୧୯୭୧ ମସିହାର କଥା। ଭାରତ ବିରୋଧରେ ପାକିସ୍ତାନ ପକ୍ଷରୁ କରାଯାଇଥିବା ‘ଅପରେସନ୍‌ ଚେଙ୍ଗିଜ୍‌ ଖାନ୍‌’ ନେଲା ଯୁଦ୍ଧର ରୂପ। ଉକ୍ତ ଯୁଦ୍ଧରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ ଓଡ଼ିଆ ବୀର କର୍ଣ୍ଣେଲ ଶରତ ମହାପାତ୍ର। ୩୯ ମାଉଣ୍ଟେନ୍ ରେଜିମେଣ୍ଟ୍ ଆର୍ଟିଲାରି ବାହିନୀର ସଦସ୍ୟ ଥାଇ ସେ ଏହି ଯୁଦ୍ଧ ଲଢ଼ିଥିଲେ। ଯୁଦ୍ଧଭୂମିରେ ସିଧାସଳଖ ଶତ୍ରୁଙ୍କୁ ସାମ୍ନା କରିବାର ତାଙ୍କର ଅନୁଭୂତି ଥିଲା ବେଶ୍‌ ରୋମାଞ୍ଚକର। କ‌ର୍ଣ୍ଣେଲ ମହାପାତ୍ର କହନ୍ତି, ‘‘ସେଦିନ ଥିଲା ଡିସେମ୍ବର ୧୩। ଦୁଇ‌ ଦେଶ ମଧ୍ୟରେ ଯୁଦ୍ଧ ପରିସ୍ଥିତି ବଳବତ୍ତର ରହିଥାଏ। ଆମ ନିକଟରେ ଖାଦ୍ୟ ଆପାତତଃ ସରି ଯାଇଥାଏ। ଶତ୍ରୁପକ୍ଷର ଆକ୍ରମଣ ସାଙ୍ଗକୁ ଦାଉ ସାଧୁଥାଏ ଭୋକ। ଏତିକି ବେଳେ ମହାନାୟକ ସାଜି ଆ‌ମ ଆଗରେ ଉଭାହେଲେ ଭାରତୀୟ ସ୍ଥଳ ସେନାର ମୁଖ୍ୟ ଜେନେରାଲ ମାନେକ୍ସା। ସେ ଭାରତୀୟ ବାୟୁସେନାର ଗୋଟିଏ ବିମାନରେ ଖାଦ୍ୟ ପ୍ୟାକେଟ୍‌ ବୋଝେଇ କରି ପାରାଚୁଟ୍ ମାଧ୍ୟମରେ ଆମ ଶିବିରକୁ ପକାଇଲେ। ହେଲେ ସେ ସବୁତକ ଖାଦ୍ୟ ଆମ ଭାଗ୍ୟରେ ଜୁଟିଲା ନାହିଁ। ଶତ୍ରୁର ଗୁଳି ବର୍ଷଣରେ କେତେକ ପାରାଚୁଟ୍ ଧ୍ୱଂସ ହେଲା। ମାତ୍ର ଅଳ୍ପ କିଛି ପ୍ୟାକେଟ୍ ନଷ୍ଟ ନହୋଇ ଭୂମିରେ ପଡ଼ିଲା, ଯାହାକୁ ଆମେ ସଂଗ୍ରହ କରି ଜୀବନ ବଞ୍ଚାଇଲୁ। ଯେତିକି ବି ଖାଦ୍ୟ ଆମେ ସଂଗ୍ରହ କଲୁ, ତାହାକୁ ପରସ୍ପରଙ୍କ ମଧ୍ୟରେ ବାଣ୍ଟି ଖାଇଲୁ। ଖାଦ୍ୟାଭାବ ଭିତରେ ବି ଭାଇଚାରାର ଅନୁଭୂତି ଥିଲା ଅବର୍ଣ୍ଣନୀୟ।’’

Advertisment

Odisha Masters: ଓଡ଼ିଶା ମାଷ୍ଟର୍ସ ଅନ୍ତର୍ଜାତୀୟ ବ୍ୟାଡ୍‌ମିଣ୍ଟନ୍: ଫାଇନାଲ୍‌ରେ ଉନ୍ନତି-ଈଶାରାଣୀ, ୟୁସୁଫ-କିରଣ

‘‘ଏହି ଯୁଦ୍ଧରେ ଜେନେରାଲ୍ ମାନେକ୍ସା ଦ୍ବିତୀୟ ବିଶ୍ବଯୁଦ୍ଧର ଏକ ବଢ଼ିଆ ଋଣକୌଶଳ ଅବଲମ୍ବନ କରିଥିଲେ। ରେଡିଓ ଓ ପ୍ରଚାରପତ୍ର ମାଧ୍ୟମରେ ପାକିସ୍ତାନୀ ସେନାକୁ ଚେତାବନୀ ଦେଇ ସେମାନଙ୍କ ମାନସିକ ବଳ ଭାଙ୍ଗି ଦେଇଥିଲେ। ୧୯୭୧ ମସିହା ଡିସେମ୍ବର ୧୪ ତାରିଖରେ ଆକାଶମାର୍ଗରୁ ଶତ୍ରୁମାନଙ୍କ ନିକଟକୁ ସେ ପ୍ରଚାରପତ୍ର ଫିଙ୍ଗିଥିଲେ, ଯାହାକି ପାକିସ୍ତାନୀ ସିପାହୀଙ୍କ ମନରେ ଭୟ ସୃଷ୍ଟି କରିଥିଲା।’’
ଏହି ପ୍ରଚାରପତ୍ରରେ ଲେଖାଥିଲା ‘‘ଭାରତୀୟ ସେନା ଚାରିପଟୁ ତୁମକୁ ଘେରି ରହିଛନ୍ତି। ଆତ୍ମସମର୍ପଣ ପାଇଁ ତୁମକୁ ସୁଯୋଗ ଦିଆଯାଉଛି। ସମସ୍ତ ସେକ୍ଟରରେ ଲଢ଼େଇରେ ତୁମେ ପରାଜିତ ହୋଇସାରିଛ। ଭାରତୀୟ ସୈନିକ ଓ ବାଂଲାଦେଶର ‘ମୁକ୍ତିବାହିନୀ’ ମିଳିତ ଭାବେ ‘ଢାକା’କୁ ଚାରିପଟୁ ଘେରାଉ କରିଛନ୍ତି। ଖୁବ୍ କମ୍ ସମୟରେ ଆମ ଭାରତୀୟ ସେନା ଏହାକୁ କବଳିତ କରିବ। ତୁମ ଦେଶ ତୁମକୁ ଠିକ୍ ଖବର ଦେଉନାହିଁ। ରକ୍ତର ହୋଲି ଖେଳରେ ସାମିଲ ନ ହୋଇ ‘ସିଲହଟ୍’ରେ ଶୀଘ୍ର ଆତ୍ମସମର୍ପଣ କର। ତୁମକୁ ‘ଜେନେଭା ଶାନ୍ତି ଚୁକ୍ତି’ ଅନୁଯାୟୀ ସମସ୍ତ ପ୍ରକାର ସୁ-ବ୍ୟବହାର ପ୍ରଦର୍ଶନ କରାଯିବ। ନଚେତ୍‌ ସମସ୍ତେ ନରସଂହାରର ଶିକାର ହେବ।’’

Gold: ୩ ସପ୍ତାହରେ ସୁନା ୭ ହଜାର ମହଙ୍ଗା, ରୁପା ଦର ୩୯ ହଜାର ବଢ଼ିଛି

ରେଜିମେଣ୍ଟରେ ନିଜର ଭୂମିକାକୁ ନେଇ କର୍ଣ୍ଣେଲ ମହାପାତ୍ର କହନ୍ତି, ‘‘ପୂର୍ବ ପାକିସ୍ତାନର ‘ସିଲହଟ୍ ଯୁଦ୍ଧଭୂମି’ରେ ଆମ ରେଜିମେଣ୍ଟର ଭୂମିକା ଥିଲା ଅନନ୍ୟ। ବାଂଲାଦେଶ ଯୁଦ୍ଧ ପରିସମାପ୍ତି ପରେ ‘ସିଲହଟ୍’ରେ ଯେତେବେଳେ ଆମ ରେଜିମେଣ୍ଟ ପାକିସ୍ତାନୀ ଯୁଦ୍ଧବନ୍ଦୀଙ୍କ ଆତ୍ମସମର୍ପଣ ଗ୍ରହଣ କରିବାରେ ନିୟୋଜିତ ଥିଲା, ବାଂଲାଦେଶର ସେନାମୁଖ୍ୟ ଜିଆଉର୍ ରହମାନ୍ (ଯିଏ ପରବର୍ତ୍ତୀ ସମୟରେ ବାଂଲାଦେଶର ରାଷ୍ଟ୍ରପତି ପଦ ଅଳଙ୍କୃତ କରିଥିଲେ) ଆମ ପାଖକୁ ଆସି ଆମର ବୀରତ୍ବର ଭୂୟସୀ ପ୍ରଶଂସା କରି ସ୍ୱ-ହସ୍ତରେ ଲେଖିଥିଲେ- ହାର୍ଟି କଙ୍ଗ୍ରାଚୁଲେସନ୍‌ସ୍‌ ଟୁ ୯୯ ମାଉଣ୍ଟେନ୍‌ ରେଜିମେଣ୍ଟ୍ ଫର୍‌ ଲିବରେଟିଂ ସିଲ୍‌ହଟ୍‌। ଇଟ୍‌ସ ଗ୍ରେଟ୍‌ ଅଫ୍‌ ଗନର୍ସ। ଜୟ ହିନ୍ଦ୍‌। ଜୟ ବାଂଲା।’’