ଭୁବନେଶ୍ବର: ପ୍ରତ୍ୟେକ ବାପା, ମା ନିଜ ପିଲାକୁ ସବୁଠାରୁ ଉପରେ ରଖିବାକୁ ଚାହାନ୍ତି। ସେଥିପାଇଁ ଦିନରାତି ଏକ କରି ସେମାନେ ପ୍ରତ୍ୟେକ ବିଷୟ ପ୍ରତି ଧ୍ୟାନ ଦେଇଥାଆନ୍ତି। କିନ୍ତୁ ପିଲାଙ୍କୁ ପଢ଼ା ପ୍ରତି ଅଧିକ ଚାପ ମଧ୍ୟ ପିଲାଙ୍କୁ ବିରକ୍ତି ପ୍ରକାଶ କରାଏ। ଏପରିକି କିଛି ପିଲା ଅଛନ୍ତି ପାଠ ପ୍ରତି ଧ୍ୟାନ ଦିଅନ୍ତି ନାହିଁ। ଏଭଳି କ୍ଷେତ୍ରରେ ବାପା ମା’ ଚିନ୍ତାରେ ପଡ଼ିଯାଆନ୍ତି। ଅନେକଥର ବାପା-ମାଆମାନେ ଅଭିଯୋଗ ମଧ୍ୟ କରନ୍ତି ଯେ ସେମାନଙ୍କର ପିଲା ପାଠ ପଢ଼ିବାକୁ ବସୁଛି ସତ ହେଲେ ପିଲାର ମନ ପାଠ ପଢ଼ାରେ ଲାଗୁନି । ଏପରି କ୍ଷେତ୍ରରେ ବାପାମାଆମାନେ ପିଲାମାନଙ୍କୁ ଗାଳି ଦେଇ ଚାପ ପକାନ୍ତି। ତେଣୁ ଅଧିକ ଚିନ୍ତା ଓ ଚାପ ନ ନେଇ କିଛି ଟିପ୍ସ୍‌ ପ୍ରତି ଧ୍ୟାନ ଦେବା ଆବଶ୍ୟକ।

Advertisment

ଉତ୍ସାହିତ କରିବା

ପିଲାଟି ଯଦି ପଢ଼ାରେ ମନ ଦେଉନି କିମ୍ବା ଖରାପ ନମ୍ବର ଆଣୁଛି ତେବେ ଛୁଆଙ୍କୁ ବହୁ ଗାଳିମନ୍ଦ ଶୁଣିବାକୁ ହୁଏ। ତେଣୁ ଏ ସବୁ ପ୍ରତି ଧ୍ୟାନ ଦେବା ଆବଶ୍ୟକ। ମଝି‌ରେ ମଝିରେ ତା’ର ‌ଛୋଟ ଛୋଟ କଥା ପ୍ରତି ଧ୍ୟାନ ଦେଇ ପ୍ରଶଂସା ଦେବା ଉଚିତ। ପ୍ରଶଂସା ଶୁଣିବା ପରେ, ସେମାନେ ସେହି କାମ କରିବାକୁ ଚାହାଁନ୍ତି ଯାହା ଦ୍ୱାରା ସେମାନଙ୍କ ବାପାମାଆ ତାଙ୍କୁ ଅଧିକ ପ୍ରଶଂସା କରିବେ। ଯଦି ବାପାମାଆ ସେମାନଙ୍କ ପିଲାଙ୍କୁ ଅନ୍ୟ କାହା ସହ ତୁଳନା କରନ୍ତି ତେବେ ଏହା ସେମାନଙ୍କ ମନବଳକୁ ହ୍ରାସ କରେ। ଏମିତି କରିବା ଠାରୁ ଦୂରେଇ ରୁହନ୍ତୁ ଏବଂ ସେମାନଙ୍କର ଭୁଲ ଖୋଜିବା ଏବଂ ତାଙ୍କୁ ଅନ୍ୟମାନଙ୍କ ସହିତ ତୁଳନା କରିବା ପରିବର୍ତ୍ତେ ପ୍ରଶଂସା କରନ୍ତୁ।

ଚାପ ନ ଦେବା

ପିଲାମାନଙ୍କୁ ପାଠପଢ଼ା ପ୍ରତି ଚାପ ନ ପକାଇ ସେମାନକୁ ଏ ଦିଗରେ ଉତ୍ସାହିତ କରନ୍ତୁ। ଚାପ ପିଲାଙ୍କ ଉପରେ ନକରାତ୍ମକ ପ୍ରଭାବ ପକାଇଥାଏ। ଏହି କାରଣରୁ, ସେମାନେ ପାଠପଢ଼ାକୁ ଏକ ଭାର ବୋଲି ଭାବନ୍ତି। ତେଣୁ ସେମାନଙ୍କ ଉପରେ ଅତ୍ୟଧିକ ଚାପ ପକାନ୍ତୁ ନାହିଁ। ହସି-ଖେଳି ପିଲାମାନଙ୍କୁ ପାଠପଢ଼ାର କଠିନ ବିଷୟ ବୁଝାଇବାକୁ ଚେଷ୍ଟା କରିବା ଉଚିତ।

ଆହୁରି ପଢନ୍ତୁ- Thumb sucking: ପିଲାମାନେ ପାଟିରେ ଆଙ୍ଗୁଠି ପୁରାଉଛନ୍ତି କି ?

ଉତ୍ତମ ପରିବେଶ ଲୋଡ଼ା

ପିଲାମାନେ ପାଠପଢ଼ା ପ୍ରତି ମନ ନ ଦେବାର ଗୋଟିଏ ବଡ କାରଣ ହେଉଛି ଘରେ ଉପଯୁକ୍ତ ପରିବେଶ। ଏହି କାରଣରୁ, ବାରମ୍ବାର ଗାଳି କରିବା ପରେ ମଧ୍ୟ ପିଲାମାନେ ପାଠପଢ଼ା ପ୍ରତି ଆଗ୍ରହ ଦେଖାନ୍ତି ନାହିଁ। ଯଦି ଆପଣ ପିଲାକୁ କିଛି ନ କହି ପାଠପଢ଼ା ପ୍ରତି ସେମାନଙ୍କ ଆଗ୍ରହ ସୃଷ୍ଟି କରିବାକୁ ଚାହାନ୍ତି, ତେବେ ସର୍ବପ୍ରଥମେ ଘରର ପରିବେଶକୁ ଶାନ୍ତ ରଖନ୍ତୁ। ସେହି ସ୍ଥାନକୁ ସେଟ୍ଅପ୍ କରନ୍ତୁ ଯେଉଁଠି ତାଙ୍କ ପସନ୍ଦ ଚେୟାର, ଟେବୁଲ୍‌ ଓ ବହି ରହିବା ଦରକାର।

ଆହୁରି ପଢନ୍ତୁ- Fertility ଆଶଙ୍କାରେ ସନ୍ତାନ ସ୍ବପ୍ନ: ହ୍ରାସ ପାଉଛି ପୁରୁଷଙ୍କ ଶୁକ୍ରାଣୁ, କମୁଛି ପ୍ରଜନନ କ୍ଷମତା... କାରଣ ଶୁଣିଲେ ବୁଲେଇଦେବ ମଥା

ରିପୋର୍ଟ- ପ୍ରଗତି ସାହୁ