ଭାରତର ଜଣାଶୁଣା ବନ୍ୟପ୍ରାଣୀ ବିଶେଷଜ୍ଞ ଓ ସଂରକ୍ଷକ ଅନୁପ କୁମାର ନାୟକ ଦୀର୍ଘବର୍ଷ ଧରି ରାଷ୍ଟ୍ରୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ (ଏନ୍.ଟି.ସି.ଏ.)ର ମହାନିର୍ଦ୍ଦେଶକ ତଥା ମେମ୍ବର୍ ସେକ୍ରେଟାରି ଭାବେ କାର୍ଯ୍ୟ କରିଛନ୍ତି। ଏଥିସହ ସେ ଓଡ଼ିଶାର ବିଭିନ୍ନ ସ୍ଥାନରେ ବନ୍ୟପ୍ରାଣୀ ବିଭାଗର ବରିଷ୍ଠ ପଦାଧିକାରୀ ଭାବରେ କାର୍ଯ୍ୟ କରିବାର ଅଭିଜ୍ଞତା ହାସଲ କରିଛନ୍ତି। ମହାରାଷ୍ଟ୍ରସ୍ଥିତ ବୋରାଡ଼ି ଜଙ୍ଗଲରେ ବାଘୁଣୀ ଅବନୀ ହତ୍ୟା, ସାତକୋଶିଆ ବ୍ୟାଘ୍ର ସ୍ଥାନାନ୍ତରଣ ପ୍ରକଳ୍ପର ବିଫଳତା, ଓଡ଼ିଶାରେ ବ୍ୟାଘ୍ର କରିଡର୍, ବ୍ୟାଘ୍ର ସଂରକ୍ଷଣ ଓ ସୁରକ୍ଷା ସଙ୍ଗକୁ ଶିମିଳିପାଳର ବହୁଚର୍ଚ୍ଚିତ ନକ୍ସଲ୍ ଆକ୍ରମଣ ଓ କଳାବାଘ ଭଳି ସମ୍ବେଦନଶୀଳ ପ୍ରସଙ୍ଗରେ ତାଙ୍କ ସହିତ ଆଲୋଚନା କରିଛନ୍ତି ଆମ ବରିଷ୍ଠ ପ୍ରତିନିଧି ବିଭୂତି ପତି
ଆପଣ ଦୀର୍ଘବର୍ଷ ଶିମିଳିପାଳରେ କାର୍ଯ୍ୟ କରିଛନ୍ତି। ସେ ସମୟରେ ଘଟିଥିବା କୌଣସି ଘଟଣା ଆପଣଙ୍କୁ ଚିିନ୍ତିତ ଓ ଉଦ୍ବିଗ୍ନ କରିଥିଲା କି?
ହଁ। ୨୦୧୧ରୁ ୨୦୧୪ ଡିସେମ୍ବର ପର୍ଯ୍ୟନ୍ତ ମୁଁ ଶିମିଳିପାଳରେ ଫିଲ୍ଡ୍ ଡାଇରେକ୍ଟର୍ ରହିଥିଲି। ଦାୟିତ୍ବ ଗ୍ରହଣ କରିବାର କିଛିଦିନ ପୂର୍ବରୁ ଶିମିଳିପାଳେର ବହୁଚର୍ଚ୍ଚିତ ନକ୍ସଲ୍ ଆକ୍ରମଣ ଘଟିଥିଲା। ସେତେବେଳେ ଜଙ୍ଗଲରେ କୌଣସି ପର୍ଯ୍ୟଟକ ଓ ବନପଦାଧିକାରୀ ରହୁ ନ ଥିଲେ। ଦାୟିତ୍ବ ନେବାର ଦୁଇଦିନ ପରେ ମୁଁ ଶିମିଳିପାଳ ଜଙ୍ଗଲ ପରିଦର୍ଶନରେ ବାହାରିଲି। ଭିତରର ଅବସ୍ଥା ଦେଖି ମୁଁ ଅତ୍ୟନ୍ତ ମ୍ରିୟମାଣ ହୋଇଗଲି। ଏହା ମୋ ମନକୁ ଖୁବ୍ ଆଘାତ ଦେଲା। ୨୦୧୧ ମସିହାରେ ଆମେ ଜଙ୍ଗଲରେ ପ୍ରଥମଥର କ୍ୟାମେରା ଟ୍ରାପ୍ ବ୍ୟବହାର କଲୁ। ସେହି କ୍ୟାମେରା ଟ୍ରାପ୍ରେ ଗୋଟିଏ ହେଲେ ଜୀବଜନ୍ତୁ ଦେଖିବାକୁ ମିଳି ନ ଥିଲା। ମାତ୍ର ଅନେକ ଶିକାରୀ ବିଭିନ୍ନ ସ୍ଥାନରେ ବନ୍ଧୁକଧରି ରହିଥିବା ଟ୍ରାପ୍ ହୋଇଥିଲା।
ଶିମିଳିପାଳର ଚର୍ଚ୍ଚିତ ନକ୍ସଲ୍ ଆକ୍ରମଣ ଯୋଜନାବଦ୍ଧ ଘଟଣା ବୋଲି ଜୋର୍ଦାର୍ ପ୍ରଚାର ହୋଇଥିଲା। ବନ ବିଭାଗର କେତେକ ପଦାଧିକାରୀଙ୍କ ଅସାଧୁ କାର୍ଯ୍ୟ ଯୋଗୁଁ ଉତ୍କ୍ଷିପ୍ତ ସ୍ଥାନୀୟ ଜନସାଧାରଣଙ୍କ ଆକ୍ରୋଶ ହେତୁ ଏହା ଘଟିଥିଲା ବୋଲି କୁହାଯାଏ। ଏହାର ସତ୍ୟତାକୁ ନେଇ କ’ଣ କହିବେ?
ବନ ବିଭାଗର ଅସାଧୁ କାର୍ଯ୍ୟକୁ ନେଇ ମୁଁ କୌଣସି ଉତ୍ତର କିଂବା ପ୍ରତିକ୍ରିୟା ଦେଇପାରିବି ନାହିଁ। କିନ୍ତୁ ମୁଁ ନିଶ୍ଚିତ କହିବି, ଏହି ଘଟଣାରେ ବନ ବିଭାଗର କେତେକ ପଦାଧିକାରୀଙ୍କ ଉପରେ ସ୍ଥାନୀୟ ଲୋକେ ଅସନ୍ତୁଷ୍ଟ ଓ କ୍ରୋଧାନ୍ବିତହୋଇ ରହିଥିଲେ। ପୁଞ୍ଜୀଭୂତ ଅସନ୍ତୋଷ ଓ କ୍ରୋଧ କାରଣରୁ ଏହି ଘଟଣା ଘଟିଥିଲା। ଏହାକୁ ମୁଁ ନକ୍ସଲ୍ କାର୍ଯ୍ୟକଳାପ ଓ ଆକ୍ରମଣ ଘଟଣା ବୋଲି ବିଶ୍ବାସ କିମ୍ବା ଗ୍ରହଣ କରି ନଥିଲି। ଶିମିଳିପାଳରେ ଏହା ପୂର୍ବରୁ କିମ୍ବା ପରେ କେବେ ନକ୍ସଲ୍ କାର୍ଯ୍ୟକଳାପ ଦେଖିବାକୁ ମିଳିନାହିଁ। ଅନେକ ସମୟରେ ମୁଁ ରାତିରେ ଶିମିଳିପାଳରେ ବୁଲିଛି ଓ ରହିଛି। ମାତ୍ର ନକ୍ସଲ୍ କାର୍ଯ୍ୟକଳାପ କେବେ ବି ମୋ ଦୃଷ୍ଟିକୁ ଆସିନାହିଁ।
୨୦୧୮ରେ ଦୁଇଟି ନବଜାତ ଶାବକଙ୍କର ମା’ ଅବନୀ ବାଘୁଣୀକୁ ମହାରାଷ୍ଟ୍ର ସରକାରଙ୍କ ନିର୍ଦ୍ଦେଶରେ ହତ୍ୟା କରାଗଲା। ମହାରାଷ୍ଟ୍ର ସରକାରଙ୍କ ବନ ବିଭାଗ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଆପଣ ସୁପାରିସ କରିଥିଲେ। କିନ୍ତୁ ରାଜନୈତିକ ଚାପରେ ତାହା କାର୍ଯ୍ୟକାରୀ ହୋଇ ନଥିଲା। କ’ଣ ଥିଲା ସେ ପ୍ରସଙ୍ଗ?
ସେହି ସମୟର ମାନସିକ ଅବସାଦ, କ୍ରୋଧ ଓ ଦୁଃଖକୁ ମନେପକାଇ ଆପଣ ମୋତେ ପୁଣିଥରେ ଆଘାତ ଦେଲେ। ଅବନୀ ବାଘୁଣୀ ମଣିଷଖାଈ ବୋଲି କହି ତତ୍କାଳୀନ ମହାରାଷ୍ଟ୍ର ସରକାର ବ୍ୟାଘ୍ର ସଂରକ୍ଷଣ, ଏନ୍ଟିସିଏ ଓ ବନ୍ୟପ୍ରାଣୀ ଏବଂ ମଣିଷଖିଆ ବାଘହତ୍ୟା ସଂପର୍କିତ ଆଇନ ଉଲ୍ଲଂଘନକରି ବାଘୁଣୀ ଅବନୀକୁ ମାରିବା ପାଇଁ ନିର୍ଦ୍ଦେଶ ଦେଲେ। ମୁଁ ସରଜମିନ୍ ତଦନ୍ତକରି ଅବନୀକୁ ଟ୍ରାଙ୍କ୍ୟୁଲାଇଜର୍ରେ ଅଚେତକରି ଆବଦ୍ଧ କ୍ଷେତ୍ରରେ ବନ୍ଦୀ କରିବାକୁ ଆଇନ ଅନୁଯାୟୀ ନିର୍ଦ୍ଦେଶ ଦେଇଥିଲି। ସେତେବେଳେ ସେ ବାଘୁଣୀର ଦୁଇଟି ନବଜାତକ ଶାବକ ଥିଲେ। ମାତ୍ର ମୋର ନିର୍ଦ୍ଦେଶକୁ ଭ୍ରୂକ୍ଷେପ ନକରି ସହଫତ୍ ଅଲ୍ଲୀ ନାମକ ଜଣେ ଭଡ଼ାଟିଆ ଶିକାରୀକୁ ଆଣି ବାଘୁଣୀ ଅବନୀକୁ ହତ୍ୟା କରିବାକୁ ନିର୍ଦ୍ଦେଶ ଦିଆଗଲା। କିନ୍ତୁ ସେ ନିଜ ପୁଅ ଅସ୍ଗର୍ ଅଲ୍ଲୀକୁ ଲଗାଇ ଅବନୀକୁ ହତ୍ୟାକଲା। ଯାହାକି ଏକ ଧର୍ତ୍ତବ୍ୟ ଅପରାଧ। ମୁଁ ତତ୍କାଳୀନ କେନ୍ଦ୍ର ଜଙ୍ଗଲ ଓ ପରିବେଶ ବିଭାଗୀୟ ମନ୍ତ୍ରୀ ହର୍ଷବର୍ଦ୍ଧନଙ୍କ ନିକଟରେ ଅଭିଯୋଗ କଲି। କେନ୍ଦ୍ର ଜଙ୍ଗଲ ସଚିବଙ୍କୁ ଅବଗତ କରାଇ ମହାରାଷ୍ଟ୍ର ସରକାରଙ୍କ ବନ ବିଭାଗ ପଦାଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିସ କରିବାକୁ କହିଲି। ମୋତେ ଅନୁମତି ମିଳିଲା। କାର୍ଯ୍ୟାନୁଷ୍ଠାନ ପାଇଁ ମୁଁ ମହାରାଷ୍ଟ୍ର ମୁଖ୍ୟ ଶାସନ ସଚିବଙ୍କୁ ସୁପାରିସ କଲି। କିନ୍ତୁ କିଛି ସୁଫଳ ମିଳିଲାନି। ମହାରାଷ୍ଟ୍ରର ତତ୍କାଳୀନ ବନ ବିଭାଗର ପଦାଧିକାରୀ ଆଇନକୁ ବେଖାତିର କରି ଅବାଧରେ ଘୂରି ବୁଲିଲେ।
ଅାନ୍ତଃରାଷ୍ଟ୍ରୀୟ ବ୍ୟାଘ୍ର କରିଡର୍ ସଂରକ୍ଷଣ, ଚିହ୍ନଟ ଓ ସଂଯୋଗୀକରଣ ଥିଲା ଆପଣଙ୍କର ସ୍ବପ୍ନର ପ୍ରକଳ୍ପ। ସାଂପ୍ରତିକ ପରିସ୍ଥିତିରେ ଏହା ସମ୍ଭବ ହୋଇପାରିବ ବୋଲି ଭାବୁଛନ୍ତି?
ଆମେ ସିନା ଦେଶ ସୀମାରେଖା ଓ ରାଜନୈତିକ ସମସ୍ୟା କଥା ଚିନ୍ତା କରୁଛେ, କିନ୍ତୁ ପଶୁପକ୍ଷୀ ତାହା ଜାଣନ୍ତିନାହିଁ। ଜଙ୍ଗଲ ପରିପାର୍ଶ୍ବସ୍ଥ ସମସ୍ତ ଅଞ୍ଚଳ ସେମାନଙ୍କର ପ୍ରାକୃତିକ ବାସସ୍ଥଳୀ। ଆମେ ଯଦି ଭାରତରେ ବାଘ ସୁରକ୍ଷା କରିବା ଏବଂ ପଡ଼ୋଶୀ ରାଷ୍ଟ୍ର ସେମାନଙ୍କ ସ୍ଥିତି ଅସୁରକ୍ଷିତ କରିବେ, ତେବେ ବ୍ୟାଘ୍ର ସଂରକ୍ଷଣ ସମ୍ଭବ ହେବନାହିଁ। ଏନ୍ଟିସିଏରେ ଥିବା ସମୟରେ ମୁଁ ଭାରତ-ନେପାଳ, ଭାରତ-ଭୁଟାନ୍ ଓ ଭାରତ-ବାଂଲାଦେଶର ସୁନ୍ଦରବନ ଭଳି ଜଙ୍ଗଲ କରିଡର୍ଗୁଡ଼ିକୁ ବାଘଙ୍କ ପ୍ରାକୃତିକ ବାସସ୍ଥଳୀ ଓ ଗମନାଗମନ ପାଇଁ ସଂରକ୍ଷିତ କରିବାକୁ ଯୋଜନା କରିଥିଲି ଏବଂ ଏକ ଚୁକ୍ତି ମଧ୍ୟ ସ୍ବାକ୍ଷରିତ ହୋଇଥିଲା। ସବୁ ରାଷ୍ଟ୍ରର ସହଯୋଗ ଦ୍ବାରା ବାଘଙ୍କ ଅାନ୍ତଃରାଷ୍ଟ୍ରୀୟ ପ୍ରାକୃତିକ ବାସସ୍ଥଳୀ ଓ ଚଲାପଥ ସଂରକ୍ଷିତ କରାଯାଇ ପାରିବ।
ଅଳ୍ପରେ ଅନୁପ
୧୯୬୦ ମସିହାରେ ଅନୁପ କୁମାର ନାୟକ ଭୁବନେଶ୍ୱରରେ ଜନ୍ମଗ୍ରହଣ କରିଥିଲେ। ବାପା ଡକ୍ଟର ମହେନ୍ଦ୍ର କୁମାର ନାୟକ ବିଜେବି କଲେଜରେ ଉଦ୍ଭିଦ ବିଜ୍ଞାନ ବିଭାଗରେ ଅଧ୍ୟାପକ ଥିଲେ। ପରେ ବାପା ଅନୁଗୁଳରେ ଅବସ୍ଥାପିତ ହୋଇଥିଲେ। ସେ ସମୟରେ ସ୍ଥାନୀୟ ମନ୍ଦରଗିରି ଜୈବମଣ୍ଡଳକୁ ଅନୁପ ବାପାଙ୍କ ସହିତ ଏକାଧିକ ବାର ପରିଦର୍ଶନ କରି ବଣଜଙ୍ଗଲ ପ୍ରତି ଖୁବ୍ ଆକୃଷ୍ଟ ହୋଇଥିଲେ। ବାପାଙ୍କ ଉଦ୍ଭିଦ ବିଜ୍ଞାନ ପାଠ ଓ ବୋଉ ରତ୍ନମାଳାଙ୍କ ଜୀବେଦୟା ମନ୍ତ୍ରର ପ୍ରେରଣା ତାଙ୍କୁ ଜଣେ ପରିବେଶବିତ୍ ଭାବେ ଗଢ଼ି ତୋଳିଲା। ୧୯୮୩ ଡିସେମ୍ବର ମାସରେ ସେ ବ୍ୟାଙ୍କ୍ରେ ପ୍ରୋବେସନ୍ ଅଫିସର୍ ଭାବେ କର୍ମଜୀବନ ଆରମ୍ଭ କରିଥିଲେ ହେଁ ୧୯୮୫ ମସିହାରେ ଭାରତୀୟ ବନସେବାରେ ନିଯୁକ୍ତି ପାଇ ଓଡ଼ିଶାର ଦେବଗଡ଼ ଜିଲ୍ଲାରେ ଡି.ଏଫ୍.ଓ. ଭାବେ ଅବସ୍ଥାପିତ ହେଲେ। ନିଜ ବୃତ୍ତିଗତ ଜୀବନର ସଫଳତାକୁ ନେଇ ଅନୁପ କହନ୍ତି “ସୌଭାଗ୍ୟବଶତଃ ମୋ ପତ୍ନୀ ଶୈଳ ମହାପାତ୍ରଙ୍କର ମଧ୍ୟ ବନ୍ୟପ୍ରାଣୀଙ୍କ ପ୍ରତି ଦୁର୍ବଳତା ଥିଲା ଏବଂ ସେଥିପାଇଁ ଜଙ୍ଗଲରେ ଯେତେ ସମୟ ବିତାଇଲେ ମଧ୍ୟ ପାରିବାରିକ ସମସ୍ୟା ହୋଇ ନଥିଲା।’’ ଡେରାଡୁନ୍ସ୍ଥିତ ବନ୍ୟପ୍ରାଣୀ ସଂସ୍ଥାନରେ ପ୍ରଫେସର୍ରୁ ନେଇ ଜଙ୍ଗଲ ଓ ବନ୍ୟପ୍ରାଣୀ ବିଭାଗର ଅଧିକାରୀ ଓ ଏନ୍.ଟି.ସି.ଏ.- ସବୁଠାରେ ସେ ନିଜ କାର୍ଯ୍ୟଦକ୍ଷତାର ପ୍ରମାଣ ଦେଇଛନ୍ତି।
Sand Smuggling: ମାଲେମାଲ ବାଲି ମାଫିଆ, ପ୍ରଶାସନ ନୀରବ
ଓଡ଼ିଶାରେ ଶିମିଳିପାଳ, ସାତକୋଶିଆ ବ୍ୟାଘ୍ର ଓ ଅନ୍ୟାନ୍ୟ ବନ୍ୟପ୍ରାଣୀ କରିଡର୍ ସଂରକ୍ଷଣ ଯୋଜନା ମଧ୍ୟ ବିଶେଷ ଅଗ୍ରଗତି କରିପାରିଲା ନାହିଁ। ସାତକୋଶିଆ ବ୍ୟାଘ୍ର ସ୍ଥାନାନ୍ତରଣ ପ୍ରକଳ୍ପ ବିଫଳ ହେବା ଏବଂ ଶିମିଳିପାଳ କଳାବାଘକୁ ନେଇ ଆପଣଙ୍କ ପ୍ରତିକ୍ରିୟା କ’ଣ?
ବାଘ ଆକଳନ ତଥ୍ୟ ରିପୋର୍ଟରେ ଡେରାଡୁନ୍ସ୍ଥିତ ବନ୍ୟପ୍ରାଣୀ ସଂସ୍ଥାନ ଓ ଏନ୍ଟିସିଏ ମିଳିତ ଭାବେ ଶିମିଳିପାଳରୁ ସାତକୋଶିଆ ପର୍ଯ୍ୟନ୍ତ ବାଘ କରିଡର୍ର ଅବସ୍ଥିତି ଚିହ୍ନଟ କରିଛନ୍ତି। ଏହା ଓଡ଼ିଶାରେ ଦୀର୍ଘକାଳୀନଭିତ୍ତିରେ ବାଘର ଭବିଷ୍ୟତ ସୁରକ୍ଷିତ କରିବ। ବାଘ ପାଇଁ ସାତକୋଶିଆ ଗୋଟିଏ ଉନ୍ନତ ସ୍ଥାନ। ଏହି କରିଡର୍ କିନ୍ତୁ ବର୍ତ୍ତମାନ ସଂପୂର୍ଣ୍ଣ ଅସୁରକ୍ଷିତ। ତେଣୁ ଏହାକୁ ସୁରକ୍ଷିତ କରିବା ରାଜ୍ୟ ସରକାରଙ୍କର ପ୍ରାଥମିକ ଦାୟିତ୍ବ। ସାତକୋଶିଆରେ ବ୍ୟାଘ୍ର ସ୍ଥାନାନ୍ତରଣ ପ୍ରକଳ୍ପ ଯୋଜନା ନିଷ୍ପତ୍ତି ଅତ୍ୟନ୍ତ ତରବରିଆ ଭାବେ ଗ୍ରହଣ କରାଯାଇଥିଲା। ପୁଣି ସାତକୋଶିଆ ବନ୍ୟପ୍ରାଣୀ ବିଭାଗ ଓ ବରିଷ୍ଠ ପଦାଧିକାରୀ ସ୍ଥାନୀୟ ଲୋକଙ୍କ ସହଯୋଗରେ କାମ କଲେନାହିଁ। ତେଣୁ ଜନ ଆକ୍ରୋଶ ତେଜିଲା। ଶିମିଳିପାଳରେ କଳାବାଘସଂଖ୍ୟା ବୃଦ୍ଧିପାଇବା ବ୍ୟାଘ୍ର ସଂରକ୍ଷଣ ପାଇଁ ଶୁଭସୂଚନା ନୁହେଁ। ଏହା ବାଘର ବର୍ଣ୍ଣସଙ୍କର ପ୍ରଜାତିକୁ ନେଇ ଗର୍ବ କରିବାର ସମୟ ନୁହେଁ। ଆମକୁ ଦୀର୍ଘକାଳୀନ ପଦକ୍ଷେପନେଇ ଓଡ଼ିଶାର ବାଘମାନଙ୍କ ସୁରକ୍ଷିତ ଭବିଷ୍ୟତ ଓ ସଂରକ୍ଷଣ ପାଇଁ କାର୍ଯ୍ୟ କରିବାକୁ ପଡ଼ିବ।
କ’ଣ ଏହି ଦୀର୍ଘକାଳୀନ ଯୋଜନା? ବାଘଙ୍କ ସମସ୍ୟା ସମାଧାନ ଲାଗି କି କି ପଦକ୍ଷେପ ଜରୁରି?
ଏହି ସମସ୍ୟାର ସମାଧାନ ପାଇଁ ଆମକୁ ଯୁଦ୍ଧକାଳୀନ ଭିତ୍ତିରେ ବ୍ୟାଘ୍ର କରିଡର୍ ଚିହ୍ନଟ ସଙ୍ଗକୁ ସଂରକ୍ଷଣ, ସୁରକ୍ଷା ଓ ସଂଯୋଗ କାର୍ଯ୍ୟକ୍ରମ ପରିଚାଳନା କରିବାକୁ ପଡ଼ିବ। ଶିମିଳିପାଳ, କେନ୍ଦୁଝର, ସରଣ୍ଡା, ପାଲ୍ମାଉ ଦେଇ ସଞ୍ଜୟଡୁବୁରିସ୍ଥିତ ବାନ୍ଧବଗଡ଼ ବ୍ୟାଘ୍ର ସଂରକ୍ଷଣ କରିଡର୍ ଉପରେ କାର୍ଯ୍ୟକ୍ରମ ପରିଚାଳନା କରିବାକୁ ପଡ଼ିବ। ସେହିପରି ସୁନାବେଡ଼ା ଓ ସାତକୋଶିଆ ପାଇଁ କୋଟଗଡ଼ ଓ କର୍ଲାପାଟ ବନ୍ୟପ୍ରାଣୀ ଅଭୟାରଣ୍ୟରୁ ନେଇ ଉଦନ୍ତୀ ଓ ସୀତାନଦୀ ଜଙ୍ଗଲ ପରିବ୍ୟାପ୍ତ କରିଡର୍ ଚିହ୍ନଟକରି ଏହାର ସଂରକ୍ଷଣ ଓ ସଂଯୋଗ ଉପରେ ଧ୍ୟାନ ଦେବାକୁ ପଡ଼ିବ। ଦୟନୀୟ ସ୍ଥିତିରେ ରହିଥିବା ଆମପାଣି ଘାଟିର ସଂଯୋଗସ୍ଥଳୀକୁ ଯଥାଶୀଘ୍ର ସଂରକ୍ଷିତ କରିବାକୁ ପଡ଼ିବ। ଏହାରି ଜରିଆରେ ଉଦନ୍ତୀ ଓ ସୀତାନଦୀ କରିଡର୍ ସଂଯୋଗ ହୋଇଛି। ସେହିପରି ବଣେଇ-ହେମଗିରି ଅଚାନକମାର୍ କରିଡର୍ ଦ୍ବାରା କାହ୍ନା ବ୍ୟାଘ୍ର ସଂରକ୍ଷଣ ଜଙ୍ଗଲ ସଂଯୁକ୍ତ ହୋଇଛି। ଏହିସବୁ କରିଡର୍କୁ ସୁରକ୍ଷାକରି ଏହାର ସଂରକ୍ଷଣ କରିବା ପାଇଁ ଆନ୍ତଃରାଜ୍ୟ ସ୍ତରରେ ଓଡ଼ିଶା ସରକାର ବୁଝାମଣା କରିବାକୁ ଗୋଟିଏ ଅଭିଜ୍ଞ ବିଶେଷଜ୍ଞ ଦଳ ଗଠନ କରିବା ଆବଶ୍ୟକ। କରିଡର୍ ହୋଇପାରିଲେ କେନ୍ଦ୍ରୀୟ ବ୍ୟାଘ୍ର ବାସସ୍ଥଳୀରୁ ବାଘ ଆସି ଓଡ଼ିଶାର ବିଭିନ୍ନ ପ୍ରାକୃତିକ ଅାବାସସ୍ଥଳୀରେ ବସତି ସ୍ଥାପନ କରିବେ। ଏସବୁ ହୋଇପାରିଲେ ବ୍ୟାଘ୍ର ସଂରକ୍ଷଣ ଓ ସେମାନଙ୍କର ସୁରକ୍ଷିତ ଭବିଷ୍ୟତ ନିଶ୍ଚିତ ହୋଇପାରିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2026/01/11/fsjhhfshfsxvbvb-2026-01-11-01-50-39.jpg)