କର୍ଣ୍ଣାଟକ
କିଷ୍କିନ୍ଧ୍ୟା: ବନବାସ କାଳରେ ରାମ ଭାରତର ବିଭିନ୍ନ ଅରଣ୍ୟଭୂମି ମଧ୍ୟ ଦେଇ ଯାତ୍ରା କରିଥିଲେ। ତାଙ୍କ ସ୍ମୃତିରେ ଅନେକ ପବିତ୍ର ସ୍ଥଳକୁ ଧାର୍ମିକ ତୀର୍ଥର ମର୍ଯ୍ୟାଦା ପ୍ରଦାନ କରାଯାଇଛି। ଏହି ସ୍ଥାନମାନଙ୍କ ମଧ୍ୟ‌ରୁ ବିଶେଷ ମର୍ଯ୍ୟାଦାବନ୍ତ ସ୍ଥାନ ହେଉଛି ଚିତ୍ରକୂଟ, ପଞ୍ଚବଟୀ ଓ କିଷ୍କିନ୍ଧ୍ୟା।  

Advertisment

Viksit Bharat 2047: ସମଗ୍ର ବିଶ୍ୱରେ ଡିଜିଟାଲ ପରିବର୍ତ୍ତନ ଦ୍ରୁତ ଗତିରେ ଘଟୁଛି: ଅଖିଳ କୁମାର ମିଶ୍ର

‘ରାମାୟଣ’ରେ କିଷ୍କିନ୍ଧ୍ୟାକୁ ମର୍ଯ୍ୟାଦା ପ୍ରଦାନ କରାଯାଇ ଏକ ସ୍ବତନ୍ତ୍ର କାଣ୍ଡ ରୂପେ ଉଲ୍ଲେଖ ହୋଇଛି। ଏହି କିଷ୍କିନ୍ଧ୍ୟା ଦଣ୍ଡକାରଣ୍ୟର ଏକ ବୃହତ୍‌ ଅଂଶ ଥିଲା, ଯେଉଁଠି ବାନର ସାମ୍ରାଜ୍ୟ ପ୍ରତିଷ୍ଠିତ ହୋଇଥିଲା। ରାବଣବଧ, ଲଙ୍କାଅନ୍ବେଷଣ, ସେତୁବନ୍ଧ ଓ ରାମ-ରାବଣ ଯୁଦ୍ଧରେ ସେହି ବାନରମାନେ ବିଶେଷ ଭୂମିକା ଗ୍ରହଣ କରିଥିଲେ। ରାମଙ୍କର କିଷ୍କିନ୍ଧ୍ୟା ଯାତ୍ରା, କିଷ୍କିନ୍ଧ୍ୟା ରହଣି, ସୁଗ୍ରୀବଙ୍କ ସହିତ ମିତ୍ରତା, ବାଳୀ ବଧ ଓ ରାମ-ହନୁମାନ ସାକ୍ଷାତ ‘ରାମାୟଣ’ର ବିଶେଷ ଗୁରୁତ୍ବପୂର୍ଣ୍ଣ ଅଧ୍ୟାୟ। ତାହାର ସ୍ମାରକୀ ସାଂପ୍ରତିକ କର୍ଣ୍ଣାଟକର ବେଲାରୀ ଜିଲାରେ ଅବସ୍ଥିତ ହାମ୍ଫିଠାରେ ଦେଖିବାକୁ ମିଳେ। ଏହି କୋପାଲ ବେଲାରୀ ଜିଲା ଥିଲା ପ୍ରାଚୀନ କିଷ୍କିନ୍ଧ୍ୟା। ତା’ ପରେ ବିଜୟନଗର ଏବଂ ତା’ ପରେ ବେଲାରୀ। ସେଠାରେ ରାମ ଓ ହନୁମାନଙ୍କ ସ୍ମୃତି ବହନ କରି ରହିଛି ଅନେକ ସ୍ମାରକୀ- ଯଥା: ମାତଙ୍ଗ ପର୍ବତ, ସୁଗ୍ରୀବ ଗୁମ୍ଫା, କୋଦଣ୍ଡ ରାମ ମନ୍ଦିର, ଅଞ୍ଜନାଦ୍ରି ପର୍ବତ, ହଜାର ରାମ ମନ୍ଦିର, ପମ୍ପା‌ ସରୋବର, ମାଲ୍ୟବନ୍ତ ପର୍ବତ, ବାଳୀ ଗୁମ୍ଫା, ଚିନ୍ତାମଣି ଘାଟ, ଯନ୍ତ୍ରାରୂଢ଼ ରାମ-ହନୁମାନ ମନ୍ଦିର ଇତ୍ୟାଦି।

ଅଞ୍ଜନେଦ୍ରି ପର୍ବତ: ଏହି ପର୍ବତ ହାମ୍ପିର ଅନତି ଦୂରରେ ଥିବା କର୍ଣ୍ଣାଟକର କୋପାଲ ଜିଲାରେ ଅବସ୍ଥିତ। ଏହାକୁ ହନୁମାନଙ୍କର ଜନ୍ମସ୍ଥାନ ବୋଲି ବିବେଚନା କରାଯାଏ। ଏହି ପର୍ବତର ଅନ୍ୟନାମ ଅଞ୍ଜନେଦ୍ରିବେଟା। ଅଞ୍ଜନା ହନୁମାନଙ୍କର ମାତା। ଏହି ପର୍ବତ ଉପରେ ହନୁମାନଙ୍କର ଏକ ମନ୍ଦିର ଅଛି। ପର୍ବତ ଉପରକୁ ଯିବାପାଇଁ ତୁଙ୍ଗଭଦ୍ରା ନଦୀ ପାର ହେବାକୁ ପଡ଼େ। ଏଠାରେ ରାମ-ସୀତାଙ୍କର ମୂର୍ତ୍ତି ମଧ୍ୟ ରହିଛି।
ପମ୍ପା ସରୋବର: କର୍ଣ୍ଣାଟକର କୋପାଲ ଜିଲାର ତୁଙ୍ଗଭଦ୍ରା ନଦୀର ଉତ୍ତର ତୀରରେ ପମ୍ପା ସରୋବର ଅବସ୍ଥିତ। ଏହା ପାର୍ବତୀଙ୍କର ତପସ୍ୟା କ୍ଷେତ୍ର ଭାବରେ ପ୍ରସିଦ୍ଧ। ଏଠାରେ ମଧ୍ୟ ରହିଛି ମାତଙ୍ଗ ମୁନିଙ୍କ ଆଶ୍ରମ। ସେଠାରେ ରାମ ଓ ଲକ୍ଷ୍ମଣଙ୍କ ସହିତ ମାତା ଶବରୀଙ୍କର ଭେଟ ହୋଇଥିଲା। ଏହି ସରୋବର ନିକଟରେ ଶବରୀ ଆଶ୍ରମ, ଲକ୍ଷ୍ମୀ ମନ୍ଦିର, ରାମ ମାଦମ୍‌ ଓ ଏକ ଶିବ ମନ୍ଦିର ରହିଛି। ମାତା ଶବରୀଙ୍କ ନିର୍ଦ୍ଦେଶରେ ରାମ ଋଷ୍ୟମୂକ ପର୍ବତକୁ ଯାତ୍ରା କରିଥିଲେ।

ମାଲ୍ୟବନ୍ତ ପର୍ବତ: ହାମ୍ଫିଠାରେ ମାଲ୍ୟବନ୍ତ ରଘୁନାଥ ସ୍ବାମୀ ମନ୍ଦିର ରହିଛି। ସୂଚନା ଅନୁସାରେ, ସୀତାଙ୍କ ସନ୍ଧାନରେ ଆସି ରାମ-ଲକ୍ଷ୍ମଣ ଏହି ପର୍ବତ ଗୁମ୍ଫାରେ ବର୍ଷାକାଳ ଅତିବାହିତ କରିଥିଲେ। ଷୋଡ଼ଶ ଶତାବ୍ଦୀରେ ବିଜୟ ନଗରର ଅଧିପତି କୃଷ୍ଣଦେବରାୟ ଏଠାରେ ରାମ ମନ୍ଦିର ନିର୍ମାଣ କରାଇଥିଲେ। ରାମଙ୍କ ଦ୍ବାରା ପୂଜିତ ଏକ ଶିବଲିଙ୍ଗ ମଧ୍ୟ ଏଠାରେ ଅଛି।

Health: ପୁଅର ଚିକିତ୍ସା ପାଇଁ ଅର୍ଥ ଅଭାବ, ଚିନ୍ତାରେ ଦାଦନ ପରିବାର

କୋଦଣ୍ଡ ରାମ ମନ୍ଦିର: କୋଦଣ୍ଡ ରାମ ମନ୍ଦିର ବେଲାରୀର ଏକ ପ୍ରସିଦ୍ଧ ମନ୍ଦିର। ଏହା ଏକ ଜାତୀୟ ସଂରକ୍ଷଣ ମାନ୍ୟତାପ୍ରାପ୍ତ ମନ୍ଦିର। କୁହାଯାଏ, ଯେଉଁ ସ୍ଥାନରେ ରାମ ବାଳି ବଧ କରି ସୁଗ୍ରୀବକୁ କିସ୍କିନ୍ଧ୍ୟାର ରାଜପଦରେ ଭୂଷିତ କରିଥିଲେ, ଏହା ସେହି ସ୍ଥାନ। ହାମ୍ପିର ଏହା ଏକ ଦର୍ଶନୀୟ ସ୍ଥାନ। ଏହି ମନ୍ଦିରର କାନ୍ଥରେ ସଂପୂର୍ଣ୍ଣ ରାମାୟଣ ଖୋଦିତ ହୋଇଥିବାର ଦେଖାଯାଏ। ମନ୍ଦିରର ‌ଗଠନ ଶୈଳୀ ଅତ୍ୟନ୍ତ ଆକର୍ଷଣୀୟ। ଏହାର ଗର୍ଭଗୃହରେ ରାମ, ସୀତା ଓ ଲକ୍ଷ୍ମଣଙ୍କର ସୁଦୃଶ୍ୟ ମୂର୍ତ୍ତି ପୂଜା ପାଉଛି। ଏହା ଗୋଟିଏ ପଥରରେ ନିର୍ମିତ। ମନ୍ଦିର ସମ୍ମୁଖରେ ଚକ୍ରତୀର୍ଥ ଘାଟ ରହିଛି।  ସାଧାରଣତଃ ରାମଙ୍କ ପାଦ ପାଖରେ ହନୁମାନ ଥିବାର ଦେଖାଯାଏ। ମାତ୍ର ଏଠାରେ ରାମଙ୍କ ନିକଟରେ ସୁଗ୍ରୀବ ମଥାନତ କରି ରହିଛନ୍ତି। ଏଣୁ ରାମ ଏଠାରେ ସୁଗ୍ରୀବଙ୍କୁ ରାଜପଦରେ ଭୂଷିତ କରିଥିବା ଅନୁମାନ କରାଯାଏ। ସୁଗ୍ରୀବ ଗୁମ୍ଫା: ହେମକୂଟ ପର୍ବତମାଳା ମଧ୍ୟରେ ରହିଛି ଏହି ଗୁମ୍ଫା। ଏହା ଏଥିପାଇଁ ପ୍ରସିଦ୍ଧ, ଯେ ଏଠାରେ ବାଳିଦ୍ବାରା ବିତାଡ଼ିତ ସୁଗ୍ରୀବ ତାଙ୍କର ଅନୁଗତ ହନୁମାନ, ଜାମ୍ବବାନ, ନଳ ଓ ନୀଳ ଆଦିଙ୍କ ସହିତ ବାସ କରୁଥିଲେ। ରାବଣ ଦ୍ବାରା ଅପହୃତ ହେଉଥିବା ବେଳେ ସୀତା ତାଙ୍କ ଦେହର ସବୁ ଅଳଙ୍କାର ତଳକୁ ଫିଙ୍ଗିଥିଲେ। ଏହି ଗୁମ୍ଫା ମଧ୍ୟରେ ସୁଗ୍ରୀବ ସେସବୁକୁ ସାଇତି ରଖିଥିଲେ।
-ଡକ୍‌ଟର ତୁଳସୀ ଓଝା