ଦେବେନ୍ଦ୍ର ବିଶି

ଭବାନୀପାଟଣା: କଳାହାଣ୍ଡିଜିଲ୍ଲା ଥୁଆମୂଳ ରାମପୁର ବ୍ଲକ୍‌ର ଦୁର୍ଗମ ବିଲାମାଲ ଗାଁକୁ ସ୍ବାଧୀନତାର ଅନେକ ଦଶନ୍ଧି ପରେ ମଧ୍ୟ ମୌଳିକ ସୁବିଧା ପହଞ୍ଚି ପାରିନି। ନିର୍ବାଚନ ସମୟରେ ନେତାଙ୍କ ପ୍ରତିଶ୍ରୁତିକୁ ପାଥେୟ କରି ବର୍ଷ ବର୍ଷ ଧରି ବିକାଶ ଅପେକ୍ଷାରେ ରହିଛନ୍ତି ଗ୍ରାମବାସୀ। କଳାହାଣ୍ଡି, ରାୟଗଡ଼ା ଜିଲ୍ଲା ସୀମାନ୍ତ ନାଗାବଳୀ ନଦୀ ନିକଟରେ ରହିଛି ବିଲାମାଲ ଗାଁ। ଆବୁଡ଼ା ଖାବୁଡ଼ା ପଥୁରିଆ ରାସ୍ତା ଦେଇ ୫ କିମି ପାଦରେ ଚାଲିଚାଲି ଗଲାପରେ ଯାଇ ଉପାନ୍ତ ବିଲାମାଲ ଗାଁରେ ପହଞ୍ଚି ହେବ। ଗାଁର ପରିବାର ସଂଖ୍ୟା ୨୫୦। ରାସ୍ତା ନ ଥିବାରୁ ଗର୍ଭବତୀ କିମ୍ବା ଅନ୍ୟ ରୋଗୀଙ୍କୁ ଖଟିଆରେ ବୋହି ୧୨ କିଲୋମିଟର ଦୂର ପଡ଼ୋଶୀ ରାୟଗଡ଼ା ଜିଲ୍ଲା କଲ୍ୟାଣସିଂପୁର ଡାକ୍ତରଖାନାକୁ ନେଇଥାନ୍ତି। ଆଜି ପର୍ଯ୍ୟନ୍ତ ଗାଁରେ ନଳକୂପଟିଏ ଖୋଳା ଯାଇପାରିଲାନି। ଦୂଷିତ ପାଣି ପିଇବା ଯୋଗୁଁ ଲୋକେ ବାରମ୍ବାର ରୋଗାକ୍ରାନ୍ତ ହେଉଛନ୍ତି। କାଖରେ ଗରା ଓ ମାଠିଆ ଧରି ଗାଁଠାରୁ ୨ କିଲୋମିଟର ଦୂର ପଥର କୋଳପାରୁ ପାଣି ସଂଗ୍ରହ ପାଇଁ ମହିଳାଙ୍କ ଲମ୍ବା ଧାଡ଼ି ଲାଗିଥାଏ।

Advertisment

Road: ନିର୍ମାଣର ୬ମାସ ପୁରିନି, ରାସ୍ତାରୁ ଉଠିଗଲାଣି ପିଚୁ

ପିଡିଏସ୍‌ ପାଇଁ ୫ କିମି ପାହାଡ଼ଚଢ଼ା
ଖଟିଆରେ ବୁହା ହେଉଛନ୍ତି ରୋଗୀ, ଗର୍ଭବତୀ

ବ୍ଲକ୍‌ ପ୍ରଶାସନ ପକ୍ଷରୁ ସୌରଚାଳିତ ପମ୍ପର ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ମରାମତି ଅଭାବରୁ ତାହା ଖତ ଖାଉଛି। ଗାଁରେ ବିଦ୍ୟୁତ୍‌ ସଂଯୋଗ ନଥିବା ଯୋଗୁଁ ଡିବିରି ଆଲୁଅରେ ରାତି କଟୁଛି। କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ୍‌ ଅଧୀନରେ ବିଲାମାଲ ଆସୁଥିଲେ ମଧ୍ୟ ଗ୍ରାମବାସୀ ନିଜର ଦୈନନ୍ଦିନ ଜୀବନଯାପନ ପାଇଁ ରାୟଗଡ଼ା ଜିଲ୍ଲା କଲ୍ୟାଣସିଂପୁର ଉପରେ ନିର୍ଭର କରନ୍ତି। ଗାଁଠାରୁ ପାଖରେ କଲ୍ୟାଣସିଂପୁର ଅଥଚ ନିଜ ବ୍ଲକ୍‌ ସଦର ମହକୁମା ଯିବାକୁ ହେଲେ ପ୍ରାୟ ୯୦ କିଲୋମିଟର ବାଟ ପଡ଼େ। ପିଡିଏସ୍‌ ସାମଗ୍ରୀ ପାଇଁ ପାହାଡ଼ିଆ ରାସ୍ତାରେ ୫ କିଲୋମିଟର ସିଲେଟ ଗାଁକୁ ଯିବାକୁ ପଡ଼ିଥାଏ। ଗାଁର ସମସ୍ତ ପିଲା ଆଜି ପର୍ଯ୍ୟନ୍ତ ଉଚ୍ଚଶିକ୍ଷା ପାଇବାରୁ ବଞ୍ଚିତ ଅଛନ୍ତି। ଥୁଆମୂଳ ରାମପୁର ବ୍ଲକ୍‌ ଭଳି ଦୁର୍ଗମ ଇଲାକାରେ ଏଭଳି ଅନେକ ଗାଁର ଅବସ୍ଥା ଏଭଳି। ଏ ସଂପର୍କରେ ଥୁଆମୂଳ ରାମପୁର ବିଡିଓ ଧ୍ରୁବଚରଣ ମୁଦୁଲିଙ୍କୁ ପଚାରିବାରୁ ସେ ଘଟଣାସ୍ଥଳ ପରିଦର୍ଶନ କରି ପରବର୍ତ୍ତୀ ପଦକ୍ଷେପ ନେବେ ବୋଲି କହିଥିଲେ। ରାଜ୍ୟ ସରକାର ଆଉ ବିଳମ୍ବ ନ କରି ତୁରନ୍ତ ଏ ଅଞ୍ଚଳକୁ ବିକାଶ ପ୍ରକ୍ରିୟାରେ ସାମିଲ କରିବାକୁ ସ୍ଥାନୀୟ ଲୋକେ ଅନୁରୋଧ କରିଛନ୍ତି।

Demand: ଚାନ୍ଦବାଲି ସବ୍ ଡିଭିଜନ୍, ନୌକା ପ୍ରଶିକ୍ଷଣ କଲେଜ ପ୍ରତିଷ୍ଠା ଦାବି