ମହାରାଷ୍ଟ୍ର
ମହାରାଷ୍ଟ୍ରର ନାସିକ ଜିଲା ଅନ୍ତର୍ଗତ ପଞ୍ଚବଟୀ ‘ରାମାୟଣ’ର ‘ଅରଣ୍ୟ କାଣ୍ଡ’ରେ ବର୍ଣ୍ଣିତ ଏକ ପ୍ରସିଦ୍ଧ ସ୍ଥାନ। ଏହା ଦଣ୍ଡକାରଣ୍ୟର ଏକ ଅଂଶ। ଚଉଦବର୍ଷ ବନବାସ କାଳରେ ରାମ ଏଠାରେ ଅଢ଼େଇ ବର୍ଷ ଅତିବାହିତ କରିଥିଲେ। ଏହି କାଳ ହିଁ ଥିଲା ତାଙ୍କ ଜୀବନର ସବୁଠାରୁ ଘଟଣାବହୁଳ ଅଧ୍ୟାୟ- ସୂର୍ପଣଖାର ନାସିକା ଛେଦନ, ଖର ରାକ୍ଷସର ୧୪ ହଜାର ସୈନ୍ୟଙ୍କର ବଧ, ସୀତା ହରଣ, ମାରୀଚର ମୃତ୍ୟୁ ଇତ୍ୟାଦି। ତେଣୁ ଏହି ଘଟଣା ବହୁଳ ଅଧ୍ୟାୟର ସ୍ମୃତି ସ୍ବରୂପ ଏଠାରେ ଅନେକ ସ୍ମୃତିଚିହ୍ନ ଦୃଷ୍ଟିଗୋଚର ହୁଏ। ଯେପରି- ରାମକୁଣ୍ଡ, ସୀତାଗୁମ୍ଫା, କାଳାରାମ ମନ୍ଦିର, ବାଣଗଙ୍ଗା, ଲକ୍ଷ୍ମଣରେଖା, ପର୍ଣ୍ଣକୁଟୀର, କପାଳେଶ୍ବର ମନ୍ଦିର, ତପୋବନ ଓ ଶ୍ରୀରାମ ମୂର୍ତ୍ତି ଇତ୍ୟାଦି।
Preparation: ଚଳିତ ଆହୁରି ଭବ୍ୟ ହେବ ଓଡ଼ିଆ ପକ୍ଷ
ସୀତାଗୁମ୍ଫା: ପଞ୍ଚବଟି ମଧ୍ୟରେ ଥିବା ଏହି ଗୁମ୍ଫା ମଧ୍ୟରେ ରାମ, ଲକ୍ଷ୍ମଣ ଓ ସୀତାଙ୍କର ମୂର୍ତ୍ତି ରହିଛି। ଏହି ଗୁମ୍ଫାର ବାମ ପଟେ ଏକ ଶିବଲିଙ୍ଗ ଅଛି। ବିଶ୍ବାସ କରାଯାଏ ଯେ ଏହି ସ୍ଥାନରୁ ରାବଣ ସୀତାଙ୍କୁ ହରଣ କରି ନେଇଥିଲା।
ରାମକୁଣ୍ଡ: ରାମ ଏଠାରେ ପ୍ରତ୍ୟହ ସ୍ନାନ କରୁଥିବାରୁ ଏହି କୁଣ୍ଡକୁ ଅତ୍ୟନ୍ତ ପବିତ୍ର କୁହାଯାଏ। ରାମ ଏଠାରେ ଦଶରଥଙ୍କର ଅସ୍ଥି ବିସର୍ଜନ କରିଥିଲେ ବୋଲି ମଧ୍ୟ ବିଶ୍ବାସ ରହିଛି। ଏହି କୁଣ୍ଡ ଅସ୍ଥିବିଲୟ କୁଣ୍ଡ ନାମରେ କଥିତ। ଆଶ୍ଚର୍ଯ୍ୟର କଥା, ଏହି କୁଣ୍ଡରେ ଅସ୍ଥି ବିସର୍ଜନ କଲେ ତାହା ସଙ୍ଗେ ସଙ୍ଗେ ବିଲୀନ ହୋଇଯାଏ। ତାହାର କୌଣସି ଅବଶେଷ ରହେ ନାହିଁ। ଏହି ବୈଚିତ୍ର୍ୟ ହେତୁ ବହୁଲୋକ ଏଠାକୁ ଆସି ପିତୃପୁରୁଷଙ୍କର ଅସ୍ଥି ବିସର୍ଜନ କରିଥାନ୍ତି।
କାଳାରାମ ମନ୍ଦିର: ରାମଙ୍କ ସ୍ମୃତିରେ ଅଷ୍ଟାଦଶ ଶତାବ୍ଦୀରେ ପୁନାର ପେଶୱାମାନଙ୍କ ଦ୍ବାରା ଏହି ମନ୍ଦିର ନିର୍ମିତ ହୋଇଥିଲା। ରାମନବମୀ, ଦଶହରା ଓ ଚୈତ୍ରପର୍ବରେ ଏଠାରେ ବିଶାଳ ଶୋଭାଯାତ୍ରା ଅନୁଷ୍ଠିତ ହୁଏ। ସଂପୂର୍ଣ୍ଣ ମନ୍ଦିରଟି କୃଷ୍ଣ ପଥରରେ ନିର୍ମିତ ହୋଇଛି। ଏହି ମନ୍ଦିରର ବୈଚିତ୍ର୍ୟ ଏହି ଯେ ଏଠାରେ ଥିବା ହନୁମାନ ମୂର୍ତ୍ତିର ପାଖ ହେଲେ ମନ୍ଦିର ମଧ୍ୟରେ ଥିବା ରାମଙ୍କ ବିଗ୍ରହ ଦର୍ଶନ କରିହୁଏ। ଏହି ମନ୍ଦିରର ଚଉଦ ପାହାଚ ଚଉଦ ବର୍ଷ ବନବାସର ସ୍ମୃତି ସ୍ବରୂପ। ମନ୍ଦିରରେ ଅଛି ୮୪ଟି ସ୍ତମ୍ଭ। ୧୯୩୦ ମସିହାରେ ଡକ୍ଟର ଆମ୍ବେଦକର ସତ୍ୟାଗ୍ରହ କରି ଏହି ମନ୍ଦିରରେ ହରିଜନମାନଙ୍କୁ ପ୍ରବେଶ କରାଇଥିଲେ।
Horoscope 2026 February 06 : ଜାଣନ୍ତୁ ଆଜିର ରାଶିଫଳ
ବାଣଗଙ୍ଗା: ଏହା ଏକ ଅାୟତାକାର ପୁଷ୍କରିଣୀ। ପୁଷ୍କରିଣୀ ମଧ୍ୟରେ ପ୍ରବେଶ କରିବା ପାଇଁ ଚାରି ପାଖରେ ପାବଚ୍ଛ ଶ୍ରେଣୀ ରହିଛି। ସୀତାଙ୍କ ଅପହରଣ ପରେ ଅନ୍ବେଷଣରେ ଗଲାବେଳେ ରାମଙ୍କୁ ଶୋଷ ଲାଗିବାରୁ ଲକ୍ଷ୍ମଣ ଶର ମାରି ଭୂଗର୍ଭରୁ ଜଳ ଉତ୍ତୋଳନ କରିଥିଲେ। ବାଣଦ୍ବାରା ଏହି ପାତାଳଗଙ୍ଗା ସୃଷ୍ଟି ହୋଇଥିବାରୁ ଏହାକୁ ବାଣଗଙ୍ଗା କୁହାଯାଏ। ଏହାର ତଟଦେଶରେ ଥିବା ଶିବଲିଙ୍ଗ ବାଲୁକେଶ୍ବର ନାମରେ ଖ୍ୟାତ। ଶିବ ସେହି ସରୋବର ତଟରେ ବାଲିରେ ଏହାଙ୍କୁ ନିର୍ମାଣ କରି ପୂଜନ କରିଥିଲେ। ସମୁଦ୍ର ନିକଟରେ ଥିବା ସତ୍ତ୍ବେ ଏହି ପୁଷ୍କରିଣୀର ଜଳ ଅତ୍ୟନ୍ତ ମଧୁର। ପଞ୍ଚବଟି ଅଂଜନେୟ ମନ୍ଦିର: ଏହି ମନ୍ଦିରର ବିଶେଷତ୍ବ ହେଉଛି, ଏଠାରେ ପଞ୍ଚମୁଖୀ ହନୁମାନଙ୍କ ମୂତ୍ତି ଅଛି। ତାହାର ଉଚ୍ଚତା ୩୬ ଫୁଟ। ମୂର୍ତ୍ତିରେ ଗରୁଡ଼, ନରସିଂହ, ବରାହ ଓ ହୟଗ୍ରୀବଙ୍କ ସହିତ ହନୁମାନଙ୍କ ଶ୍ରୀମୁଖ ରହିଛି।
ଗଙ୍ଗାଗୋଦାବରୀ ମନ୍ଦିର: ରାମକୁଣ୍ଡ ନିକଟରେ ଏହି ମନ୍ଦିର ଅଛି। ମନ୍ଦିରମାଳିନୀ ନଗରୀ ପଞ୍ଚବଟୀ ମଧ୍ୟରେ ଗୋରା ରାମମନ୍ଦିର, କପାଳେଶ୍ବର ମନ୍ଦିର, ଅରୁଣ ବରୁଣ ମନ୍ଦିର ସହିତ ରାମ ଲକ୍ଷ୍ମଣ ଓ ସୀତା ବାସକରୁଥିବା ପର୍ଣ୍ଣକୁଟୀର ଓ ଲକ୍ଷ୍ମଣରେଖାକୁ ମଧ୍ୟ ସ୍ମାରକୀର ଅନ୍ତର୍ଭୁକ୍ତ କରାଯାଇଛି। ଏସବୁ ଭିତରେ ରହିଛି ପଞ୍ଚବଟୀ ସ୍ଥିତ ତପୋବନ। ସେଠାରେ ଅନେକ ମୁନିଋଷି ତପସ୍ୟା କରିଥିଲେ। ଏହା ରାମଙ୍କର ମଧ୍ୟ ତପସ୍ୟାର କ୍ଷେତ୍ର ଥିଲା। ଏଠାରେ ସଂପ୍ରତି ୭୦ ଫୁଟ ଉଚ୍ଚର ଏକ ଶ୍ରୀରାମ ମୂର୍ତ୍ତି ପ୍ରତିଷ୍ଠିତ ହୋଇଛି।
-ଡକ୍ଟର ତୁଳସୀ ଓଝା
Follow Us