ଠାରେ ଏକ ଆବାସିକ ସେବାଶ୍ରମ ରହିଛି, କିନ୍ତୁ ଶିକ୍ଷକ ଅଭାବ ଯୋଗୁଁ ପାଠପଢ଼ା ବିପର୍ଯ୍ୟସ୍ତ ହେବାରେ ଲାଗିଛି। ପ୍ରତିବର୍ଷ ଡିସେମ୍ବର ୧୦ ତାରିଖରେ ସହିଦ ରେଣ୍ଡୋ ମାଝୀ ଦିବସରେ ସମସ୍ତେ ଲୁବେନଗଡ଼ କଥା ମନେ ପକାନ୍ତି, ପରେ ଭୁଲିଯାଆନ୍ତି। ରାଜ୍ୟ ସରକାର ତୁରନ୍ତ ସହିଦ ରେଣ୍ଡୋ ମାଝୀଙ୍କ ଜନ୍ମମାଟି ଲୁବେନଗଡ଼ର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।