ଶୁଆଙ୍କ କଥା ଶୁଣିବାକୁ ଭାରି ମିଠା। କିନ୍ତୁ ସେ କଥା କହେ କେମିତି? ଶୁଆଙ୍କର ମଣିଷ ଭଳି ନା ବଡ଼ ଜିଭ ଅଛି, ନା ଓଠ, ନା ତାଳୁ। ଏପରିକି ସେମାନଙ୍କର ଭୋକାଲ କର୍ଡ ବି ନାହିଁ। ତଥାପି ସେମାନେ ମଣିଷ ପରି କଥା କହିପାରନ୍ତି। ତେବେ ଏହା କିପରି ସମ୍ଭବ?
ବିଜ୍ଞାନ କହେ, ଶୁଆର ଟ୍ରାକିଆ ବା ଶ୍ୱାସନଳୀରେ ସିରିଂକ୍ସ ନାମକ ଏକ ଅଙ୍ଗ ଥାଏ, ଯାହାକି ଫୁସ୍ଫୁସ୍ ଓ ୱିଣ୍ଡ୍ ପାଇପ୍ ମଝିରେ ଥାଏ। ମଣିଷ ଗଳାରେ ଥିବା ଲାରିଂକ୍ସ(ଶବ୍ଦପେଟି) ପରି ସିରିଂକ୍ସର ଭୋକାଲ ଫୋଲ୍ଡ ବି ଥାଏ। ଯେତେବେଳେ ଶୁଆ ଶ୍ୱାସକ୍ରିୟା କରେ ବାୟୁ ସିରିଂକ୍ସ ଦେଇ ଗତି କରେ। ମଣିଷର ଲାରିଂକ୍ସଠାରୁ ସିରିଂକ୍ସ ଅଧିକ ଫ୍ଲେକ୍ସିବଲ୍। ତେଣୁ ବାୟୁ ଗତି କଲାବେଳେ ଏହାର ଉଭୟ ପାର୍ଶ୍ୱରେ କମ୍ପନ ସୃଷ୍ଟି ହୋଇ ଭିନ୍ନ ଭିନ୍ନ ଶବ୍ଦ ବାହାରିଥାଏ। ତା’ଛଡ଼ା ଶୁଆ କେଉଁ ପ୍ରକାରର ଶବ୍ଦ ବାହାର କରିବ ତାହା ତା’ ଗଳାରେ ଥିବା ଅନେକଗୁଡ଼ିଏ ମାଂସପେଶୀ ଓ ସିରିଂକ୍ସ ବାହାରେ ଥିବା ଅନେକ ନରମ ହାଡ଼ର ରିଙ୍ଗ୍ ଦ୍ୱାରା ନିୟନ୍ତ୍ରିତ ହୋଇଥାଏ। ତା’ସହ ନକଲ କରିବାର ସଜ୍ଞାନାତ୍ମକ ତନ୍ତ୍ର ବା କଗନିଟିଭ ମେକାନିଜ୍ମ ଅଫ୍ ଇମିଟେସନ୍ ଦ୍ୱାରା ସେମାନେ ମଣିଷ ଯାହା କହେ ତାକୁ ନକଲ କରି ମଣିଷ ଭଳି କଥା କହିପାରନ୍ତି। ଏହାବାଦ ଶୁଆର ମୋଟା ଜିଭ ବି ମଣିଷ ପରି ଶବ୍ଦ ବାହାର କରିବାରେ ସାହାଯ୍ୟ କରିଥାଏ।
ଆହୁରି ପଢ଼ନ୍ତୁ: ଭୋଗ ପରମ୍ପରା: ଶ୍ରୀମନ୍ଦିରରେ କାଜୁ ମନା
ଶୁଆ ମଣିଷ କହୁଥିବା କଥାର ନକଲ କରିପାରେ। ହେଲେ ସେମାନେ ଯେଉଁ ଶବ୍ଦକୁ ନକଲ କରନ୍ତି ତା’ର ଭାବ ବା ଅର୍ଥ ବୁଝି ନଥାନ୍ତି ବୋଲି ଗବେଷଣାରୁ ଜଣାଯାଏ। ଅର୍ଥାତ୍ ଶୁଆ ଆପଣଙ୍କୁ ପଚାରିପାରେ ଯେ, ଆପଣ କେମିତି ଅଛନ୍ତି। ତା’ର ଅର୍ଥ ନୁହେଁ କି ସେ ନିଜର ମସ୍ତିସ୍କକୁ ବ୍ୟବହାର କରି ଭାବି ଚିନ୍ତି କହିଥାଏ। ଏହି କଥାକୁ ବାରମ୍ବାର କାହା ମୁହଁରୁ କହୁଥିବାର ଶୁଣି ମନେ ରଖି ନକଲ କରି କହେ। ତେବେ ଆଉ କିଛି ଗବେଷଣା ଏହାର ବିପରୀତ କହେ ଯେ, ଶୁଆର ମସ୍ତିସ୍କ ବଡ଼ ଓ ମଣିଷର ମସ୍ତିସ୍କ ସଂରଚନା ପରି ହୋଇଥାଏ। ତେଣୁ ଏହା ଏକ ବୁଦ୍ଧିମାନ ପକ୍ଷୀ। ଏହାର ଜଟିଳ ସ୍ବର କ୍ଷମତା ଥିବା ସହ ଜ୍ଞାନ ବି ଅଛି। ତା’ଛଡ଼ା ଏମାନେ ସାମାଜିକ ସଂରଚନା ଭିତରେ ରହନ୍ତି। ତେଣୁ ଆଖପାଖର ମଣିଷଙ୍କ ସହ କଥା ହେବାକୁ ଚେଷ୍ଟା କରିଥାଆନ୍ତି।
Follow Us