୧୯୭୦ ମସିହା ମାର୍ଚ୍ଚ ୮ ତାରିଖରେ ମୋର ବିବାହ ହୁଏ ଡକ୍ଟର ଜଗନ୍ନାଥ ମହାପାତ୍ରଙ୍କ ସହିତ। ବୋହୂପଣିଆ ମୋର ମାତ୍ର ଆଠ ଦିନର। ତା’ ପରେ ଆରମ୍ଭ ଜୀବନର ଅସଲ ପରୀକ୍ଷା। ମୁଁ ତ ପ୍ରଥମ ବର୍ଷ ପରୀକ୍ଷା ଦେଇ ମାତ୍ର ୧୭ ବର୍ଷରେ ବାହା ହୋଇଥିଲି। ମୋ ଠାରୁ ମୋ ସ୍ବାମୀ ବେଶ୍ ବୟସ୍କ ଥିଲେ। ତେଣୁ ସେ ବଡ଼ଭାଇ ଭଳି ଗାଳି ଦେଉଥିଲେ, ପୁଣି ବାପାଙ୍କ ପରି ଦାୟିତ୍ବ ନେଉଥିଲେ। କିନ୍ତୁ ଛଳଛଳ ଦିଶିବା ଭଳି ପ୍ରେମ ଆମ ଭିତରେ ନ ଥିଲା। ବର୍ଷକ ପରେ ପୁଣି ପାଠ ପଢ଼ିଲି ଉଭୟ ପରିବାରଙ୍କ ଅନାଗ୍ରହ ସତ୍ତ୍ବେ। ‘ପିଲାଙ୍କ କଥା ମୁଁ ବୁଝିବି, ତୁମେ ପଢ଼।’ କେଜାଣି କାହିଁକି ତୁମର ହୃଦ୍‌ବୋଧ ହୋଇଥିଲା ‘ମୁଁ ପାରିବି’। ମତେ ସେହି ଦମ୍ଭ ଦୁଇଟି ଛୁଆଙ୍କୁ ଛାଡ଼ି ପୁଣି ପାଠ ପଢ଼ିବାକୁ ଧୈର୍ଯ୍ୟ ଓ ସାହସ ଦେଲା। ମୁଁ ନଅ ବର୍ଷର ସରକାରୀ ଚାକିରି ଛାଡ଼ି ବାଣୀବିହାର ଆସିଲି। ହଁ, ମୋ ବାପାମା’, ତାଙ୍କ ବାପାମା’ ସେତେବେଳେ ମୋ ପାଖରେ ରହୁଥିଲେ। ମୁଁ କେତେ ବିରକ୍ତ ହୋଇଛି, ସେ ହୋଇ ନାହାନ୍ତି। ‘ଦାୟିତ୍ବ ନେଇଛୁ ମାନେ କରିବାକୁ ପଡ଼ିବ’। 

Advertisment

Horoscope 2025 December 29: ଜାଣନ୍ତୁ ଆଜିର ରାଶିଫଳ

ଏ ଭିତରେ ବହୁତ ଖାଲଖମା ଆସିଛି। ଆମେ ଉଭୟ ଅଭାବକୁ ଭାବରେ ବଦଳାଇବାର ପ୍ରୟାସରେ ଚାଲିଛୁ ଦୀର୍ଘଦିନ। ସେ ବହୁତ କଷ୍ଟରେ ମଣିଷ ହୋଇଥିଲେ। ତେଣୁ ସେ କହନ୍ତି, ‘ମୁଁ ସମାଜ ପାଇଁ ନିବେଦିତ’। ନିଜେ ଦିନରାତି ରୋଗୀ କାମରେ ଥାଆନ୍ତି ଆଉ ମୁଁ ପଢ଼ାଲେଖାରେ। ତାଙ୍କ କହିବା କଥା, ସେ ଷ୍ଟେଥୋସ୍କୋପ୍‌କୁ ବାହା ହୋଇଛନ୍ତି ଆଉ ମୁଁ ଖାତା ବହି କଲମକୁ। ଲେଖାଟିଏ ବାହାରିଲେ ଖୁସି ହୁଅନ୍ତି। ବହି ବାହାରିଲେ କେମିତି ଉଦ୍‌ଘାଟନ ହେବ, କିଏ ଆସିବେ ଏଥିପାଇଁ ବ୍ୟସ୍ତ ହୁଅନ୍ତି। କିନ୍ତୁ ନିଜେ ପଢ଼ନ୍ତି କି? ଦୁଇ ପୃଷ୍ଠା ପଢ଼ି ରଖିଦିଅନ୍ତି ‘କାଲି ପଢ଼ିବି’ କହି। ସେ କାଲି କେବେ ଆସିନାହିଁ। ଗୋଟେ ଦିନର ଆଠଟା ବାହାଘର ଥିଲେ ବି ସବୁଠିକୁ ‌ଯାଇ ବନ୍ଧୁ ଶଙ୍ଖୋଳନ୍ତି ଅଥଚ ଘରେ ଆସି ରୁଟି ସନ୍ତୁଳା ଖାଆନ୍ତି। ହଠାତ୍ ରାଗନ୍ତି ମାତ୍ର ପରେ ବୁଝାଇଦେଲେ ବୁଝିଯାଆନ୍ତି। ଦେହ ଅସୁସ୍ଥ ହେଲେ ମୋର ଉପସ୍ଥିତି ସେ ସବୁବେଳେ ଚାହାନ୍ତି। ମୁଁ ପୁରସ୍କାର କିଛି ପାଇଲେ ସେ ନିଜ ସାଙ୍ଗସୁଖଙ୍କୁ ଫୋନ୍ କରି କହି ଦିଅନ୍ତି ଓ ଅସୁସ୍ଥ ଥିବା ସମୟରେ ମଧ୍ୟ ଜିଦ୍ କରି ଯାଇ ବସନ୍ତି ଦର୍ଶକଙ୍କ ସାମନାରେ। ପିଲାଏ ବଡ଼ ହେଲା ପରେ କହନ୍ତି, ‘‘ବାପା, ମା’କୁ ଏତେ ଗାଳି ଦେଉଛନ୍ତି କାହିଁକି?’’ ‘‘ଆରେ ମୋ ଗାଳିଠୁ ତା’ର ସହିବା ଶକ୍ତି ଅଧିକ, ମୁଁ ଜାଣେ।’’ 

Family Conflict: କୀଟନାଶକ ପିଇ ଦମ୍ପତି ମୃତ,୫ ବର୍ଷର ଶିଶୁପୁତ୍ର ଗୁରୁତର

କରୋନା ସମୟରେ ଆମ ବିବାହର ୫୦ତମ ବର୍ଷ ଥିଲା। ଉଭୟ କରୋନାଗ୍ରସ୍ତ ହୋଇ ଡାକ୍ତରଖାନାରେ ଥିଲୁ। ପର ଦି’ବର୍ଷ ସେ ପିଲା ପାଲଟିଗଲେ। ଡିମେନ୍‌ସିଆ ଭୋଗି, ନାଜାଲ୍‌ଫିଡିଙ୍ଗରେ ପାଞ୍ଚ ମାସ ରହି ୧୪.୬.୨୦୨୩ରୁ ତରିଗଲେଣି। କିନ୍ତୁ ମୁଁ ତାଙ୍କୁ ଭୁଲିପାରୁନି, ତାଙ୍କ ଆଗ୍ରହ ବିନା ଏତେବାଟ କ’ଣ ସତରେ ଆସିପାରି ଥାଆନ୍ତି? ସେ ଥିଲେ ମୋର ସାହସ। ପ୍ରତି ମୁହୂର୍ତ୍ତରେ ସେ ମୋ ସହିତ ଅଛନ୍ତି- ନହେଲେ ଏକୁଟିଆ ଚାଲିବାର ଧୈର୍ଯ୍ୟ ପାଇଥାନ୍ତି କୁଆଡୁ?