ଗଞ୍ଜାମରୁ ବାଲେଶ୍ବର ପର୍ଯ୍ୟନ୍ତ ବିସ୍ତୀର୍ଣ୍ଣ ବେଳାଭୂମି। ୬ଟି ଜିଲ୍ଲାକୁ ସ୍ପର୍ଶ କରୁଛି ସମୁଦ୍ର। ଲୋକଙ୍କ ଜୀବନଜୀବିକା, ପର୍ଯ୍ୟଟନ, ଶିଳ୍ପର ପେଣ୍ଠସ୍ଥଳୀ ପାଲଟିଥିବା ଓଡ଼ିଶା ଉପକୂଳ ଏବେ ବିପଦରେ। ଜଳବାୟୁ ପରିବର୍ତ୍ତନ ପ୍ରଭାବରେ ସମୁଦ୍ର କୂଳ ଲଂଘୁଛି। ଲୀନ ହେଉଛି ଗୋଟିଏ ପରେ ଗୋଟିଏ ଗାଁ। ବାତ୍ୟା, ବନ୍ୟା ପରି ପ୍ରାକୃତିକ ବିପର୍ଯ୍ୟୟ ଉପକୂଳବାସୀଙ୍କ ମେରୁଦଣ୍ଡ ଭାଙ୍ଗିଦେଲାଣି। ପର୍ଯ୍ୟଟନ ଭିତ୍ତିଭୂମି ବି ଅଧା ଅଧୁରା। ଅଧିକାଂଶ ବେଳାଭୂମି ଆଜି ପର୍ଯ୍ୟନ୍ତ ବିକାଶ ଦେଖିପାରି ନାହିଁ। ମାଳମାଳ ଯୋଜନା ହୋଇଛି ସତ; ମାତ୍ର କାଗଜକଲମରେ ସୀମିତ। ନୀଳ ସମୁଦ୍ର ଉପରେ ନିର୍ଭରଶୀଳ ମତ୍ସ୍ୟଜୀବୀଙ୍କ ଜୀବିକା ମଧ୍ୟ ପ୍ରଭାବିତ। ଗୁଜରାଣ ମେଣ୍ଟାଇବାକୁ ଅନ୍ୟ ରୋଜଗାର ପନ୍ଥା ଆପଣାଉଛନ୍ତି। କେବଳ ସେତିକି ନୁହେଁ, ବେଳାଭୂମିରେ କଳଙ୍କର ଟିକା ବି ଲାଗିଛି।
ପ୍ରସ୍ତୁତି: କେଶବ ପାଣି
ସମୁଦ୍ର ଆଁରେ ଗାଁ
କେନ୍ଦ୍ରାପଡ଼ାର ସାତଭାୟାର କାହାଣୀ କାହାକୁ ଅଛପା ନାହିଁ। ସମୁଦ୍ରରେ ବିଲୀନ ହୋଇଯାଇଥିବା ଏହି ଗାଁ ଏବେ କେବଳ ବହିରେ। ଗଞ୍ଜାମର ପୋଡ଼ମପେଟା ଗାଁ ଏବେ ନିଚ୍ଛିନ୍ନ। ଜଳବାୟୁ ପରିବର୍ତ୍ତନ ପ୍ରଭାବର ଏହା ମାତ୍ର ଗୋଟିଏ ଗୋଟିଏ କାହାଣୀ। ଇତିହାସ ଦେଖିଲେ କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗର ବ୍ଲକର ୨୧ ଓ ମହାକାଳପଡ଼ା ବ୍ଲକର ୫ଟି ଗାଁକୁ ମିଶାଇ ମୋଟ ୨୬ଟି ଗାଁ ସମୁଦ୍ର ଗର୍ଭରେ ଲୀନ ହୋଇଛି। ଏହା ତଳକୁ ଗଞ୍ଜାମ ଜିଲ୍ଲାର ଛତ୍ରପୁର ବ୍ଲକର ୧୨ଟି ଗାଁ, ପୁରୀ ଜିଲ୍ଲାର ୩ଟି ଗାଁ ମାନଚିତ୍ରରୁ ଲିଭିଯାଇଛି। ୨୦ରୁ ୩୦ ମିଟର ପର୍ଯ୍ୟନ୍ତ ଜମି ସମୁଦ୍ରରେ ମିଶିଯାଇଛି। ତା’ପରେ ବି ସମୁଦ୍ରର ଭୟଙ୍କର ରୂପ କମି ନାହିଁ, ବରଂ ବଢ଼ିଚାଲିଛି। ପୁରୀ ଜିଲ୍ଲାରେ ସର୍ବାଧିକ ୧୪୦.୦୪ କିମି ଓ କେନ୍ଦ୍ରାପଡ଼ାରେ ୧୩୫.୭୮ କିମି ବେଳାଭୂମି ରହିଛି।
FIR Against Pradeep Majhi: ଜିଲ୍ଲା ମଙ୍ଗଳ ଅଧିକାରୀଙ୍କୁ ଫାଇରିଂ କରିଦେବି କହିବା ମାମଲାରେ ପୂର୍ବତନ ସାଂସଦଙ୍କ ନାମରେ ଏତଲା
ଏବର୍ଷ ମଧ୍ୟ ଜଗତସିଂହପୁର ଜିଲ୍ଲା ଏରସମାରେ ସମୁଦ୍ରର ଉଗ୍ରରୂପ ଦେଖିବାକୁ ମିଳିଥିଲା। ସ୍ଥଳଭାଗକୁ ପ୍ରାୟ ୨୦୦ ମିଟର ମାଡ଼ି ଆସିବା ଦ୍ବାରା ସିଆଳି ବେଳାଭୂମି ନଷ୍ଟ ହୋଇଯାଇଛି। ବାତ୍ୟା ସମୟରେ ଗଞ୍ଜାମ ଜିଲ୍ଲା ଉପକୂଳକୁ ମଧ୍ୟ ସମୁଦ୍ର ମାଡ଼ି ଆସିଥିଲା। ଦିନକୁ ଦିନ ସମୁଦ୍ର ଭୟଙ୍କର ରୂପ ଧାରଣ କରୁଥିବାରୁ ଉପକୂଳ ସୁରକ୍ଷା, ମୃତ୍ତିକା କ୍ଷୟ ନିୟନ୍ତ୍ରଣ ଏବଂ ଜୈବ ବିବିଧତା ସଂରକ୍ଷଣ ଲାଗି ଓଡ଼ିଶା ଉପକୂଳରେ ଲୁଣା ଜଙ୍ଗଲ ସୃଷ୍ଟି ଉପରେ ଗୁରୁତ୍ୱ ଦିଆଯାଇଛି। ରାଜ୍ୟର ୬ଟି ଜିଲ୍ଲାରେ ୫୪୯.୫ କିମିର ଉପକୂଳ ରହିଥିବା ବେଳେ ୧୯୯୦ରୁ ୨୦୧୮ ମଧ୍ୟରେ ୧୪୦.୭୩ କିମିର ସମୁଦ୍ର କ୍ଷୟ ଦ୍ବାରା ହଜାର ହଜାର ପରିବାରର ଜୀବନଜୀବିକା ପ୍ରଭାବିତ ହୋଇଛି। ସମୁଦ୍ର ଗର୍ଭରେ ଲୀନ ହୋଇଥିବା ଗାଁର ଲୋକଙ୍କୁ ଥଇଥାନ କରାଯାଇଥିଲେ ମଧ୍ୟ ଜୀବିକା ପାଇଁ ସଂଘର୍ଷ କରୁଛନ୍ତି। ସୁରକ୍ଷା ପାଇଁ ଏବେଠୁ ପଦକ୍ଷେପ ନେବାକୁ ଦାବି ଉଠିଛି।
/filters:format(webp)/sambad/media/media_files/2025/12/03/fshhfsxbvbvb-2025-12-03-01-58-01.jpg)
ଅସୁରକ୍ଷିତ
ଗୋପାଳପୁର ବେଳାଭୂମିରେ ଜଣେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା ଓଡ଼ିଶା ଇତିହାସରେ କଳଙ୍କ ଯୋଡ଼ିଥିଲା। ପୁରୁଷ ବନ୍ଧୁଙ୍କ ଉପସ୍ଥିତିରେ ଗଣଦୁଷ୍କର୍ମ ହୋଇଥିବାରୁ ଓଡ଼ିଶା, ସାରା ବିଶ୍ବରେ ନିନ୍ଦିତ ହୋଇଥିଲା। ସେପଟେ ଗତ ପାଞ୍ଚ ବର୍ଷ ମଧ୍ୟରେ ପୁରୀ ବେଳାଭୂମି ଏବଂ ଅନ୍ୟାନ୍ୟ ଉପକୂଳବର୍ତ୍ତୀ ଅଞ୍ଚଳରେ ୪୭ଜଣ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ତେଣୁ ରାଜ୍ୟ ସରକାର ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରିବା ଦିଗରେ ପଦକ୍ଷେପ ନେଇଛନ୍ତି। ଯେଉଁଥିରେ କୂଳରେ ନିୟମିତ ପାଟ୍ରୋଲିଂ, ବିପଦପୂର୍ଣ୍ଣ ପହଁରା କ୍ଷେତ୍ର ଚିହ୍ନଟ ଏବଂ ବିପଦପୂର୍ଣ୍ଣ ଅଞ୍ଚଳ ବିଷୟରେ ଜନସଚେତନତା ଅଭିଯାନ ଚାଲିଛି। ଏଥିସହ ଜରୁରିକାଳୀନ ପରିସ୍ଥିତିର ମୁକାବିଲା ପାଇଁ ଅଗ୍ନିଶମ ସେବା କର୍ମଚାରୀ ଏବଂ ଗୃହରକ୍ଷୀଙ୍କୁ ଉଦ୍ଧାର ଉପକରଣ ସହିତ ଲାଇଫ୍ଗାର୍ଡ ଭାବେ ନିୟୋଜିତ କରାଯାଇଛି। ବେଳାଭୂମିରେ ପର୍ଯ୍ୟଟକଙ୍କ ସୁରକ୍ଷା ବୃଦ୍ଧି କରିବା ପାଇଁ ଏହି ପଦକ୍ଷେପଗୁଡ଼ିକ କାର୍ଯ୍ୟକାରୀ ହେଉଛି।
ବଢ଼ିଲା ବେଳାଭୂମି
ସାରା ଦେଶରେ ବେଳାଭୂମିର ଦୈର୍ଘ୍ୟ ବୃଦ୍ଧି ପାଇଛି। କେନ୍ଦ୍ର ଜାହାଜ ମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଥିବା ନୂଆ ସର୍କୁଲାର ଅନୁଯାୟୀ ଦେଶରେ ବେଳାଭୂମି ୩୫୩୭.୨୧ କିଲୋମିଟର ବୃଦ୍ଧି ପାଇ ୧୧,୦୯୮.୮୧ କିମିରେ ପହଞ୍ଚିଛି। ନୂଆ ପଦ୍ଧତିରେ ହିସାବ ପରେ ଓଡ଼ିଶାରେ ୫୭୪.୭୧ କିମି ବେଳାଭୂମି ଥିବା ଉଲ୍ଲେଖ ହୋଇଛି। ପୂର୍ବ ହିସାବ ଅନୁସାରେ ରାଜ୍ୟର ବେଳାଭୂମି ଲମ୍ବ ୪୭୬.୪ କିମି ତୁଳନାରେ ୯୬ କିଲୋମିଟର ଅଧିକ ରହିଥିବା ଜଣାପଡ଼ିଛି। ତଥ୍ୟ ଅନୁଯାୟୀ ଆଣ୍ଡାମାନ ଓ ନିକୋବରରେ ସର୍ବାଧିକ ୩୦୮୩ କିମି ବେଳାଭୂମି ରହିଛି। ଏହା ପଛକୁ ଗୁଜରାଟରେ ୨୩୪୦.୬୨ କିମି, ତାମିଲନାଡ଼ୁରେ ୧୦୬୮.୬୯ କିମି, ଆନ୍ଧ୍ରପ୍ରଦେଶରେ ୧୦୫୩.୦୭ କିମି, ମହାରାଷ୍ଟ୍ରରେ ବେଳାଭୂମି ଲମ୍ବ ୮୭୭.୯୭ କିମି, ପଶ୍ଚିମବଙ୍ଗରେ ୭୨୧.୦୨ କିମି, କେରଳରେ ୬୦୦.୧୫ କିମି, କର୍ଣ୍ଣାଟକରେ ୩୪୩.୩୦ କିମି, ଗୋଆରେ ୧୯୩.୯୭ କିମି, ଲାକ୍ଷାଦ୍ବୀପରେ ୧୪୪.୮୦ କିମି, ଡାମନ ଓ ଡିଉରେ ୫୪.୩୮ କିମି ଓ ପୁଡୁଚେରିରେ ୪୨.୬୫ କିମି ବେଳାଭୂମି ରହିଛି। ଓଡ଼ିଶାରେ ପାରାଦୀପ, ଧାମରା ଓ ଗୋପାଳପୁରରେ ତିନିଟି ବନ୍ଦର ନିର୍ମାଣ କରାଯାଇଥିବା ବେଳେ ବାଲେଶ୍ବରରେ ସୁବର୍ଣ୍ଣରେଖା ଓ ଇଞ୍ଚୁଡ଼ି ଏବଂ ଗଞ୍ଜାମର ବାହୁଦାଠାରେ ନୂଆ ବନ୍ଦର ନିର୍ମାଣ କରିବାକୁ ସରକାର ଯୋଜନା ରଖିଛନ୍ତି। ଇଞ୍ଚୁଡ଼ି ଓ ବାହୁଦାରେ ନୂଆ ବନ୍ଦର ନିର୍ମାଣକୁ ସରକାର ଅନୁମୋଦନ ଦେଇଛନ୍ତି। ୨୦୩୦ ସୁଦ୍ଧା ରାଜ୍ୟ ସରକାର ବନ୍ଦର ଜରିଆରେ ହେଉଥିବା ମାଲ୍ ପରିବହନ କ୍ଷମତାକୁ ୫୦୦ ନିୟୁତ ଟନ୍ରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛନ୍ତି।
Raid: ଖଣି ବିଭାଗର ଚଢଉ: ହାଇୱା-ଟ୍ରାକ୍ଟର ଜବତ
୮ବର୍ଷ ପରେ ମତ୍ସ୍ୟଜୀବୀ ପରିବାର ସର୍ଭେ
ସମୁଦ୍ରକୂଳବର୍ତ୍ତୀ ଲୋକଙ୍କ ଜୀବିକା କହିଲେ ମୁଖ୍ୟତଃ ମତ୍ସ୍ୟ ଚାଷକୁ ହିଁ ବୁଝାଇଥାଏ। ଯେଉଁମାନେ କି ବର୍ଷ ତମାମ ସମୁଦ୍ର ଉପରେ ନିର୍ଭରଶୀଳ। ମାଛ, କଙ୍କଡ଼ା, ଚୁଙ୍ଗୁଡ଼ି ଚାଷ କରି ପରିବାରର ଗୁଜୁରାଣ ମେଣ୍ଟାଇଥାନ୍ତି। ଏବେ କିନ୍ତୁ ସେମାନଙ୍କ ଜୀବନ ଜୀବିକା ପ୍ରଭାବିତ ହେଉଛି। ବଙ୍ଗୋପସାଗରରେ ବାରମ୍ବାର ଘୂର୍ଣ୍ଣିଝଡ଼ ସୃଷ୍ଟି ହେଉଥିବାରୁ ସେମାନେ ବହୁ ସମୟରେ ସମୁଦ୍ର ମଧ୍ୟକୁ ଯାଇପାରୁ ନାହାନ୍ତି। କଇଁଛଙ୍କ ଅଣ୍ଡାଦାନ ପାଇଁ ୪ ମାସ ସମୁଦ୍ରରେ ମାଛଧରା ଉପରେ କଟକଣା ଲାଗୁଛି। ପରିଣାମ ସ୍ବରୂପ ମତ୍ସ୍ୟଜୀବୀଙ୍କ ପରିବାର ଚଳିବା କଷ୍ଟକର ହୋଇପଡ଼ୁଛି। ଯେଉଁଥିପାଇଁ କେନ୍ଦ୍ରାପଡ଼ା, ଗଞ୍ଜାମ, ପୁରୀ ଜିଲ୍ଲାର ଅନେକ ପରିବାର ମାଛ ଧରିବା ବେଉସା ଛାଡ଼ି ଅନ୍ୟଆଡ଼େ ମୁହାଁଉଛନ୍ତି। କେନ୍ଦ୍ର ସରକାରଙ୍କ ତଥ୍ୟ ଅନୁଯାୟୀ ଦେଶରେ ୩୪୭୭ ମତ୍ସ୍ୟଜୀବୀ ଗ୍ରାମ ରହିଛି। ସେଥିରୁ ଓଡ଼ିଶାରେ ୭୨୯ଟି ଗ୍ରାମ ରହିଛି। ୨୦୨୬ରେ ଶେଷ ଥର ପାଇଁ ମତ୍ସ୍ୟଜୀବୀ ପରିବାର ଗଣନା ହୋଇଥିଲା। ୮ବର୍ଷ ବ୍ୟବଧାନ ପରେ ଏବେ ଓଡ଼ିଶାରେ ୬ଟି ସମୁଦ୍ରକୂଳବର୍ତ୍ତୀ ଜିଲ୍ଲା ଯଥା ବାଲେଶ୍ୱର, ଭଦ୍ରକ, କେନ୍ଦ୍ରପଡା, ଜଗତସିଂହପୁର, ପୁରୀ ଓ ଗଞ୍ଜାମରେ ବସବାସ କରୁଥିବା ତଥା ସାମୁଦ୍ରିକ ମତ୍ସ୍ୟ ଉତ୍ପାଦନ ଉପରେ ନିର୍ଭରଶୀଳ ଥିବା ମତ୍ସ୍ୟଜୀବୀ ପରିବାରଙ୍କ ସର୍ଭେ କରାଯାଉଛି। ସେପଟେ ଓଡ଼ିଶା ସମେତ ୭ଟି ଉପକୂଳ ରାଜ୍ୟ ପାଇଁ କେନ୍ଦ୍ର ସରକାର ୨୫୫ କୋଟି ଟଙ୍କାର ପ୍ରକଳ୍ପ ଘୋଷଣା କରିଛନ୍ତି।
ଜୀବିକା ପାଇଁ ସ୍ବର
କେତେବେଳେ ଜମି ମାଫିଆ ତ ଆଉ କେବେ ଶିଳ୍ପ ସଂସ୍ଥାଙ୍କ ଲୋଲୁପଦୃଷ୍ଟି ପଡ଼ୁଛି ବେଳାଭୂମି ଉପରେ। ଖଣ୍ଡଖଣ୍ଡ କରି ବେଳାଭୂମିକୁ ନିଜ କବ୍ଜାକୁ ନେବାକୁ ଉଦ୍ୟମ କରୁଛନ୍ତି। ମାତ୍ର ଉପକୂଳ ଓଡ଼ିଶାର ସୁରକ୍ଷା ଭାର ସମ୍ଭାଳୁଥିବା ୭୦୦ରୁ ଅଧିକ ଗାଁ ଲୋକେ ଭିଟାମାଟି ବଞ୍ଚାଇବାକୁ ସର୍ବଦା ଚେଷ୍ଟିତ। ସମୁଦ୍ର ଉପରେ ନିର୍ଭରଶୀଳ ଗାଁରୁ ଏବର୍ଷ ମଧ୍ୟ ବିରୋଧର ସ୍ବର ଉଠିଛି। ସମୁଦ୍ରରେ ମାଛ ମାରିବା ଉପରେ କଟକଣା ଲାଗିବା ପରେ ଲୋକଙ୍କ ପ୍ରତିବାଦର ସ୍ବର ଭୁବନେଶ୍ବରରେ ପହଞ୍ଚିଥିଲା। କେବଳ ସେତିକି ନୁହେଁ, ବାତ୍ୟା ଭୟ ବାରମ୍ବାର ଉପକୂଳବାସୀଙ୍କୁ ଡରାଇ ରଖିଛି। ଠିକ୍ ସମୟରେ କ୍ଷତିପୂରଣ ନ ମିଳିବାରୁ ଉପକୂଳବାସୀ ବିଭିନ୍ନ ସମୟରେ ରାଜରାସ୍ତାକୁ ଓହ୍ଲାଇଥିବାର ଚିତ୍ର ସାମନାକୁ ଆସିଥିଲା।
ଭିତ୍ତିଭୂମି ସାଜିଛି ଆହ୍ବାନ
ଉପକୂଳ ଓଡ଼ିଶାର ଭିତ୍ତିଭୂମି ଏବେ ବଡ଼ ଆହ୍ବାନ ଭାବେ ଛିଡ଼ା ହୋଇଛି। ବାଲେଶ୍ବରଠାରୁ ଆରମ୍ଭ କରି ଗଞ୍ଜାମ ପର୍ଯ୍ୟନ୍ତ, ସବୁଠି ମାଳ ମାଳ ସମସ୍ୟା। ଗୋଟିଏ ପଟେ ଜଳବାୟୁ ପରିବର୍ତ୍ତନ ଦ୍ବାରା ସମୁଦ୍ର ମାଡ଼ି ଆସୁଥିବା ବେଳେ ଅନ୍ୟପଟେ ପଶ୍ଚିମବଙ୍ଗର ବାରମ୍ବାର ଅନୁପ୍ରବେଶ ମୁଣ୍ଡବିନ୍ଧାର କାରଣ ପାଲଟୁଛି। ଏକାଧିକ ଆହ୍ବାନ ସୃଷ୍ଟି ହେଉଥିଲେ ମଧ୍ୟ ସେଭଳି କୌଣସି ଠୋସ୍ ପଦକ୍ଷେପ ନିଆଯାଉ ନାହିଁ। ବାଲେଶ୍ବର ଜିଲ୍ଲା ତାଳସାରୀକୁ ବିଶ୍ବସ୍ତରୀୟ ବେଳାଭୂମି କରିବାର ପ୍ରତିଶ୍ରୁତି ନାଲିଫିତା ତଳେ ରହିଛି। ବିଜେଡି ସରକାର ସମୟରେ ତାଳସାରୀ-ଚନ୍ଦନେଶ୍ୱର-ଉଦୟପୁର ବେଳାଭୂମି ଆଲୋକୀକରଣ କରିବାକୁ ୭ କୋଟି ଟଙ୍କା ବ୍ୟୟରେ ୩୮୪ଟି ଖୁଣ୍ଟରେ ଲାଇଟ୍ ଲଗାଯାଇଥିଲା। ମାତ୍ର ରକ୍ଷଣାବେକ୍ଷଣ ଅଭାବରୁ ସବୁ ଲାଇଟ୍ ବନ୍ଦ ହୋଇଗଲାଣି। ଉଦୟପୁର ବେଳଭୂମି ଓ ଏହାର ଆଖପାଖ ଅଞ୍ଚଳ ଉପରେ ପଶ୍ଚିମବଙ୍ଗର ଲୋଲୁପ ଦୃଷ୍ଟି ପଡ଼ୁଛି। ୧୯୭୮ମସିହାରେ ଉଦୟପୁରଠାରେ ବନ ବିଭାଗ କାର୍ଯ୍ୟାଳୟ ପ୍ରତିଷ୍ଠା ସହିତ ସାହାବାଜିପୁର ସୀମାଠାରୁ ଉଦୟପୁର ବେଳାଭୂମି ପର୍ଯ୍ୟନ୍ତ ନାଲିମୋରମ୍ ରାସ୍ତା ନିର୍ମାଣ ହୋଇଥିଲା। ପରବର୍ତ୍ତୀ ବର୍ଷଗୁଡ଼ିକରେ ସୀମାନ୍ତ ଅଞ୍ଚଳରେ ଛକାପଞ୍ଝା ଲାଗି ରହିଥିଲେ ମଧ୍ୟ ସମାଧାନ ହୋଇପାରୁ ନାହିଁ। ବାଲିଆପାଳ ବ୍ଲକ ଅନ୍ତର୍ଗତ ଚୌମୁଖ-ଡଗରା ବେଳାଭୂମି ବିକାଶ ହୋଇପାରି ନାହିଁ। କେନ୍ଦ୍ରାପଡ଼ାର ପେଣ୍ଠ ବେଳାଭୂମି, ଜଗତସିଂହପୁରର ଶିଆଳି ବେଳାଭୂମି, ଜଟାଧାରୀ ମୁହାଣ, ଷଣ୍ଢକୁଦ, ପୁରୀର ଅସ୍ତରଙ୍ଗ ବେଳାଭୂମି, ଗଞ୍ଜାମର ଆର୍ଯ୍ୟପଲ୍ଲୀ ବେଳାଭୂମି, ମାର୍କଣ୍ଡି ବେଳାଭୂମି, ଧବଳେଶ୍ବର ବେଳାଭୂମିର ବିକାଶ ଏବେ ଆହ୍ବାନ ପାଲଟିଛି।
/filters:format(webp)/sambad/media/media_files/2025/12/03/dgdagdzcvcv-2025-12-03-01-58-18.jpg)
ସୁରକ୍ଷା କବଚ ହେନ୍ତାଳ ବଣ
ପ୍ରକୃତିର ଅନବଦ୍ୟ ଅବଦାନ ହେନ୍ତାଳ ବଣ ବା ଲୁଣା ଜଙ୍ଗଲ। ବାତ୍ୟା ଆସୁ କି ବନ୍ୟା, ଉପକୂଳ ଓଡ଼ିଶାର ବଡ଼ ସୁରକ୍ଷା କବଚ। ଜନବସତି ଓ ସମୁଦ୍ର ମଧ୍ୟରେ ପାଚେରି ହୋଇ ଛିଡ଼ା ହୋଇଛି। ମହାବାତ୍ୟା ହେଉ ଅଥବା ‘ହୁଡ୍ହୁଡ୍’, ‘ଫାଇଲିନ୍’, ‘ଦାନା’ ବାତ୍ୟାର ପ୍ରକୋପରୁ ଜନସାଧାରଣଙ୍କୁ ରକ୍ଷା କରି ଆଜିବି ଅଣ୍ଟା ସଳଖି ଛିଡ଼ା ହୋଇଛି। ଜୈବ ବିବିଧତା ଓ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ ଗୁରୁ ଦାୟିତ୍ବ ବହନ କରୁଛି। କେନ୍ଦ୍ର ସରକାରଙ୍କ ରିପୋର୍ଟ ଅନୁଯାୟୀ ଓଡ଼ିଶାରେ ହେନ୍ତାଳ ବଣ ପରିସୀମା ବୃଦ୍ଧି ପାଇଛି। ହେନ୍ତାଳ ବଣର ଆବଶ୍ୟକତାକୁ ବୁଝି ଚଳିତବର୍ଷ ବାଲେଶ୍ବର ଜିଲ୍ଲାର ଭୋଗରାଇ, ବାହାନଗା, ବାଲେଶ୍ବର ବ୍ଲକ, ଭଦ୍ରକର ବାସୁଦେବପୁର ଓ ଚାନ୍ଦବାଲି ବ୍ଲକରେ ଏକ ଲକ୍ଷ ଲେଖାଏଁ ଚାରା ରୋପଣ ହୋଇଛି। କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗର ଓ ମହାକାଳପଡ଼ା ବ୍ଲକରେ ୨ ଲକ୍ଷ ୩୯ ହଜାର, ପୁରୀର ଅସ୍ତରଙ୍ଗରେ ୧୪ ହଜାର ୪୪୫, ଗଞ୍ଜାମର ଖଲ୍ଲିକୋଟ ଓ ଚିକିଟିରେ ୨୫ ହଜାର ଗଛ ଲାଗିଛି। ହେନ୍ତାଳ ଜଙ୍ଗଲର ସୁରକ୍ଷା ପାଇଁ ସ୍ବେଚ୍ଛାସେବୀ ସଙ୍ଗଠନଗୁଡ଼ିକୁ ନିୟୋଜିତ କରାଯାଇଛି। ୫ଟି ଜିଲ୍ଲାରେ ୨୫୯.୦୬ ବର୍ଗ କିଲୋମିଟରର ହେନ୍ତାଳ ଜଙ୍ଗଲ ରହିଛି। ଏଥିସହ କେନ୍ଦ୍ର ସରକାରଙ୍କ ଦ୍ବାରା ୫ ବର୍ଷୀୟା ଯୋଜନା କାର୍ଯ୍ୟକାରୀ ହେଉଛି। ଏହା ଅଧୀନରେ ୨୦୨୮-୨୯ ଆର୍ଥିକ ବର୍ଷ ସୁଦ୍ଧା ୮୯ ହେକ୍ଟର ହେନ୍ତାଳ ବଣ ସୃଷ୍ଟି ଲକ୍ଷ୍ୟରେ ଚାରା ପ୍ରସ୍ତୁତି ଓ ରୋପଣ କାର୍ଯ୍ୟ ଜାରି ରହିଛି।
ବେଳାଭୂମିର ଆକର୍ଷଣ ମହୋତ୍ସବ
୨୫ ବର୍ଷ ପରେ ୨୦୨୫ରେ ପୁରୀକୁ ଫେରିଛି ବେଳାଭୂମି ମହୋତ୍ସବ। ପ୍ରବାସୀ ଭାରତୀୟ ସମ୍ମିଳନୀ ଅବସରରେ ଜାନୁଆରି ମାସରେ ପୁରୀ ବେଳାଭୂମି ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ମହୋତ୍ସବରେ ପଲ୍ଲିଶ୍ରୀ ମେଳା, ଫୁଡ୍ ଫେଷ୍ଟିଭାଲ୍, କାଇଟ୍ ଫିଷ୍ଟିଭାଲ୍ ଆକର୍ଷଣ ପାଲଟିବା ସହ ଲୋକଙ୍କୁ ଏକାଠି କରିପାରିଥିଲା। ପୁରୀର ସ୍ବର୍ଣ୍ଣିମ ବେଳାଭୂମି ସମେତ ଚନ୍ଦ୍ରଭାଗା, କୋଣାର୍କ, ରଘୁରାଜପୁର, ସାତପଡ଼ା, ପିପିଲିର ଚାନ୍ଦୁଆ ଦେଖି ପ୍ରବାସୀ ବିଭୋର ହୋଇଥିଲେ। ନଭେମ୍ବର ପ୍ରଥମ ସପ୍ତାହରେ ଗୋପାଳପୁରର ବୋଇତ ବନ୍ଦାଣ ମହୋତ୍ସବ, ଫେବ୍ରୁଆରିରେ ବାଲେଶ୍ୱର ଜିଲ୍ଲା ପ୍ରଶାସନ ଓ ଚାନ୍ଦିପୁର ବେଳାଭୂମି ମହୋତ୍ସବ କମିଟିର ମିଳିତ ଆନୁକୂଲ୍ୟରେ ଚାନ୍ଦିପୁର ସୁବର୍ଣ୍ଣ ବେଳାଭୂମି ମହୋତ୍ସବର ରୌପ୍ୟ ଜୟନ୍ତୀ ପାଳିତ ହୋଇଛି। ପାରାଦୀପର କଳିଙ୍ଗ ବାଲିଯାତ୍ରା ମହୋତ୍ସବ ଓଡ଼ିଶାର ନୌବାଣିଜ୍ୟ ଗାଥାକୁ ବିଶ୍ବ ଦରବାରରେ ପହଞ୍ଚାଉଛି। ଏଗୁଡ଼ିକ ବ୍ୟତୀତ ଆହୁରି ଅନେକ ବେଳାଭୂମି ମହୋତ୍ସବ ଅନୁଷ୍ଠିତ ହେଉଛି, ଯାହାକି ଓଡ଼ିଶାର କଳା, ସଂସ୍କୃତି, ଖାଦ୍ୟ, ପରମ୍ପରା ଓ କ୍ରୀଡ଼ାକୁ ଗୋଟିଏ ମଞ୍ଚରେ ବିଶ୍ୱ ଦରବାରରେ ପରିଚିତ କରାଉଛି। ତେବେ ଦେଶର ଅନ୍ୟାନ୍ୟ ଉପକୂଳବର୍ତ୍ତୀ ରାଜ୍ୟଗୁଡ଼ିକ ଭଳି ଓଡ଼ିଶା ଉପକୂଳରେ ପର୍ଯ୍ୟଟକଙ୍କୁ ବାନ୍ଧି ରଖିବାର କୌଣସି ବ୍ୟବସ୍ଥା ନାହିଁ। ଦିନେ, ଦୁଇ ଦିନ କିମ୍ବା ସପ୍ତାହକ ପାଇଁ ମହୋତ୍ସବ ଆୟୋଜନ କରି ସମସ୍ତେ ଚୁପ୍ ରହିଯାଉଛନ୍ତି।
ପର୍ଯ୍ୟଟକଙ୍କୁ ଟାଣୁଛି ପୁରୀ
ପୁରୀ ସମୁଦ୍ରକୂଳ ସବୁବେଳେ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ରହିଆସିଛି। ମହାପ୍ରଭୁ ଜଗନ୍ନାଥଙ୍କ ମନ୍ଦିର ସାଙ୍ଗକୁ ବେଳାଭୂମିର ମଜା ଉଠାଇବାକୁ ପ୍ରତିବର୍ଷ ୫୦ ଲକ୍ଷରୁ ଅଧିକ ଦେଶୀ, ବିଦେଶୀ ପର୍ଯ୍ୟଟକ ଭ୍ରମଣରେ ଆସୁଛନ୍ତି। ଅନ୍ତର୍ଜାତୀୟ ସ୍ତରରେ ବ୍ଲୁ ଫାର୍ଗ ବିଚ୍ର ମାନ୍ୟତା ପାଇଥିବା ପୁରୀ ସମୁଦ୍ରକୂଳରେ ସ୍ବଚ୍ଛତା ବଜାୟ ରଖିବା, ପାଣିର ଗୁଣବତ୍ତା ବଜାୟ ରଖିବା, ସୁରକ୍ଷା ଓ ପରିବେଶ ପଚିଚାଳନା ଉପରେ ଧ୍ୟାନ ଦିଆଯାଉଛି। ପୁରୀଠାରୁ ମାତ୍ର ୩୦ କିମି ଦୂରରେ ଥିବା ଚନ୍ଦ୍ରଭାଗା ବେଳାଭୂମି ଏବେ ପର୍ଯ୍ୟଟକଙ୍କ ଅନ୍ୟତମ ଆକର୍ଷଣ ପାଲଟିଛି। ବିଶ୍ବ ପ୍ରସିଦ୍ଧ କୋଣାର୍କର ସୂର୍ଯ୍ୟ ମନ୍ଦିର ସାଙ୍ଗକୁ ଏଠାକାର ଅପରୂପ ଶୋଭା ପର୍ଯ୍ୟଟକଙ୍କୁ ନିଆରା ଅନୁଭୂତି ଦେଉଛି। ଗୋପାଳପୁର ବେଳାଭୂମିର ଐତିହାସିକ ବତିଘର, ମାଛଧରା ଡଙ୍ଗା, ଆଡଭେନ୍ଚର ସ୍ପୋର୍ଟିଂରେ ଯୁବପିଢ଼ି ମତୁଆଲା ହେଉଛନ୍ତି। ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ହେଲେ ବାଲେଶ୍ବରର ଚାନ୍ଦିପୁର, ଉଦୟପୁର, ତାଳସାରୀ, ଜଗତ୍ସିଂହପୁରର ପାରାଦୀପ, ସିଆଳି, ପୁରୀର ଅସ୍ତରଙ୍ଗ ପରି ବେଳାଭୂମିର ଆହୁରି ଉନ୍ନତୀକରଣର ଆବଶ୍ୟକତା ରହିଛି। ଗଞ୍ଜାମର ସୁନାପୁର ବେଳାଭୂମିକୁ ବ୍ଲୁଫାଗ୍ ବିଚ୍ ମାନ୍ୟତା ମିଳିଥିଲେ ମଧ୍ୟ ପର୍ଯ୍ୟଟକଙ୍କ ନିକଟରେ ସେତେଟା ଆଦୃତ ହୋଇପାରି ନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/12/03/agaddgzcvcvcv-2025-12-03-01-57-44.jpg)