ଏଡିସ୍ ଏଜିପ୍ଟି ଓ ଏଡିସ୍ ଆଲବୋପିକ୍ଟସ୍ ମଶା ମାଧ୍ୟମରେ ସଂକ୍ରମିତ ଡେଙ୍ଗୁ ରୋଗ ସାରା ବିଶ୍ୱରେ ବୃଦ୍ଧି ପାଇଛି। ୨୦୨୩ରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ଡବଲ୍ୟୁଏଚ୍ଓ) ଚେତାବନୀ ଦେଇଥିଲା ଯେ ଡେଙ୍ଗୁ ଓ ଚିକୁନଗୁନିଆ ପୂର୍ବ ଭୌଗୋଳିକ ସଂକ୍ରମଣ କ୍ଷେତ୍ରଠାରୁ ବହୁ ଦୂରରେ ବ୍ୟାପିଛି। ଏହା ବିଶ୍ୱର ଅଧା ଜନସଂଖ୍ୟାକୁ ବିପଦରେ ପକାଉଥିବା ବେଳେ ଡେଙ୍ଗୁ ପାଇଁ ଜାପାନ ଦ୍ୱାରା ପ୍ରସ୍ତୁତ ଦୁଇ-ଡୋଜ୍ ଟିକା ‘ଟିଏକେ-୦୦୩’ ଏବଂ ତିନି-ଡୋଜ୍ ଟିକା ‘ଡେଙ୍ଗଭାକ୍ସିଆ’ ଉପଲବ୍ଧ ଅଛି। ତେବେ ବ୍ରାଜିଲ ଡେଙ୍ଗୁ ବିରୋଧରେ ବିଶ୍ୱର ପ୍ରଥମ ସିଙ୍ଗଲ୍-ଡୋଜ୍ ଟିକାକୁ ଅନୁମୋଦନ ପ୍ରଦାନ କରିଛି।
ସାଓ ପାଉଲୋର ବୁଟାଣ୍ଟାନ୍ ଇନଷ୍ଟିଚ୍ୟୁଟ୍ ଦ୍ୱାରା ବିକଶିତ ‘ବୁଟାଣ୍ଟାନ୍-ଡିଭି’ ନାମକ ଏକ ସିଙ୍ଗଲ୍-ଡୋଜ୍ ଟିକାକୁ ୧୨ ରୁ ୫୯ ବର୍ଷ ବୟସର ଲୋକଙ୍କ ପାଇଁ ବ୍ୟବହାର କରିବାକୁ ବ୍ରାଜିଲର ସ୍ୱାସ୍ଥ୍ୟ ସଂସ୍ଥା ଅନୁମତି ଦେଇଛି। ୧୬,୦୦୦ରୁ ଅଧିକ ଲୋକଙ୍କ ନୈଦାନିକ ପରୀକ୍ଷଣରେ ଏହା ଗୁରୁତର ଡେଙ୍ଗୁ ବିରୋଧରେ ୯୧.୬% ଫଳପ୍ରଦତା ପ୍ରଦର୍ଶନ କରିଥିଲା। ବ୍ରାଜିଲରେ ୮ ବର୍ଷ ଧରି ପରୀକ୍ଷା ପାଇଁ ବିକଶିତ ଏହି ସିଙ୍ଗଲ୍-ଡୋଜ୍ ଟିକା ଡେଙ୍ଗୁ ମୁକାବିଲା ଅଭିଯାନକୁ ଦ୍ରୁତ ଓ ସହଜ କରିବ ବୋଲି ଆଶା କରାଯାଉଛି। ସୂଚନାଯୋଗ୍ୟ, ୨୦୨୪ ମସିହାରେ ବିଶ୍ୱସ୍ତରରେ ୧.୪୬ କୋଟିରୁ ଅଧିକ ଡେଙ୍ଗୁ ମାମଲା ଓ ପ୍ରାୟ ୧୨ ହଜାର ମୃତ୍ୟୁ ରିପୋର୍ଟ ହୋଇଛି, ଯାହା ଏପର୍ଯ୍ୟନ୍ତ ରେକର୍ଡ ହୋଇଥିବା ସର୍ବାଧିକ ସଂଖ୍ୟା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/12/03/dengu-vaccine-2025-12-03-00-32-25.jpg)