'Big' thrill in Ranchi: ରାଞ୍ଚିରେ ‘ବିରାଟ’ ରୋମାଞ୍ଚ: ଭାରତ ୧୭ ରନ୍‌ରେ ବିଜୟୀ, ଲଢ଼ିକି ହାରିଲା ଦକ୍ଷିଣ ଆଫ୍ରିକା

ଫର୍ମ ଅସ୍ଥାୟୀ, କ୍ଲାସ୍ ସ୍ଥାୟୀ; ଏକଥାକୁ ପୁଣି ଥରେ ପ୍ରମାଣ କରିଛନ୍ତି କିଙ୍ଗ୍ କୋହଲି। ଘରୋଇ ପ୍ରତ୍ୟାବର୍ତ୍ତନର ପ୍ରଥମ ମ୍ୟାଚ୍‌ରେ ବିରାଟ ପାଳି ଖେଳିଛନ୍ତି ସେ। ତାଙ୍କ ରେକର୍ଡଭରା ଶତକୀୟ ପାଳି (୧୩୫ ରନ୍) ବଳରେ ରାଞ୍ଚି ଦିନିକିଆକୁ ରୋମାଞ୍ଚକ ଭାବେ ୧୭ ରନ୍‌ରେ ଜିତି ନେଇଛନ୍ତି ଭାରତ।

gdjggdjgdjgj

ରାଞ୍ଚି: ଫର୍ମ ଅସ୍ଥାୟୀ, କ୍ଲାସ୍ ସ୍ଥାୟୀ; ଏକଥାକୁ ପୁଣି ଥରେ ପ୍ରମାଣ କରିଛନ୍ତି କିଙ୍ଗ୍ କୋହଲି। ଘରୋଇ ପ୍ରତ୍ୟାବର୍ତ୍ତନର ପ୍ରଥମ ମ୍ୟାଚ୍‌ରେ ବିରାଟ ପାଳି ଖେଳିଛନ୍ତି ସେ। ତାଙ୍କ ରେକର୍ଡଭରା ଶତକୀୟ ପାଳି (୧୩୫ ରନ୍) ବଳରେ ରାଞ୍ଚି ଦିନିକିଆକୁ ରୋମାଞ୍ଚକ ଭାବେ ୧୭ ରନ୍‌ରେ ଜିତି ନେଇଛନ୍ତି ଭାରତ। ନିଜ ୫୨ତମ ଶତକର ଉତ୍କଣ୍ଠାପୂର୍ଣ୍ଣ ଯାତ୍ରା ଭିତରେ ବିବିଧ ସଟ୍‌ର ସମ୍ଭାର ପ୍ରସ୍ତୁତ କରି କୋହଲି ମଧ୍ୟ ପ୍ରଶଂସକଙ୍କୁ ବି‌ମୋହିତ କରିଛନ୍ତି। ‌‌କୋହଲି ଶତକ ଛୁଇଁବା ପରେ ଜଣେ ଅମାନିଆ ଦର୍ଶକ ସୁରକ୍ଷା ବଳୟ ଭାଙ୍ଗି ପଡ଼ିଆ ଭିତରେ ତାଙ୍କୁ ମୁଣ୍ଡିଆ ମାରିବା ବି ତାଙ୍କ ଅସାଧାରଣ ଲୋକପ୍ରିୟତାକୁ ଦର୍ଶାଇଛି। କୌଣସି ଗୋଟିଏ ଫର୍ମାଟ୍‌ରେ ସର୍ବାଧିକ ଶତକ ହାସଲ କରିବାରେ ନିଜ ଆଦର୍ଶ ସଚିନ ତେନ୍ଦୁଲକରଙ୍କୁ ଟପିବା ବ୍ୟକ୍ତିଗତ ଭାବେ ବିରାଟଙ୍କ ପାଇଁ ଅଧିକ ସ୍ମରଣୀୟ ଓ ସ୍ବତନ୍ତ୍ର ହୋଇଛି। କୋହଲିଙ୍କ ପୁରୁଣା ସାଥୀ ରୋହିତ ଶର୍ମା ମଧ୍ୟ ପଛରେ ନାହାନ୍ତି। ୫୭ ରନ୍‌ର ପାଳି ଭିତର ସେ ମଧ୍ୟ ଏକାଧିକ ‌ରେକର୍ଡର ଅଧିକାରୀ କରିଛନ୍ତି। ‘ରୋକା’ଙ୍କ ସ୍ବର୍ଣ୍ଣିମ ସ୍ପର୍ଶରେ ଭାରତୀୟ ଦଳ ବି ବିଜୟ ଧାରାକୁ ଫେରିଛି। ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ୍‌ ଶୃଙ୍ଖଳାକୁ ୦-୨ରେ ହାରିବାର ଅବସାଦ ପରେ ଏହି ଦୁଇ ମହାନ ତାରକାଙ୍କ ଉପସ୍ଥିତିରେ ଦିନିକିଆ ଶୃଙ୍ଖଳାକୁ ବିଜୟର ଦମ୍ଭ ଓ ଆତ୍ମବିଶ୍ବାସର ସହ ଆରମ୍ଭ କରିଛି ଟିମ୍ ଇଣ୍ଡିଆ। ସମସ୍ତଙ୍କ ନଜର ଏବେ ୩ ତାରିଖ‌ରେ ରାଏପୁରରେ ଖେଳାଯିବାକୁ ଥିବା ଦ୍ବିତୀୟ ଦିନିକିଆ ଉପରକୁ ଘୁଞ୍ଚିଛି। ଏହି ମ୍ୟାଚ୍‌ରେ ଭାରତୀୟ ଦଳ ପାଖରେ ୨-୦ର ଅପରାଜେୟ ଅଗ୍ରଣୀ ନେଇ ଆଗୁଆ ଶୃଙ୍ଖଳା ଜିତିବାର ସୁଯୋଗ ରହିଛି।

Youth Festival: ଯୁବ ଉତ୍ସବରେ ସଂସ୍କୃତି ଓ ଜ୍ଞାନର ଏକ ବିରଳ ସମନ୍ୱୟର ଝଲକ

ଭାରତ ୩୫୦ ରନ୍‌ର ବିଶାଳ ବିଜୟ ଲକ୍ଷ୍ୟ ଦେବା ପରେ ଘରୋଇ ଦଳର ବିଜୟକୁ ନେଇ ପ୍ରଶଂସକ ଆଶ୍ବସ୍ତ ଥିଲେ। ଦକ୍ଷିଣ ଆଫ୍ରିକା କିନ୍ତୁ ‌‌ପାରୁ ପର୍ଯ୍ୟନ୍ତ ଲଢ଼ିଥିଲା। ୧୧ ରନ୍‌ରେ ୩ ୱିକେଟ୍‌ର ଝଟ୍‌କାରୁ ବାହାରି ଭାରତ ଉପରୁ ଶେଷ ପର୍ଯ୍ୟନ୍ତ ଚାପ ହଟିବାକୁ ଦେଇ ନଥିଲା। ତିନିଟି ଅର୍ଦ୍ଧଶତକ ଏବଂ ଦୁଇଟି ୩୦ରୁ ଅଧିକ ରନ୍‌ର ଦ୍ରୁତ ପାଳି ବଳରେ ଏକଦା ଭାରତ ହାତରୁ ମ୍ୟାଚ୍ ଛଡ଼ାଇ ନେବାର ଆଶଙ୍କ‌ା ବି ସୃଷ୍ଟି କରିଥିଲା ଏହି ଦଳ। ମାର୍କୋ ୟାନ୍‌ସେନ୍ ଓ ମାଥ୍ୟୁ ବ୍ରିଜ୍‌କେ ଧମାକାଦାର ବ୍ୟାଟିଂ କରିବା ପୂରା ଷ୍ଟାଡିୟମ୍‌ରେ ନିରବତା ଭରି ଦେଇଥିଲା। ଉଭୟଙ୍କୁ ଗୋଟିଏ ବଲ୍‌ ବ୍ୟବଧାନରେ ଆଉଟ୍ କରି କୁଲଦୀପ ଯାଦବ ଭାରତର ବିଜୟ ପଥ କିଛିଟା ସୁଗମ କରିଥିଲେ। ଅନ୍ୟତମ ଦକ୍ଷିଣ ଆଫ୍ରିକୀୟ ଅଲ୍‌ରାଉଣ୍ଡର୍ କର୍ବିନ୍ ବସ୍ କିନ୍ତୁ ଲଢ଼ିବା ଛାଡ଼ି ନଥିଲେ। ତାଙ୍କ ବଡ଼ ବଡ଼ ସଟ୍ ପାଇଁ ଭାରତୀୟ ପ୍ରଶଂସକଙ୍କ ଛାତି ଧଡ଼ଧଡ଼ ହୋଇଥିଲା। ଶେଷରେ ସାଥୀଙ୍କ ନିୟମିତ ହରାଇବାର ଜଟିଳ ପରିସ୍ଥିତିରେ ମାନସିକ ଦୃଢ଼ତା ହରାଇ ସେ ଅନ୍ତିମ ଓଭରରେ ଦ୍ବିତୀୟ ବଲ୍‌ରେ ଆଉଟ୍ ହୋଇଯାଇଥିଲେ। ଦକ୍ଷିଣ ଅଫ୍ରିକା ଲଢ଼ୁଆ କ୍ରିକେଟ୍ ଖେଳି ୪୯.୨ ଓଭରରେ ୩୩୨ ରନ୍‌ରେ ଅଲ୍‌ଆଉଟ୍ ହୋଇଯାଇଥିଲା। ଯାହା ଭାରତୀୟ ଖେଳାଳିଙ୍କ ସହ ପ୍ରଶଂସକଙ୍କ ମୁଣ୍ଡରୁ ବଡ଼ ବୋଝ ଖାଲିକରି ଦେଇଥିଲା। ୟାନ୍‌ସେନ୍ ଓ ବ୍ରିଜ୍‌କେ ୯୭ ରନ୍ ଯୋଡ଼ିବା ଏବଂ ‌‌ଶେଷ ୩ ୱିକେଟ୍‌ରେ ଦକ୍ଷିଣ ଆଫ୍ରିକା ୧୦୪ ରନ୍ କରିବା ହିଁ ସବୁଠୁ ବଡ଼ ଚିନ୍ତାର କାରଣ ଥିଲା। 

AIDS: ନବରଂଗପୁରରେ ୨୨ବର୍ଷରେ ଏଡ୍‌ସ କବଳରେ ୧୮୯୬ଜଣ, ମୃତ୍ୟୁ ୪୫୦

ପୂର୍ବରୁ ପୁଣି ଥରେ ଟସ୍ ହାରି ୨୫ ରନ୍‌ରେ ଯୁବ ଓପନର୍ ଯଶସ୍ବୀ ଜୟସ୍ବାଲଙ୍କୁ ହରାଇଥିଲା ଭାରତ। ହେଲେ ଦୁଇ ପୁରୁଖା ରଥୀ ରୋହିତ-କୋହଲିଙ୍କ ଦାୟିତ୍ବବାନ ହେଲେ ଦ୍ରୁତ ୧୩୬ ରନ୍‌ର ଭାଗୀଦାରି ପାଇଁ ବଡ଼ ସ୍କୋର୍ ଅଭିମୁଖେ ଗତି କରିଥିଲା। ବିଶେଷ କରି କୋହଲି ନି ସ୍ବଭାବ ବିପରୀତ ୭ଟି ବିଶାଳ ଛକା ମାରି ଭାରତ ସ୍କୋର୍‌କୁ ୩୪୯ ରନ୍‌ରେ ପହଞ୍ଚାବାରେ ପ୍ରମୁଖ ଭୂମିକା ତୁଲାଇଥିଲେ। ୧୦୨ ବଲ୍‌ରୁ ସେ ନିଜ ଅନ୍ୟତମ ପ୍ରିୟ ସ୍ଥାନ ରାଞ୍ଚିରେ ତୃତୀୟ ଏବଂ ମୋଟ ଉପରେ ୫୨ତମ ଏକଦିବସୀୟ ଶତକ ହାସଲ କରିଥିଲେ। ଏମାନଙ୍କ ଛଡ଼ା ଅଧିନାୟକ କେଏଲ୍ ରାହୁଲ ମଧ୍ୟ ୬୦ ରନ୍‌ ଏବଂ ଅଲରାଉଣ୍ଡର୍ ରବୀନ୍ଦ୍ର ଜାଡ଼େଜା ୩୨ ରନ୍‌ରେ ମହତ୍ତ୍ବପୂର୍ଣ୍ଣ ପାଳି ଖେଳିଥିଲେ।

ସଂକ୍ଷିପ୍ତ ସ୍କୋର୍: ଭାରତ ୫୦ ଓଭରରେ ୩୪୯/୮ (ବିରାଟ କୋହଲି-୧୩୫, କେଏଲ୍ ରାହୁଲ-୬୦, ରୋହିତ ଶର୍ମା-୫୭, ରବୀନ୍ଦ୍ର ଜାଡ଼େଜା-୩୨, ଅଟ୍‌ନିଲ ବର୍ଟମ୍ୟାନ୍-୨/୬୦, ନନ୍ଦ୍ରେ ବର୍ଗର-୨/୬୫, କର୍ବିନ ବସ୍-୨/୬୬, ମାର୍କୋ ୟାନ୍‌ସେନ୍-୨/୭୬)। ଦକ୍ଷିଣ ଆଫ୍ରିକା ୪୯.୨ ଓଭରରେ ୩୩୨/୧୦ (ମାଥ୍ୟୁ ବ୍ରିଜ୍‌କେ-୭୨, ମାର୍କୋ ୟାନ୍‌ସେନ୍-୭୦, କର୍ବିନ୍ ବସ୍-୬୭, ‌ଟୋନି ଡି’ ଜୋର୍ଜି-୩୯, କୁଲଦୀପ ଯାଦବ-୪/୬୮, ହର୍ଷିତ ରାଣା-୩/୬୫, ଅର୍ଶଦୀପ ସିଂହ-୨/୬୪, ପ୍ରସିଦ୍ଧ କ୍ରିଷ୍ଣା-୧/୪୮)।

ସଚିନଙ୍କୁ ଟପିଲେ କୋହଲି

ନିଜ ଜା‌ଜ୍ଜ୍ବଲ୍ୟମାନ କ୍ରିକେଟ୍ ଜୀବନରେ କିଙ୍ଗ୍ କୋହଲି ରବିବାର ଆଉ ଏକ ଐତିହାସିକ ସଫଳତା ଯୋଡ଼ିଛନ୍ତି। ନିଜ ଆଦର୍ଶ ତଥା ମାଷ୍ଟର୍ ବ୍ଲାଷ୍ଟର୍ ସଚିନ ତେନ୍ଦୁଲକରଙ୍କୁ ଟପି କ୍ରିକେଟ୍‌ର କୌଣସି ଏକ ଫର୍ମାଟ୍‌ରେ ସର୍ବାଧିକ ଶତକ ହାସଲ କରିବାର ବିରଳ ଓ ଅବିଶ୍ବସନୀୟ କୀର୍ତ୍ତିମାନ ନିଜ ନାଁରେ କରି ନେଇଛନ୍ତି ସେ। ସଚିନ ଟେଷ୍ଟ୍ କ୍ରିକେଟ୍‌ରେ ୫୧ ଶତକ ମାରିଥିଲା ବେଳେ କୋହଲି ରବିବାର ୫୨ତମ ଦିନିକିଆ ଶତକ ହାସଲ କରି ତାଙ୍କୁ ଟପିଥିଲେ। କୋହଲି ମଧ୍ୟ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଷଷ୍ଠ ଶତକ ହାସଲ କରିଛନ୍ତି। ଏହା କରି ସେ ଅଷ୍ଟ୍ରେଲିଆର ଡେଭିଡ୍ ୱାର୍ଣ୍ଣର ଓ ସଚିନଙ୍କୁ ଟପିଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷରେ ଉଭୟ ୱାର୍ଣ୍ଣର ଓ ସଚିନ ପାଞ୍ଚଟି ଲେଖାଏଁ ଶତକ ହାସଲ କରିଛନ୍ତି। ସବୁ ଫର୍ମାଟ୍‌କୁ ମିଶାଇ କିନ୍ତୁ ଏବେବି ସେ ସଚିନଙ୍କଠାରୁ ଢେର ପଛରେ ରହିଛି। ସଚିନ ମୋଟ ୧୦୦ (ଟେଷ୍ଟ୍ ୫୧, ଦିନିକିଆ ୪୯) ମାରିଥିଲା ବେଳେ କୋହଲି ଟେଷ୍ଟ୍ (୩୦), ଦିନିକିଆ (୫୨) ଓ ଟ୍ବେଣ୍ଟି-୨୦ (୧)କୁ ମିଶାଇ ୮୩ ଶତକ ହାସଲ କରି ସଚିନଙ୍କଠାରୁ ୧୭ ଶତକ ପଛରେ ରହିଛନ୍ତି। ଏହା ପୂର୍ବରୁ ଗତ ଅଷ୍ଟ୍ରେଲିଆ ଶୃଙ୍ଖଳାରେ ସଚିନଙ୍କ ଦିନିକିଆରେ ସର୍ବାଧିକ ୫୦+ ସ୍କୋର୍‌ ରେକର୍ଡକୁ କୋହଲି ଭାଙ୍ଗି ସାରିଛନ୍ତି। ରବିବାର ଘରୋଇ ପରିବେଶ‌ରେ ସଚିନଙ୍କ ୫୯ ଥର ୫୦+ କୀର୍ତ୍ତିମାନକୁ ଟପିଛନ୍ତି। ତେବେ ୩୬ବର୍ଷୀୟ କୋହଲି ‌ଟେଷ୍ଟ୍‌ରୁ ଅବସର ଘୋଷଣା କରି ସାରିଥିବାରୁ ଏହି ଫର୍ମାଟ୍‌ରେ ସଚିନଙ୍କୁ ଟପିବାର କୌଣସି ସମ୍ଭାବନା ରହିଛି। ସେହିଭଳି ସଚିନଙ୍କ ୧୦୦ ଶତକ ରେକର୍ଡକୁ ସେ ଛୁଇଁବାର ସମ୍ଭାବନା ବି ବେଶ୍ କମ୍ ରହିଛି। ସୂଚନାଯୋଗ୍ୟ ଯେ କୋହଲି ତାଙ୍କ ପ୍ରଥମ ଦିନିକିଆ ଶତକ ୨୦୧୨ ମସିହାରେ ଆଡିଲେଡ୍ ଓଭାଲଠାରେ ଅଷ୍ଟ୍ରେଲିଆ ବିପକ୍ଷରେ ହାସଲ କରିଥିଲେ। ନିଜ ଶେଷ ତଥା ୫୧ତମ ଶତକ ଏହି ମହାନ କ୍ରିକେଟର୍ ଗତ ଫେବ୍ରୁଆରିରେ ଚାମ୍ପିଅନ୍ସ ଟ୍ରଫିର ପାକିସ୍ତାନ ବିପକ୍ଷ ସେମିଫାଇନାଲ୍‌ରେ ହାସଲ କରିଥିଲେ।

ହିଟ୍‌ ମ୍ୟାନ୍‌ଙ୍କ ‘ଛକା’ ରେକର୍ଡ

ହିଟ୍ ମ୍ୟାନ୍ ରୋହିତ ଶର୍ମା (୩୫୨ ଛକା) ନିଜ ୫୭ ରନ୍‌ର ପାଳି ଭିତରେ ଦିନିକିଆ କ୍ରିକେଟ୍‌ରେ ବ୍ୟକ୍ତିଗତ ଭାବେ ସର୍ବାଧିକ ଛକା ମାରିବାର ଗୌରବ ହାସଲ କରିଛନ୍ତି। ରବିବାର ତିନିଟି ଦର୍ଶନୀୟ ଛକା ମାରି ପାକିସ୍ତାନର ପୂର୍ବତନ ଅଧିନାୟକ ସାହିଦ ଆଫ୍ରିଦି (୩୫୧ ଛକା)ଙ୍କ ନାଁରେ ଗତ ଦେଢ଼ ଦଶନ୍ଧିଧରି ଥିବା ଏହି ରେକର୍ଡକୁ ଭାଙ୍ଗି ଦେଇଛନ୍ତି ସେ। କୌଣସି ଦଳ ବିପକ୍ଷରେ ସର୍ବାଧିକ ଛକା (୯୩) ମାରିବାର କୀର୍ତ୍ତମାନ ବି ତାଙ୍କ ନାଁରେ ରହିଛି। ରୋହିତ ଯାହାକୁ ଅଷ୍ଟ୍ରେଲିଆ ବିପକ୍ଷରେ ହାସଲ କରିଛନ୍ତି। ସେହିଭଳି ଗୋଟିଏ ଦେଶରେ ସର୍ବାଧିକ ଛକା (୧୮୨, ଭାରତ), ଗୋଟିଏ ବର୍ଷରେ ସର୍ବାଧିକ ଛକା (୬୭), ବିଶ୍ବକପ୍‌ରେ ସର୍ବାଧିକ ଛକା (୫୪) ଏବଂ ବିଶ୍ବକପ୍‌ର ଗୋଟିଏ ସଂସ୍କରଣରେ ସର୍ବାଧିକ ଛକା (୩୧, ୨୦୨୩ ବିଶ୍ବକପ୍) ମଧ୍ୟ ଏହି ମୁମ୍ବାଇ ତାରକାଙ୍କ ନାଁରେ ରହିଛି। ସ୍ପିନର୍‌ଙ୍କ ମଧ୍ୟରେ ଅଷ୍ଟ୍ରେଲିଆର ଗ୍ଲେନ୍ ମ୍ୟାକ୍ସୱେଲ୍ (୧୨୮ ବଲ୍, ୧୦ ଛକା) ଏବଂ ଦ୍ରୁତ ବୋଲରଙ୍କ ବିପକ୍ଷରେ ଅଷ୍ଟ୍ରେଲିଆର କ୍ଲିଣ୍ଟ ମକାୟ, କେନ୍ ରିଚାର୍ଡସନ୍, ମିଚେଲ ଷ୍ଟାର୍କ ଓ ପ୍ୟାଟ୍ କମିନ୍ସ ବିପକ୍ଷରେ (୭ଟି ଲେଖାଏଁ) ସର୍ବାଧିକ ଛକା ମାରିଛନ୍ତି। ରୋହିତ ତାଙ୍କ ମାଇଲ୍‌ଖୁଣ୍ଟଭରା ୩୫୨ତମ ଛକା ଦକ୍ଷିଣ ଆଫ୍ରିକାର ମାର୍କୋ ୟାନସେନ୍‌ଙ୍କୁ ମାରିଥିଲେ। ତାଙ୍କ ଛକା ଶିକାର ହେବାରେ ୟାନ୍‌ସେନ୍‌ ବିଶ୍ବର ୧୫୦ତମ ବୋଲର୍‌ ହୋଇଥିଲେ। ରୋହିତଙ୍କୁ ୧୦୦ରୁ ଅଧିକ ବଲ୍ ପକାଇଥିବା ବୋଲର୍‌ଙ୍କ ମଧ୍ୟରେ କେବଳ ୱେଷ୍ଟଇଣ୍ଡିଜ୍‌ର ମାର୍ଲନ୍ ସାମୁଏଲ୍‌ସଙ୍କୁ ‌ସେ ଛକା ମାରି ନାହାନ୍ତି। ୨୦୦୭ରୁ ୨୦୨୫ ଭିତରେ ରୋହିତ ୨୩୨ଟି ଛକା ଦ୍ରୁତ ବୋଲରଙ୍କୁ ମାରିଥିଲା ବେଳେ ସ୍ପିନର୍‌ଙ୍କୁ ୧୨୦ ଛକା ମାରିଛନ୍ତି। ସକ୍ରୀୟ କ୍ରିକେଟର୍‌ଙ୍କ ମଧ୍ୟରେ କେହିବି ତାଙ୍କ ନିକଟରେ ନାହାନ୍ତି। ଇଂଲଣ୍ଡର ଜୋସ୍ ବଟଲର୍‌ ୧୮୨ ଛକା ମାରି ବହୁ ଦୂରରେ ଦ୍ବିତୀୟ ସ୍ଥାନ ଅଧିକାର କରିଛନ୍ତି। ରୋହିତଙ୍କ ଦଳୀୟ ସାଥୀ ବିରାଟ କୋହଲି ୧୫୯ ଛକା ସହ ଏହି କ୍ରମରେ ତୃତୀୟ ସ୍ଥାନରେ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe