Delhi RedFort Blast and Mumbai Attack: ୨୬/୧୧ ପରେ ୧୦/୧୧: ଭାରତ ପାଇଁ କଳାଦିନ, ଦେଶର ଛାତିରେ ଦରଜର ଦୁଇଟି କ୍ଷତଚିହ୍ନ...

ଭାରତ ଏଯାଏଁ ଭୁଲିପାରିନି ମୁମ୍ବାଇ ଆକ୍ରମଣର ସେ ଛାତିଥରା ଘଟଣା । ୨୬/୧୧/୨୦୦୮ ପରେ ୧୦/୧୧/୨୦୨୫- ଦିଲ୍ଲୀ ବିସ୍ଫୋରଣ ପୂରା ଦେଶରେ ଆତଙ୍କ ଖେଳାଇ ଦେଇଥିବା ବେଳେ ଦୁଇଟି ତାରିଖ ଦେଶ ଛାତିରେ ଦାଗ ହୋଇଗଲା...

Delhi Blast

Delhi Blast Photograph: (sambad.in)

ନୂଆଦିଲ୍ଲୀ: ଭାରତ ଏଯାଏଁ ଭୁଲିପାରିନି ମୁମ୍ବାଇ ଆକ୍ରମଣର ସେ ଛାତିଥରା ଘଟଣା । ହୋଟେଲ ତାଜରେ ଆତଙ୍କୀଙ୍କ ନରସଂହାର କଥା ଏଯାଏଁ ଭୁଲିନି ଭାରତ । ଭାରତ ପାଇଁ କଳା ଦିନ ପାଲଟିଥିବା ସେହି ୨୬/୧୧ ମୁମ୍ବାଇ ଆକ୍ରମଣ ଘଟଣାକୁ ଯଦିଓ ଆଉ ୧୬ ଦିନ ପରେ ୧୭ ବର୍ଷ ପୂରିବ କିନ୍ତୁ ତା ପୂର୍ବରୁ ଦିଲ୍ଲୀରେ ଭୟଙ୍କର ବିସ୍ଫୋରଣ ଭାତର ଛାତିରେ ପୁଣିଥରେ ଦାଗ ଦେଇଛି । ଆଉ ଏକ ତାରିଖ କଳାଦିନ ପାଲଟିଯାଇଛି । ୨୦୦୮ରେ ୨୬/୧୧ ଆଉ ୨୦୨୫ରେ ୧୦/୧୧ । ଏହି ୧୭ ବର୍ଷ ଭିତରେ ଦେଶର ଦୁଇ ବଡ଼ ବଡ଼ ସହରରେ ଏଭଳି ଘଟଣା ସାରା ଭାରତକୁ ସ୍ତବ୍ଧ କରିଦେଇଥିବା ବେଳେ ନଭେମ୍ବରକୁ ନେଇ ଦୁଇ ତାରିଖ ଦେଶର ଛାତିରେ ଦରଜ ହୋଇ ରହିବ ।

ଦାଗ ଦେଇଗଲା- ୧୦/୧୧/୨୦୨୫

ତେବେ ଗତକାଲି ପ୍ରଚଣ୍ଡ ବିସ୍ଫୋରଣରେ ଥରି ଉଠିଥିଲା ଦିଲ୍ଲୀ । ଐତିହାସିକ ଲାଲକିଲ୍ଲା ନିକଟରେ ଏକ କାର୍‌ରେ ଅତ୍ୟନ୍ତ ଶକ୍ତିଶାଳୀ ବିସ୍ଫୋରଣରେ ଏଯାଏଁ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୫ ଜଣ ଆହତ ହୋଇଛନ୍ତି। ଏହି ବିସ୍ଫୋରଣ ସନ୍ଧ୍ୟା ପ୍ରାୟ ୬:୫୨ ସମୟରେ ଲାଲକିଲ୍ଲା ମେଟ୍ରୋ ଷ୍ଟେସନର ଗେଟ୍ ନମ୍ବର ୧ ନିକଟରେ ଘଟିଥିଲା। ଏହା ଚାନ୍ଦନୀଚୌକ ଅଞ୍ଚଳରେ ଭୀଷଣ ଆତଙ୍କ ସୃଷ୍ଟି କରିଥିବା ବେଳେ ନିଆଁ ଓ ପ୍ରବଳ ଧୂଆଁ ଭିତରେ ପର୍ଯ୍ୟଟକ, ଯାତ୍ରୀ ଓ ସ୍ଥାନୀୟ ଲୋକେ ପ୍ରାଣ ବିକଳରେ ଦୌଡ଼ୁଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା। ପ୍ରତ୍ୟକ୍ଷଦର୍ଶୀମାନେ ଏହାକୁ ଅତ୍ୟନ୍ତ ଆତଙ୍କଜନକ ଦୃଶ୍ୟ ବୋଲି ବର୍ଣ୍ଣନା କରିଛନ୍ତି। ବିସ୍ଫୋଣରେ ଅନେକ ଯାନବାହନ ଓ  ସ୍ଥାନୀୟ ବ୍ୟବସାୟିକ ପ୍ରତିଷ୍ଠାନ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। 

ଦାଗ ଦେଇଥିଲା- ୨୬/୧୧/୨୦୦୮

ସେପଟେ ସେହି ନଭେମ୍ବର ମାସରେ ୧୭ ବର୍ଷ ତଳେ ଦୋହଯାଇଥିଲା ଦେଶ । ମୁମ୍ବାଇରେ ବଡ଼ ଆକ୍ରମଣ କରିଥିଲେ ଆତଙ୍କବାଦୀ । ୨୦୦୮ ମସିହା ନଭେମ୍ବର ୨୬ ତାରିଖ । ସ୍ଥାନ – ମାୟାନଗରୀ ମୁମ୍ବାଇ । ଆତଙ୍କୀ ଆକ୍ରମଣର ଏ ଏମିତି ଏକ ଦିନ ଥିଲା ଯାହାକୁ କେବେ ଭୁଲି ପାରିବନି ଭାରତ । ଚାରିଆଡେ ଆତଙ୍କର ଭୟ ଆଉ ଭୂଇଁରେ ମରି ପଡିଥିଲା ଲୋକଙ୍କ ମୃତଦେହ । ଆତଙ୍କୀଙ୍କ ହାତରେ ଏକେ-୪୭ର ଗର୍ଜନ ସହ ୬୦ ଘଣ୍ଟା ପାଇଁ ମୁମ୍ବାଇରେ ଚାଲିଥିଲା ଛାତିଥରା ସୈତାନଙ୍କ ଆତଙ୍କରାଜ । ୧୭ ବର୍ଷ କଣ ଶହେ ବର୍ଷ ବିତିଗଲେ ବି ସେହି ଚିତ୍ରକୁ ଭୁଲିପାରିବେନି କେହି ଭୁଲିପାରିବେନି ବି ଭାରତୀୟ । ତାଜ ହୋଟେଲରୁ ବାହାରୁଥିବା ଧୂଆଁ ହିଁ ସେଦିନ କହୁଥିଲା ୨୬/୧୧ ଆକ୍ରମଣ କେତେ ଭୟଙ୍କର ଥିଲା । ଆଉ କେତେ ନୀରିହ ଲୋକ ସେଦିନ ଆତଙ୍କୀଙ୍କ ଗୁଳିରେ ଆଖି ବୁଜିଥିଲେ ।

ମୁମ୍ବାଇ ମନରେ ୨୬/୧୧ ଆତଙ୍କ

ସବୁଦିନ ଭଳି ଚଳଚଞ୍ଚଳ ଥିଲା ମୁମ୍ବାଇ ସହର । ଷ୍ଟେସନରେ ଟ୍ରେନ୍ ଯାଆସ କରୁଥିଲା, ରାସ୍ତା ଉପରେ ଗାଡିମୋଟରର ଶବ୍ଦ ସହରର ନିର୍ଜନତାକୁ ଭାଙ୍ଗି ଦେଉଥିଲା । ଆଉ ଏହାରି ଭିତରେ ହଠାତ୍ ଶୁଭିଥିଲା ଆତଙ୍କବାଦୀଙ୍କ ଗୁଳିର ଗର୍ଜନ । ଛତ୍ରପତି ଶିବାଜୀ ଟର୍ମିନାଲ ଭିତରେ ଆଖି ବୁଜା ଗୁଳିମାଡ କରିଥିଲେ ୨ ଆତଙ୍କବାଦୀ । ଆଉ ସବୁଦିନ ପାଇଁ ଶେଷ ହୋଇଯାଇଥିଲା 175 ନୀରିହ ଲୋକଙ୍କ ଜୀବନ । ଷ୍ଟେସନରେ ନାରକୀୟ କାଣ୍ଡ ପରେ ତାଜ ହୋଟେଲ ସହ ଲିୟୋପୋର୍ଲ୍ଡ କାଫେ, କାମା ହସ୍ପିଟାଲ ଆଉ ଦକ୍ଷିଣ ମୁମ୍ବାଇରେ ଗର୍ଜିଥିଲା ଆତଙ୍କବାଦୀଙ୍କ ବନ୍ଧୁକ । ରାତି ଯେତେ ବଢୁଥିଲା ମୃତ୍ୟୁର ସେତେ ଅଧିକ ଖବର ସାମ୍ନାକୁ ଆସିବାରେ ଲାଗିଥିଲା । ଅଧା ରାତି ହେଲା ବେଳକୁ ତାଜ ହୋଟେଲକୁ ପୁରାପୁରି କବଜାକୁ ନେଇ ଯାଇଥିଲେ ଆତଙ୍କବାଦୀ । ଯେଉଁଠି ଅନେକ ଲୋକଙ୍କୁ ବନ୍ଧକ ରଖିଥିଲେ ସୈତାନ ମାନେ । ବନ୍ଧକ ଥିବା ଲୋକମାନଙ୍କ ଭିତରେ ୭ ବିଦେଶୀ ନାଗରିକ ମଧ୍ୟ ରହିଥିଲେ ।

ଆହୁରି ପଢନ୍ତୁ- Delhi Blast: ଗୁଗୁଲରେ ଦିଲ୍ଲୀ କାର ବିସ୍ଫୋରଣ ସମ୍ପର୍କ ଏସବୁ ତଥ୍ୟ ଜାଣିବା ପାଇଁ ଚେଷ୍ଟା କରୁଛନ୍ତି ପାକିସ୍ତାନୀ

୨୭ ନଭେମ୍ବର ସକାଳୁ ସକାଳୁ ତାଜ ହୋଟେଲର ହେରିଟେଜ ୱିଙ୍ଗରେ ନିଆଁ ଲଗାଇ ଦେଇଥିଲେ ଆତଙ୍କୀ । ଯେଉଁ ନିଆଁକୁ ଦେଖିଥିଲା ସାରା ବିଶ୍ୱ । ଆଉ ଜାଣିଯାଇଥିଲା କି ଆତଙ୍କବାଦୀଙ୍କ କବଳରେ ପୂରା ହୋଟେଲ ଅଛି । ଏହାପରେ ଆରମ୍ଭ ହୋଇଥିଲା ସ୍ପେଶାଲ ଅପରେସନ । ସୁରକ୍ଷାକର୍ମୀଙ୍କ ଗୁଳିରେ ୯ ଆତଙ୍କବାଦୀ ନିପାତ ହୋଇଥିଲେ । ଆଉ ଶେଷରେ ଧରାପଡିଥିଲା ଦୁର୍ଦ୍ଦାନ୍ତ ଆତଙ୍କବାଦୀ ଅଜମଲ କସାବ । ଯାହାକୁ ପରେ ପରେ ଫାଶୀ ଖୁଣ୍ଟରେ ଝୁଲାଇଥିଲେ ଭାରତର ସୁପ୍ରିମକୋର୍ଟ ।

୨୬/୧୧/୨୦୦୮ ମୁମ୍ବାଇ ଆକ୍ରମଣ ପରେ ୧୦/୧୧/୨୦୨୫- ଦିଲ୍ଲୀ ବିସ୍ଫୋରଣ ପୂରା ଦେଶରେ ଆତଙ୍କ ଖେଳାଇ ଦେଇଥିବା ବେଳେ ଦୁଇଟି ତାରିଖ ଦେଶ ଛାତିରେ ଦାଗ ହୋଇଗଲା । 

ଆହୁରି ପଢନ୍ତୁ- Delhi Red Fort Blast: ବିସ୍ଫୋରଣରେ ବ୍ୟବହୃତ କାର୍ ୧୦ ଦିନ ପୂର୍ବେ ପ୍ରଦୂଷଣ ଯାଞ୍ଚ ପାଇଁ ଯାଇଥିଲା: ସିସିଟିଭିରେ ୩ ଜଣ ଯାତ୍ରୀ ଥିବାର ପ୍ରମାଣ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe