ଲକ୍ଷ୍ମୀଚରଣ ପାଢ଼ୀ
ଗଞ୍ଜାମ: ଗଞ୍ଜାମ ସହରର ଋଷିକୁଲ୍ୟା ମୁହାଣ ନିକଟରେ ଅବସ୍ଥିତ ପାରାଭାଡ଼ି ଗମ୍ବୁଜ। ବ୍ରିଟିସ୍ ଅମଳରେ ନିର୍ମିତ ଏହି ୪୦୦ ବର୍ଷ ପୁରୁଣା ପାରାଭାଡ଼ି ଅନେକ ଐତିହାସିକ ଘଟଣାର ମୂକସାକ୍ଷୀ। କିନ୍ତୁ ବହୁବାର ଦାବି ସତ୍ତ୍ବେ ଏହି କୀର୍ତ୍ତିରାଜିର ସୁରକ୍ଷା ଦିଗରେ ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ ହୋଇପାରୁନି କି ପର୍ଯ୍ୟଟନସ୍ଥଳର ମାନ୍ୟତା ମିଳୁନି। ପାରାଭାଡ଼ି ନିର୍ମାଣ ପଛରେ ଅନେକ ଐତିହାସିକ ତଥ୍ୟ ରହିଛି। ଗବେଷକ ଡ.ଅନନ୍ତରାମ କର କହନ୍ତି, ପାଞ୍ଚଶହ ବର୍ଷ ତଳେ ପାରା ସାହାଯ୍ୟରେ ଚିଠିପତ୍ର ନେବାଦେବା ହେଉଥିଲା। ଆଉ ପୂର୍ବ ଭାରତରେ ଗଞ୍ଜାମ ସହର ଏହି ସେବା କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା। ୧୬୦୪ ମସିହାରେ ଗଞ୍ଜାମ ସହର ହାଇଦ୍ରାବାଦ ନିଜାମଙ୍କ ଅଧୀନକୁ ଚାଲିଗଲା। ସେତେବେଳର ଗୋଲକୁଣ୍ଡା ପ୍ରଶାସନ ପାରା ମାଧ୍ୟମରେ ଚିଠିପତ୍ର ନିଆଦିଆ ସେବାକୁ ଗଞ୍ଜାମ ଜିଲ୍ଲାରେ ଆରମ୍ଭ କରିଥିଲେ। ୧୭୭୦ରେ ଗଞ୍ଜାମ ବ୍ରିଟିସ୍ ଅଧୀନକୁ ଯିବା ପରେ ବି ଏହି ସେବା ଚାଲୁ ରହିଥିଲା। ଗଞ୍ଜାମରୁ ମାଡ୍ରାସ୍ ୧୦୭୫ କିଲୋମିଟର ଦୂରକୁ ଖବର ପଠାଇବାକୁ ପାରାମାନେ ନିୟୋଜିତ ହୋଇଥିଲେ। ଏଥିପାଇଁ ପାରାମାନଙ୍କୁ ସ୍ବତନ୍ତ୍ର ତାଲିମ ଦିଆଯାଉଥିଲା। ପୋତାଗଡ଼ ନିକଟରେ ପାରାମାନଙ୍କ ଆଶ୍ରୟସ୍ଥଳ ପାଇଁ ପାରାଭାଡ଼ି ଗମ୍ବୁଜ ନିର୍ମାଣ ହୋଇଥିଲା। ଏହି ୪୦ ଫୁଟ ଉଚ୍ଚ ଗମ୍ବୁଜ ଭିତରେ ୧୦୦୦ରୁ ଅଧିକ ପାରା ରହିବାକୁ ଘରା ରହିଛି। ଏବେ ମଧ୍ୟ ପାରାମାନେ ସେଠାରେ ରହୁଥିବା ଦେଖିବାକୁ ମିଳେ।
୪୦ ଫୁଟ ଉଚ୍ଚ ଗମ୍ବୁଜରେ ହଜାରେ ଘରା
ଡାକସେବା ଯୋଗାଉଥିଲେ ପାରା
କେବଳ ସେତିକି ନୁହେଁ, ୧୯୭୦-୮୦ ମସିହା ପର୍ଯ୍ୟନ୍ତ ଅବିଭକ୍ତ ଗଞ୍ଜାମ ଜିଲ୍ଲାର ପାରଳାଖେମୁଣ୍ଡି, କନ୍ଧମାଳର ଘୁ.ଉଦୟଗିରି, ସେରଙ୍ଗ ଓ ରାଇକିଆ ଆଦି ଅଞ୍ଚଳକୁ ପାରା ଡାକସେବା ଉପଲବ୍ଧ ଥିଲା। ଏହି ସେବାକୁ ପୁଲିସ ପାରା କୁହାଯାଉଥିଲା। ପାରାମାନେ ମାଡ୍ରାସ୍ରୁ ଚିଠିପତ୍ର ଧରି ବିଶାଖାପାଟଣା ନିକଟସ୍ଥ ଏକ ସ୍ଥାନକୁ ଆସି ପୁଣି ଗଞ୍ଜାମ ଓ ଛତ୍ରପୁରରେ ପହଞ୍ଚୁଥିଲେ। ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଗଞ୍ଜାମର ପାରା ଡାକସେବା ଛତ୍ରପୁରରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲା।
Accident In Ganjam: ସିରିଜ ଦୁର୍ଘଟଣା ନେଲା ଜଣଙ୍କ ଜୀବନ, ଦୁଇ ଗୁରୁତର
ପାରାଭାଡ଼ି ଗମ୍ବଜକୁ ଐତିହାସିକ ସ୍ମାରକୀ ଓ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦେବାକୁ ବିଭିନ୍ନ ସମୟରେ ସ୍ବରୋତ୍ତୋଳନ ହୋଇଥିଲେ ହେଁ କୌଣସି ସୁଫଳ ମିଳୁନି। ୨୦୨୩ରେ ‘ଭରସା’ ଅନୁଷ୍ଠାନର ସମ୍ପାଦକ ଦୁର୍ଗାମାଧବ ପାଣିଗ୍ରାହୀ ଜିଲ୍ଲାପାଳ, ବିଧାୟକ, ସାଂସଦ, ପର୍ଯ୍ୟଟନ ସଚିବ ଓ ପୂର୍ବତନ ଉପବାଚସ୍ପତିଙ୍କୁ ଲିଖିତ ଭାବେ ଅବଗତ କରିଥିଲେ। ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ଏ ସଂକ୍ରାନ୍ତରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ମଧ୍ୟ ଲେଖିଥିଲେ। ଅନ୍ୟପକ୍ଷରେ ଜିଲ୍ଲାପାଳ ଭି.କୀର୍ତ୍ତିଭାସନ୍ ଗତବର୍ଷ ଅଗଷ୍ଟ ମାସରେ ଏହି ସ୍ଥାନ ପରିଦର୍ଶନ କରିଥିଲେ। ଏହାର ସଫେଇ ସହ ଡ୍ରୋନ୍ ଫଟୋ ଉଠାଯାଇଥିଲା। ପାରାଭାଡ଼ି ଜମିର ସଂପୂର୍ଣ୍ଣ ବିବରଣୀ ଦେବାକୁ ତହସିଲଦାର, ବିଡିଓ ଓ ଗଞ୍ଜାମ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ଜିଲ୍ଲାପାଳ। ତେବେ ଇତିହାସର ଏହି ସ୍ମାରକୀ ଉପରେ ପର୍ଯ୍ୟଟନ ବିଭାଗର କୃପାଦୃଷ୍ଟି କେବେ ପଡ଼ିବ ତାହା ଦେଖିବାକୁ ବାକି ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2026/03/02/ssrututu-2026-03-02-02-53-09.jpg)