stray-dogs-saved-newborn-baby-life Photograph: (@sambad.in)
କୋଲକାତା: ନିର୍ଜନ ରାତି ତା’ସାଙ୍ଗକୁ ପ୍ରବଳ ଥଣ୍ଡା...କୁଆଁକୁଆଁ ରାବରେ କମ୍ପି ଉଠୁଥିଲା ସ୍ଥାନୀୟ ଅଞ୍ଚଳ। ଲୋକମାନେ ନିଘୋଡ଼ ନିଦ୍ରାରେ ଘରେ ଶୋଇଥିବା ବେଳେ ଶିଶୁର କାନ୍ଦିବା ସ୍ବର ଶୁଣି ପାଖକୁ ଧାଇଁ ଆସିଥିଲେ କିଛି ବାରବୁଲା କୁକୁର।
ସାଧାରଣତଃ ବାରବୁଲା କୁକୁରମାନେ ଆକ୍ରମଣ କରୁଥିବାର ଘଟଣା ସାମ୍ନାକୁ ଆସିଥାଏ। କିନ୍ତୁ ଏ କ୍ଷେତ୍ରରେ ଘଟଣାଟି ସମ୍ପୂର୍ଣ୍ଣ ଭାବେ ଭିନ୍ନ। ନିଛାଟିଆ ରାତିରେ ରାସ୍ତାରେ ନବଜାତ ଶିଶୁକୁ ଦେଖି ବାରବୁଲା କୁକୁରମାନେ ଧାଇଁ ଆସିଥିଲେ ସତ କିନ୍ତୁ ଆକ୍ରମଣ ପାଇଁ ନୁହେଁ ବରଂ ସୁରକ୍ଷା ଦେବାକୁ। ରାତିତମାମ ଛୁଆଟି ଚାରିପାଖେ ସୁରକ୍ଷାବଳୟ ପରି ବାରବୁଲା କୁକୁରଦଳ ସକାଳ ଯାଏଁ ଜଗି ରହିଥିଲେ।
ପଶ୍ଚିମବଙ୍ଗର ନଦିଆ ଜିଲ୍ଲାର ନବଦ୍ୱୀପର ରେଳ କର୍ମଚାରୀ କଲୋନିରୁ ଏହି ଘଟଣାଟି ସାମ୍ନାକୁ ଆସିଛି। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି, ଜନ୍ମ ହେବାର କିଛି ଘଣ୍ଟା ପରେ ଶିଶୁକୁ କେହି ଜଣେ ଏଭଳି ଭାବେ ରାସ୍ତାରେ ଫିଙ୍ଗି ଦେଇ ଚାଲି ଯାଇଛି।
ଅଧିକପଢ଼ନ୍ତୁ:ବିରାଟ-ଋତୁରାଜଙ୍କ ଧୂଆଁଧାର ବ୍ୟାଟିଂ: ଶତକ ହାସଲ କଲେ ଉଭୟ ବ୍ୟାଟ୍ସମ୍ୟାନ
ନବଜାତକୁ ଜଗି ବସିଥିଲେ ବୁଲାକୁକୁର
ଘଟଣାସ୍ଥଳରେ ପ୍ରଥମେ ପହଞ୍ଚିଥିବା ସୁକଳା ମଣ୍ଡଳ କହିଛନ୍ତି, ‘ସକାଳୁ ଉଠି ରାସ୍ତାକୁ ଆସିବା ପରେ ଦେଖିବାକୁ ପାଇଥିଲୁ କିଛି ବାରବୁଲାକୁକୁର ଏକାଠି ବସିଛନ୍ତି। ପାଖକୁ ଯାଇ ଦେଖିଲା ବେଳକୁ ରାସ୍ତାରେ ଏକ ନବଜାତ ଶିଶୁ ପଡ଼ି ରହିଛି। ଯାହାର ଚାରିପାଖେ ବାରବୁଲା କୁକୁରମାନେ ଘେରି ରହିଛନ୍ତି। ମୁଁ ଧୀରେଧୀରେ ଉକ୍ତ କୁକୁରମାନଙ୍କ ପାଖକୁ ଆସିଥିଲି। ଯେପରି ସେମାନେ ମୋତେ ଦେଖି ନବଜାତ ଉପରେ ଆକ୍ରମଣ ନକରନ୍ତୁ ସେଥିପ୍ରତି ସଜାଗ ରହିଥିଲି। ମୁଁ ଯେତେବେଳେ ଶିଶୁଟିର ପାଖକୁ ଯାଇଥିଲି ଜଗି ବସିଥିବା କୁକୁରମାନେ ଆପଣାଛାଏଁ ଦୂରେଇ ଯାଇଥିଲେ।
ଚିକିତ୍ସା ପରେ ସୁସ୍ଥ ଅଛି ନବଜାତ
ସଙ୍ଗେସଙ୍ଗେ ଶିଶୁକୁ ଘଟଣାସ୍ଥଳରୁ ଉଦ୍ଧାର କରି ସ୍ଥାନୀୟଲୋକଙ୍କ ସାହାଯ୍ୟରେ ମହେଶଗଞ୍ଜ ଡାକ୍ତରଖାନାକୁ ନେଇ ଯାଇଥିଲୁ। ସେଠାରେ ଡାକ୍ତର ଶିଶୁର ଅବସ୍ଥା ଦେଖିବା ପରେ ତାକୁ କୃଷ୍ଣନଗର ସଦର ହସ୍ପିଟାଲକୁ ସ୍ଥାନାନ୍ତର କରି ଦେଇଥିଲେ। ଚିକିତ୍ସା ପରେ ଶିଶୁଟି ସୁସ୍ଥ ଅଛି।ନବଦ୍ୱୀପ ପୁଲିସ ଘଟଣାର ତଦନ୍ତ କରୁଛି। ଅତ୍ୟଧିକ ଥଣ୍ଡାରେ ପିଲାଟି କିପରି ବଞ୍ଚି ରହିଥିଲା? ସାଧାରଣତଃ ବାରବୁଲା କୁକୁରମାନେ ଛୁଆଙ୍କ ଉପରେ ଆକ୍ରମଣ କରୁଥିବା ବେଳେ କିପରି ତାକୁ ନିଛାଟିଆ ରାତିରେ କୁକୁରଦଳ ଆକ୍ରମଣ ନକରି ସୁରକ୍ଷା ପ୍ରଦାନ କରିଛନ୍ତି ତାହା ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।
ଅଧିକପଢ଼ନ୍ତୁ:ଫ୍ରେବୁଆରି ୧୮ରୁ ଯୁକ୍ତ୨ ବାର୍ଷିକ ପରୀକ୍ଷା, ପ୍ରଥମ ଥର ୱେବ୍ କାଷ୍ଟିଙ୍ଗ୍ ବ୍ୟବସ୍ଥା
Follow Us