ବିଶ୍ବ ଇତିହାସରେ ମହିଳାମାନେ ଅଧିକାର ଓ ନ୍ୟାୟ ପାଇବା ପାଇଁ ଅନେକ ସଂଘର୍ଷ କରିଛନ୍ତି। କିଛି କ୍ଷେତ୍ରରେ ସେମାନଙ୍କୁ ଆଇନ ସୂତ୍ରରେ ସମାନତା ଓ ନ୍ୟାୟର କିଛିଟା ଅଧିକାର ମିଳିଛି ସତ କିନ୍ତୁ ଆଇନକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରିବା ଏବଂ ନ୍ୟାୟକୁ ପ୍ରକୃତ ଅର୍ଥରେ ହାସଲ କରିବା ପାଇଁ ମହିଳାମାନଙ୍କୁ ହିଁ ଲଢ଼େଇରେ ଅବତୀର୍ଣ୍ଣ ହେବାକୁ ପଡ଼ିଛି। ଏହି ପ୍ରକ୍ରିୟାରେ କେବଳ ଆଇନର ଧାରା ବଦଳିନାହିଁ, ଏହା ସହିତ ବଦଳିଛି ସାମାଜିକ ବ୍ୟବସ୍ଥା ଓ ଧାର୍ମିକ ପ୍ରଥା ପ୍ରତି ଦୃଷ୍ଟିଭଙ୍ଗୀ, ବଢ଼ିଛି ସରକାରୀ ସକ୍ରିୟତା। ନ୍ୟାୟର ଯୁଦ୍ଧରେ ଏକୁଟିଆ ପଡ଼ିଯାଇ ବି ନିଜର ଆତ୍ମବିଶ୍ବାସ ହରାଇ ନଥିବା ମହିଳାମାନେ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି।
Sundargarh Signing: କୃତଜ୍ଞତା ଜ୍ଞାପନ କଲେ ଆଗକୁ ବଢ଼ିପାରିବା: ସୌମ୍ୟ ରଂଜନ
ସେଭଳି ଜଣେ ମହିଳାଙ୍କ ଲଢ଼େଇକୁ ଖୁବ୍ ମର୍ମସ୍ପର୍ଶୀ ଢଙ୍ଗରେ ଉପସ୍ଥାପନ କରାଯାଇଛି ‘ହକ୍’ ଚଳଚ୍ଚିତ୍ରରେ। ବହୁଚର୍ଚ୍ଚିତ ଶାହ ବାନୋ ମାମଲାର କାହାଣୀକୁ ନେଇ ନିର୍ମିତ ‘ହକ୍’ ଚଳଚ୍ଚିତ୍ର ଦେଖିବା ପରେ ଯେକୌଣସି ମହିଳା ଅନୁଭବ କରିପାରିବେ ଯେ ଜଣେ ନାରୀ ନିଜ ଅଧିକାର ପାଇଁ ଲଢ଼େଇ କରିବାକୁ ବାହାରିଲେ ତାଙ୍କ ସାଇପଡ଼ିଶାରୁ ଆରମ୍ଭ କରି ଧର୍ମଗୁରୁ ଓ କ୍ଷମତାଶାଳୀ ରାଜନେତାଙ୍କ ପର୍ଯ୍ୟନ୍ତ ସମସ୍ତେ ପ୍ରତିରୋଧ, ବିରୋଧ, ଏପରିକି ଆକ୍ରମଣ ମଧ୍ୟ କରିପାରନ୍ତି। କୋର୍ଟରେ ଆଇନଗତ ଲଢ଼େଇ କରିବା ସହିତ ସମଗ୍ର ବ୍ୟବସ୍ଥାର ଏହି ପ୍ରତିକୂଳ ସ୍ରୋତ କାହାରି ବି ମନୋବଳକୁ ଦୁର୍ବଳ କରିଦେଇପାରେ। ହେଲେ ଅନ୍ୟାୟ ଦ୍ବାରା ପରାସ୍ତ ନ ହେବାକୁ ଯିଏ ଦୃଢ଼ପ୍ରତିଜ୍ଞ, ସେ ଦିନେ ନା ଦିନେ ନ୍ୟାୟ ହାସଲ କରେ ଏବଂ ସମଗ୍ର ନାରୀ ସମାଜ ପାଇଁ ଆଲୋକବର୍ତ୍ତିକା ପାଲଟେ। ‘ମିସେସ୍ ଚାଟାର୍ଜୀ ଭର୍ସେସ୍ ନରୱେ’ ଆଉ ଏକ ବାସ୍ତବ କାହାଣୀ ଉପରେ ଆଧାରିତ ଚଳଚ୍ଚିତ୍ର। ନରୱେରେ ରହୁଥିବା ଭାରତୀୟ ମୂଳର ପ୍ରବାସୀ ଦେବିକା ଓ ଅନିରୁଦ୍ଧଙ୍କ ପୁଅଝିଅଙ୍କୁ ସେ ଦେଶର ପ୍ରଶାସନ ସେମାନଙ୍କ ଠାରୁ ଛଡ଼ାଇ ନିଅନ୍ତି। ଏହାର କାରଣ ହେଲା ସେମାନଙ୍କ ପଡ଼ୋଶୀମାନେ ଅଭିଯୋଗ କରିଥିଲେ ଯେ ଦେବିକା ପିଲାମାନଙ୍କ ପ୍ରତି ନିଷ୍ଠୁରତା ପ୍ରଦର୍ଶନ କରନ୍ତି। ଭାରତୀୟ ପରମ୍ପରାକୁ ନେଇ ସେଠାକାର ଲୋକଙ୍କ ଭୁଲ୍ ବୁଝାମଣାରୁ ଏହା ଆରମ୍ଭ ହୋଇଥାଏ। କିନ୍ତୁ ବର୍ଣ୍ଣ ବୈଷମ୍ୟ ମାନସିକତା ଯୋଗୁଁ କୋର୍ଟ ମଧ୍ୟ ଦୁଇ ସନ୍ତାନଙ୍କୁ ପିତାମାତାଙ୍କ ଠାରୁ ଦୂରେଇ ରଖିବାକୁ ରାୟ ଦିଅନ୍ତି। ଦେବିକା (ମିସେସ୍ ଚାଟାର୍ଜୀ) ନିଜ ସନ୍ତାନଙ୍କୁ ଫେରି ପାଇବା ପାଇଁ ସବୁପ୍ରକାର ଉଦ୍ୟମ କରନ୍ତି, ଏହି ପ୍ରକ୍ରିୟାରେ ତାଙ୍କୁ ତାଙ୍କ ସ୍ବାମୀ ଛାଡ଼ପତ୍ର ଦେଇଦିଅନ୍ତି। ସେ ଭାରତ ଆସି କୂଟନୈତିକ ସହାୟତା ନେଇ ନର୍ୱେ ସରକାରଙ୍କ ବିରୋଧରେ ମାନବାଧିକ ଉଲ୍ଲଂଘନର ମାମଲା ରୁଜୁ କରିଦିଅନ୍ତି। କୋର୍ଟ ଶୁଣାଣିରେ ନିଜ ସନ୍ତାନଙ୍କ ପ୍ରତି ଅନାବିଳ ସ୍ନେହର ପ୍ରମାଣ ଦେଇ ସେ ଉକ୍ତ ମାମଲା ଜିଣିଯାଆନ୍ତି ଓ ପୁଅଝିଅଙ୍କ ସହିତ ସୁଖଦ ଜୀବନ କାଟନ୍ତି।
ଏସିଡ୍ ମାଡ଼ ପରି ଚରମ ନିଷ୍ଠୁରତାର ସମ୍ମୁଖୀନ ହୋଇଥିବା ଲକ୍ଷ୍ମୀ ଅଗ୍ରଵାଲ, ଏସିଡ୍ ଆକ୍ରମଣର ଶିକାର ମହିଳାଙ୍କ ଅଧିକାର ପାଇଁ ଗୁରୁତ୍ବପୂର୍ଣ୍ଣ ଆଇନଗତ ଲଢ଼େଇ କରିଆସିଛନ୍ତି। ଏସିଡ୍ ମାଡ଼ ସମ୍ପର୍କିତ ଆଇନକୁ କଠୋର କରିବା ପାଇଁ ତାଙ୍କର ଆବେଦନ ଯୋଗୁଁ ସୁପ୍ରିମ୍ କୋର୍ଟ ଏସିଡ୍ ବିକ୍ରି ଉପରେ କଟକଣା ଜାରି କରିବା ସହିତ ପୀଡ଼ିତାଙ୍କୁ ୩ ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା କରିଥିଲେ। ଲକ୍ଷ୍ମୀଙ୍କ କାହାଣୀକୁ ନେଇ ୨୦୨୦ରେ ମୁକ୍ତିଲାଭ କରିଥିଲା ‘ଛପାକ୍’ ସିନେମା। ମେଘନା ଗୁଲଜାରଙ୍କ ନିର୍ଦେଶନା ଓ ଦୀପିକା ପାଦୁକୋଣଙ୍କ ଅଭିନୟରେ ସମୃଦ୍ଧ ଏହି ଚଳଚ୍ଚିତ୍ରରେ ଏସିଡ୍ ମାଡ଼ ବିରୋଧରେ ଲକ୍ଷ୍ମୀଙ୍କ ଲଢ଼େଇକୁ ଖୁବ୍ ପ୍ରଭାବଶାଳୀ ଢଙ୍ଗରେ ପ୍ରଦର୍ଶିତ କରାଯାଇଛି। ସେହି ୨୦୨୦ରେ ମୁକ୍ତିଲାଭ କରିଥିବା ‘ଥପ୍ପଡ୍’ ଏକ କାଳ୍ପନିକ କାହାଣୀ, କିନ୍ତୁ ଏହାର ବାର୍ତ୍ତା ଖୁବ୍ ବାସ୍ତବ। ଅମୃତାଙ୍କୁ ତାଙ୍କ ସ୍ବାମୀ ସର୍ବସମ୍ମୁଖରେ ଚାପୁଡ଼ା ମାରିବା ପରେ ସେ ଅନୁଭବ କରୁଛନ୍ତି ଯେ ତାଙ୍କୁ ସେ ବିବାହରୁ ନା ସମ୍ମାନ ମିଳୁଛି ନା ଖୁସି। ‘ଛୋଟ କଥା’ ବୋଲି କହି ସମସ୍ତେ ଘଟଣାକୁ ଭୁଲିଯିବାକୁ କହିଲେ ବି ଅମୃତା ନିଜ ବାପଘରକୁ ଚାଲିଯାଇ ଛାଡ଼ପତ୍ର ପାଇଁ ଆବେଦନ କରୁଛନ୍ତି। କୋର୍ଟରେ ମାମଲାର ଫଇସଲା
Trump Threat Cuba: କ୍ୟୁବାକୁ ଟ୍ରମ୍ପଙ୍କ ଧମକ: ବିଳମ୍ବ ନକରି ଚୁକ୍ତି କର
ଭିତରେ ଭାରତୀୟ ପରିବାର ବ୍ୟବସ୍ଥାର ଅନେକ ନାରୀବିଦ୍ବେଷମୂଳକ ଦିଗ ଉଜାଗର ହେଉଛି। ଶେଷରେ ସ୍ବାମୀ ଓ ଶାଶୂ ଅମୃତାଙ୍କୁ କ୍ଷମା ମାଗୁଛନ୍ତି କିନ୍ତୁ ଛାଡ଼ପତ୍ର ନିଷ୍ପତ୍ତିରୁ ଅମୃତା ଓହରିନାହାନ୍ତି।
‘ନୋ ଵାନ୍ କିଲ୍ଡ ଜେସିକା’ରେ ବହୁଚର୍ଚ୍ଚିତ ଜେସିକା ଲାଲ ହତ୍ୟା ମାମଲାରେ ନ୍ୟାୟ ପାଇଁ ତାଙ୍କ ଭଉଣୀ ସବ୍ରିନାଙ୍କ ସଂଘର୍ଷକୁ ପ୍ରଦର୍ଶିତ କରାଯାଇଛି। ୨୦୧୧ର ଏହି ସିନେମାରେ ଦେଖାଯାଇଛି ରାଜନୈତିକ ପ୍ରଭାବ ଯୋଗୁଁ କିଭଳି ଜେସିକାଙ୍କ ହତ୍ୟାର ଅଭିଯୁକ୍ତମାନେ କୋର୍ଟରେ ଦୋଷମୁକ୍ତ ହୋଇଯାଉଛନ୍ତି। ସାମ୍ବାଦିକ ମୀରା ଏ ବାବଦରେ ଜାଣିବା ପରେ ସବ୍ରିନାଙ୍କ ସହ ମିଶି ସେ ଯାବତୀୟ ପ୍ରମାଣ ଯୋଗାଡ଼ କରୁଛନ୍ତି ଏବଂ ଶେଷରେ ସୁପ୍ରିମ୍ କୋର୍ଟରେ ଜେସିକାଙ୍କ ହତ୍ୟାର ଦୋଷୀମାନେ ଦଣ୍ଡିତ ହେଉଛନ୍ତି। ଏହିସବୁ ଚଳଚ୍ଚିତ୍ରର ବାର୍ତ୍ତା ହେଉଛି ମହିଳାଙ୍କ ନ୍ୟାୟ ଓ ଅଧିକାରର ଲଢ଼େଇ ଭୁକ୍ତଭୋଗୀ ମହିଳାମାନେ ହିଁ ଲଢ଼ିଆସିଛନ୍ତି ଏବଂ ଆଗକୁ ମଧ୍ୟ ଲଢ଼ିବେ। ଅନ୍ୟାୟର ସମ୍ମୁଖୀନ ହେଲେ ମହିଳାକୁ ନିଜେ ହିଁ ସଂଘର୍ଷ କରି ନ୍ୟାୟର ଚକକୁ ଆଗକୁ ଗଡ଼ାଇବାକୁ ପଡ଼ିବ। ପୁରୁଷମାନେ ଅତି ବେଶୀରେ ସମର୍ଥକର ଭୂମିକା ତୁଲାଇପାରିବେ।
Follow Us