ବଡ଼ଦିନ ଆସିଲେ ପ୍ରଥମେ ମନରେ ଆଙ୍କିହୋଇଯାଏ ଗାଢ଼ ଲାଲ୍ ରଙ୍ଗର ପୋଷାକରେ ଶରୀରକୁ ଢାଙ୍କିଥିବା ସେଇ ଦରଦୀ ମଣିଷଟିର ଛବି! ଧଳାଧଡ଼ି ଲାଗିଥିବା ଲାଲ୍ ରଙ୍ଗର ପ୍ୟାଣ୍ଟ୍, ସାର୍ଟ ଓ ଟୋପି ପିନ୍ଧା ସେଇ ଧୋବ ଫର୍ଫର୍ କେଶ, ନିଶ ଓ ଦାଢ଼ି ଥିବା ମଣିଷଟିର ଆଗମନକୁ ଥାଏ ଅପେକ୍ଷା। ଉପହାର ବୋଝେଇ ନିଜ ସ୍ଲେଜ୍ ଗାଡ଼ିରେ ସେ ମଝିରାତିରେ ବୁଲନ୍ତି ଏ ଘରୁ ସେ ଘର। ସ୍ବପ୍ନରେ ପିଲାଏ ମାଗିଥିବା ମନଲାଖି ଉପହାରଟିକୁ ଦେଇଯାଆନ୍ତି। ପୁଣି ସକାଳ ନହେଉଣୁ ଫେରିଯାଆନ୍ତି କେଉଁ ଅଦେଖା, ଅଚିହ୍ନା ରାଇଜକୁ। ପ୍ରଭୁ ଯିଶୁଙ୍କ ଜନ୍ମଦିନରେ ମଣିଷ ମୁହଁରେ ହସ ଫୁଟାଉଥିବା ଏହି ନିଆରା ବ୍ୟକ୍ତି ହେଉଛନ୍ତି ‘ସାଣ୍ଟା କ୍ଲଜ୍’। ଶହ ଶହ ବର୍ଷ ତଳେ ଆବିର୍ଭାବ ଘଟିଥିଲା କେବଳ ଜଣେ ସାଣ୍ଟା କ୍ଳଜ୍ଙ୍କର, କିନ୍ତୁ ତାଙ୍କର ସେ ମହାନ୍ କାର୍ଯ୍ୟକୁ ଦୋହରାଇବାକୁ ଏବେ ପ୍ରତି ବଡ଼ଦିନ ରାତିରେ ଉଭା ହେଉଛନ୍ତି ଲକ୍ଷ ଲକ୍ଷ ସାଣ୍ଟା କ୍ଲଜ୍। ମଣିଷ ଭିତରେ ଈଶ୍ବରୀୟ ଗୁଣର ପରିପ୍ରକାଶର ପ୍ରତୀକ ସାଣ୍ଟା କ୍ଲଜ୍।
ଉପସ୍ଥାପନା: ପ୍ରଗତି ସାହୁ
ଜାତି-ଧର୍ମ-ବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କର ଅତିପ୍ରିୟ ସାଣ୍ଟା କ୍ଲଜ୍। ଏକଦା ଜନମାନସରେ ବିଶ୍ବାସ ପ୍ରଚଳିତ ଥିଲା କି ସାଣ୍ଟା କ୍ଲଜ୍ ସମସ୍ତଙ୍କ ମନକଥା ଜାଣିପାରନ୍ତି ଏବଂ ସେ ଅନୁସାରେ ବଡ଼ଦିନରେ ଉପହାର ବି ଦିଅନ୍ତି। ଏଣୁ ଛୋଟ ପିଲାମାନେ ଡିସେମ୍ବର ୨୫ ପୂର୍ବ ରାତିରେ ନିଜ ଆକାଂକ୍ଷିତ ଦ୍ରବ୍ୟ ବିଷୟରେ ଭାବି ଭାବି ନିଦ୍ରାଯାଆନ୍ତି ଆଉ ମଧ୍ୟରାତ୍ରରେ ସେମାନଙ୍କ ଇଚ୍ଛା ମୁତାବକ ଉପହାରଟେ ସାଣ୍ଟା କ୍ଲଜ୍ଙ୍କଠାରୁ ପାଇବାକୁ ଆଶାରଖନ୍ତି। କିଏ ନିଜ ତକିଆ ତଳେ ମୋଜା ରଖି ଶୁଏ ତ କିଏ ବହି ଖଣ୍ଡେ ରଖି ଶୋଇଥାଏ। ସାଣ୍ଟାଙ୍କୁ କେହି କେବେ ଦେଖନ୍ତିନି ବା ବୋଧହୁଏ ଦେଖିନାହାନ୍ତି।
Pre-Christmas Festival: ଘୁ.ଉଦୟଗିରିରେ ପ୍ରାକ୍ ଖ୍ରୀଷ୍ଟମାସ ମହୋତ୍ସବ ମହାଆଡ଼ମ୍ବରରେ ପାଳିତ
ଶହ ଶହ ବର୍ଷର ପରମ୍ପରାର ପ୍ରତୀକ ସାଣ୍ଟା କ୍ଲଜ୍। ଏବେ ବଡ଼ଦିନ ପାଳନର ଅବିଚ୍ଛେଦ୍ୟ ଅଙ୍ଗ ପାଲଟିଯାଇଛି ସାଣ୍ଟା କ୍ଲଜ୍ଙ୍କ ଆଗମନ। ବଡ଼ଦିନରେ କେଉଁଠି ସାଣ୍ଟା କ୍ଲଜ୍ ଅଫିସ୍ରେ ପହଞ୍ଚି ଯାଉଛନ୍ତି ତ ଆଉ କେଉଁଠି କ୍ଲବ୍ରେ। ପୁଣି କେଉଁ ପିଲାଙ୍କ ଲାଗି ଆୟୋଜିତ କୌଣସି ମେଳାରେ। କେବଳ ସେତିକି ନୁହେଁ, ବିଭିନ୍ନ ସ୍ଥାନରେ ସାଣ୍ଟା କ୍ଲଜ୍ଙ୍କ ଆକର୍ଷଣୀୟ ପ୍ରତିମୂର୍ତ୍ତି ବି ତିଆରି ହେଉଛି। ଗତବର୍ଷ ପୁରୀ ବେଳାଭୂମିରେ ଅନ୍ତର୍ଜାତୀୟ ଖ୍ୟାତିପ୍ରାପ୍ତ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ନିର୍ମାଣ କରିଥିବା ୧୦୦ ଫୁଟ୍ ଲମ୍ବ ଓ ୨୦ ଫୁଟ୍ ଉଚ୍ଚ ସାଣ୍ଟା କ୍ଳଜ୍ଙ୍କର ବାଲି ଓ ପିଆଜରେ ପ୍ରସ୍ତୁତ ବିଶାଳ ବାଲୁକା ପ୍ରତିମୂର୍ତ୍ତି ବିଶ୍ବର ସର୍ବବୃହତ୍ ସାଣ୍ଟା ମାନ୍ୟତା ଲାଭ କରିଥିଲା। ସେହିପରି କଟକର ମିସନ୍ରୋଡ଼ସ୍ଥିତ ବାପ୍ଟିଷ୍ଟ୍ ଚର୍ଚ୍ଚରେ ୧୦ ହଜାର ପାନପତ୍ରରେ ସାଣ୍ଟା କ୍ଲଜ୍ ତିଆରି କରୁଥିଲେ ସ୍କେଚ୍ ଆର୍ଟିଷ୍ଟ ବିଜୟଲକ୍ଷ୍ମୀ ରାଉତ।
ଆମେରିକାରେ ସାଣ୍ଟା କ୍ଲଜ୍ କ୍ରିସ୍ କ୍ରିଙ୍ଗଲ୍ ନାମରେ ଓ ବ୍ରିଟେନ୍ରେ ଫାଦର୍ ଖ୍ରୀଷ୍ଟମାସ୍ ଏବଂ ଫ୍ରାନ୍ସରେ ପେରେ ନୋଏଲ୍ ନାମରେ ଜଣାଶୁଣା। ପ୍ରଚଳିତ ଲୋକକଥା ଅନୁଯାୟୀ, ସାଣ୍ଟା କ୍ଲଜ୍ ଓ ତାଙ୍କ ପତ୍ନୀ ଶ୍ରୀମତୀ କ୍ଲଜ୍ଙ୍କ ସହିତ ଉତ୍ତରମେରୁରେ ରହନ୍ତି। ବର୍ଷସାରା ଦୁହେଁ ବଡ଼ଦିନ ପାଳନ ପାଇଁ ଖେଳଣା ତିଆରି କରନ୍ତି।
ବଡ଼ଦିନ ପାଳନ ଅନ୍ତରାଳେ
ଯିଶୁଖ୍ରୀଷ୍ଟଙ୍କ ଧରାବତରଣକୁ ମେରି କ୍ରିସ୍ମସ୍ ବା ପବିତ୍ର ବଡ଼ଦିନ ଭାବେ ଖ୍ରୀଷ୍ଟଧର୍ମାବଲମ୍ବୀମାନେ ଖୁବ୍ ଧୁମ୍ଧାମ୍ରେ ପାଳନ କରିଥାନ୍ତି। ପବିତ୍ର ଗ୍ରନ୍ଥ ବାଇବେଲ୍ରେ ଯିଶୁଙ୍କ ଜନ୍ମଦିନକୁ ନେଇ ସଠିକ୍ ତାରିଖ ଉଲ୍ଲେଖ ନଥିଲେ ମଧ୍ୟ ଏହି ଦିନକୁ ସାରା ବିଶ୍ୱରେ କ୍ରିସ୍ମସ୍ ଭାବେ ପାଳନ କରାଯାଇଥାଏ। କୁହାଯାଏ, ୩୩୬ ଖୀଷ୍ଟାବ୍ଦରେ ରୋମ୍ର ପ୍ରଥମ ଖ୍ରୀଷ୍ଟୀୟ ଶାସକ ଡିସେମ୍ବର ୨୫ ତାରିଖରେ ଯିଶୁଙ୍କ ଜନ୍ମଦିନ ପାଳନ କରିଥିଲେ ଏବଂ ଏହାର କିଛି ବର୍ଷପରେ ପୋପ୍ ଜୁଲିୟସ୍ ଡିସେମ୍ବର ୨୫ ତାରିଖରେ ଯିଶୁଙ୍କ ଜନ୍ମଦିନ ପାଳନ ପାଇଁ ବିଧିବିଦ୍ଧ ଭାବେ ଘୋଷଣା କରିଥିଲେ।
ବାଇବେଲ୍ର ‘ନିୟୁ ଟେଷ୍ଟାମେଣ୍ଟ୍’ ଅନୁସାରେ ବେଥ୍ଲେହେମ୍ଠାରେ ଯିଶୁଙ୍କ ଜନ୍ମ ବୃତ୍ତାନ୍ତ ବଡ଼ଦିନ ଉତ୍ସବର ମୂଳସୂତ୍ର। ସନ୍ଥ ଜୋସେଫ୍ ଓ ମାତା ମେରି (ମରିୟମ୍) ବେଥ୍ଲେହେମ୍ ସହରରେ ପହଞ୍ଚି ଜାଣିବାକୁ ପାଇଥିଲେ ଯେ ସେମାନଙ୍କ ରହିବା ପାଇଁ କୌଣସି ପାନ୍ଥଶାଳା ନାହିଁ। ତେଣୁ ବାଧ୍ୟ ହୋଇ ଏକ ମେଣ୍ଢାଶାଳରେ ମାତା ମେରିଙ୍କୁ ରହିବାକୁ ପଡ଼ିଥିଲା ଓ ସେଠାରେ ସେ ଯିଶୁଙ୍କୁ ଜନ୍ମ ଦେଇଥିଲେ। ମେଷପାଳକମାନେ ଏହି ଶୁଭ ସୂଚନା ସଭିଙ୍କୁ ଦେବା ପରେ ଏହି କଥା ପ୍ରଚାରିତ ହୋଇଥିଲା।
କ୍ରିସ୍ମସ୍ ପୂର୍ବ ସନ୍ଧ୍ୟାରେ ବଲ୍ଗା ହରିଣ ଟାଣୁଥିବା ସ୍ଲେଜ୍ଗାଡ଼ିରେ ସାରା ବିଶ୍ୱ ଭ୍ରମଣ କରନ୍ତି ଏବଂ ପ୍ରତ୍ୟେକ ପିଲାଙ୍କ ଘରଙ୍କୁ ଖେଳଣା ପହଞ୍ଚାନ୍ତି। ଆଜି ଆମେ ଯେଉଁ ସାଣ୍ଟାଙ୍କ ବିଷୟରେ ଶୁଣୁଛୁ, ତାହାର ଉଲ୍ଲେଖ ୧୮୨୨ ମସିହାରେ କ୍ଲେମେଣ୍ଟ୍ ସି. ମୁର୍ଙ୍କର ଏକ କବିତାରେ ରହିଛି। “ଏ ଭିଜିଟ୍ ଫ୍ରମ୍ ସେଣ୍ଟ୍ ନିକୋଲାସ୍” ଶୀର୍ଷକ ଏହି କବିତାଟି ‘ଟ୍ୱାଜ୍ ଦି ନାଇଟ୍ ବିଫୋର୍ କ୍ରିସ୍ମସ୍’ ନାମରେ ଅଧିକ ଜଣାଶୁଣା। ଦାନବୀର ସେଣ୍ଟ୍ ନିକୋଲାସ୍ଙ୍କୁ ସେ ସାଣ୍ଟା କ୍ଲଜ୍ ଭାବେ ବର୍ଣ୍ଣନା କରିଥିଲେ। ଏହାପରେ ୧୮୬୩ ମସିହାରେ ଥୋମାସ୍ ନାଷ୍ଟ୍ ନାମକ ଜଣେ ଆମେରିକୀୟ କାର୍ଟୁନିଷ୍ଟ୍ ସେ କବିତାକୁ ଆଧାର କରି ସାଣ୍ଟା କ୍ଲଜ୍ଙ୍କ ଚିତ୍ର ଆଙ୍କିବା ଆରମ୍ଭ କରିଥିଲେ। ସନ୍ଥ ନିକୋଲାସ୍ ଆଜି ନାହାନ୍ତି ସତ, କିନ୍ତୁ ତାଙ୍କ ଆଦର୍ଶ ଓ ବିଚାର ବଞ୍ଚିଛି। ସବୁଠି ବଡ଼ଦିନରେ ଅନେକ ସାଣ୍ଟା ସାଜି ଖୁସି ବାଣ୍ଟିବାକୁ ରାସ୍ତାକୁ ଓହ୍ଲାଉଛନ୍ତି। ଆଉ ଆମ ଜୀବନରେ ବିଭିନ୍ନ ସମୟରେ ଖୁସି ଭରି ଦେଉଥିବା ସାଣ୍ଟା ଆମ ବାପା, ମା’, ସ୍ବାମୀ, ସ୍ତ୍ରୀ, ବନ୍ଧୁ ବା ଯେ କେହି ବି ହୋଇପାରନ୍ତି। ଯିଏ ଆମ ଖୁସି ପାଇଁ ଜୀବନରେ ଅନେକ କିଛି ତ୍ୟାଗ କରିପାରନ୍ତି। ବଡ଼ଦିନର ‘ସାଣ୍ଟା’ ଆମକୁ ଅନ୍ୟକୁ ଖୁସି ବାଣ୍ଟିବା ଲାଗି ଅନୁପ୍ରେରିତ କରନ୍ତି।
ଇତିହାସ ଆଇନାରେ କ୍ରିସ୍ମସ୍ ଟ୍ରି
ବଡ଼ଦିନ ଆସିଲେ ଯେମିତି ସାଣ୍ଟା କ୍ଲଜ୍ ମନେପଡ଼ନ୍ତି, ଠିକ୍ ସେମିତି ସୁସଜ୍ଜିତ କ୍ରିସ୍ମସ୍ ଟ୍ରିର ଛବି ଆଖି ସାମ୍ନାରେ ନାଚିଯାଏ। ସାଧାରଣତଃ ପାଇନ୍ ବା ଫର୍ ଗଛ କିମ୍ବା ଚେରି ଗଛରେ କ୍ରିସ୍ମସ୍ ଟ୍ରି ପ୍ରସ୍ତୁତ ହୋଇଥାଏ। ତ୍ରିଭୂଜାକାର ଗଛ ଡାଳରେ ରଙ୍ଗିନ ବଲ୍, ଝିଲିମିଲି ଝାଲେରୀ, ଚକୋଲେଟ୍, ମିଷ୍ଟାନ୍ନ ଓ ତାରା ଖଞ୍ଜାଯାଇ ସଜ୍ଜିତ କରାଯାଏ। ଗଛର ଶୀର୍ଷଭାଗରେ ଥିବା ତାରା ଯିଶୁଙ୍କ ଜନ୍ମସ୍ଥାନ ବେଥେଲ୍ହାମ୍ରେ ଉଦିତ ତାରାର ପ୍ରତୀକ ବହନ କରିଥାଏ। ଇତିହାସ କହେ, ଏହି ପ୍ରଥା ଉତ୍ତର ୟୁରୋପର ଲିଭୋନିଆ ଅଞ୍ଚଳରୁ ଉଦ୍ଭୁତ। ମଧ୍ୟଯୁଗୀୟ ୟୁରୋପରେ ଲୋକେ ଯିଶୁଙ୍କ ଜନ୍ମଦିନରେ ଗଛ ଆଣି ଘର ସଜାଉଥିଲେ। ପରେ ଜର୍ମାନୀର ପ୍ରୋଟେଷ୍ଟାଣ୍ଟ୍ ଖ୍ରୀଷ୍ଟିୟାନ୍ମାନେ ଏହି ପ୍ରଥା ଅନୁସରଣକରି ଅନ୍ୟ ଦେଶରେ ପ୍ରସାର କରିଥିଲେ।
UAE Floods: ଅବିଶ୍ରାନ୍ତ ବର୍ଷା ପରେ ୟୁଏଇରେ ବନ୍ୟା ପରିସ୍ଥିତି: ବୁଡ଼ିଲା ରାସ୍ତା, ବିମାନ ବାତିଲ, ଜଳବନ୍ଦୀ ଜୀବନ…
୧୫୭୬ ମସିହାର ଏକ ପ୍ରସ୍ତର ଖୋଦିତ କାରୁକାର୍ଯ୍ୟରେ କ୍ରିସ୍ମସ୍ ଟ୍ରି ଥିବା କଥା ପ୍ରମାଣ ଦିଏ କି, ଷୋଡ଼ଶ ଶତାବ୍ଦୀରେ ଏହାର ପ୍ରଚଳନ ଥିଲା। ତତ୍କାଳୀନ ପ୍ରୋଟେଷ୍ଟାଣ୍ଟ୍ ଖ୍ରୀଷ୍ଟ ନେତା ମାର୍ଟିନ୍ ଲୁଥର୍ଙ୍କ ଦ୍ୱାରା ଏହି ପରମ୍ପରା ଆରମ୍ଭ ହୋଇଥିଲା ବୋଲି କେହି କେହି ବିଶ୍ୱାସ କରନ୍ତି। ସେ ପ୍ରଥମେ ଯିଶୁଙ୍କ ଜନ୍ମଦିନରେ ଏକ ଚିରହରିତ ଗଛରେ ମହମବତି ରଖି ସଜାଇଥିଲେ। ଊନବିଂଶ ଶତାବ୍ଦୀରେ ବାଲ୍ଟିକ୍ ଦେଶମାନେ ଏହି ପ୍ରଥା ଗ୍ରହଣ କରିଥିଲେ। ପ୍ରାଚୀନ କାଳରେ କ୍ରିସ୍ମସ୍ ଟ୍ରିକୁ କାଗଜଫୁଲ, ସେଓ, ୱେଫର୍ ଓ ମିଷ୍ଟାନ୍ନ ଦ୍ୱାରା ସଜାଯାଉଥିଲା। ଅଷ୍ଟଦଶ ଶତାବ୍ଦୀରେ ବିଦ୍ୟୁତ୍ ଆଲୋକମାଳାର ପ୍ରୟୋଗ କ୍ରିସ୍ମସ୍ ଟ୍ରିକୁ ଅଧିକ ଆକର୍ଷଣୀୟ କରିଥିଲା। ଏବେ ରିବନ୍, ଚକୋଲେଟ୍, ଜିଞ୍ଜର୍ ବ୍ରେଡ଼୍ ଇତ୍ୟାଦି ଦ୍ୱାରା ଭିନ୍ନ ଭିନ୍ନ ଶୈଳୀରେ ଏହାକୁ ସଜାଯାଉଛି। ଦେଶ ଅନୁଯାୟୀ କ୍ରିସ୍ମସ୍ ଟ୍ରିକୁ କେବେ ଲଗାଯିବ ଓ କେବେ ବିସର୍ଜନ କରାଯିବ, ତାହା ସ୍ଥାନୀୟ ପରମ୍ପରା ଅନୁସାରେ ନିର୍ଦ୍ଧାରିତ ହୋଇଥାଏ। କେଉଁଠି ଯିଶୁଙ୍କ ଆଗମନ ଆରମ୍ଭରେ ଏହା ଲଗାଯାଏ ତ ଆଉ କେଉଁଠି ବଡ଼ଦିନ ପରେ ଦ୍ୱିତୀୟ ସପ୍ତାହରେ ଏହାକୁ ଅପସାରିତ କରାଯାଏ। କେତେକ ଏହାକୁ ‘ୟୁଲ୍ ଟ୍ରି’ ଭାବେ ଅଭିହିତ କରନ୍ତି, ଯାହାର ଉଲ୍ଲେଖ ପୁରାତନ ଲୋକକଥାରେ ମିଳେ।
ଅଜା ଓ ଆଈ େମା ପାଇଁ ସାଣ୍ଟା କ୍ଲଜ୍
ଛୋଟବେଳେ ଯେତେବେଳେ ମୋ ଅଜାଆଈଙ୍କ ପାଖରେ ରହୁଥିଲି ସେତେବେଳେ କ୍ରିସ୍ମସ୍ ପାଳନ କରୁଥିଲି। ଏହି ଦିନଗୁଡ଼ିକୁ କେବେ ଭୁଲି ପାରିବିନି। ଆମ ଘରେ କ୍ରିସ୍ମସ୍ ଟ୍ରି ଗୁମ୍ପା ଓ ଗୋଶାଳା ତିଆରି କରାଯାଉଥିଲା। ଯିଶୁ ଓ ମଦର୍ ମେରିଙ୍କ ମୂର୍ତ୍ତି ରଖାଯାଉଥିଲା। ଯିଶୁଙ୍କ ଜନ୍ମ ସମୟରେ ଯେଉଁ ପଶୁମାନେ ଆସିଥିଲେ ସେମାନଙ୍କର ପ୍ରତିକୃତିକୁ ମଧ୍ୟ ଆମେ ଆଣି ରଖୁଥିଲୁ। ୨୪ ତାରିଖ ମଧ୍ୟରାତ୍ରିରେ ଆମେ ଚର୍ଚ ଯାଉଥିଲୁ। ସେଠାରୁ ଫେରିଲାପରେ ସେହି ଟ୍ରିରେ କ’ଣ ଥିବ ବୋଲି ମନରେ ଉତ୍ସାହ ହେଉଥିଲା। ଛୋଟ ଥିବାବେଳେ ଆମକୁ ବୁଝାଯାଇଥିଲା କି ଘରକୁ ଫେରିବାପରେ ସାଣ୍ଟା ତୁମମାନଙ୍କ ପାଇଁ ଉପହାର ରଖିଥିବେ। ଅଜା ଓ ଆଈ ଆମକୁ ଖୁସି କରିବା ପାଇଁ ମେଞ୍ଚେ ଉପହାର ରଖୁଥିଲେ। କାହାକୁ ବହି, କପ୍ ସହିତ ସୁନ୍ଦର ଲଫାପାରେ ୧୦୦ ଟଙ୍କିଆ ନୋଟ୍ ଦିଆଯାଉଥିଲା। ଆମର ଖୁସି ଦେଖି ସେମାନେ ବି ଖୁସି ହେଉଥିଲେ। କହିବାକୁ ଗଲେ ମୋ ଅଜା ଓ ଆଈ ଥିଲେ ଆମ ପାଇଁ ସାଣ୍ଟା କ୍ଲଜ୍। ଅଜା କଲିକତା ଯାଇ ବଡ଼ କେକ୍ ନେଇ ଆସନ୍ତି। ଦିନସାରା ଅତିଥିମାନଙ୍କର ଚର୍ଚ୍ଚା ଚାଲିଥାଏ। ଏହା ଆମ ପାଇଁ ବଡ଼ଦିନ।
-ପମି ମିଶ୍ର, ଗାୟିକା
ସାଣ୍ଟା ଅପେକ୍ଷା ଯିଶୁଙ୍କ ଉଦ୍ଦେଶ୍ୟକୁ ବୁଝିବା
ବଡ଼ଦିନକୁ ମଁୁ ଖୁବ୍ ଆନନ୍ଦ ସହକାରେ ପାଳନ କରିଥାଏ, କାରଣ ମଁୁ ଈଶ୍ବରଙ୍କୁ ବିଶ୍ବାସ କରିଥାଏ। ଯିଶୁ ହେଉଛନ୍ତି ସୃଷ୍ଟିକର୍ତ୍ତା। ଯେତେବେଳେ ପାପର ଭାର ବଢ଼ିଗଲା, ସେତେବେଳେ ଏମିତି ଜଣେ ବ୍ୟକ୍ତିଙ୍କ ଆବଶ୍ୟକତା ଥିଲା ଯିଏ ପବିତ୍ର ଥିବେ, ପାପ କରି ନଥିବେ। ସେଥିପାଇଁ ଈଶ୍ବରଙ୍କ ପୁତ୍ର ନିଜେ ମାନବ ରୂପ ଧାରଣକରି ଜନ୍ମ ନେଲେ। ତାଙ୍କ ଜନ୍ମଦିନକୁ ଆମେ ବଡ଼ଦିନ ରୂପେ ପାଳନ କରୁଛୁ। ଯିଶୁଖ୍ରୀଷ୍ଟଙ୍କ ଜନ୍ମ ସତ, ଜନ୍ମ ହେବାର ଉଦ୍ଦେଶ୍ୟ ସତ। ମାନବ ସମାଜର ପାପକୁ ବହନ କରି ସେ କ୍ରୁଶବିଦ୍ଧ ହେଲେ। ଆଜିକାଲି ସାଣ୍ଟାକୁ ନେଇ ବେଶ୍ ଚର୍ଚ୍ଚା। ସାଣ୍ଟା କ୍ଲଜ୍ ଜଣେ ଫାଦର୍ ଥିଲେ, ଯିଏ କ୍ରିସ୍ମସ୍ ସମୟେର ଗରିବ ପିଲାମାନଙ୍କୁ ଉପହାର ଦେଉଥିେଲ। ଏହାପରେ ଏହାର ବ୍ୟାପକ ପ୍ରଚାର ଆରମ୍ଭ ହୋଇଗଲା। ଫଳରେ ବଜାର ସାରା ସେହିଦିନ ସାଣ୍ଟା ପୋଷାକ ପିନ୍ଧି ବୁଲିବା, ପିଲାଙ୍କୁ ଛୋଟ ଛୋଟ ଉପହାର ଦେବା ଆଦି ଦେଖାଯାଉଛି। ଏହା ଦୁଃଖଦ ବିଷୟ ଯେ ଏହି ଦିନକୁ ଯିଶୁଙ୍କ ଜନ୍ମଦିନ ଓ ସେହି ଦିନର ମହତ୍ତ୍ବ ବୁଝିବା ଅପେକ୍ଷା ସାଣ୍ଟା କ୍ଲଜ୍ଙ୍କ ଉପହାର ବାଣ୍ଟିବା ଓ ତା’ଙ୍କ ବେଶପୋଷାକକୁ ନେଇ ଖୁବ୍ ଚର୍ଚ୍ଚା ରହୁଛି। ତାଙ୍କର ଗୋଟିଏ ଲକ୍ଷ୍ୟ ଥିଲା ପ୍ରେମ ଓ କ୍ଷମା। ଏହାଦ୍ବାରା ସମସ୍ତ ସମସ୍ୟା ସମାଧାନ ହୋଇପାରିବ। ତେଣୁ ମଁୁ ଏହି ପଥକୁ ହିଁ ଅନୁସରଣ କରିବାକୁ ଖୁବ୍ ଭଲପାଏ।
-ସୋମେଶ ମହାନ୍ତି, ଅଭିନେତା
ସାଣ୍ଟା କ୍ଲଜ୍ ଉପରେ ମଁୁ ବିଶ୍ବାସ କରେନି
ଯିଶୁଖ୍ରୀଷ୍ଟଙ୍କୁ ମନେ ପକାଇବାର ଦିନ ହେଉଛି ବଡ଼ଦିନ। ଯାହାଙ୍କ ଜନ୍ମ ଉତ୍ସବ ଆମେ ପାଳନ କରୁଛେ ତାଙ୍କୁ କ୍ରୁଶବିଦ୍ଧ କରି ମାରି ଦିଆଯାଇଛି। ତାଙ୍କ ପାଇଁ ମତେ ଖୁବ୍ ଦୁଃଖ ଲାଗେ। ସାଣ୍ଟା କ୍ଲଜ୍ ଉପରେ ମଁୁ ବିଶ୍ବାସ କରେନି। ମଁୁ କେବଳ ବାଇବେଲ୍ରେ ଥିବା କଥାକୁ ହିଁ ବିଶ୍ବାସ କରେ। ଏହାଛଡ଼ା କୌଣସି ଅନ୍ଧବିଶ୍ବାସକୁ ମୋର ବିଶ୍ବାସ ନାହିଁ। ସମସ୍ତଙ୍କୁ ମଁୁ କେକ୍ ବାଣ୍ଟେ ଓ ପ୍ରାର୍ଥନା କରିଥାଏ।
-ସୁଶାନ୍ତ ମଣି, ସିନେ-ନିର୍ଦ୍ଦେଶକ
ଓଡ଼ିଶାରେ ସାଣ୍ଟା ପରମ୍ପରା ନାହିଁ
ଯିଶୁଙ୍କ ଜନ୍ମକୁ ସ୍ମରଣକରି ବଡ଼ଦିନ ପାଳନ କରାଯାଏ। ଯିଶୁ କେବେ ଜନ୍ମ ଗ୍ରହଣ କରିଥିଲେ ତାହାର ସଠିକ୍ ସୂଚନା ନାହିଁ। ଓଡ଼ିଶାରେ ସାଣ୍ଟା ପରମ୍ପରା ନାହିଁ। ପାଶ୍ଚାତ୍ୟ ଦେଶରେ ଏ ପରମ୍ପରା କିଛି ଲୋକ ଧୁମ୍ଧାମ୍ରେ ପାଳନ କରୁଛନ୍ତି। ସେଣ୍ଟ୍ ନିେକାଲାସ୍ ବୋଲି ଜଣେ ଫାଦର୍ ନାଲି ଟୋପି, େଡ୍ରସ୍ ଓ ଧଳା ଦାଢ଼ି ରଖି ଉପହାର ଦେଇ ଗରିବ ପିଲାଙ୍କ ମୁହଁରେ ହସ ଫୁଟାଉଥିଲେ। ସେଥିପାଇଁ ପ୍ରତିବର୍ଷ ପିଲାମାନେ ଏହି ଦିନକୁ ଅପେକ୍ଷା କରିଥାଆନ୍ତି କିଛି ଉପହାର ଆଶାରେ। କିନ୍ତୁ ବାଇବେଲ୍ରେ ଏହାର କୌଣସି ଲେଖା ନାହିଁ। ଏହା ଏକ ମନୁଷ୍ୟ ତିଆରି ଚରିତ୍ର। ତେଣୁ ସାଣ୍ଟାକୁ ବିଶ୍ବାସ ନ କରି ଈଶ୍ବର ବିଶ୍ବାସୀ ହେବା ଉଚିତ। ୭ ତାରିଖରୁ ଆମ ପର୍ବ ଆରମ୍ଭ ହୋଇଯାଇଛି। ପ୍ରତ୍ୟେକ ଦିନ କିଛି କିଛି କାର୍ଯ୍ୟକ୍ରମ ରଖାଯାଇଛି। ଗୀତ, ଉପାସନା, କେକ୍ କଟା ସହିତ ଭଗବାନଙ୍କୁ ବୁଝିବା ଓ ତାଙ୍କୁ ସ୍ମରଣ କରିବା ଉଦ୍ଦେଶ୍ୟରେ କ୍ରିସ୍ମସ୍ ପାଳନ କରିଥାଉ।
-ଆୟୁବ ଛିଞ୍ଚାଣି, ପାଷ୍ଟର୍,
ଭୁବେନଶ୍ବର ୟୁନିୟନ୍ ଚର୍ଚ୍ଚ
ପିଲାଙ୍କୁ ଖୁସି ବାଣ୍ଟନ୍ତି ସାଣ୍ଟା
ଇତିହାସର କେତେକ ଜାଗାରେ ଲେଖାଅଛି ଯେ ରୋମ୍ ସାମ୍ରାଜ୍ୟରେ ଆଗରୁ ଅନ୍ୟ ଦେବଦେବୀଙ୍କୁ ପୂଜା କରାଯାଉଥିଲା। ପ୍ରିୟ ଦେବତା ଆପୋଲୋଙ୍କୁ ପୂଜା କରାଯାଉଥିଲା ଡିସେମ୍ବର ୨୫ ତାରିଖରେ। ପରେ ପରେ ଖ୍ରୀଷ୍ଟଧର୍ମ ପ୍ରଚାର ପରେ ଯିଶୁଖ୍ରୀଷ୍ଟଙ୍କ ଜନ୍ମଦିନ ଏହି ତାରିଖରେ ପାଳନ ହେଲା। ସାଣ୍ଟା ହେଉଛନ୍ତି ଖୁସିର ମାଧ୍ୟମ। ପାରମ୍ପରିକ କଥାରେ ଏହାର ଯୁକ୍ତି ନଥିଲେ ବି ପିଲାଙ୍କ ପାଇଁ ସାଣ୍ଟା ଶବ୍ଦଟି ଖୁସି ଆଣିଥାଏ। ବିଦ୍ୟାଳୟଗୁଡ଼ିକରେ ବଡ଼ଦିନରେ ଆମେ ଜଣଙ୍କୁ ସାଣ୍ଟା କରି ସ୍କୁଲ୍କୁ ଆଣିଥାଉ। କାରଣ ସେମାନଙ୍କ ମନରେ ଥାଏ ସାଣ୍ଟା ବହୁତ ଉପହାର ନେଇ ଆସିବେ। ଆଉ ଗଲାବେଳେ ପିଲାଙ୍କୁ ଭଲ ବାର୍ତ୍ତାଟିଏ ଦିଅନ୍ତି କି, ସମସ୍ତେ ଭଲ ମଣିଷ ହେବ, ଭୁଲ୍ କାମ କରିବ ନାହିଁ... ତେବେ ଯାଇ ମଁୁ ପୁଣି ଆରବର୍ଷକୁ ଆଉ ଉପହାର ନେଇ ଆସିବି। ଏହି କଥା କହି ପିଲାଙ୍କ ଭିତରେ ସଚେତନତା ଓ ଦାୟିତ୍ବବୋଧକୁ ବଢ଼ାଯାଇଥାଏ।
-ସ୍ମରଣ କୁମାର ନାୟକ, ସିଇଓ, ସେଣ୍ଟ୍ ଜାଭିୟର୍ ଇଣ୍ଟର୍ନ୍ୟାସ୍ନାଲ୍ ସ୍କୁଲ୍, ଜଳେଶ୍ବର
ବଡ଼ଦିନ ଆମ ପାଇଁ ଉତ୍ସାହର ଦିନ
ନାଲିଟୋପି, ଡ୍ରେସ୍ ଓ ଦାଢ଼ି ବାବାକୁ ସମସ୍ତେ ସାଣ୍ଟା କ୍ଲଜ୍ ବୋଲି ଭାବିଥାନ୍ତି, କିନ୍ତୁ ଆମର ଇଟାଲିରେ ଆମେ ସେଣ୍ଟ୍ ଲୁସିଆଙ୍କୁ ମାନୁ। ଛୋଟବେଳେ ବଡ଼ଦିନ ଆସିଗଲେ ଆମ ମନରେ ଉତ୍ସାହ ଭରିଯାଏ। କାରଣ ଆମର ବିଶ୍ବାସ ଥିଲା ଯେ ଖ୍ରୀଷ୍ଟମାସ୍ ପୂର୍ବ ସଂଧ୍ୟାରେ ଆମ ଘରକୁ ସେଣ୍ଟ୍ ଲୁସି ତାଙ୍କ ଗଧ ସହିତ ଅାସିବେ। ତେଣୁ ତାଙ୍କ ଗଧ ପାଇଁ ଆମେ କର୍ଣ୍ଣଫ୍ଲାୱାର୍ ଓ ପାଣି ରଖିଥାଉ। ତାକୁ ପିଇକି ଖୁସି ହୋଇ ଆମ ପାଇଁ ସେ ଉପହାର ରଖିଯିବେ। ସେହି ଉତ୍ସାହ ସହିତ ଆମେ ଗୋଟେ କୋଠରିରେ ଏହିସବୁ ଜିନିଷ ରଖିଦେଇ ରୁମ୍ଟିକୁ ବନ୍ଦ କରି ଜଲଦି ଶୋଇପଡ଼ୁ। ଆଉ ତା’ପର ଦିନ ସକାଳୁ ଉଠି ଦେଖୁ କି ସେଠାରେ ଉପହାର ରଖାଯାଇଛି। କିନ୍ତୁ ଖ୍ରୀଷ୍ଟମାସ୍ ଟ୍ରିର ଏଥିରେ କିଛି ଭୂମିକା ନାହିଁ। ସେଥିପାଇଁ ବର୍ଷରେ ଥରେ ଏହି ଦିନ ଆସିଗଲେ ଆମ ସମସ୍ତଙ୍କ ପାଇଁ ଖୁସି ଆଣିଦିଏ। ଓଡ଼ିଶାରେ ଏହାକୁ ପାଳନ କରିବା କମିଯାଇଛି।
-ଇଲିଆନା ସିତାରିଷ୍ଟ୍, ବିଶିଷ୍ଟ ନୃତ୍ୟଶିଳ୍ପୀ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/12/20/hfshhfsbxvbvb-2025-12-20-01-35-27.jpg)