AI gap must be reduced
ନୂଆଦିଲ୍ଲୀ: ବିଶ୍ବରେ କୃତ୍ରିମ ବୁଦ୍ଧିମତା ବା ଏଆଇ ତାରତମ୍ୟ ହ୍ରାସ କରାଯିବା ଏବେ ଜରୁରୀ ହୋଇପଡ଼ିଛି। ନୂଆଦିଲ୍ଲୀର ଭାରତ ମଣ୍ଡପମ୍ରେ ଚାଲିଥିବା ୫ ଦିନିଆ ‘ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମ୍ମିଳନୀ-୨୦୨୬’ରେ ଯୋଗ ଦେଇ ମାଇକ୍ରୋସଫ୍ଟର ସଭାପତି ବ୍ରାଡ୍ ସ୍ମିଥ୍ ଏହା ପ୍ରକାଶ କରିଛନ୍ତି।
ଏଆଇ କ୍ଷେତ୍ରରେ ଦିନକୁ ଦିନ ବୈପ୍ଳବିକ ପରିବର୍ତ୍ତନ ଆସୁଛି
ସେ କହିଛନ୍ତି ଯେ, ଏଆଇ କ୍ଷେତ୍ରରେ ଦିନକୁ ଦିନ ବୈପ୍ଳବିକ ପରିବର୍ତ୍ତନ ଆସୁଛି। କିନ୍ତୁ ଉତ୍ତର ଓ ଦକ୍ଷିଣ ବିଶ୍ବରେ ଏଆଇର ପ୍ରସାରକୁ ନେଇ ଯେଉଁ ତଫାତ ରହିଛି, ଯାହାକୁ କମ୍ କରାଯିବା ଏବେ ନିହାତି ଆବଶ୍କୟ। ‘ପ୍ରତ୍ୟେକଙ୍କ ପାଇଁ ବିଶ୍ବସ୍ତ କୃତ୍ରିମ ବୁଦ୍ଧିମତା’ ଶୀର୍ଷକ ଅଧିବେଶନରେ ଉଦ୍ବୋଧନ ଦେବା ଅବସରରେ ସେ ଏହା କହିଛନ୍ତି। ଉତ୍ତର ବିଶ୍ବରେ କର୍ମନିଯୁକ୍ତି ପାଇଁ ସକ୍ଷମ ଥିବା ଲୋକଙ୍କ ମଧ୍ୟରେ ୨୫ ପ୍ରତିଶତ ଏଆଇର ବିନିଯୋଗ କରୁଛନ୍ତି। କିନ୍ତୁ ଦକ୍ଷିଣ ବିଶ୍ବରେ ତାହା ୧୪ ପ୍ରତିଶତରେ ସୀମିତ ରହିଛି। ତେବେ ଏହି ତାରତମ୍ୟ ଦିନକୁ ଦିନ କମିବା ପରିବର୍ତ୍ତେ ବଢ଼ୁଛି। ଏହା ଘୋର ଚିନ୍ତାର ବିଷୟ ବୋଲି ସ୍ମିଥ୍ କହିଛନ୍ତି। ୨୦୨୫ର ଦ୍ବିତୀୟ ଭାଗରେ ଏଆଇ ବିନିଯୋଗ କ୍ଷେତ୍ରରେ ଉତ୍ତର ବିଶ୍ବରେ ୧.୮ ପ୍ରତିଶତ ଅଭିବୃଦ୍ଧି ହାସଲ ହୋଇଛି।
ଅନ୍ୟପକ୍ଷରେ ଏହି ସମୟରେ ଦକ୍ଷିଣ ବିଶ୍ବରେ ନୈରାଶ୍ୟଜନକ ଭାବେ ୧ ପ୍ରତିଶତ ଅଭିବୃଦ୍ଧି ହାସଲ ହୋଇଛି। ପ୍ରଯୁକ୍ତି କିଭଳି ବିଶ୍ବର ଦୁଇଟି ଅଂଶ ମଧ୍ୟରେ ଅର୍ଥନୈତିକ ବିକାଶ ଉପରେ ପ୍ରକାବ ପକାଇଥାଏ ଏହା ତାହାର ନିଦର୍ଶନ ବୋଲି ସ୍ମିଥ୍ କହିଛନ୍ତି। ଦକ୍ଷିଣ ବିଶ୍ବ ରାଷ୍ଟ୍ରଗୁଡ଼ିକରେ ଅଧିକ ସଂଖ୍ୟକ ଡାଟା ସେଣ୍ଟର୍ ସ୍ଥାପନ ମାଧ୍ୟମରେ ଏଆଇ ତାରତମ୍ୟକୁ ହ୍ରାସ କରାଯାଇ ପାରିବ ବୋଲି ସେ କହିଛନ୍ତି।
ଆହୁରି ପଢ଼ନ୍ତୁ: Viral Video: ନେତାଜୀଙ୍କୁ ଅସମ୍ମାନ: ଅଭଦ୍ରାମୀର ସବୁ ସୀମା ଟପିଗଲେ, ସୁଭାଷ ବୋଷଙ୍କ ଚିତ୍ରରେ ପରିସ୍ରା କଲେ ଯୁବକ... ଭାଇରାଲ ହେଲା ଭିଡ଼ିଓ
Follow Us