ଭୁବନେଶ୍ବର: ‘ସାମାଜରେ ସୌହାର୍ଦ୍ୟ ଓ ଏକତାର ବାତାବରଣ ସୃଷ୍ଟି କରି ଏହାର ବୌଦ୍ଧିକ ବିକାଶ କରିବାରେ ‘ଚେସ୍’ ନିର୍ଣ୍ଣାୟକ ଭୂମିକା ନେଇ ପାରିବ। ୬୪ବର୍ଗର ଏହି ଖେଳ ସାମାଜିକ ଓ ଶିକ୍ଷାଗତ ସଂସ୍କାରର ବଳିଷ୍ଠ ମାଧ୍ୟମ ବି ହୋଇପାରିବ। ସେହି ଦୃଷ୍ଟିରୁ ଶିକ୍ଷା ଓ ଚେସ୍ର ସମନ୍ବୟ ହେଉଛି ସମୟର ଆବଶ୍ୟକତା। ଚେସ୍ ଖେଳିଲେ ଜଣେ କେବଳ ଶୃଙ୍ଖଳିତ ହୁଏନି; ଅପୂର୍ବ ଏକାଗ୍ରତା, ଅସାଧାରଣ ନିରନ୍ତରତା ଓ ନିର୍ଭିକ ଭାବେ ନୂଆ ନୂଆ କଥା ଚିନ୍ତା କରିବା ଦକ୍ଷତା ତା ବ୍ୟକ୍ତିତ୍ବର ଅଂଶବିଶେଷ ପାଲଟିଥାଏ।’’କିଟ୍ ବିଶ୍ବବିଦ୍ୟାଳୟଠାରେ ଗୁରୁବାର ଓ ଶୁକ୍ରବାର ଦୁଇ ଦିନ ଧରି ଆୟୋଜିତ ହେବାକୁ ଥିବା ‘ସାମାଜିକ ଓ ଶିକ୍ଷାଗତ ଚେସ୍ ଅନ୍ତର୍ଜାତୀୟ ସମ୍ମିଳନୀ’ର ଅବ୍ୟବହିତ ପୂର୍ବରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଚେସ୍ ବିଶେଷଜ୍ଞ, ଗ୍ରାଣ୍ଡମାଷ୍ଟର୍ ଓ ଚେସ୍ ସଂଗଠକମାନେ ଏଭଳି ମତବ୍ୟକ୍ତ କରିଛନ୍ତି।
ସେହିଭଳି ଭାରତରେ ପ୍ରଥମ ଥର ଏଭଳି ଏକ ସମ୍ମିଳନୀ ଆୟୋଜିତ ହେଉଥିବାରୁ ଆଗାମୀ ସମୟରେ ଓଡ଼ିଶାରେ ଚେସ୍ର ଲୋକପ୍ରିୟତା ଆହୁରି ବଢ଼ିବ ବୋଲି ଦୃଢ଼ ଆଶା ପୋଷଣ କରିଛନ୍ତି। ସାମ୍ବାଦିକ ସମ୍ମିଳନୀର ମୁଖ୍ୟ ଆକର୍ଷଣ ପାଲଟିଥିବା ପାଞ୍ଚ ଥର ବିଶ୍ବବିଜେତା ତଥା ଭାରତର ପ୍ରଥମ ଗ୍ରାଣ୍ଡମାଷ୍ଟର ବିଶ୍ବନାଥନ ଆନନ୍ଦ ଦେଶର ଚେସ୍ ଭବିଷ୍ୟତ ବେଶ୍ ଉଜ୍ଜ୍ବଳ ବୋଲି ମତ ବ୍ୟକ୍ତ କରିଛନ୍ତି। ସେହିଭଳି ଶିକ୍ଷାରେ ଚେସ୍ର ପ୍ରୟୋଗ ଉପରେ ଗୁରୁତ୍ବାରୋପ କରିଛନ୍ତି ସେ।
ଆହୁରି ପଢ଼ନ୍ତୁ: Another scam rocks Sabarimala: ମନ୍ଦିରରେ ‘ଆଦିୟା ସିଷ୍ଟମ୍ ଘିଅ’ ବିକ୍ରିରେ ୩୫ ଲକ୍ଷ ଟଙ୍କା ଦୁର୍ନୀତିର ପର୍ଦ୍ଦାଫାସ
ଗର୍ବ ଓ ଗୌରବର ବିଷୟ: ଅଚ୍ୟୁତ ସାମନ୍ତ
କିଟ୍ ଓ କିସ୍ ପ୍ରତିଷ୍ଠାତା ପ୍ରଫେସର ଅଚ୍ୟୁତ ସାମନ୍ତ ଏଭଳି ଏକ ସମ୍ମିଳନୀ ଓଡ଼ିଶାରେ ଆୟୋଜିତ ହେବା ଗର୍ବ ଓ ଗୌରବର ବିଷୟ। ୪୦ ଦେଶର ୮୦ ପ୍ରତିନିଧି ଏବଂ ୫୨୦୦ରୁ ଅଧିକ ଚେସ୍ ଖେଳାଳି ଅଂଶଗ୍ରହଣ କରୁଥିବାରୁ ଏହାକୁ ‘ଚେସ୍ ମହାକୁମ୍ଭ’ର ନାଁ ଦିଆଯାଇଛି। ଚେସ୍ ଏମିତି ଏକ ଖେଳ ଯେଉଁଥିରେ ଧନୀ-ଗରିବ, କୁନି-ବୟସ୍କ, ଅଭିଜ୍ଞ-ଅନଭିଜ୍ଞ ମଧ୍ୟରେ କୌଣସି ପାର୍ଥକ୍ୟ ନଥାଏ। ସମସ୍ତେ ଗୋଟିଏ ଟେବୁଲ୍ରେ ବସି ଖେଳି ପାରନ୍ତି ବୋଲି କହିଥିଲେ। ଫିଡେ ସଭାପତି ତଥା ରୁଷିଆର ପୂର୍ବତନ ଉପପ୍ରଧାନମନ୍ତ୍ରୀ ଆର୍କାଡି ଦର୍କୋଭିଚ, ଉପାଧ୍ୟକ୍ଷ ଦାନା ରେଜନିସ୍ ପିଲାଙ୍କୁ ଖେଳ ଶିକ୍ଷାଇବା ପୂର୍ବରୁ ଶିକ୍ଷକଙ୍କୁ ଚେସ୍ର ପ୍ରଶିକ୍ଷଣ ଦେବାକୁ ଆହ୍ବାନ କରିଥିଲେ। କାଜାଖସ୍ଥାନ ଏଭଳି ମଡେଲ ଉପଯୋଗ କରି ଚେସ୍କୁ ଗଣଖେଳରେ ପରିଣତ କରିପାରିଛି। ଭାରତରେ ମଧ୍ୟ ଏହି ମଡେଲ ସୁଫଳ ହେବ ବୋଲି ଉଭୟ ଆଶା ପ୍ରକାଶ କରିଥିଲେ। ଏଣୁ ଶିକ୍ଷାରେ ଚେସ୍ର ସୁଚିନ୍ତିତ ସମିଶ୍ରଣର ଲକ୍ଷ୍ୟ ନେଇ ଅନ୍ତର୍ଜାତୀୟ ଚେସ୍ ମହାସଂଘ ଚଳିତ ବର୍ଷକୁ ‘ଶିକ୍ଷାରେ ଚେସ୍’ ବର୍ଷ ଭାବେ ପାଳନ କରୁଛି। ବିଭିନ୍ନ ଯୋଜନା, କାର୍ଯ୍ୟକ୍ରମ, ସମ୍ମିଳନୀ କରି ତୃଣମୂଳ ସ୍ତରରୁ ଅଧିକରୁ ଅଧିକ ପିଲାଙ୍କୁ ଚେସ୍ ଯୋଡ଼ିବାକୁ ସାରା ବିଶ୍ବରେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଛି। ଚେସ୍କୁ ସାମାଜିକ ଓ ଶିକ୍ଷାଗତ ସଂସ୍କାରର ମାଧ୍ୟମ କରିବାକୁ ଚେଷ୍ଟା ଚଳାଇଛି ବୋଲି ବୋଲି ଉଭୟ ମତବ୍ୟକ୍ତ କରିଥିଲେ। ଏମାନଙ୍କ ଛଡ଼ା ଗ୍ରାଣ୍ଡମାଷ୍ଟର୍ ଅଭିଜିତ କୁନ୍ତେ, ଦିବ୍ୟେନ୍ଦୁ ବରୁଆ, ଫିଡେ ଇଭେଣ୍ଟ କମିସନ ସଦସ୍ୟ ରଞ୍ଜନ କୁମାର ମହାନ୍ତି, କିଟ୍ କ୍ରୀଡ଼ା ମହାନିର୍ଦ୍ଦେଶକ ଗଗନେନ୍ଦୁ ଦାସ ପ୍ରମୁଖ ଏହି ଅପସରରେ ଉପସ୍ଥିତ ଥିଲେ। ଗୁରୁବାର ଶ୍ରୀ ଆନନ୍ଦ କିଟ୍ ପରିସରରେ ଥିବା ଇଣ୍ଟରନ୍ୟାସ୍ନାଲ୍ ଚେସ୍ ହଲ୍ ଓ ଚେସ୍ ଗ୍ରାଉଣ୍ଡକୁ ଉଦ୍ଘାଟନ କରିବେ ବୋଲି ମଧ୍ୟ ଘୋଷଣା କରାଯାଇଥିଲା।
ଆହୁରି ପଢ଼ନ୍ତୁ: Leave Iran: ନାଗରିକଙ୍କ ପାଇଁ ଭାରତର କଡ଼ା ପରାମର୍ଶାବଳୀ
Follow Us