ଝାରସୁଗୁଡ଼ା: ହୀରାକୁଦ ଜଳଭଣ୍ଡାର ସହ ସଂଲଗ୍ନ ଝାରସୁଗୁଡ଼ା ଜିଲ୍ଲାରେ ପୂର୍ବରୁ ଭଲ ପରିମାଣର ଓ ଅନେକ ପ୍ରଜାତିର ସୁସ୍ବାଦୁ ମାଛ ଧରା ହେଉଥିଲା। କିନ୍ତୁ ହୀରାକୁଦ ଜଳଭଣ୍ଡାର ଉପର ମୁଣ୍ଡରେ ତଥା ମହାନଦୀ କୂଳରେ ଅବସ୍ଥିତ ଲଖନପୁର ବ୍ଲକ୍ରେ ମତ୍ସ୍ୟ ଉତ୍ପାଦନ ଓ ମତ୍ସ୍ୟଜୀବୀଙ୍କ ସ୍ଥିତି ଦିନକୁ ଦିନ ବିଗିଡ଼ିବାରେ ଲାଗିଛି। ଏହି ବ୍ଲକ୍ର ରମ୍ପାଲୁଗା, ଉର୍ଦାଝରାପଡ଼ା ଭଳି ଅନେକ ଜଳଭଣ୍ଡାର କୂଳିଆ ଗାଁରେ ମାଛ ଉତ୍ପାଦନ କମୁ ନାହିଁ, ବରଂ ମାଛ ରୋଗିଣା ହେଉଥିବା ମତ୍ସ୍ୟଜୀବୀମାନେ ଅଭିଯୋଗ କରିଛନ୍ତି। ହୀରାକୁଦ ବିସ୍ଥାପିତଙ୍କ ଗାଁ ସୁନାରି ପଞ୍ଚାୟତ ଅନ୍ତର୍ଗତ ରମ୍ପାଲୁଗା। ଏଠାରେ ରହୁଥିବା ୧୧୫ ପରିବାରଠାରୁ ହୀରାକୁଦ ଜଳଭଣ୍ଡାର କୌଳିକ ବୃତ୍ତି ଚାଷଜମି ଛଡ଼ାଇ ନେଇ ସେମାନଙ୍କୁ ମତ୍ସ୍ୟଜୀବୀରେ ପରିଣତ କରିଛି। ସ୍ଥାନୀୟ ଅଧିବାସୀ ଉପେନ୍ଦ୍ର ତିହୁରିଆ (୪୨) କହନ୍ତି, ୨୫ ବର୍ଷ ପୂର୍ବରୁ ବାପାଙ୍କ ସହିତ ହୀରାକୁଦ ଜଳଭଣ୍ଡାରକୁ ମାଛ ଧରିବା ପାଇଁ ଗଲାବେଳକୁ ଦୈନିକ ୧୦ କେଜି ଯାଏଁ ମାଛ ଜାଲରେ ପଡ଼ୁଥିଲେ। ବର୍ତ୍ତମାନ କିନ୍ତୁ ୮୦ରୁ ୯୦ କେଜିର ଜାଲ ପକାଇ ପ୍ରାୟ ୧୦ କିଲୋମିଟର ଭିତରକୁ ଗଲେ ଯାଇ ସର୍ବାଧିକ ୩ରୁ ୫ କେଜି ପର୍ଯ୍ୟନ୍ତ ମାଛ ଧରିପାରୁଛନ୍ତି। ସେଥିରେ ପୁଣି ଚୂନା ମାଛ ଅଧିକ। ୪୦ କେଜି ପର୍ଯ୍ୟନ୍ତ ମାଛ ଧରିପାରୁଥିବା ଉର୍ଦା ଝରାପଡ଼ାର ସାଧୁରାମ ବେହେରା (୫୪) ବର୍ତ୍ତମାନ ଦିନକୁ ୨ କେଜି ମାଛ ଧରିଲେ ଖୁସି ହେଉଛନ୍ତି। ସେହି ଗାଁର ୩୦ ବର୍ଷୀୟ ସନ୍ତୋଷ ବେହେରା କହନ୍ତି, ବର୍ତ୍ତମାନ ତାଙ୍କ ଅଞ୍ଚଳରେ ପାଣି ଏତେ ଗୋଳିଆ ହୋଇପଡ଼ିଛି ଯେ ମାଛ ପାଇଁ ୧ କ୍ବିଣ୍ଟାଲ୍ ଓଜନର ଜାଲ ଧରି ୮୦ କିଲୋମିଟର ଭିତରକୁ ବାରପାହାଡ଼ ପର୍ଯ୍ୟନ୍ତ ଯିବାକୁ ପଡ଼ୁଛି। ସେଥିରୁ ପୁଣି ଅନେକ ଦୁର୍ବଳ ରୋଗଗ୍ରସ୍ତ ମାଛ ବାହାରୁଛି। ମାଛ ଶରୀରରେ ଚକା ଘା’ ହେବା, କାତି ଛାଡ଼ିଯିବା ଏବଂ ଲାଲ ଅଂଶ ପରିଲକ୍ଷିତ ହେଉଛି। ଅନେକ ସ୍ଥାନରେ ମଇଳା ପାଣି ଯୋଗୁଁ ମଲା ମାଛ ମିଳୁଛନ୍ତି। ମହାନଦୀ ପାଣିସ୍ତର କମିବା ଯୋଗୁଁ ପ୍ରଦୂଷଣ ପ୍ରଭାବ ଅଧିକ ରହୁଛି। ସାମାଜିକ କର୍ମକର୍ତ୍ତା ଦ୍ବାରିକା ପ୍ରସାଦ ସା’ କହନ୍ତି, ହୀରାକୁଦ ନଦୀବନ୍ଧ ନିର୍ମାଣ ପରେ ଏଠାରେ ପ୍ରାୟ ୩୫୭ ପ୍ରଜାତିର ମାଛ ଥିଲେ। ବର୍ତ୍ତମାନ କିନ୍ତୁ ୧୪୯ ପ୍ରକାର ଅଛନ୍ତି।
Pangolin: ପାଣିରେ ପହଁରି ମଧ୍ୟ ପାରନ୍ତି ବିଲୁପ୍ତମୁଖୀ ବଜ୍ରକାପ୍ତା
Canal water : ଆପାର୍ଟମେଣ୍ଟ ବର୍ଜ୍ୟ ମିଶି କେନାଲ ପାଣି ବିଷାକ୍ତ, ଉତ୍ତେଜନାର ରୂପ ନେଉଛି ଜନ ଆକ୍ରୋଶ
ଉର୍ଦାଝରାପଡ଼ା ମତ୍ସ୍ୟଜୀବୀ କହନ୍ତି, ୨୦ ବର୍ଷ ପୂର୍ବରୁ ତାଙ୍କ ଗାଁରେ ବଡ଼ ଚିଙ୍ଗୁଡ଼ି ଦେଖା ଯାଉଥିଲେ, ତାହା ଆଜି ସ୍ବପ୍ନ। କୁହୁଙ୍ଗା, ବୁଦିଆ, ଝଲଙ୍କ, ଥୁମେଇ ଭଳି ମାଛ ଦେଖାଯାଉ ନାହିଁ। ସେପ୍ଟେମ୍ବରରୁ ନଭେମ୍ବର ମାସ ପର୍ଯ୍ୟନ୍ତ ନଦୀକୁ ପ୍ରାୟତଃ ମାଛ ଆସୁନଥିବାରୁ ସର୍ବନିମ୍ନ ଆବଶ୍ୟକତା ପୂରଣ ପାଇଁ ମତ୍ସ୍ୟଜୀବୀଙ୍କୁ ନିଜ ଜାଲ, ଡଙ୍ଗା ଆଦିକୁ ବନ୍ଧକ ରଖିବାକୁ ହେଉଛି। ଉପରମୁଣ୍ଡରୁ ତଳ ପର୍ଯ୍ୟନ୍ତ ମହାନଦୀ ଚତୁଃପାର୍ଶ୍ବରେ କାରଖାନା ଗଢ଼ିଉଠିବା ପରେ ବିଷାକ୍ତ ରାସାୟନିକ ଓ ବର୍ଜ୍ୟ ପାଣି ନଦୀରେ ମିଶିବା ପରେ ସମସ୍ୟା ଆରମ୍ଭ ହୋଇଛି। ୧୦ ବର୍ଷ ହେଲା ପରିସ୍ଥିତି ଜଟିଳ ହୋଇଛି। ଅନ୍ୟପଟେ କିନ୍ତୁ ଜିଲ୍ଲା ମତ୍ସ୍ୟ ଅଧିକାରୀ ମହମ୍ମଦ ଫିରୋଜ ପ୍ରଦୂଷଣର ପ୍ରଭାବ ମାଛ ଉପରେ ପଡ଼ିବା ଅଭିଯୋଗକୁ ଅସ୍ବୀକାର କରିଛନ୍ତି। କହିଛନ୍ତି, ଝାରସୁଗୁଡ଼ା ଜିଲ୍ଲାରେ ପ୍ରତିବର୍ଷ ୧୦% ଅଧିକ ମାଛ ଉତ୍ପାଦିତ ହୁଏ। ୨୦୨୪-୨୫ରେ ଏହାର ପରିମାଣ ୧୩ ହଜାର ୫୦୦ ମେଟ୍ରିକ ଟନ୍ ଥିଲା ବୋଲି ସୂଚନା ଦେଇଛନ୍ତି। ସୁନାରି, ବାଗମୁଣ୍ଡା, ଭଅଁରଖୋଲ, କଦମଡିହିର ମତ୍ସ୍ୟଜୀବୀଙ୍କୁ ନେଇ ଗଠିତ ଠେବରା ସୋସାଇଟି କହିଛି, ପ୍ରଦୂଷଣ ମାଛ ଉତ୍ପାଦନକୁ ପ୍ରଭାବିତ କରୁଛି। ପୂର୍ବରୁ ମତ୍ସ୍ୟଜୀବୀ ଦେଉଥିବା ମାଛରେ ୫ ପ୍ରତିଶତ ଛୋଟ ମାଛ ଥିବାବେଳେ ଏବେ ୨୫ରୁ ୩୦ ପ୍ରତିଶତ ଛୋଟ ମାଛ ରହୁଛନ୍ତି। ମତ୍ସ୍ୟଜୀବୀ ସଂଖ୍ୟା ମଧ୍ୟ ହ୍ରାସ ପାଉଛି।
Follow Us