ରାମାରାମ ସୁକୁମା
ଛତିଶଗଡ଼ର ସୁକୁମା ଜିଲାରେ ରାମାରାମ ନାମରେ ଏକ ଗ୍ରାମ ରହିଛି। ଏହା ଛତିଶଗଡ଼ର ଶେଷପ୍ରାନ୍ତ। ଏହିଠାରୁ ରାମ ଦଣ୍ଡକାରଣ୍ୟ ମଧ୍ୟରେ ପ୍ରବେଶ କରିଥିଲେ। ସେ ତାଙ୍କ ବନବାସ କାଳରେ କୌଣସି ଜନପଦ ମଧ୍ୟରେ ପ୍ରବେଶ ନ କରି କେବଳ ଅରଣ୍ୟ ମଧ୍ୟ ଦେଇ ଯାତ୍ରା କରିଥିଲେ। ତେଣୁ ତାଙ୍କର ସଂପର୍କ ଜନଜାତିମାନଙ୍କ ସହିତ ଅଧିକ ଘନିଷ୍ଠ େହାଇଥିଲା। ବନବାସୀମାନେ ମଧ୍ୟ ଆନନ୍ଦ ଓ ଉତ୍ସାହ ସହିତ ରାମଙ୍କୁ ସ୍ବାଗତ କରିଥିଲେ। ଏହି ହେତୁ ସୁକୁମା ଜିଲାର ରାମାରାମ ଗ୍ରାମ ଏକ ମହତ୍ତ୍ବପୂର୍ଣ୍ଣ ସ୍ଥାନ ଗ୍ରହଣ କରେ। ଏହି ଗ୍ରାମରେ ରାମ, ଲକ୍ଷ୍ମଣ ଓ ସୀତା କିଛି କାଳ ଅବସ୍ଥାନ କରିଥିଲେ। ସାଧାରଣତଃ ଆଦିବାସୀମାନଙ୍କର ମୁଖ୍ୟ ଦେବତା ପ୍ରକୃତି। ମାଟି ମା’ ଓ ବନଦେବୀ (ବୃକ୍ଷଲତାମାନଙ୍କର ଦେବତା) ତାଙ୍କର ଉପାସ୍ୟ। ପ୍ରାଚୀନ ପରଂପରା ଅନୁଯାୟୀ, ରାଜାମାନେ ଯେତେବେଳେ ଶଯ୍ୟାତ୍ୟାଗ କରନ୍ତି ସେତେବେଳେ ମାଟି ଉପରେ ପାଦ ରଖିଥାନ୍ତି। ଏହି ଦୁଇ ସଂସ୍କୃତିର ମିଳନକୁ ଆଖିରେ ରଖି ରାମ ପ୍ରଥମେ ଏଠାରେ ଥିବା ପାହାଡ଼ ଉପରେ ଭୂଦେବୀଙ୍କୁ ପୂଜନ କରିଥିଲେ। ସେଠାେର ରାମାରାମିନ୍ ମନ୍ଦିର ସ୍ଥାପିତ ହୋଇଥିଲା। ସେଠାରୁ ରାମ ଇଂଜରମ ଯାଇ ସେଠାରେ ଶିବପୂଜା କରିଥିଲେ। ରାମାରାମ ନିକଟରେ ଥିବାରୁ ଏହି ମନ୍ଦିର ରାମାରାମିନ୍ ନାମରେ ପ୍ରସିଦ୍ଧ ହୋଇଥିଲା। ୧୮୩୪ ମସିହାରେ ସୁକୁମାର ତତ୍କାଳୀନ ଶାସକ ରାମରାଜ ଦେବ, ଭୂଦେବୀଙ୍କ ସ୍ଥାନରେ ରାମାରାମିନ୍ ଚିଟମିଟ୍ଟୀନ ଦେବୀ ମନ୍ଦିର ନିର୍ମାଣ କରିଥିଲେ। ପାହାଡ଼ ଉପରେ ଆଜି ମଧ୍ୟ ସେହି ପୁରାତନ ମନ୍ଦିରର ଭଗ୍ନାବଶେଷ ରହିଛି। ମନ୍ଦିର ସଂପର୍କରେ ଏକ ସୁନ୍ଦର କାହାଣୀ ପ୍ରଚଳିତ।
Hockey: ପ୍ରୋ-ଲିଗ୍ ହକି ଲାଗି ସାମ୍ଭାବ୍ୟ ଭାରତୀୟ ଦଳରେ ଓଡ଼ିଶାରୁ ୫
ରାମ ସେଠାରୁ ଚାଲିଗଲା ପରେ ଜନଜାତିମାନେ ଆସ୍ଥା ଓ ବିଶ୍ବାସର ପ୍ରତୀକ ଭାବରେ ପାହାଡ଼ ଉପରେ ଦେବୀଙ୍କର ପୂଜା କରି ଆସୁଥିଲେ। ଥରେ ପୂଜା ସାରି ଫେରିବା ବେଳକୁ ମନ୍ଦିରର ମୁଖ୍ୟ ପୂଜକ ଦେବୀଙ୍କର ସ୍ବର୍ଣ୍ଣ କଳସ ଆଣିବାକୁ ଭୁଲିଗଲେ। ରାତିରେ ମନେପଡ଼ିଯିବାରୁ ସେ ବ୍ୟସ୍ତ ହୋଇ ପାହାଡ଼ ଉପରକୁ ଗଲେ। ସେଠାରେ ପହଞ୍ଚିଲା ବେଳକୁ ଦେବୀ ସିଂହ ଉପରେ ଆସୀନା ଥିବା ଦେଖିଲେ। ‘‘ଏତେ ରାତିରେ କାହିଁକି ଆସିଛୁ?’’ ବୋଲି ଦେବୀ ପଚାରିବାରୁ ପୂଜକ ସ୍ବର୍ଣ୍ଣକଳସ ଭୁଲିଯାଇଥିବା କଥା କହିଲେ। ଦେବୀ ସେଥିରେ କ୍ରୋଧାନ୍ବିତ ହୋଇ, ‘‘ମୁଁ ଥାଉଁ ଥାଉଁ ତୋର ଚିନ୍ତା କରିବା କ’ଣ ଦରକାର’’ କହି ଗୋଡ଼ରେ ସ୍ବର୍ଣ୍ଣ କଳସଟିକୁ ଫିଙ୍ଗି ଦେଲେ ଏବଂ ନିଜେ ଅନ୍ତର୍ହିତ ହୋଇଗଲେ। କଳସଟି ଗଡ଼ି ଗଡ଼ି ଆସି ଯେଉଁ ସ୍ଥାନରେ ପଡ଼ିଲା ସେହି ସ୍ଥାନରେ ଚିଟମିଟ୍ଟୀନ ଦେବୀଙ୍କର ମନ୍ଦିର ନିର୍ମିତ ହେଲା। ତାହା ବର୍ତ୍ତମାନ ରାମାରାମର ପ୍ରସିଦ୍ଧ ଦେବୀ ମନ୍ଦିର।
Digital India: ଡିଜିଟାଲ ନିଶାରେ ଯୁବପିଢ଼ି: ବୟସ ଆଧାରିତ କଟକଣା ପାଇଁ ପ୍ରସ୍ତାବ
ପ୍ରତିବର୍ଷ ଫେବ୍ରୁୟାରୀ ମାସରେ ସେଠାରେ ଏକ ବିରାଟ ମେଳାର ଆୟୋଜନ ହୁଏ। ବସ୍ତର, ଦାନ୍ତେୱାଡ଼ା ଓ ସୁକୁମା ଅଞ୍ଚଳର ବହୁ ଜନଜାତି ସେଠାରେ ଏକତ୍ର ହୋଇ ରାମାରାମ ମେଳାରେ ନିଜର ନୃତ୍ୟ-ଗୀତ, କଳାକୃତି ଆଦିର ପ୍ରଦର୍ଶନ କରନ୍ତି। ଏହା ବ୍ୟତୀତ ଭକ୍ତମାନେ ପ୍ରତ୍ୟେକ ଗ୍ରାମରୁ ପୁଷ୍ପସଜ୍ଜିତ ଏକ ଡୋଲି (ଚୌକି)କୁ ବିରାଟ ଶୋଭାଯାତ୍ରାରେ ମନ୍ଦିର ନିକଟକୁ ଆଣନ୍ତି। ସେମାନଙ୍କର ବିଶ୍ବାସ- ଦେବୀ ସେହି ଡୋଲିରେ ବସି ଦର୍ଶନ ଦେବେ। ସଂଧ୍ୟା ସମୟରେ ଡୋଲିକୁ ପୁଣି ଗ୍ରାମକୁ ଫେରାଇ ନିଆଯାଏ। ସେହି ମେଳା ପ୍ରାୟ ତିନି-ଚାରି ଦିନ ଚାଲେ। ଏହି ଦେବୀ ଜନଜାତିମାନଙ୍କର ଆସ୍ଥା ଓ ବିଶ୍ବାସର ପ୍ରତୀକ ହୋଇଥିବାରୁ ସେମାନେ ସେଠାରେ ବିଭିନ୍ନ ମାନସିକ କରିଥାନ୍ତି। ମାନସିକ ପୂରଣ ହେଲେ ପ୍ରଥା ଅନୁସାରେ ଛାଗବଳି ଦିଆଯାଏ। ସବୁଠାରୁ ବଡ଼ କଥା ହେଲା, ପ୍ରତ୍ୟେକ ଗ୍ରାମବାସୀ ନିଜ ନିଜ ଗ୍ରାମରୁ ନିଜ ନିଜ ଗ୍ରାମ ଦେବୀଙ୍କର ଉପସ୍ଥାନର ପ୍ରତୀକ ଭାବରେ ଗୋଟିଏ ଗୋଟିଏ ଡାଳି (ନାଲି ପତାକା ବନ୍ଧାଯାଇଥିବା ଏକ ବାଉଁଶ ଦଣ୍ଡ) ନେଇ ଆସିଥାନ୍ତି।
ସଂପ୍ରତି ରାମାରାମ ଦର୍ଶନ କରିବାକୁ ଆସୁଥିବା ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ଲାଗି ସେଠାରେ ଏକ ପଥର କଳାକୃତି ପୂର୍ଣ୍ଣ ଉଦ୍ୟାନ ନିର୍ମିତ ହୋଇଛି। ଜାମ୍ବବନ୍ତ ଗୁମ୍ଫା ନାମରେ ଏକ ଗୁମ୍ଫା ମଧ୍ୟ ନିର୍ମାଣ କରାଯାଇଛି। ସେଥିରେ ରାମାୟଣର ବିଶେଷ ଘଟଣାବଳୀର ଚିତ୍ର ପଥରରେ ଖୋଦେଇ ହୋଇଛି। ରାମ ତାଙ୍କ ବନବାସ କାଳରେ ସବୁଠାରୁ ଅଧିକ ସମୟ ଛତିଶଗଡ଼ର ପରିସୀମା ମଧ୍ୟରେ କଟାଇଥିଲେ।
-ଡକ୍ଟର ତୁଳସୀ ଓଝା
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2026/01/30/fshfshfshf-2026-01-30-01-48-06.jpg)