‘‘ଆତ୍ମାର ଅର୍ଦ୍ଧସମ ନାରୀ।
ଅନ୍ୟଥା କେବା ତାହା କରି।।’’
-ଜଗନ୍ନାଥ ଦାସ, ଭାଗବତ, ୩/୧୪
ସ୍ତ୍ରୀର ଗୋଟିଏ ପ୍ରତିଶବ୍ଦ ହେଉଛି–ଅର୍ଦ୍ଧାଙ୍ଗିନୀ। ସେ ପୁରୁଷର ଅର୍ଦ୍ଧାଙ୍ଗ ରୂପେ ବିବେଚିତ ହୋଇଥାଏ। ସେଥିପାଇଁ ତାହାକୁ ଅର୍ଦ୍ଧାଙ୍ଗୀ ବା ଅର୍ଦ୍ଧାଙ୍ଗିନୀ କୁହାଯାଇଥାଏ। କିନ୍ତୁ ଜଗନ୍ନାଥ ଦାସଙ୍କ ନବାକ୍ଷରୀ ଓଡ଼ିଆ ଭାଗବତରେ ସ୍ତ୍ରୀକୁ ‘ଅର୍ଦ୍ଧାତ୍ମା’ ବୋଲି ମଧ୍ୟ କୁହାଯାଇଛି। ଏହା ତାତ୍ପର୍ଯ୍ୟପୂର୍ଣ୍ଣ। ‘ଶ୍ରୀମଦ୍ ଭାଗବତ’ର ତୃତୀୟ ସ୍କନ୍ଧ, ଚତୁର୍ଦ୍ଦଶ ଅଧ୍ୟାୟର କଥା। ଅଧ୍ୟାୟର ନାମ ‘ଦିତି ଗର୍ଭଧାରଣ’। ଦକ୍ଷଙ୍କର କନ୍ୟା ଦିତି ଥିଲେ ମରୀଚି ଋଷିଙ୍କର ପୁତ୍ର କଶ୍ୟପଙ୍କର ପତ୍ନୀ। ଦିନେ ସନ୍ଧ୍ୟା ସମୟରେ କଶ୍ୟପ ଅଗ୍ନିରେ କ୍ଷୀର ଆହୁତି ଦେଇ ଯଜ୍ଞପୁରୁଷ ଶ୍ରୀହରିଙ୍କୁ ପୂଜା କରି ଧ୍ୟାନରେ ବସିଥିଲେ। ସେହି ସମୟରେ ଅଦିତି ତାଙ୍କ ନିକଟରେ ପହଞ୍ଚିଲେ ଏବଂ କହିଲେ- ମୁଁ ଏବେ କାମବାଣରେ ପୀଡ଼ିତା। ମୋର କାମନା ପ୍ରଶମିତ କରନ୍ତୁ ଏବଂ ମୋତେ ପୁତ୍ରସନ୍ତାନଟିଏ ଦିଅନ୍ତୁ!
ଦିତିଙ୍କ କଥା ଶୁଣି କଶ୍ୟପ ତାଙ୍କୁ ବୁଝାଇବାକୁ ଚେଷ୍ଟା କଲେ। କହିଲେ- ହେ ସୁନ୍ଦରି! ତୁମର ପ୍ରୀତି ପାଇଁ ମୁଁ ତୁମର କାମନା ପୂରଣ କରିବି। ଯେଉଁ ସ୍ତ୍ରୀ ଦ୍ବାରା ଧର୍ମ, ଅର୍ଥ ଓ କାମ- ଏହି ତିନି ପୁରୁଷାର୍ଥର ସିଦ୍ଧି ହୁଏ, ତାର କାମନା କିଏ ବା ପୂରଣ ନ କରିବ! ପୋତ ଦ୍ବାରା ଯେପରି ସମୁଦ୍ରକୁ ପାର କରିହୁଏ, ସେହିପରି ପୁରୁଷ ଗୃହସ୍ଥାଶ୍ରମ ଦ୍ବାରା ସଂସାରଦୁଃଖରୂପକ ସମୁଦ୍ରକୁ ପାର ହୁଏ। ପୁରୁଷର ଏହି ଶ୍ରେୟ ପାଇଁ ସ୍ତ୍ରୀକୁ ତାର ଅର୍ଦ୍ଧାଙ୍ଗିନୀ କୁହାଯାଏ। କିନ୍ତୁ ଜଗନ୍ନାଥ ଦାସ ତାଙ୍କ ନବାକ୍ଷରୀ ଓଡ଼ିଆ ଭାଗବତରେ ସ୍ତ୍ରୀର ଏହି ‘ଅର୍ଦ୍ଧାଙ୍ଗିନୀ’ ସଂଜ୍ଞାରେ କେବଳ ସୀମିତ ରହି ନାହାନ୍ତି। ସେ ଏ ପ୍ରସଙ୍ଗରେ କଶ୍ୟପଙ୍କ ଉକ୍ତିରେ କହିଛନ୍ତି–
‘‘ଆତ୍ମାର ଅର୍ଦ୍ଧସମ ନାରୀ।
ଅନ୍ୟଥା କେବା ତାହା କରି।’’
ଏହା ଆମକୁ କହେ–ସ୍ତ୍ରୀ କେବଳ ସ୍ବାମୀର ଅର୍ଦ୍ଧାଙ୍ଗିନୀ ନୁହେଁ; ସେ ସ୍ବାମୀର ଅର୍ଦ୍ଧଆତ୍ମା ମଧ୍ୟ। ସେହି ପ୍ରସଙ୍ଗରେ କିନ୍ତୁ ଅଦିତି ସ୍ବାମୀ କଶ୍ୟପଙ୍କ କଥା ଶୁଣି ନ ଥିଲେ। ସନ୍ଧ୍ୟାର ସେହି ସମୟ ଏକ କାଳବେଳା ବୋଲି କଶ୍ୟପ ତାଙ୍କୁ ଚେତାଇ ଦେଲେ ମଧ୍ୟ, ସେ ତାଙ୍କ ସହ ମିଳିତ ହେବାକୁ ହିଁ ଚାହିଁଥିଲେ। ଫଳରେ ସେହି ମିଳନରୁ ଦୁର୍ଦ୍ଦାନ୍ତ ଦୈତ୍ୟ ହିରଣ୍ୟାକ୍ଷ ଓ ହିରଣ୍ୟକଶିପୁ ଜନ୍ମ ନେଲେ। ଏହି ପ୍ରସଙ୍ଗ ସୂଚାଏ, ଯେ ସ୍ବାମୀ-ସ୍ତ୍ରୀ ପରସ୍ପରର ଅର୍ଦ୍ଧାତ୍ମା ହୋଇଥିବାରୁ, ଦୁହିଁଙ୍କର ଆତ୍ମାର ମିଳନ ନ ହେଲେ ସଂସାରରେ ବିଭ୍ରାଟ ଉପୁଜିଥାଏ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2026/01/23/dagdgagdcvzv-2026-01-23-02-45-02.jpg)