ସୱାଇ ମାନସିଂହ ଷ୍ଟାଡିୟମ୍ରୁ ସୁରେଶ ସ୍ବାଇଁ
ଜୟପୁର (ରାଜସ୍ଥାନ): ଚଳିତ ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ାରେ ଓଡ଼ିଶାର ଗୌରବକୁ ନୂଆ ଶିଖରକୁ ନେଇଛି କଳିଙ୍ଗ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡଷ୍ଟ୍ରିଆଲ୍ ଟେକ୍ନୋଲଜି (କିଟ୍)। ଦୁଇ ଦିନ ପୂର୍ବରୁ ସ୍ବର୍ଣ୍ଣ ଓ ମୋଟ ପଦକରେ ରେକର୍ଡ କରି ସାରିଥିବା ‘କିଟ୍’ ଗୁରୁବାର ଆଉ ୪ଟି ସ୍ବର୍ଣ୍ଣ ପଦକ ଓ ଗୋଟିଏ ରୌପ୍ୟ ଯୋଡ଼ିଛି। ୫ ବର୍ଷର ପ୍ରତିଯୋଗିତା ଇତିହାସରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ ସହିତ ଅଭିଯାନ ଶେଷ କରିଛି। ‘କିଟ୍’ ସହିତ ଓଡ଼ିଶାର ୪ ବିଶ୍ବବିଦ୍ୟାଳୟ ମୋଟ ୨୮ ପଦକ (୧୩ ସ୍ବର୍ଣ୍ଣ, ୫ ରୌପ୍ୟ, ୧୦ କାଂସ୍ୟ) ଜିତିଥିବା ବେଳେ କେବଳ ‘କିଟ୍’ ୧୦ ସ୍ବର୍ଣ୍ଣ ପଦକ ସହ ମୋଟ ୨୧ ପଦକ ଅମଳ କରିଛି। ପୂର୍ବରୁ ‘କିଟ୍’ ୨୦୨୩ ସଂସ୍କରଣରେ ୫ ସ୍ବର୍ଣ୍ଣ ସହ ସର୍ବାଧିକ ୧୧ ପଦକ ସହ ୧୫ତମ ସ୍ଥାନରେ ରହିଥିଲା। ପ୍ରଥମ ଥର ପାଇଁ ‘କିଟ୍’ ଶୀର୍ଷ ୧୦ ଭିତରେ (ସପ୍ତମ) ରହି ବଡ଼ ଲମ୍ଫ ମାରିଛି। ଓଡ଼ିଶା ପାଇଁ ‘କିଟ୍’ ବ୍ୟତୀତ ଉତ୍କଳ ୫ ଏବଂ ବ୍ରହ୍ମପୁର ଓ ରମାଦେବୀ ବିଶ୍ବବିଦ୍ୟାଳୟ ଗୋଟିଏ ଲେଖାଏଁ ପଦକ ଜିତିବାରେ ସକ୍ଷମ ହୋଇଛନ୍ତି।
Indian Railways: ଅମୃତ ଭାରତ ଷ୍ଟେସନ ଯୋଜନାରେ ବରପାଲି ରେଳ ଷ୍ଟେସନର ନବୀକରଣ
ଟେନିସ୍ରୁ କ୍ରମାଗତ ସ୍ବର୍ଣ୍ଣ
ଲନ୍ ଟେନିସ୍ର ପୁରୁଷ ବିଭାଗରେ ଓଡ଼ିଶା ଗୁରୁବାର ସ୍ବର୍ଣ୍ଣ ଜିତିବାରୁ ଅଭିଯାନ ଆରମ୍ଭ କରିଥିଲା। ରାଜ୍ୟର ଦୁଇ ଶ୍ରେଷ୍ଠ ଖେଳାଳି କବୀର ହଂସ ଓ ଦେବାଶିଷ ସାହୁ୍ଙ୍କ ନିରନ୍ତର ବିଜୟ ବଳରେ ହିଁ ‘କିଟ୍’ ଏହି ସଫଳତା ପାଇଛି। ଗୁରୁବାର ସୱାଇ ମାନସିଂହ ଷ୍ଟାଡିୟମ୍ ଟେନିସ୍ କୋର୍ଟ-୨ରେ ଖେଳାଯାଇଥିବା ଫାଇନାଲ୍ରେ ‘କିଟ୍’ ୨-୦ରେ ରାଜସ୍ଥାନର ମଣିପାଲ୍ ବିଶ୍ବବିଦ୍ୟାଳୟକୁ ପରାସ୍ତ କରିଥିଲା। ପ୍ରଥମ ଏକକରେ ଦେବାଶିଷ ୭-୬ (୬), ୬-୨ରେ ତୀର୍ଥ ଦୋଷୀଙ୍କୁ ଏବଂ ଦ୍ବିତୀୟ ଏକକରେ କବୀର ୬-୩, ୬-୩ରେ ସନ୍ଦେଶ ଖୁରାଲେଙ୍କୁ ପରାସ୍ତ କରିଥିଲେ। ସେମିଫାଇନାଲ୍ ଭଳି ‘କିଟ୍’ ଦଳକୁ ମଧ୍ୟ ଯୁଗଳ ମୁକାବିଲାର ଆବଶ୍ୟକତା ପଡ଼ି ନଥିଲା। ଘଟଣାବହୁଳ ପ୍ରଥମ ଏକକ ପ୍ରାୟ ୨ ଘଣ୍ଟା ଧରି ଖେଳାଯାଇଥିଲା। କିନ୍ତୁ କୌଣସି ଚାପରେ ନପଡ଼ି ଦେବାଶିଷ ବାଜି ମାରିନେଇଥିଲେ। କବୀର ନିଜ ପ୍ରତିଦ୍ବନ୍ଦ୍ବୀଙ୍କୁ କୌଣସି ସୁଯୋଗ ଦେଇ ନଥିଲେ। ମ୍ୟାଚ୍ ପରେ ଉଲ୍ଲସିତ କବୀର କହିଥିଲେ ‘‘ଦ୍ବିତୀୟ ଥର ସ୍ବର୍ଣ୍ଣ ପଦକ ଜିତି ଖୁସି ଲାଗୁଛି। ଆସନ୍ତାବର୍ଷକୁ ମୋ ପାଇଁ ସୁଯୋଗ ନଥିବାରୁ ବିଜୟ ସହ ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟକୁ ଉଚ୍ଚାରେ ବିଦାୟ ଜଣାଇବାକୁ ମନସ୍ଥ କରିଥିଲି। ଦଳଗତ ପ୍ରଦର୍ଶନ ପାଇଁ ଏହା ସମ୍ଭବ ହେଲା’’। ବିଜୟ ପାଇଁ ଆମ ରଣ କୌଶଳ ପ୍ରସ୍ତୁତ କରିଥିଲୁ ଏବଂ ତଦନୁଯାୟୀ ଖେଳି ବିଜୟୀ ହେଲୁ। ଦଳଗତ ପ୍ରଦର୍ଶନକୁ ଶ୍ରେୟ ଯିବ। ମୋ ପାଇଁ ଏହା ପ୍ରଥମ ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ ସ୍ବର୍ଣ୍ଣ ପଦକ ବିଜୟ। କିନ୍ତୁ ଓଡ଼ିଶା ପାଇଁ ଜିତିଥିବା ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ାର କାଂସ୍ୟ ପଦକକୁ ମିଶାଇଲେ ଏହା ଦ୍ବିତୀୟ ପଦକ ବୋଲି କହିଥିଲେ ଦେବାଶିଷ। ଅକୁଣ୍ଠ ସମର୍ଥନ ପାଇଁ ‘କିଟ୍’ ଓ ଏହାର ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତଙ୍କୁ ଉଭୟ କୃତଜ୍ଞତା ଜଣାଇଥିଲେ। ‘କିଟ୍’ ୨୦୨୪ ଗୁଆହାଟୀ ସଂସ୍କରଣରେ ମଧ୍ୟ ପୁରୁଷ ଟେନିସ୍ ସ୍ବର୍ଣ୍ଣ ପଦକ ଜିତିଥିଲା। ସେହି ଦଳରୁ ଏଥର ସାମିଲ ଥିବା କବୀର ହଂସ, ପ୍ରତ୍ୟୁଷ ମହାନ୍ତି, ଅଂଶୁମାନ ସିଂହ ମଧ୍ୟ ବ୍ୟକ୍ତିଗତ ଭାବେ ଦ୍ବିତୀୟ ସ୍ବର୍ଣ୍ଣ ପଦକ ବିଜୟର ଗୌରବ ପାଇଛନ୍ତି।
TRAI : ଭାରତ ବିଶ୍ବରେ ସବୁଠାରୁ ଦ୍ରୁତ ଗତିରେ ୫ଜି ସେବା ଲାଗୁ କରିଛି : ଟ୍ରାଇ ଅଧ୍ୟକ୍ଷ
‘ନାଡ଼ା’ ଡରରେ ଖେଳାଳି ଗାଏବ
ଶୁକ୍ରବାର ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ାର ପଞ୍ଚମ ସଂସ୍କରଣ ସମାପିତ ହେବ। ଗୋଟିଏ କଥା କିନ୍ତୁ ଏଠାରେ ଖୁବ୍ ଚର୍ଚ୍ଚାରେ ରହିଛି ଜୟପୁରର ସୱାଇ ମାନସିଂହ ଷ୍ଟାଡିୟମ୍ରେ। କିଛି ଇଭେଣ୍ଟ୍ରେ ଖେଳାଳିଙ୍କ ଅପେକ୍ଷାକୃତ କମ୍ ଉପସ୍ଥିତି ରହିବା, ଏପରିକି ପଞ୍ଜୀକୃତ ଖେଳାଳିମାନେ ଅଂଶଗ୍ରହଣ ନ କରିବାର କାରଣ ଖୋଜିବା ପରେ ଏହା ସ୍ପଷ୍ଟ ହୋଇଥିଲା। ପ୍ରତିଯୋଗିତାରେ ଚାକିରି କରିବା ପରେ ଖେଳାଳିଙ୍କ ଅଂଶଗ୍ରହଣ ଓ ସର୍ବୋଚ୍ଚ ବୟସକୁ ୨୫ କରାଯିବା ପରେ ଏହା କିଛି ଖେଳାଳିଙ୍କୁ ରୋକି ଦେଇଥିଲା। ଅଦାଲତରେ ଏକ ମାମଲା ପରେ ଏହି ଦୁଇଟି କଟକଣା ଲଗାଇଥିଲା। ଦ୍ବିତୀୟ ମୁଖ୍ୟ କାରଣଟି କିନ୍ତୁ ଥିଲା ଭିନ୍ନ। ନ୍ୟାସନାଲ୍ ଆଣ୍ଟି ଡୋପିଂ ଏଜେନ୍ସି (ନାଡା)ର ଉପସ୍ଥିତି ଏବଂ ମୂତ୍ର ନମୂନା ସଂଗ୍ରହ କାରଣରୁ ଅଧିକାଂଶ ଖେଳାଳି ଧରାପଡ଼ିବା ଭୟରେ ଓହରି ଯାଇଥିଲେ। ୪୦୦ ମିଟର୍ ପୁରୁଷ ଓ ମହିଳା ୪୦୦ ମିଟର ମହିଳା, ୨୦୦ ମିଟର୍ ପୁରୁଷରେ ଅନ୍ୟୂନ ୩ ଜଣ ଖେଳାଳି ଭାଗ ନନେବା ଏବଂ କୁସ୍ତିରେ ୧୬୦ରୁ ଊର୍ଦ୍ଧ୍ବ ଖେଳାଳି ନାମ ପଞ୍ଜୀକରଣ କରି ୫୦ରୁ ଅଧିକ ଲଢ଼ିବାରୁ ଏହି ଚର୍ଚ୍ଚା ହୋଇଥିଲା। ମୋଟ ଉପରେ ପୂର୍ବ ଘୋଷିତ ୫୦୦୦ରୁ ଊର୍ଦ୍ଧ୍ବ ପ୍ରତିଯୋଗୀରୁ କିନ୍ତୁ କମି ୪୦୦୦ ପାଖାପାଖି ଖେଳିଥିଲେ। ତଥାପି ବିଶ୍ବବିଦ୍ୟାଳୟସ୍ତରରୁ ବ୍ୟବସ୍ଥିତ ଭାବେ ସ୍ବଚ୍ଛତା ଓ ଡ୍ରଗ୍ସ ମୁକ୍ତ ଭାବେ ପ୍ରତିଯୋଗିତା କରାଯିବାକୁ ଉଚ୍ଚ ପ୍ରଶଂସା କରାଯାଇଛି।
ଟ୍ରାକ୍ ଆଣ୍ଡ୍ ଫିଲ୍ଡରୁ ୩ ସ୍ବର୍ଣ୍ଣ
ଟେନିସ୍ ସ୍ବର୍ଣ୍ଣ ପଦକ ପରେ ପାଖରେ ଥିବା ଟ୍ରାକ୍ ଆଣ୍ଡ୍ ଫିଲ୍ଡରୁ ବି ଆଉ ୩ ସ୍ବର୍ଣ୍ଣ ପଦକ ଯୋଡ଼ିଥିଲେ କିଟ୍ ଛାତ୍ରଛାତ୍ରୀ। ପୁରୁଷ ସଟ୍ପୁଟ୍ରେ ମିଟ୍ ରେକର୍ଡ ସହିତ ସ୍ବର୍ଣ୍ଣ ପଦକ କବ୍ଜା କରିଥିଲେ ସମରଦୀପ୍ ସିଂହ ଗିଲ୍। ଗିଲ୍ ୧୯.୪୨ ମିଟର୍ ଦୂରତା ସହ ଏହି ଗୌରବ ଆଣିଥିଲେ। ଦ୍ବିତୀୟ ଥ୍ରୋ ତାଙ୍କୁ ବିଜୟୀ ଦୂରତା ଆଣି ଦେଇଥିଲା। ପୂର୍ବ ରେକର୍ଡ (୧୮.୭୫ ମିଟର୍) ମଧ୍ୟ ତାଙ୍କ ନାମରେ ଥିଲା। କିଛି ସମୟ ପରେ ୩ ଦିନ ଧରି ବିଭିନ୍ନ ଇଭେଣ୍ଟ୍ରେ ଅଗ୍ରଣୀ ରହି ଆସିଥିବା ଈଶା ସିପି ନେଗି ମହିଳା ହେପ୍ଟାଥଲନ୍ ଇଭେଣ୍ଟ୍ରେ ସ୍ବର୍ଣ୍ଣ ପଦକ ଜିତିଥିଲେ। ମୋଟ ୪୮୫୭ ପଏଣ୍ଟ୍ ସହ ସେ ନିକଟତମ ପ୍ରତିଦ୍ବନ୍ଦ୍ବୀ ଏସ୍ ମଦୁଗେଶ୍ବରୀ (୪୬୪୮)ଙ୍କୁ ବଡ଼ ବ୍ୟବଧାନରେ ପଛରେ ପକାଇ ଦେଇଥିଲେ। ୧୦୦ ମିଟର୍ ବାଧାଦୌଡ଼ (୧୪.୭୫), ହାଇଜମ୍ପ୍ (୧.୫୬), ସଟ୍ପୁଟ୍ (୧୦.୮୨), ୨୦୦ ମିଟର୍ (୨୫.୭୬), ଲଙ୍ଗ୍ଜମ୍ପ୍ (୫.୨୫), ଜାଭଲିନ୍ ଥ୍ରୋ (୩୪.୧୨) ଆଦି ପୂର୍ବ ୬ ଇଭେଣ୍ଟ୍ରେ ପ୍ରଥମ ସ୍ଥାନରେ ରହିଥିବା ନେଗି ଗୁରୁବାରର ଶେଷ ଇଭେଣ୍ଟ୍ ୮୦୦ ମିଟରରେ ୨:୨୮.୭୪ ଟାଇମିଂ ସହିତ କିନ୍ତୁ ଦ୍ବିତୀୟରେ ରହିଥିଲେ। ଏହା କିନ୍ତୁ ତାଙ୍କୁ ସ୍ବର୍ଣ୍ଣ ପଦକରୁ ବଞ୍ଚିତ ରଖିପାରି ନଥିଲା। ନୂଆ ମିଟ୍ ରେକର୍ଡ ମଧ୍ୟ ‘କିଟ୍’ ନାମରେ କରିଛନ୍ତି ନେଗି। ପୂର୍ବ ରେକର୍ଡ ୨୦୨୦ ଭୁବନେଶ୍ବର ସଂସ୍କରଣରେ ଲଭ୍ଲି ପ୍ରଫେସ୍ନାଲ୍ ୟୁନିଭର୍ସିଟିର ଏସ୍ କୁମାରୀ (୪୭୪୮)ଙ୍କ ନାମରେ ଥିଲା।
ସଂଧ୍ୟାରେ ଅନୁଷ୍ଠିତ ୧୦୦ ମିଟର୍ ରିଲେରେ ବି ମିଟ୍ ରେକର୍ଡ ସହ ‘କିଟ୍’ ସ୍ବର୍ଣ୍ଣିମ ସଫଳତା ପାଇଛି। ଅନିମେଷ କୁଜୁର, ଦଣ୍ଡମ୍ ମୃତ୍ୟୁମ୍ ଜୟରାମ, ସାନ୍ତା ମହେନ୍ଦ୍ର, ଅଭୟ ସିଂହଙ୍କୁ ନେଇ ଗଠିତ ରିଲେ ଦଳ ୪୦.୦୯ ସେକେଣ୍ଡ୍ ସମୟ ସହିତ ପ୍ରଥମ ସ୍ଥାନରେ ରହିଥିଲା। ପୂର୍ବରୁ ମିଟ୍ ରେକର୍ଡ ମାଙ୍ଗାଲୋର୍ ବିଶ୍ବବିଦ୍ୟାଳୟ (୪୦.୭୬) ନାମରେ ଥିଲା। ଦ୍ବିତୀୟ ସ୍ଥାନରେ ରହିଥିବା ମହାତ୍ମା ଗାନ୍ଧୀ ବିଶ୍ବବିଦ୍ୟାଳୟ ସମାନ ୪୦.୭୬ ସେକେଣ୍ଡ୍ ସମୟ ନେଇ ଦ୍ବିତୀୟରେ ରହିଥିଲା।
ମହିଳା ଭଲିବଲ୍ରେ ରୌପ୍ୟ
ମହିଳା ଭଲିବଲ୍ରେ ରୌପ୍ୟ ପଦକ ଜିତି ‘କିଟ୍’ ନିଜ ମୋଟ୍ ପଦକକୁ ୨୧ରେ ପହଞ୍ଚାଇଥିଲା। ଗୋଟିଏ ଦିନରେ ସେମିଫାଇନାଲ୍ ଓ ଫାଇନାଲ୍ ଖେଳିବାର ଚାପ ଭିତରେ ‘କିଟ୍’ ମହିଳା ଦଳ ରୌପ୍ୟ ପଦକରେ ସନ୍ତୁଷ୍ଟ ହୋଇଛି। ସକାଳେ ସେମିଫାଇନାଲ୍ରେ ଏସ୍ଆର୍ଏମ୍ ବିଶ୍ବବିଦ୍ୟାଳୟକୁ ୩-୨ରେ ପରାସ୍ତ କରିଥିଲେ। ସଂଧ୍ୟାରେ ଖେଳାଯାଇଥିବା ଫାଇନାଲ୍ରେ ପଞ୍ଜାବର ଲଭ୍ଲି ପ୍ରଫେସ୍ନାଲ୍ ବିଶ୍ବବିଦ୍ୟାଳୟ ବିପକ୍ଷରେ ୨-୩ରେ ହାରିଯାଇଥିଲେ। ୦-୨ରେ ପଛୁଆ ରହିବା ପରେ କିଟ୍ ଝିଅମାନେ ଲଢ଼ୁଆ ପ୍ରତ୍ୟାବର୍ତ୍ତନ କରି ସ୍କୋର୍କୁ ୨-୨ କରିଦେଇଥିଲେ। ନିର୍ଣ୍ଣାୟକ ପଞ୍ଚମ ସେଟ୍ରେ କିନ୍ତୁ ହାରିଯାଇଥିଲେ। ଖେଳାଳିମାନେ ମଧ୍ୟ ‘କିଟ୍’ ଓ ‘କିସ୍’ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ତାଙ୍କ ନିସ୍ବାର୍ଥପର ସମର୍ଥନ ପାଇଁ କୃତଜ୍ଞତା ଜଣାଇଛନ୍ତି। ଓଡ଼ିଶା ଭଲିବଲ୍ ସଂଘର ସଭାପତି ଥିବା ଡକ୍ଟର ସାମନ୍ତ ମଧ୍ୟ ସମସ୍ତ ପଦକ ବିଜୟିନୀଙ୍କୁ ଅଭିନନ୍ଦନ ସହ ଭବିଷ୍ୟତ ସଫଳତା ପାଇଁ ଶୁଭେଚ୍ଛା ଜଣାଇଛନ୍ତି।
Follow Us