ବିଭୂତି ପତି

ପୂର୍ବ ହିମାଳୟ ‌କୋଳରେ ଅବସ୍ଥିତ ସିକ୍କିମ୍‌ରେ ଏକ ବିରଳ ଉଦ୍ଭିଦ ଦେଖିବାକୁ ମିଳେ। ସ୍ଥାନୀୟ ଲୋକେ ତାହାକୁ ସିକ୍କିମ ସୁନ୍ଦରୀ ବୋଲି ଅଭିହିତ କରିଥାନ୍ତି। ଉଦ୍ଭିଦ ବିଜ୍ଞାନୀଙ୍କ ଭାଷାରେ ଏହାର ନାମ ‘ରେଉମ୍ ନୋବିଲେ’। ଏହି ଚମତ୍କାର ଉଦ୍ଭିଦର ଫୁଲ ସିକ୍କିମର ଶ୍ରେଷ୍ଠ ଆକର୍ଷଣ ମଧ୍ୟରୁ ଅନ୍ୟତମ। ହିମାଳୟର ଶାନ୍ତ ପରିବେଶରେ ପର୍ଯ୍ୟଟକ ଓ ପର୍ବତାରୋହୀଙ୍କ ପାଇଁ ସିକ୍କିମ ସୁନ୍ଦରୀ ଫୁଲର ଦର୍ଶନ ଏକ ଆଧ୍ୟାତ୍ମିକ ଉପଲବ୍ଧି ଓ ସୌଭାଗ୍ୟ ବୋଲି ସ୍ଥାନୀୟ ଜନସାଧାରଣ ବିଶ୍ୱାସ କରନ୍ତି। ଭାରତର ସୁପ୍ରସିଦ୍ଧ ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ସିକ୍କିମ ସୁନ୍ଦରୀକୁ ସୌନ୍ଦର୍ଯ୍ୟ ଓ ଧୈର୍ଯ୍ୟର ଏକ ଉତ୍କୃଷ୍ଟ ଉଦାହରଣ ବୋଲି ବର୍ଣ୍ଣନା କରିଛନ୍ତି। ସିକ୍କିମ ସୁନ୍ଦରୀ ଉଦ୍ଭିଦ ହିମାଳୟର ୪୦୦୦ରୁ ୪୮୦୦ ମିଟର ଉଚ୍ଚତାରେ ଦେଖିବାକୁ ମିଳେ ଏବଂ ଏହା ଏକ ଗ୍ଲାସ୍ ହାଉସ୍ ପ୍ଲାଣ୍ଟ୍‌ ଭାବେ ପରିଚିତ। ଏହି ଉଦ୍ଭିଦର ଲମ୍ବା ଓ ସ୍ୱଚ୍ଛପତ୍ର ପ୍ରାକୃତିକ ଗ୍ରିନ୍ ହାଉସ୍ ସଦୃଶ କାର୍ଯ୍ୟକରି ଉତ୍ତାପ ପ୍ରତିରୋଧ କରେ ଏବଂ ପତ୍ର ଘୋଡ଼ାଇ ହୋଇ ରହିଥିବା ଅତ୍ୟନ୍ତ କୋମଳ ଫୁଲଗୁଡ଼ିକୁ ତୁଷାରପାତ, ଥଣ୍ଡା ପବନ ଓ ତୀବ୍ର ଅତିବାଇଗଣୀ ରଶ୍ମିରୁ ରକ୍ଷାକରେ। ହିମାଳୟର ପ୍ରାକୃତିକ ଦୃଶ୍ୟ ମଧ୍ୟରେ ଏହି ଉଦ୍ଭିଦ ଉଜ୍ଜ୍ୱଳ ପରାୟ ଦେଖାଯାଏ। ଏହା ପଥର ଓ ବରଫରେ ଚମକୁଥିବା ଏକ ଖମ୍ବ ଭଳି ଦୃଷ୍ଟିଗୋଚର ହୁଏ।

Advertisment

Government Scheme: ମମତା-ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନା: ୧୭,୧୧୦ ପଂଜୀକୃତ, ପାଇବେ ୧୧,୪୭୪

୧୮୫୫ ମସିହାରେ ଜୋସେଫ୍ ଡାଲ୍‌ଟନ୍ ହୁକର୍ ଓ ଥୋମାସ୍ ଥମ୍‌ସନ୍ ପ୍ରଥମେ ସିକ୍କିମ ସୁନ୍ଦରୀ ସଂପର୍କରେ ଉଲ୍ଲେଖ କରିଥିଲେ। ସିକ୍କିମ ସୁନ୍ଦରୀ ଏହାର ଅନନ୍ୟ ଜୀବନଚକ୍ର ପାଇଁ ପ୍ରକୃତିରେ ସ୍ୱତନ୍ତ୍ର ସ୍ଥାନ ଗ୍ରହଣ କରିଛି। ଏହା ମନୋକାର୍ପିକ୍ ଉଦ୍ଭିଦ ଶ୍ରେଣୀରେ ଅନ୍ତର୍ଭୁକ୍ତ, ଅର୍ଥାତ୍ ଯେଉଁ ଗଛ ନିଜ ଜୀବନକାଳରେ କେବଳ ଥରେ ଫୁଲ ଫୁଟାଇବାକୁ ସକ୍ଷମ। ୭ରୁ ୩୦ ବର୍ଷ ପର୍ଯ୍ୟନ୍ତ ଏହା ମାଟି ଉପରେ ଏକ କ୍ଷୁଦ୍ର ବୁଦା ସଦୃଶ ପତ୍ରର ଗୁଚ୍ଛ ଆକୃତିରେ ବଞ୍ଚିରହେ। ତେବେ ଏହି ସମୟ ସୀମା ଭିତରେ ଗୋଟିଏ ନାଟକୀୟ ମୁହୂର୍ତ୍ତରେ ଏହା ଏକ ମିଟରରୁ ନେଇ ଦୁଇ ମିଟର ଉଚ୍ଚତା ପର୍ଯ୍ୟନ୍ତ ବଢ଼ିଥାଏ ଏବଂ ଏକ ପାଗୋଡ଼ା ଆକୃତିର ଖମ୍ବ (ଟାୱାର୍‌) ଭାବେ ବୃଦ୍ଧିପାଇ ଫୁଲ ଭଳି ଫୁଟିଥାଏ। ଏହି ପ୍ରକ୍ରିୟାର ନିର୍ଦ୍ଦିଷ୍ଟତା ନଥାଏ, ଏହା କେବେ ବି ଘଟିଥାଏ। ଏହାପରେ ମଞ୍ଜି ବିଚ୍ଛୁରିତକରି ସିକ୍କିମ ସୁନ୍ଦରୀର ମୃତ୍ୟୁ ହୁଏ।
ପୃଥିବୀପୃଷ୍ଠରେ କତିପୟ ଉଦ୍ଭିଦ ସିକ୍କିମ ସୁନ୍ଦରୀ ପରି। ଏହା ହିମାଳୟର ଭଙ୍ଗୁର ପରିସଂସ୍ଥାନର ଏକ ମର୍ମସ୍ପର୍ଶୀ ସ୍ମାରକୀ ବୋଲି ଥୋମାସ୍ ଥମ୍‌ସନ୍ ଲେଖିଛନ୍ତି। ଏହା ସାଧାରଣତଃ ସିକ୍କିମର ଉଚ୍ଚ ହିମାଳୟର ଟ୍ରେକିଙ୍ଗ୍‌ ମାର୍ଗରେ, ବିଶେଷକରି ଆଲ୍‌ପାଇନ୍‌ ପାସ୍ ଓ ହିମବାହ ଉପତ୍ୟକା ନିକଟରେ ଦେଖାଯାଏ। ହିମାଳୟର ଚରମ ପରିବେଶରେ ବଢୁଥିବା କାରଣରୁ ଏହାକୁ ଦେଖିବା ପ୍ରାୟତଃ ବିରଳ। ସେଥିପାଇଁ ଏହା ପ୍ରକୃତିପ୍ରେମୀ ଓ ଫଟୋଗ୍ରାଫର୍‌ମାନଙ୍କ ପାଇଁ ଅବିସ୍ମରଣୀୟ ଅଭିଜ୍ଞତା ବହନ କରିଥାଏ।

Sports: କ୍ରୀଡ଼ାର ବିକାଶ ନେଇ ସିଡନି ୟୁନିଭର୍ସିଟି ସ୍ପୋର୍ଟ-କିଟ୍‌ ବୁଝାମଣାପତ୍ର

ହିମାଳୟର ପରମ୍ପରାରେ ରେଉମ୍ ନୋବିଲେ (ସିକ୍କିମ ସୁନ୍ଦରୀ) ଉଦ୍ଭିଦର ଅନେକ ଔଷଧୀୟ ଗୁଣ ରହିଥିବାରୁ ଏହାକୁ ଏକାଧିକ ଆୟୁର୍ବେଦ ଚିକିତ୍ସାରେ ବ୍ୟବହାର କରାଯାଏ। ଏହାର ପତ୍ର ଅତ୍ୟନ୍ତ ପତଳା। ଯେତେବେଳେ ହିମାଳୟର ଥଣ୍ଡା ପବନରେ ପତ୍ର ଦୋହଲି ଉଠେ ସେତେବେଳେ ଏକ ସଂଗୀତମୟ ଧ୍ୱନି ସୃଷ୍ଟି କରିଥାଏ, ଯାହାକୁ ସ୍ଥାନୀୟ ସଂଗୀତକାରମାନେ ନିଜର ସୃଷ୍ଟିରେ ସ୍ଥାନ ଦେଇଛନ୍ତି। ସିକ୍କିମ ସୁନ୍ଦରୀକୁ ନେଇ ଏକ ମହତ୍ତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠାଇଛନ୍ତି ଶିଳ୍ପପତି ଆନନ୍ଦ ମହିନ୍ଦ୍ରା। ସେ ପ୍ରଶ୍ନ କରିଛନ୍ତି, ଆମେ ଦୂର ମହାଦେଶରେ ଥିବା ଉଦ୍ଭିଦ ବିଷୟରେ ଅନେକ କଥା ଜାଣୁଥିବା ବେଳେ ଆମ ଚାରିପାଖରେ ଅନେକ ଚମତ୍କାର ତଥା ବିରଳ ଉଦ୍ଭିଦ ଥିବାବେଳେ ଏହା ଆମ ଦୃଷ୍ଟିର ଆଢୁଆଳରେ କାହିଁକି ରହିଯାଉଛନ୍ତି? ଏସବୁର ସଂରକ୍ଷଣ, ପ୍ରଚାର ଓ ପ୍ରସାର ପାଇଁ ସଚେତନତା ସୃଷ୍ଟି କରିବାକୁ ସେ ଆହ୍ୱାନ ଦେଇଛନ୍ତି।