International Mens Day Photograph: (sambad.in)
ଭୁବନେଶ୍ବର: ପୁରୁଷ ବି ଗୋଟେ ମଣିଷ ମ... କିଏ କହିଲା ସିଏ ପଥର ବୋଲି... ପୁରୁଷ ଭିତରେ ବି ଗୋଟେ ନାରୀ ଲୁଚିରହିଥାଏ । ନହେଲେ ସିଏ କଣ ପାଇଁ କାନ୍ଦେ... ନାରୀ ଲୁହର ପ୍ରତୀକ ନୁହେଁ ପୁରୁଷ ବି ପଥର ନୁହେଁ । ନାରୀ ଆଉ ପୁରୁଷ ଖାଲି ଲିଙ୍ଗ ଅନୁସାରେ ପରସ୍ପର ଠୁ ଅଲଗା । ନଚେତ ସେମାନେ ମଣିଷ ଜାତିର । ମନ, ହୃଦୟ, ଶରୀର ଧାରୀ ଭଗବାନଙ୍କ ସୁନ୍ଦର ସୃଷ୍ଟି । ନିଜକୁ ପରସ୍ତ ପରସ୍ତ କରି ବାଣ୍ଟି ଦେଇଛି ବୋଲି ତ ସିଏ ପୁରୁଷର ପରିଚୟ ପାଇଛି... ନିଜ ଛାତିକୁ ପଥର ପରି ଗଢିଛି ବୋଲି ତ ସମାଜ ତାକୁ ପୁରୁଷ ବୋଲି ଜାଣିଛି... ପୁରୁଷ ଗୋଟେ ବିଶ୍ବାସ, ଭରସା । ପୁରୁଷ ଗୋଟେ ପ୍ରାରମ୍ଭ, ପୁରୁଷ ଏକ ପ୍ରତିଶ୍ରୁତି, ପୁରୁଷ ପ୍ରତିଶୋଧ ନୁହେଁ, ପ୍ରତିବଦ୍ଧତାର ପ୍ରତୀକ...ପୁରୁଷ ଦାନ ଓ ଦାୟିତ୍ୱବୋଧତାର ପ୍ରତିଫଳନ । ପୁରୁଷ ପରିଶ୍ରମ, ପ୍ରତିଦାନ, ପ୍ରତିରୋଧର ପ୍ରତିଛବି । ପୁରୁଷ ବି ପ୍ରାପ୍ତି, ପୁରୁଷ ସ୍ବୀକୃତି, ପୁରୁଷ ହିଁ ଶକ୍ତି । ପୁରୁଷ ପୁଣି କାହାର ସାହସ ଓ ଦୃଢୋକ୍ତି...
ପୁରୁଷ ବି କାନ୍ଦି ପାରେ, ତା'କୁ ବି କଷ୍ଟ ହୁଏ, ଛାତି ତଳେ ତା'ର ଗୋଟେ ନିଆଁ ଲୁଚି ରହେ। ସମାଜର ଭାର କାନ୍ଧାଏ, ପୁରୁଷ ମାଟିର ମଣିଷ, ପରିବାରର ସାହସ । ଭାଙ୍ଗିବା ପରେ ଯୋଡ଼ିବାକୁ ହେବ ତା'କୁ ଆହୁରି ହଜାରେ ଥର । ପରିବାର ପାଇଁ ନୀରବରେ ସବୁ ଦାୟିତ୍ୱ ବହନ କରୁଥିବା ବାପା, ଭାଇ ଓ ପୁଅମାନେ ଜଣେ ଜଣେ ପୁରୁଷ । କମ୍ ରୋଜଗାର କରୁ କି ବହୁତ- ପୁରୁଷ ସବୁବେଳେ ପୁରୁଷ ।
ପିଲାଟି ଦିନରୁ ଶିଖାଇ ଦିଆଯାଏ... ପୁଅ ପିଲାଟା ପରା କାନ୍ଦୁଛୁ କ 'ଣ... ଛି... ପୁଅ ପିଲାମାନେ କାନ୍ଦନ୍ତିନି । ବଡ଼ ହେଲେ ଆମକୁ ସମ୍ଭାଳିବୁ... ବାସ୍ ସେହି ଦିନଠାରୁ ହିଁ ଦାୟିତ୍ୱବାନ ହୋଇଯାଆନ୍ତି ପୁରୁଷମାନେ । ବିନା କୌଣସି ଅଭିଯୋଗରେ ଦାୟିତ୍ୱର ବୋଝ କାନ୍ଧେଇ ନିଏ ପୁରୁଷଟିଏ । ସେ ଜଣେ ବାପା.... ଜଣେ ପୁଅ... ଜଣେ ଭାଇ ଓ ଜଣେ ସ୍ୱାମୀ ହୋଇ ସବୁ ସହିଯାଏ । ବାପାଟିଏ ହୋଇଥିଲେ ଭୋକରେ ରହି ନିଜ ପିଲାଙ୍କ ଖାଇବା ଯୋଗାଡ଼ କରେ... ଭାଇ ହେଲେ ଭଉଣୀକୁ ସୁରକ୍ଷା ଦିଏ... ପୁଅ ହେଲେ ବୟସ ବଢ଼ିବା ସହ ବାପାମାଆଙ୍କ ସାହାର ପାଲଟି ଯାଏ ... ଆଉ ସ୍ୱାମୀ ହୋଇଥିଲେ ସଂଘର୍ଷ ଭିତରେ ସ୍ତ୍ରୀ ପରିବାର କଥା ଭାବି ଭାବି ଦିନ କାଟିଦିଏ... ହଁ ସିଏ ପୁରୁଷଟିଏ...
ଏ ତମାମ ଦାୟିତ୍ୱ ଭିତରେ ତା କଥା କିଏ କେବେ ବୁଝିଛି କି...? କେବେ ତା ଚେହେରା ଭିତରେ ଲୁଚି ରହିଥିବା ଥକାପଣକୁ କିଏ ଦେଖିଛି କି ? କିଏ କେବେ ତାକୁ ପଚାରିଛି କି ସେ କେମିତି ଅଛି ? ଗୁମ୍ସୁମ୍ ରହୁଥିବା ପୁରୁଷର ବେଦନାକୁ କେହି କେବେ ବୁଝିଛି କି ?ପ୍ରତିଦିନ ନିଜକୁ କେତେ ଥର ଭାଙ୍ଗି କେତେ ଥରେ ଗଢ଼େ ହିସାବ ନାହିଁ । କେହି ମନେ ରଖିଛନ୍ତି ନାହିଁ ଯେ... ସେ ବି ମଣିଷଟିଏ... ସେ ସ୍ନେହ ଦିଏ.... ପ୍ରତିବଦଳରେ ସେ ବି ଭଲ ପାଇବା ବି ଖୋଜିଥାଏ । ତାର ବି କାନ୍ଦିବାର ଅଧିକାର ଅଛି... ଭାବନାର ସ୍ୱାଧୀନତା ତାର ବି ଅଛି । ତା କଥା ବି ଶୁଣିବା ସମାଜର ଦାୟିତ୍ୱ । କାରଣ ସେ ବି ବେଳେବେଳେ ଦୁର୍ବଳ ହୋଇଯାଏ । ତାକୁ ସାହାର ଦରକାର ହୁଏ... ତାକୁ ଭୟ ଲାଗେ... ତା ଆଖିରୁ ବି ଲୁହ ଝରେ... ତା ମନକୁ ବି କଷ୍ଟ ହୁଏ... ଦାୟିତ୍ୱ ବୋଝ ଭିତରେ ପୁରୁଷର ଖୁସି କେବେ ମଉଳି ନଯାଉ । ଆସନ୍ତୁ ନାରୀକୁ, ପରିବାରକୁ ପୁରୁଷ ଯେମିତି ବୁଝୁଛି, ଆମେ ତାକୁ ସେମିତି ବୁଝିବା...
ଆହୁରି ପଢନ୍ତୁ- Superbug Explosion: ଭାରତରେ ଆଣ୍ଟିବାୟୋଟିକ୍ର ଅତ୍ୟଧିକ ବ୍ୟବହାର ସୃଷ୍ଟି କରୁଛି ବିପଦ
ବିଶ୍ଵ ପୁରୁଷ ଦିବସରେ ଶୁଭେଚ୍ଛା
ସୋସିଆଲ ମିଡିଆରେ ଭାଇରାଲ ହେଉଥିବା କିଛି ପୋଷ୍ଟ...
ଯୁବ କବି ଶ୍ରୀମା ଶତପଥୀ ଲେଖିଥିବା କବିତା... ପୁରୁଷ-ମଣିଷ
ପୁରୁଷ-ମଣିଷ
----------------
ସମାଜର ଗ୍ରହଣଶୀଳତା ପାଇଁ
ନିଜକୁ ତିଳ ତିଳ କରି ମାରିଦେଇ
ମଣିଷରୁ କେବଳ
ପୁରୁଷ ପାଲଟି ଯାଇଥିବା
ଅନେକେ ଆଜି ବି କାନ୍ଦନ୍ତି ଲୁଚିଲୁଚି
ତକିଆ ଜାକି ଛାତିରେ ।
ଭୟ କରନ୍ତି ଆଇନାକୁ
ଭୟ କରନ୍ତି ଦୁନିଆକୁ
ସ୍ବପ୍ନକୁ ଜଳାଞ୍ଜଳି ଦେଇ
ଚାଲୁଥାନ୍ତି ଅମଡ଼ା ବାଟ
ଅନ୍ୟମାନଙ୍କ ଇଚ୍ଛାରେ
ଜଞ୍ଜାଳକୁ ଜୁଆଳି କରି
ବଳଦ ଭଳି ହଳ ବୁଲାଉଥାନ୍ତି
ନିଜ ଜୀବନ ଜମିରେ
ଥରୁଥିବା ହାତ ପାଦରେ
ନେଉଥାନ୍ତି ନିଷ୍ପତ୍ତି ।
ଗାଡ଼ିର ଏକ୍ସଲେଟେର ମୋଡ଼ିଲା ଭଳି
ଜୀବନର ମୋଡ଼ରେ
ସେମାନେ ଏକୁଟିଆ
ବୁଲେଇ ଜାଣନ୍ତିନି ରାସ୍ତା
ଆଜି ବି ଯାହାର
ସରଳତାକୁ କୁହାଯାଏ ଶସ୍ତା ।
ସଭିଏଁ ଭାବନ୍ତି
ପୁରୁଷ ଯିଏ ସଦା ହସହସ
ହେଲେ ଆବେଗ ନଥିଲେ ସେ କି ମଣିଷ?
କାହିଁକି ପୁରୁଷ କରିବା ଦୌଡ଼ରେ
ସମାଜ ହତ୍ୟା କରୁଥାଏ
ପୁରୁଷ ଭିତରର ମଣିଷ ?
ଆହୁରି ପଢନ୍ତୁ- Important Dietary Habits: ବୟସ୍କମାନଙ୍କ ପାଇଁ ଜରୁରୀ ଖାଦ୍ୟାଭାସ
Follow Us