ଭେଗାନ୍‌। ଶୁଣିବାକୁ ନୂଆ ଲାଗୁଥିବା ଏଭଳି ଶବ୍ଦ ନୂଆ ନ ହେଲେ ମଧ୍ୟ ଅଧିକାଂଶଙ୍କୁ ଅଜଣା। କିନ୍ତୁ ଏବେ ଏକ ନୂଆ ଚିନ୍ତାଧାରାର ରୂପ ନେଇଛି। ବିଂଶଶତାବ୍ଦୀର ୫ମ ଦଶନ୍ଧିରୁ ଆରମ୍ଭ ହୋଇଥିବା ‘ଭେଗାନିଜିମ୍‌’ ଧୀରେ ଧୀରେ ଲୋକପ୍ରିୟତା ହାସଲ କରିଛି। ଆମିଷ ଓ ନିରାମିଷଠାରୁ ଟିକେ ଆଗକୁ ଯାଇ ସମ୍ପୂର୍ଣ୍ଣ ଏକ ନୂଆ ଧାରଣା ଉପରେ ପର୍ଯ୍ୟବେସିତ ଭେଗାନିଜିମ୍‌ ମୋହରେ ଏବେ ସାରା ବିଶ୍ବ। ପୂର୍ବରୁ ଭେଗାନ୍‌ କିମ୍ବା ଭେଗାନିଜିମ୍‌ କହିଲେ କେବଳ ପ୍ରାଣୀ ସୁରକ୍ଷା ଅଭିଯାନକୁ ବୁଝାଉଥିବା ବେଳେ ଏବେ କିନ୍ତୁ ସମୟ ବଦଳିବା ସହ ଲୋକଙ୍କ ଚିନ୍ତାଧାରାରେ ପରିବର୍ତ୍ତନ ଆସିଛି। ସ୍ବାସ୍ଥ୍ୟ ପ୍ରତି ଉପକାରୀ ହୋଇଥିବା ଯୋଗୁ ଭେଗାନିଜିମ୍‌ର ଗ୍ରହଣୀୟତା ବର୍ତ୍ତମାନ ସମୟରେ ବୃଦ୍ଧି ପାଇବାରେ ଲାଗିଛି। 

Advertisment

ଆହୁରି ପଢ଼ନ୍ତୁ: ପରିବାର ଓ ସମାଜଠାରୁ ଦୂରେଇ ଦେଲା ରୋଗ: ୩୦ ବର୍ଷର ସହଚର୍ଯ୍ୟ ଜିଇବାର ଦେଇଛି ପ୍ରେରଣା

ଖାଦ୍ୟ ପିରାମିଡ୍‌ ଦେଖିଲେ ଏଥିରେ ଦୁଇପ୍ରକାର ପ୍ରାଣୀ ସାମିଲ ହେବେ। ନିରାମିଷାଶୀ ଓ ଆମିଷାଶୀ। ହେଲେ ଏହା ମଧ୍ୟରେ ବି ଆଉ ଏକ ଶ୍ରେଣୀର ବ୍ୟକ୍ତି ଅଛନ୍ତି, ଯେଉଁମାନେ ନା ଆମିଷାଶୀ ନା ନିରାମିଷାଶୀ। ସେମାନେ ହେଉଛନ୍ତି ‘ଭେଗାନ୍‌’, ଯେଉଁମାନେ କୌଣସି ପ୍ରାଣୀଜାତ ଉତ୍ପାଦ ବା ସାମଗ୍ରୀକୁ ଖାଦ୍ୟଭାବେ ଗ୍ରହଣ କରୁନାହାନ୍ତି। ପ୍ରାୟ ୭୦ ବର୍ଷ ତଳୁ ଏହା ଆରମ୍ଭ ହୋଇଥିଲେ ମଧ୍ୟ ୨୦୧୦ ମସିହା ପରଠାରୁ ଲୋକପ୍ରିୟତା ବୃଦ୍ଧି ପାଇଛି। ଅଧିକରୁ ଅଧିକ ଖାଦ୍ୟ ଉତ୍ପାଦନକାରୀ କମ୍ପାନି ଭେଗାନ୍‌ ଖାଦ୍ୟ ପ୍ରସ୍ତୁତ କରିବା ସହ ଏହାର ମାର୍କେଟିଂ କରୁଛନ୍ତି। ସେହିଭଳି ସୁପରମାର୍କେଟ୍‌ ଓ ରେସ୍ତୋରାଁରେ ମଧ୍ୟ ଆଜିକାଲି ଭେଗାନ୍‌ ଖାଦ୍ୟକୁ ପ୍ରାଥମିକତା ଦିଆଯାଉଛି। 
୨୦୦୫-୦୬ରେ କରାଯାଇଥିବା ନ୍ୟାସନାଲ୍‌ ହେଲ୍‌ଥ ସର୍ଭେ ରିପୋର୍ଟ ଅନୁଯାୟୀ, ଭାରତର ମୋଟ ଜନସଂଖ୍ୟାରେ ୧.୬ ପ୍ରତିଶତ ଲୋକ କେବେ ବି ପ୍ରାଣୀଜାତ ଉତ୍ପାଦକୁ ଖାଆନ୍ତି ନାହିଁ। ଭେଗାନିଜିମ୍‌ ଆରମ୍ଭ ହେବାବେଳେ ଏହାର ଏକମାତ୍ର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଥିଲା କୌଣସି ପ୍ରକାରେ ବି ପ୍ରାଣୀମାନଙ୍କ ପ୍ରତି ହେଉଥିବା ଅତ୍ୟାଚାରକୁ ଅନେକ ସହଜରେ ଗ୍ରହଣ କରିପାରନ୍ତି ନାହିଁ। ବିଶେଷକରି ବର୍ତ୍ତମାନ ସମୟରେ ଦୁଗ୍ଧ ଉତ୍ପାଦନ ପାଇଁ ବ୍ୟବହୃତ ହେଉଥିବା ଅତ୍ୟାଧୁନିକ ଉପକରଣ ଗାଈକୁ ମୃତ୍ୟୁମୁଖରେ ପକାଏ। ଅଧିକ କ୍ଷୀର ଉତ୍ପାଦନ ଦ୍ବାରା ଗାଈ ଶୀଘ୍ର ବାର୍ଦ୍ଧକ୍ୟରେ ଉପନୀତ ହୋଇ କଂସେଇଖାନାକୁ ଯାଏ, ଯାହାକି ପରୋକ୍ଷ  ଓ ପ୍ରତ୍ୟେକ୍ଷରେ ଏକ ପ୍ରାଣୀକୁ ମାରିବା ସହ ସମାନ। ଏହାକୁ ଦୃଷ୍ଟିରେ ରଖି ଆଜିକାଲି ଅନେକ ପଶୁପକ୍ଷୀପ୍ରେମୀ ଭେଗାନ୍‌ ହେବାକୁ ଉଚିତ ମଣୁଛନ୍ତି। ସେହିଭଳି ମହୁମାଛିଙ୍କ କଷ୍ଟ ଅର୍ଜିତ ମହୁକୁ ମଣିଷ ଚୋରାଇ ନିଜର ଫାଇଦା ପାଇଁ ବ୍ୟବହାର କରୁଥିବା ବେଳେ ପଶୁପକ୍ଷୀଙ୍କ ଚମଡ଼ାରେ ବିଭିନ୍ନ ଜିନିଷ ତିଆରି କରୁଛନ୍ତି, ଯାହାକୁ ଭେଗାନ୍‌ମାନେ ବିରୋଧ କରିଥାଆନ୍ତି। 

ଆହୁରି ପଢ଼ନ୍ତୁ: ତାଙ୍କ ପ୍ରେରଣା ହେଉଛି ମୋ ସଂଗୀତର ଘୋଷାପଦ

ବଦଳିଛି ଟ୍ରେଣ୍ଡ୍‌

ଭେଗୋନିଜିମ୍‌ ଆଜିକାଲି କେବଳ ପ୍ରାଣୀ ସୁରକ୍ଷାରେ ସୀମିତ ହୋଇ ରହିନି। ଅଧିକାଂଶଙ୍କ ପାଇଁ ଏହା ମେଦହ୍ରାସ, ଶରୀରକୁ ଆକ୍ଟିଭ୍‌ ଓ ସୁସ୍ଥ ରଖିବା ଏବଂ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ପାଇଁ ଶ୍ରେଷ୍ଠ ମାଧ୍ୟମ ପାଲଟିଛି। ବିଶେଷକରି ପ୍ରଫେସ୍‌ନାଲ୍‌ କ୍ରୀଡ଼ାବିତ୍‌ ଭେଗାନିଜିମ୍‌ ପନ୍ଥାକୁ ଆପଣାଉଛନ୍ତି। ବିଜ୍ଞାନର ବହୁ ପ୍ରଚାର ପ୍ରସାର ଫଳରେ ଲୋକେ ଏବେ ଧୀରେ ଧୀରେ ବାସ୍ତବତାକୁ ଆପଣାଉଛନ୍ତି। ଉଦ୍ଭିଦଜ‌ା‌ତ ଖାଦ୍ୟସାମଗ୍ରୀ ମଣିଷ ଶରୀର ପାଇଁ ବହୁଳଭାବେ ଉପକାରୀ। ଏପରିକି ବର୍ତ୍ତମାନ ସମୟରେ ଏହା ହୃଦ୍‌ରୋଗ, ଡାଇବେଟିସ୍‌, କର୍କଟ ଏବଂ କିଡ୍‌ନୀ ରୋଗ ଭଳି ମାରଣାତ୍ମକ ରୋଗ କବଳରୁ ରକ୍ଷା କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ଭେଗାନ୍‌ ଖାଦ୍ୟରେ ଅଧିକମାତ୍ରାରେ ଫାଇବର୍‌, ମ୍ୟାଗ୍ନେସିୟମ୍‌, ଫୋଲିକ୍‌ ଏସିଡ୍‌, ଭିଟାମିନ୍‌ ସି, ମିଟାମିନ୍‌ ଇ, ଆଇରନ୍‌ ଆଦି ରହିଥାଏ।

କେଉଁମାନେ ଭେଗାନ୍‌

ନିରାମିଷାଶୀଙ୍କ ଭଳି ଭେଗାନ୍‌ମାନେ କୌଣସି ପ୍ରକାର ଆମିଷ ସାମଗ୍ରୀ ବା ମାଛ, ମାସଂ, ଚିକେନ୍‌, ସି’ଫୁଡ୍‌ ଇତ୍ୟାଦି ଖାଆନ୍ତି ନାହିଁ। କିନ୍ତୁ ନିରାମିଷାଶୀମାନେ କ୍ଷୀର, ଦହି, ଛେନା, ମହୁ ଭଳି ପ୍ରାଣୀଜାତ ପଦାର୍ଥକୁ ଖାଦ୍ୟଭାବେ ଗ୍ରହଣ କରୁଥିବା ବେଳେ ଭେଗାନ୍‌ମାନେ କିନ୍ତୁ ଏହାକୁ ଖାଆନ୍ତି ନାହିଁ। କେବଳ ସେତିକି ନୁହେଁ ମୂଷା, ମାଙ୍କଡ଼ ଭଳି ଯେକୌଣସି ପ୍ର‌ାଣୀମାନଙ୍କ ଉପରେ ପରୀକ୍ଷଣ ହୋଇଥିବା ସାମଗ୍ରୀକୁ ମଧ୍ୟ ଭେଗାନ୍‌ମାନେ ବ୍ୟବହାର କରନ୍ତି ନାହିଁ।

ଆହୁରି ପଢ଼ନ୍ତୁ: ସରକାରୀ ଆୟୁର୍ବେଦିକ୍ ଓ ହୋମିଓପ୍ୟାଥିକ୍ ଛାତ୍ରଛାତ୍ରୀଙ୍କ ଷ୍ଟାଇପେଣ୍ଡ ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ