Tribute to He-Man: ଶ୍ରଦ୍ଧାଞ୍ଜଳି ହି-ମ୍ୟାନ୍‌: ନିଆଁ ଭଳି ପ୍ରଚଣ୍ଡ ଫୁଲ ଭଳି କୋମଳ

କିଛି ବିରଳ ବ୍ୟକ୍ତିତ୍ବ କେବଳ ସମୟ ସାଥିରେ ଜୀବନ ବଞ୍ଚନ୍ତିନି, ସମୟ ଉପରେ ନିଜର ଛାପ ଛାଡ଼ି ଯାଆନ୍ତି। ଅଭିନେତା ଧର୍ମେନ୍ଦ୍ର ଥିଲେ ସେମିତି। ଆଜି ସକାଳେ ତାଙ୍କ ଦେହାନ୍ତର ଖବର ସାରା ଦେଶକୁ, ବିଶେଷକରି ସିନେମାପ୍ରେମୀଙ୍କୁ ଶୋକରେ ନିର୍ବାକ କରିଦେଇଛି।

dgjgjgjdgj

କିଛି ବିରଳ ବ୍ୟକ୍ତିତ୍ବ କେବଳ ସମୟ ସାଥିରେ ଜୀବନ ବଞ୍ଚନ୍ତିନି, ସମୟ ଉପରେ ନିଜର ଛାପ ଛାଡ଼ି ଯାଆନ୍ତି। ଅଭିନେତା ଧର୍ମେନ୍ଦ୍ର ଥିଲେ ସେମିତି। ଆଜି ସକାଳେ ତାଙ୍କ ଦେହାନ୍ତର ଖବର ସାରା ଦେଶକୁ, ବିଶେଷକରି ସିନେମାପ୍ରେମୀଙ୍କୁ ଶୋକରେ ନିର୍ବାକ କରିଦେଇଛି। ‌ସଫଳତା ଓ ଲୋକପ୍ରିୟତାର ଶୀର୍ଷରେ ଥିଲେହେଁ ନିଜ ଭିତରେ ଶିଶୁସୁଲଭ ସରଳତାକୁ ବଞ୍ଚାଇ ରଖିଥିବା ଧର୍ମେନ୍ଦ୍ରଙ୍କ ଦେହାନ୍ତରେ ବଲିଉଡ୍‌ରେ ଗୋଟିଏ ପିଢ଼ିର ଅଭିନୟ ପରମ୍ପରାର ଅନ୍ତ ଘଟିଛି କହିଲେ ଭୁଲ୍‌ ହେବନି।

୩୦୦ ଚଳଚ୍ଚିତ୍ର 
୧୯୬୦ ମସିହାରେ ଫିଲ୍ମ ‘ଦିଲ୍ ଭି ମେରା ହମ୍ ଭି ତେରେ’ରୁ ତାଙ୍କର ଅଭିନୟ ଜୀବନ ଆରମ୍ଭ ହୋଇଥିଲା। ତେବେ ଏହି ଫିଲ୍ମଟି ବକ୍ସ ଅଫିସରେ ସଫଳତା ପାଇ ନଥିଲେ ମଧ୍ୟ ଏହା ତାଙ୍କୁ ସିନେଶିଳ୍ପରେ ପରିଚୟ ଦେଇଥିଲା। ଏହାପରେ ସେ ଫିଲ୍ମ ‘ଶୋଲା ଔର ଶବନମ୍’ରେ ଅଭିନୟ କରିଥିଲେ, ଯାହାକି ବକ୍ସ ଅଫିସ୍‌ରେ ସଫଳତା ହାସଲ କରିଥିଲା। ପରେ ଧର୍ମେନ୍ଦ୍ର ‘ଅନ୍‌ପଢ଼’, ‘ବନ୍ଦିନୀ’, ‘ଆୟି ମିଲନ୍‌ କି ବେଲା’, ‘ହକିକତ୍‌’, ‘ଫୁଲ ଔର ପଥର୍’, ‘ମମତା’, ‘ଅନୁପମା’, ‘ଇଜ୍ଜତ’, ‘ଆଁଖେ’, ‘ଶିଖର’, ‘ମଝଲି ଦିଦି’, ‘ଚନ୍ଦନ୍ କା ପାଲନା’, ‘ଦୋ ରାସ୍ତେ’, ‘ସତ୍ୟକାମ୍’, ‘ଆଦମୀ ଔର ଇନସାନ୍’  ଭଳି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। ତେବେ ୧୯୭୦ ଦଶକରେ ମୁକ୍ତିଲାଭ କରିଥିବା ‘ଶୋଲେ’,‘ସୀତା ଔର ଗୀତା’, ‘ଦୋସ୍ତ’,‘ୟାଦୋଁକି ବାରାତ୍’ , ‘ଚୁପକେ ଚୁପକେ’ ଓ ‘ଧରମ ବୀର’ ଚଳଚ୍ଚିତ୍ରରେ ଧର୍ମେନ୍ଦ୍ରଙ୍କ ଅଭିନୟ ତାଙ୍କୁ ସଫଳତାର ନୂତନ ଶିଖରକୁ  ନେଇଯାଇଥିଲା। ୧୯୮୦ ଦଶକରେ ‘ଦ ବର୍ଣ୍ଣିଂ ଟ୍ରେନ୍’, ‘ହୁକୁମତ୍‌’, ‘ରାମ ବଳରାମ’ ଓ  ‘ଗଜବ’ ଆଦି ଛବି ତାଙ୍କ ଲୋକପ୍ରିୟତାକୁ ବଜାୟ ରଖିଥିଲା। ସେ ତାଙ୍କ କ୍ୟାରିୟରରେ ପ୍ରାୟ ୩୦୦ଟି ଚଳଚ୍ଚିତ୍ରରେ କାମ କରିଥିଲେ।

ଆମେ ଭାରତୀୟ ସିନେ ଦର୍ଶକମାନେ ପିଢ଼ି ପରେ ପିଢ଼ି ଧର୍ମେନ୍ଦ୍ରଙ୍କ ସିନେମା ଦେଖି ଆସିଛୁ, ତାଙ୍କୁ ବିଶ୍ବାସ କରି ଆସିଛୁ; ତାଙ୍କ ଶରୀରର ଶକ୍ତି ଉପରେ, ତାଙ୍କ ସ୍ବରର ଦୃଢ଼ତା ଉପରେ ଭରସା କରି ଆସିଛୁ। ତାଙ୍କ ମୃତ୍ୟୁରେ କେବଳ ଜଣେ ବଡ଼ ତାରକାର ଅନ୍ତ ଘଟିନି, ଆମ ସାମୂହିକ ସ୍ମୃତିର ଗୋଟିଏ ସୁନ୍ଦର ଉଜ୍ଜ୍ବଳ ଅଧ୍ୟାୟ ନିରବରେ ଶେଷ ହୋଇ ଯାଇଛି। ଅଭିନେତା ଧର୍ମେନ୍ଦ୍ର ଥିଲେ ଏମିତି ଜଣେ ବ୍ୟକ୍ତିତ୍ବ, ଯାହାଙ୍କ ଅଭିନୟ ଭିତରେ ଅନ୍ୟାୟକୁ ପୋଡ଼ି ପାଉଁଶ କରିଦେବାଭଳି ପ୍ରଚଣ୍ଡ ନିଆଁ ତ ଥିଲା, ଥିଲା ବି ସକାଳର ପହିଲି କିରଣରେ ଝଲସୁଥିବା ଫୁଲର କୋମଳତା। ସେ ‘ହି-ମ୍ୟାନ୍‌’ ଭାବେ ପରିଚିତ ଥିଲେ, କିନ୍ତୁ କବି ଭଳି ସାୟରି ବି ଆବୃତ୍ତି କରୁଥିଲେ ଭାଷଣରେ। ଆଶ୍ଚର୍ଯ୍ୟର କଥା ଯେ ଉଭୟରେ ସେ ସ୍ବାଭାବିକ ଓ ସରଳ ଲାଗୁଥିଲେ, ବିଶ୍ବସନୀୟ ଓ ଗ୍ରହଣୀୟ ହେଉଥିଲେ। ଏ ଥିଲା ତାଙ୍କର ନିଆରାପଣ। ଏ ନିଆରାପଣର କାରଣ ହେଉଛି, ‌ଏସବୁ କୃତ୍ରିମ ନଥିଲା, ଜିମ୍‌ ବା ଆକ୍ଟିଂକ୍ଲାସ୍‌ରେ ପଢ଼ା ହେଉଥିବା ‘କଳା’ ନଥିଲା; ଥିଲା ପ୍ରକୃତିକ ଓ ସ୍ବାଭାବିକ; ତେଣୁ ଅଭଙ୍ଗା ଓ ଚିରନ୍ତନ ଥିଲା ମଧ୍ୟ।

ଧର୍ମେନ୍ଦ୍ର ଜନ୍ମ ହୋଇଥିଲେ ୧୯୩୫, ଡିସେମ୍ବର ୮ ତାରିଖରେ, ପଞ୍ଜାବର ଲୁଧିଆନା ଜିଲ୍ଲାରେ ଥିବା ଗାଁ ନସରାଲିରେ, ଏକ ନିମ୍ନ ମଧ୍ୟବିତ୍ତ ଜାଠ୍‌-ଶିଖ୍‌ ପରିବାରରେ। ତାଙ୍କ ପିତୃଦତ୍ତ ନାଁ ହେଉଛି ଧରମ୍‌ ସିଂହ ଦେଓଲ୍‌। ବାପା ଥିଲେ ସ୍କୁଲ ଶିକ୍ଷକ। ସ୍ବାଭାବିକ ଭାବେ ସ୍କୁଲ ଶିକ୍ଷକ ବାପା ଚାହୁଥିଲେ ଧରମ୍‌ ପାଠ ପଢ଼ନ୍ତୁ ଓ ପ୍ରଫେସର ହୁଅନ୍ତୁ। କିନ୍ତୁ ତାଙ୍କର ପାଠରେ ବିଶେଷ ମନ ନଥିଲା। ନବମ ଶ୍ରେଣୀରେ ଯେବେଠୁ ସେ ଫିଲ୍ମ ଦେଖିବା ଆରମ୍ଭକଲେ, ସ୍ବପ୍ନ ଦେଖିଲେ ଅଭିନେତା ହେବାକୁ। ନିଜ ମନକଥା ସେ ମାଆଙ୍କୁ ଜଣେଇଲେ ତ ମା’ କହିଲେ, ‘’ତୁ ଘରର ବଡ଼ପୁଅ, ତୋ’ ଉପରେ ପୂରା ପରିବାରର ଦାୟିତ୍ବ ଅଛି। ତୁ କେମିତି ସିନେମାରେ ପଶିବୁ!’’ ‌ଧରମ୍‌ଙ୍କୁ ଦୁଃଖ ଲାଗିଲା, କିନ୍ତୁ ମନରୁ ଫିଲ୍ମ ନିଶା କଟିଲାନି। ସେହି ସମୟରେ ମୁମ୍ବାଇର ଏକ ଫିଲ୍ମ ପତ୍ରିକା ପକ୍ଷରୁ ‌ହେଉଥିବା ନୂଆ ଅଭିନେତା ପ୍ରତିଯୋଗିତା ‌ସଂପର୍କରେ ସେ ଜାଣିବାକୁ ପାଇଲେ। ସେଥିପାଇଁ ନିଜର ଫଟୋ ଓ ବାୟୋଡାଟା ପଠାଇବାର ଥିଲା। ଏତେବଡ଼ ପ୍ରତିଯୋଗିତାରେ ଧରମ୍‌ ବିଜୟୀ ହୋଇପାରିବେନି ବୋଲି ଭାବୁଥିବା ମା’ ମନ ବୁଝାଇବାଲାଗି ସେଠାକୁ ଦରଖାସ୍ତ ପଠାଇବାଲାଗି ତାଙ୍କୁ ଅନୁମତି ଦେଇଥିଲେ। ଆଶ୍ଚର୍ଯ୍ୟର କଥା ପ୍ରାଥମିକ ବଛାବଛି ପରେ ଧରମ୍‌ଙ୍କୁ ମୁମ୍ବାଇ ଡ଼ାକରା ଆସିଲା। ମା’ ନିଜର କିଛି ଗହଣା ବିକ୍ରିକରି ତାଙ୍କୁ ଟଙ୍କା ଦେଇଥିଲେ। ତା’କୁ ନେଇ ଧରମ୍‌ ମୁମ୍ବାଇ ଟ୍ରେନ୍‌ରେ ଚଢ଼ିଲେ। କହିବା ଅନାବଶ୍ୟକ ଯେ ସେ ପ୍ରତିଯୋଗିତାରେ ଧରମ୍‌ ହିଁ ପ୍ରଥମ ହେଲେ। 

ତା’ ପରର ଘଟଣା ଆଜି ଇତିହାସ। ଉପରୋକ୍ତ ପ୍ରତିଯୋଗିତାର ଫଳାଫଳ ଉପରେ ତାଙ୍କୁ ସୁଯୋଗ ମିଳିଥିଲା ‘ଦିଲ୍‌ ଭି ତେରା ହମ୍‌ ଭି ତେରେ’ (୧୯୬୦)ରେ। ଫିଲ୍ମଟି ସଫଳ ହୋଇ ନଥିଲା ଓ ଧରମ୍‌ଙ୍କୁ ସେଥିରୁ ବିଶେଷ ଲାଭ ବି ହୋଇ ନଥିଲା। ବଲିଉଡ୍‌ରେ ପ୍ରାଥମିକ ବେଶ୍‌ କିଛି ବର୍ଷ ତାଙ୍କୁ ଛୋଟ ଛୋଟ ଭୂମିକାରେ ଅଭିନୟ କରି ନିଜ ଅଭିଜ୍ଞତା ଓ ଅଭିନୟକୁ ସଜାଡ଼ିବାକୁ ପଡ଼ିଥିଲା। ଅପେକ୍ଷା ଥିଲା ଗୋଟେ ବଡ଼ ସୁଯୋଗକୁ। 

ଚର୍ଚ୍ଚିତ ସଂଳାପ
ବସନ୍ତୀ, ଇନ୍ କୁତୋଁ କେ ସାମ୍‌ନେ ମତ ନାଚ୍‌ନା
ଇସ୍କ ଏକ୍‌ ଇବାଦତ୍‌ ହେ, 
ଇବାଦତ ମେ ଝୁଠ୍‌ ନେହିଁ ଚଲ୍‌ତା
ହମ୍‌ ପ୍ୟା‌ର୍‌ ମେ ହାର୍‌କର୍‌ ଭି ଜିତ୍‌ ଜାତେ ହେ
ତୁମ୍‌ ମୁସ୍କୁରାତୀ ରହୋ, ୟହି ମେରି ଜିତ ହେ
ଜିସ‌୍‌ନେ ମୋହବତ କି, ବୋ ଡର କେ ନେହିଁ ଜିତା
ହମ୍‌ ତାଲି ଭି ବଜା ସକ୍‌ତେ ହେ ଔର 
ଗାଲିୟାଁ ଭି ଦେ ସକ୍‌ତେ ହେ
ହମ୍‌ ତୋ ସରିଫ୍ ଲଗ୍‌ତେ ହେ,
ପର୍‌ କାମ୍ ବହତ୍‌ ବୁରେ କର୍‌ତେ ହେ
ମାଁ କେ ଆଂଚଲ୍‌ ସେ ବଡ଼ି କୋଇ 
ଛାଓ ନେହି ହୋତି
ହମ୍‌ ଭି କିସିସେ କମ୍ ନେହିଁ
ଦିଲ୍‌ ଭି ‌କୋଇ ଚିଜ୍‌ ହେ ଜୋ ହର କିସି କୋ ଦେ ଦୁଁ?
Bhadrak District BJD: ଭଦ୍ରକ ଜିଲ୍ଲାରେ ଖଣ୍ଡଖଣ୍ଡ ହୋଇଯିବ ବିଜେଡି ସଙ୍ଗଠନ: ନେତା କର୍ମୀ ଛାଡୁଛନ୍ତି ଦଳ, ବିଜେପିରେ ମହାମିଶ୍ରଣ ପାଇଁ ସଜବାଜ!
ରୋମାନ୍‌ସରୁ ଆକ୍ସନ
‘ବନ୍ଦିନୀ’ (୧୯୬୩) ଓ ‘ଅନୁପମା’ (୧୯୬୬) ଭଳି ସଫଳ ଫିଲ୍ମ ଜରିଆରେ ଭଦ୍ର ଓ ରୋମାଣ୍ଟିକ୍‌ ହିରୋର ପରିଚୟ ପାଇଥିବା ଧର୍ମେନ୍ଦ୍ରଙ୍କର ୧୯୬୬ରେ ଆସିଥିଲା ‘ଫୁଲ୍‌ ଔର୍‌ ପଥର୍‌’। ଫିଲ୍ମରେ ଧର୍ମେନ୍ଦ୍ରଙ୍କର ଫାଇଟିଂ ଦର୍ଶକଙ୍କୁ ଭଲ ଲାଗିଥିଲା। ବିଶେଷକରି ତାଙ୍କର ସାର୍ଟଖୋଲା ରୂପ ମହିଳାମାନଙ୍କୁ ପାଗଳ କରିଥିଲା। ‘ଫୁଲ୍‌ ଔର୍‌ ପଥର୍‌’ ଧର୍ମେନ୍ଦ୍ରଙ୍କୁ ବଲିଉଡ୍‌ର ‘ହି-ମ୍ୟାନ୍‌’ ନାଁ ମଧ୍ୟ ଦେଇଥିଲା। ତେବେ ଧର୍ମେନ୍ଦ୍ରଙ୍କ ଅଭିନୀତ ଦୁଇଟି ଚଳଚ୍ଚିତ୍ର ରିଲିଜ୍‌ ଅପେକ୍ଷାରେ ରହିଛି। ଶ୍ରୀରାମ୍‌ ରାଘବନ୍‌ଙ୍କ ନିର୍ଦ୍ଦେଶିତ ୱାର ଡ୍ରାମା ‘ଇକ୍କିସ୍‌’ରେ ସେ ଅମିତାଭ ବଚ୍ଚନଙ୍କ ନାତି ଅଗସ୍ତ୍ୟ ନନ୍ଦାଙ୍କ ପିତା ଭୂମିକାରେ ଅଭିନୟ କରିଛନ୍ତି। ଏହା ସହିତ ତାଙ୍କ ଅଭିନୀତ ପାରିବାରିକ ଚଳଚ୍ଚିତ୍ର ‘ଅପନେ’ର ସିକ୍ୱେଲ୍ ‘ଅପନେ -୨’ମଧ୍ୟ ମୁକ୍ତି ଅପେକ୍ଷାରେ ରହିଛି।

ମୁଁ ଜଣେ ବନ୍ଧୁ, ଭାଇଙ୍କୁ ହରାଇଲି: ଜିତେନ୍ଦ୍ର
ବଲିଉଡ୍‌ର ଅନ୍ୟତମ ଭେଟେରାନ୍‌ ଅଭିନେତା ଜିତେନ୍ଦ୍ର ଧର୍ମେନ୍ଦ୍ରଙ୍କ ପରଲୋକ ଖବରରେ ଖୁବ୍ ଭାବବିହ୍ବଳ ହୋଇପଡ଼ିଛନ୍ତି। ଏହି ଦୁଃଖକୁ ସେ ଶବ୍ଦରେ ପ୍ରକାଶ କରି‌ ହେବନି ବୋଲି କହିଛନ୍ତି। ମୁଁ ନିଜର ଜଣେ ବନ୍ଧୁ, ମୋର ଭାଇଠାରୁ ବି ଆହୁରି ନିଜର ଲୋକକୁ ହରାଇଦେଇଛି ବୋଲି ସେ କହିଛନ୍ତି। ଆମେ ଗତ କିଛି ଦଶନ୍ଧି ହେଲା ବହୁତ କମ୍‌ ସମୟ ପରସ୍ପରକୁ ଭେଟୁଥିଲେ ମଧ୍ୟ ବନ୍ଧୁତା ସର୍ବଦା ନିବିଡ଼ ରହିଥିଲା। ତାଙ୍କ ସହିତ କେବଳ ଜଣେ ସହ କଳାକାରର ସମ୍ପର୍କ ନଥିଲା, ଏହାଠାରୁ ବହୁ ଅଧିକ ଭଲ ସମ୍ପର୍କ ରହିଥିଲା। ଆମେ ଏକାଠି ଯେଉଁ ସମୟ କାଟିଛୁ, ତାହା ସର୍ବଦା ମୋର ହୃଦୟରେ ରହିବ। ତାଙ୍କ ପରିବାର ଓ ବନ୍ଧୁ ପରିଜନଙ୍କ ପ୍ରତି ମୋର ଗଭୀର ସମବେଦନା ରହିଛି ବୋଲି ଜିତେନ୍ଦ୍ର କହିଛନ୍ତି।

ମନୋରଞ୍ଜନ ଦୁନିଆ ପାଇଁ ଦୁଃଖଦ ଦିନ: ଜୟା ପ୍ରଦା
ଅଭିନେତ୍ରୀ ଜୟା ପ୍ରଦା ଧର୍ମେନ୍ଦ୍ରଙ୍କ ପରଲୋକରେ ଦୁଃଖ ପ୍ରକାଶ କରିବା ସହିତ ମନୋରଞ୍ଜନ ଦୁନିଆ ପାଇଁ ଆଜିର ଦିନଟିକୁ ଦୁଃଖଦ ଦିନ ବୋଲି କହିଥିଲେ। ଏହା ଏକ ବଡ଼ କ୍ଷତି, ମୁଁ କିଛି ଦିନ ତଳେ ତାଙ୍କୁ ଭେଟିଥିଲି, ସେ ସର୍ବଦା ଖୁବ୍‌ ଖୁସି ମିଜାଜ୍‌ର ବ୍ୟକ୍ତି ଥିଲେ।

ହି-ମ୍ୟାନ୍‌ ନୁହେଁ ସଫ୍ଟମ୍ୟାନ୍‌ ଥିଲେ: ମୌସୁମୀ ଚାଟାର୍ଜୀ
ଧର୍ମେନ୍ଦ୍ରଙ୍କ ବିନମ୍ର ବ୍ୟବହାର, ଉଦାରତା ସମସ୍ତଙ୍କୁ ଗଭୀର ଭାବେ ପ୍ରଭାବିତ କରିଥିଲା। ଅଭିନେତ୍ରୀ ମୌସୁମୀ ଚାଟାର୍ଜୀ ସେହି କଥାକୁ ମନେ ପକାଇ ଧର୍ମେନ୍ଦ୍ରଙ୍କୁ ‘ହି-ମ୍ୟାନ୍‌’ ନୁହେଁ ‘ସଫ୍ଟମ୍ୟାନ୍‌’ ବୋଲି କହିଛନ୍ତି। ଧର୍ମେନ୍ଦ୍ର ସର୍ବଦା ହସହସ ମୁହଁରେ ରହୁଥିଲେ ଓ ହସ ତାଙ୍କ ମୁଖମଣ୍ଡଳର ଚମକକୁ ଅଧିକ ବଢ଼ାଇ ଦେଉଥିଲା ବୋଲି ସେ କହିଛନ୍ତି। ତାଙ୍କ ପରଲୋକ ଏକ ବଡ଼ କ୍ଷତି, ମୁଁ ସର୍ବଦା ତାଙ୍କୁ ମନେପକାଇବି, ସମସ୍ତେ ତାଙ୍କୁ ଝୁରି ହେଉଥିବେ‌ ବୋଲି କହିଛନ୍ତି। 

ବିଶାଳ ହୃଦୟର ବ୍ୟକ୍ତିତ୍ବ: ପ୍ରିୟା ଦତ୍ତ
ବିଗତ ଦିନର ଅଭିନେତା ସୁନିଲ ଦତ୍ତଙ୍କ ଝିଅ ତଥା ପୂର୍ବତନ ସାଂସଦ ପ୍ରିୟା ଦତ୍ତ ‘ଏକ୍ସ’ରେ ଧର୍ମେନ୍ଦ୍ରଙ୍କ ପରଲୋକରେ ଶୋକବ୍ୟକ୍ତ କରିଛନ୍ତି। ‌ସେ ନିଜ ପିତା ସୁନିଲ ଦତ୍ତ ଓ ଧର୍ମେନ୍ଦ୍ରଙ୍କ ଏକ ଫ‌ଟୋ ସେୟାର କରି ଲେଖିଛନ୍ତି, ଧର୍ମେନ୍ଦ୍ରଙ୍କ ପରି ବିଶାଳ ହୃଦୟ ଓ ଖାଣ୍ଟି ସୁନା ପରି ବ୍ୟକ୍ତିତ୍ବଙ୍କ ପରଲୋକ ଏକ ଯୁଗର ଅନ୍ତ ହେବା ପରି ହୋଇଛି। ବଲିଉଡ୍‌ର ପ୍ରକୃତ ହି-ମ୍ୟାନ୍‌ ଆମ ଭିତରେ ଆଉ ନାହାନ୍ତି। ତାଙ୍କ କାମ, ତାଙ୍କର ଭିନ୍ନ ଠାଣି ଓ ଉଷ୍ଣତା ସର୍ବଦା ଆଗାମୀ ପିଢ଼ିକୁ ମାର୍ଗଦର୍ଶନ କରିବ।

୨୦୦୪ରେ ବିକାନେର ସାଂସଦ
୨୦୦୪ରେ ଧର୍ମେନ୍ଦ୍ର ରାଜସ୍ଥାନର ବିକାନେର୍‌ରୁ ବିଜେପି ଟିକେଟ୍‌ରେ ଲୋକସଭା ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ। ଧର୍ମେନ୍ଦ୍ର କଂଗ୍ରେସ ପ୍ରାର୍ଥୀ ଚୌଧୁରୀ ଲାଲ ଦୁଡ଼ିଙ୍କୁ ପାଖାପାଖି ୬୦,୦୦୦ ଭୋଟରେ ପରାସ୍ତ କରିଥିଲେ। କିନ୍ତୁ ରାଜନୀତି ତାଙ୍କୁ ଭଲ ଲାଗିନଥିଲା ଓ ସେ ଏଥିରୁ ଦୂରେଇ ଯାଇଥିଲେ। ସଂସଦ ଚାଲିବା ସମୟ‌ରେ ଫିଲ୍ମ ସୁଟିଂରେ ବ୍ୟସ୍ତ ରହୁଥିବା‌ରୁ ବିରୋଧୀଙ୍କ ସମାଲୋଚନାର ଶିକାର ହେଉଥିଲେ। ତେବେ ପରବର୍ତ୍ତୀ ସମୟରେ ପତ୍ନୀ ହେମା ମାଳିନୀ ଓ ପୁଅ ସନ୍ନି ଦେଓଲ ରାଜନୀତିରେ ଦେଓଲ ପରିବାରର ପରିଚୟ ବଜାୟ ରଖିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe