ଭୁବନେଶ୍ବର: ସୋମବାରର ସକାଳ ଚା ଖଟି ହିନ୍ଦୁତ୍ବବାଦୀ ଓ ହେତୁବାଦୀଙ୍କ ରଣକ୍ଷେତ୍ରରେ ପରିଣତ ହୋଇଥିଲା। ହିନ୍ଦୁ ବିବାହ ଏକ ଅନାବଶ୍ୟକ ପରମ୍ପରାର ଆଖଡ଼ାଶାଳରେ ପରିଣତ ହୋଇଛି ବୋଲି ହେତୁବାଦୀ ରଥ ମହାଶୟ ଅଭିଯୋଗ କରିଥିଲେ। ହିନ୍ଦୁତ୍ବବାଦୀ ସ୍ବାଇଁ ଓ ପରିଡ଼ା ବାବୁ ଏହାର ଜୋରଦାର ବିରୋଧ କରିବାକୁ ଚେଷ୍ଟା କରିଥିଲେ। ହେଲେ ରଥ ମହାଶୟଙ୍କ ବଳିଷ୍ଠ ଯୁକ୍ତି ଆଗରେ ସେମାନଙ୍କ ଯୁକ୍ତି ଫିକା ପଡ଼ିଯାଉଥିଲା। ଦାଶବାବୁ କହିଲେ, ମାଗୁଣି ପଣ୍ଡିତେ ଥିଲେ ଏଇକ୍ଷିଣା ଠିକ୍ ଉତ୍ତର ଦେଇପାରିଥାନ୍ତେ। ଅତୀତରେ ରଥବାବୁ ମାଗୁଣି ପଣ୍ଡିତଙ୍କ ପାଖରେ କେତଥର ହାର ମାନିଛନ୍ତି। ଯୋଗକୁ ଏହି ସମୟରେ ମାଗୁଣି ପଣ୍ଡିତେ ଆସି ପହଞ୍ଚିଲେ। ଚା ଦୋକାନୀ ନରି କହିଲା, ହେଇ ପା ମାଗୁଣି ପଣ୍ଡିତେ ଆସିଲେଣି। 

Advertisment

ମାଗୁଣି ପଣ୍ଡିତେ- ଏତେ ପାଟିତୁଣ୍ଡ କ’ଣ ପାଇଁ ହେଉଛି? ଅଧ କିଲୋମିଟର ଦୂର ଯାଏ ଶୁଭୁଛି। 
ଦାଶବାବୁ- ରଥବାବୁ କହୁଛନ୍ତି, ହିନ୍ଦୁ ବିବାହରେ ଯେଉଁସବୁ ପରମ୍ପରା ଅଛି ସେଗୁଡ଼ାକ ଖାଲି ପ୍ରହସନ ଛଡ଼ା କିଛି ନୁହେଁ। ବାହାଘରରେ ବରକନ୍ୟାଙ୍କ କଉଡ଼ିଖେଳକୁ ନେଇ ସେ ପ୍ରଶ୍ନ ଉଠାଇଛନ୍ତି। 

ରଥବାବୁ- ମୁଁ କ’ଣ ଭୁଲ୍ କହିଲି? ହୋମଯଜ୍ଞ, ବେଦମନ୍ତ୍ର ପାଠ ଆଦି ହେବା କଥା। ହିନ୍ଦୁ ବିବାହରେ ଏ ରୀତିକୁ କେହି ବିରୋଧ କରୁନାହାନ୍ତି, କାରଣ ଏହା ବୈଦିକ ପରମ୍ପରା। ତେବେ ଏ କଉଡ଼ିଖେଳ କାହିଁକି ?

ପଣ୍ଡିତ ମହାଶୟ- କଉଡ଼ିଖେଳର ମହାତ୍ମ୍ୟ ନ ବୁଝି ତାକୁ ସମାଲୋଚନା କରିବା ଅନୁଚିତ। ବରକନ୍ୟା ବ୍ରାହ୍ମଣଙ୍କ ଠାରୁ ଆଶୀର୍ବାଦ ଗ୍ରହଣ କରି ଘରକୁ ଯିବା ପୂର୍ବରୁ ବେଦି ଉପରେ କଉଡ଼ି ଖେଳିବାର ଦେଶାଚାର ଅଛି। ବର ପକାଉଥିବା କଉଡ଼ିକୁ କନ୍ୟା ଜୋରରେ ଧରେ। ଏହାଫଳରେ କନ୍ୟା ଧରିଥିବା କଉଡ଼ିକୁ ଛଡ଼ାଇବାକୁ ବର ଚେଷ୍ଟା କଲେହେଁ ଆଣିପାରେ ନାହିଁ। ଏଥିରୁ ଜଣାଯାଉଛି ସ୍ବାମୀର ଉପାର୍ଜିତ ଧନ (କଉଡ଼ି) ସ୍ତ୍ରୀ ହାତରେ ସୁରକ୍ଷିତ ରହେ। ସେ କାଳରେ କଉଡ଼ିକୁ କ୍ରୟ-ବିକ୍ରୟର ମାଧ୍ୟମ ବା ମୁଦ୍ରା ଭାବେ ବ୍ୟବହାର କରାଯାଉଥିଲା। ସ୍ତ୍ରୀ ତୁଳନାରେ ପୁରୁଷ ଅଯଥା ବ୍ୟୟ କରିବାକୁ କୁଣ୍ଠାବୋଧ କରେ ନାହିଁ। ସ୍ତ୍ରୀମାନେ ସ୍ବଭାବତଃ ସଂଚୟଶୀଳା। ଅପବ୍ୟୟ ନ କରିବା ସେମାନଙ୍କ ନୈସର୍ଗିକ ଗୁଣ। ଗୃହଖର୍ଚ୍ଚ ସକାଶେ ସ୍ତ୍ରୀମାନେ ସ୍ବାମୀକୁ ଧନ ଦେଲାବେଳେ ବୁଝିଶୁଝି ଦିଅନ୍ତି, ଯେପରି ସ୍ବାମୀ ବଦଖର୍ଚ୍ଚ କରିବାର ସୁଯୋଗ ପାଇବ ନାହିଁ। ଏହାଫଳରେ ଗୃହର ସ୍ଥାୟିତ୍ବ ସହ ଧନବୃଦ୍ଧି ହୋଇଥାଏ। ସେହି ଧନ ପରେ ପୁଅଝିଅଙ୍କ ପାଠପଢ଼ା, କନ୍ୟା ବିବାହ, ଗୃହନିର୍ମାଣ, ବଡ଼ ଚିକିତ୍ସା ଖର୍ଚ୍ଚ ଆଦି କାମରେ ଲାଗେ। 

ରଥ ମହାଶୟ: ସ୍ବାମୀ ହାତରେ ଧନ ରହିଲେ କ’ଣ ଏସବୁ ହୋଇପାରିବ ନାହିଁ?

ପଣ୍ଡିତେ: ନା, ସ୍ବାମୀ ଉପାର୍ଜନ କରୁଥିବାରୁ ମନଇଚ୍ଛା ଖର୍ଚ୍ଚ କରିବାକୁ ସାଧାରଣତଃ କୁଣ୍ଠାବୋଧ କରେ ନାହିଁ। ଉପାର୍ଜନ କରୁ ନ ଥିବା ବ୍ୟକ୍ତି ହିଁ ସାଧାରଣତଃ ସଂଚୟଶୀଳ ହୋଇଥାନ୍ତି। ଅବଶ୍ୟ ଆଜିକାଲି ବହୁ ସ୍ତ୍ରୀ ନିଜେ ରୋଜଗାରକ୍ଷମ ହେଲେଣି। ତା’ ସତ୍ତ୍ବେ ସଂଚୟ ସେମାନଙ୍କର ଏକ ସହଜାତ ପ୍ରବୃତ୍ତି, ଯାହା ପୁରୁଷମାନଙ୍କ ପାଖରେ ନ ଥାଏ। ସ୍ତ୍ରୀମାନେ ଅପବ୍ୟୟଶୀଳା ହୋଇ ନ ଥିବାରୁ ବିବାହର ସପ୍ତପଦୀର ତୃତୀୟ ମନ୍ତ୍ରରେ ଧନବୃଦ୍ଧିର ଦାୟିତ୍ବ ସ୍ତ୍ରୀକୁ ଦିଆଯାଇଛି। କଉଡ଼ିଖେଳ ମାଧ୍ୟମରେ ବିବାହ ବନ୍ଧନରେ ଆବଦ୍ଧ ହେବା ଦିନଠାରୁ ସ୍ତ୍ରୀମାନେ ଧନରକ୍ଷାକାରିଣୀ ବୋଲି ସୂଚନା ଦିଆଯାଇଛି। ସ୍ବାମୀମାନଙ୍କୁ ଏହା ଏକ ଶିକ୍ଷା, ଯାହାଦ୍ବାରା ସେମାନେ ସ୍ତ୍ରୀ ହାତରେ ଧନ ସମର୍ପିବାକୁ କୁଣ୍ଠାବୋଧ କରିବେ ନାହିଁ। 

ଦାଶବାବୁ- ଆଚ୍ଛା ସ୍ବାମୀମାନେ ଯଦି ସ୍ତ୍ରୀ ହାତରେ ଧନ ନ ଦିଅନ୍ତି?

ପଣ୍ଡିତେ- ସ୍ବାମୀମାନେ ନ ଦେଲେ କେମିତି ତାଙ୍କଠାରୁ ଟଙ୍କାଟା ଆଣିବାକୁ ପଡ଼ିବ, ସ୍ତ୍ରୀମାନେ ତା’ର ବିକଳ୍ପ ପନ୍ଥା ବାହାର କରନ୍ତି। ଦରକାର ପଡ଼ିଲେ ସ୍ବାମୀର ପକେଟ୍‌ରୁ ଚୋରି ବି କରନ୍ତି। କିନ୍ତୁ ଘରର ବା ସ୍ବାମୀର ପ୍ରୟୋଜନ ବେଳେ ସେମାନେ ନିଜର ସଂଚିତ ଧନ ସ୍ବାମୀ ହାତରେ ଦେବାକୁ କୁଣ୍ଠାବୋଧ କରନ୍ତି ନାହିଁ। ବେଳେବେଳେ ମିଛ ବି କହନ୍ତି- ମୋ ଭାଇ ଦେଇଥିଲା, ବୋଉ ଦେଇଥିଲା ଇତ୍ୟାଦି। 
ରଥବାବୁ- ଆଉ ଯେଉଁଠି ସେତିକି (ଚୋରି) କରିବାକୁ ବି ସ୍ବାମୀମାନେ ସୁଯୋଗ ଦିଅନ୍ତିନି? 

ଆହୁରି ପଢନ୍ତୁ-

ଦହି ଓ ଅଣ୍ଡା- ଆମିଷ ନା ନିରାମିଷ?

ପଣ୍ଡିତେ- ସେମିତି ହେଲେ ତା’ର କୁଫଳ ସେଇ ସ୍ବାମୀମାନଙ୍କୁ ଭୋଗିବାକୁ ପଡ଼େ। ସେମାନେ ଅତି ପ୍ରୟୋଜନ ବେଳେ ଅନନ୍ୟୋପାୟ ହୋଇ ଋଣ କରନ୍ତି, ଋଣଭାରରେ ବୁଡ଼ନ୍ତି ଓ ହଇରାଣ ହୁଅନ୍ତି। 

ଦାଶବାବୁ- ବୁଝିଲେ ରଥ ମହାଶୟ! ଆମ ଓଡ଼ିଆ ପରମ୍ପରାରେ ଥିବା କଉଡ଼ି ଖେଳର ମହତ୍ତ୍ବ? ସବୁକଥାକୁ ତୁମ ହେତୁବାଦୀ ଚିନ୍ତାଧାରାରେ ଉଡ଼ାଇଦେବା ଆଜିଠାରୁ ଛାଡ଼। 

ଜ୍ୟୋତିର୍ବିଦ୍ ଦୋଳଗୋବିନ୍ଦ ପଣ୍ଡା, ମୋ- ୭୦୦୮୯୬୦୫୦୨

ଆହୁରି ପଢନ୍ତୁ-

Supermoon Tonight: ଆଜି ଆକାଶରେ ଦେଖାଯିବ ଏବର୍ଷର ସବୁଠାରୁ ବଡ଼ ଜହ୍ନ… ଜାଣନ୍ତୁ କେତେବେଳେ ଦିଶିବ, କେଉଁଠି ଦୃଶ୍ୟମାନ ହେବ ?