କଲମ୍ବୋ: ଭାରତ-ପାକିସ୍ତାନ ହାଇଭୋଲ୍ଟେଜ୍ ମ୍ୟାଚ୍ ପୂର୍ବରୁ ଭାରତୀୟ ଓପନର୍ ଅଭିଷେକ ଶର୍ମାଙ୍କୁ ନେଇ ସବୁଠୁ ବେଶି ଚର୍ଚ୍ଚା ହୋଇଥିଲା। ଏପରିକି ଅଭିଷେକ ଖେଳିଲେ ଆମେ ବହୁତ ଖୁସି ହେବୁ ବୋଲି ପାକିସ୍ତାନ ଅଧିନାୟକ ସଲମାନ ଆଗା ଖୋଲାଖୋଲି ଭାବେ କହି ତାଙ୍କ ଉପରେ ମନସ୍ତାତ୍ତ୍ବିକ ଚାପ ସୃଷ୍ଟି କରିବାକୁ ଚେଷ୍ଟା କରିଥିଲେ। ଏହି ଆହ୍ବାନକୁ ଗ୍ରହଣ କରି ‘ସଲମାନ ଯଦି ଚହୁଁଛନ୍ତି ଅଭିଷେକ ନିଶ୍ଚିତ ଖେଳିବେ’ ବୋଲି ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ମଧ୍ୟ ମଜାଳିଆ ଢଙ୍ଗରେ କହିଥିଲେ। ରବିବାର ସମସ୍ତଙ୍କୁ ଖୁସି କରାଇ ଅଭିଷେକଙ୍କୁ ସେ ଚୂଡ଼ାନ୍ତ ଏକାଦଶରେ ମଧ୍ୟ ସାମିଲ କରିଥିଲେ। ପାକସ୍ତଳୀ ସଂକ୍ରମଣରୁ ମୁକୁଳି ସିଧା ଭାରତ-ପାକିସ୍ତାନ ମ୍ୟାଚ୍ ଭଳି ବଡ଼ ମ୍ୟାଚ୍ ଖେଳିବାକୁ ଯାଇଥିବା ଅଭିଷେକ କିନ୍ତୁ ଏହି ଚାପରେ ଯେମତି ପୂରା ଚାପି ହୋଇଯାଇଥିଲେ। ତାଙ୍କୁ ବଡ଼ ସଟ୍ ଖେଳିବା ଲାଗି ଗତି ପ୍ରଦାନ ନକରିବାକୁ ସାହିନ ଶାହ ଆଫ୍ରିଦିଙ୍କ ବଦଳରେ ଆଗା ନିଜେ ପ୍ରଥମ ଓଭର ବୋଲିଂ କରିବାର ଜୁଆରୁ ଜବରଦସ୍ତ ଫାଇଦା ପାଇଥିଲେ। ମିଡଲ୍ ଓ ଲେଗ୍ ଷ୍ଟମ୍ପରେ ଥିବା ପ୍ରଥମ ଓଭରର ଶେଷ ବଲ୍କୁ ୩୦ ଗଜ ଉପରେ ଖେଳିବାକୁ ଯାଇ ଅଭିଷେକ ସହିନ ଶାହ ଆଫ୍ରିଦିଙ୍କ ହାତରେ ଧରା ପଡ଼ିଯାଇଥିଲେ। ଫଳରେ ବିଶ୍ବକପ୍ ପଦାର୍ପଣର ପ୍ରଥମ ଦୁଇ ପାଳିରେ ଶୂନରେ ଆଉଟ୍ ହେବାର ଆଲୋଡ଼ା ରେକର୍ଡ ବି କରିଥିଲେ।
Cricket: ପୁଣି ହାତମିଲାଇଲେନି ସୂର୍ଯ୍ୟ-ସଲମାନ
ଈଶାନଙ୍କ ପ୍ରତି ଆକ୍ରମଣ
ବିସ୍ଫୋରକ ଅଭିଷେକ ଶର୍ମାଙ୍କୁ ମାତ୍ର ୧ ରନ୍ରେ ହରାଇଥିଲେ ମଧ୍ୟ ଅନ୍ୟତମ ଓପନର ଈଶାନ କିଶନ ଧମାକାଦାର ବ୍ୟାଟିଂ କରି ପ୍ରେମଦାସା ଷ୍ଟାଡିୟମ୍ ଦର୍ଶକଙ୍କୁ ବିମୋହିତ କରିଥିଲେ। ମାତ୍ର ୨୭ ବଲ୍ରୁ ୨ ଛକା ଓ ୭ ଚୌକା ବଳରେ ଅର୍ଦ୍ଧଶତକ ପୂରଣ କରିଥିଲେ ସେ। ତେବେ ୪୦ ବଲ୍ରୁ ୧୦ ଚୌକା ଓ ୩ ଛକା ବଳରେ ୭୭ ରନ୍ରେ ଥିଲା ବେଳେ ସୈମ ଆୟୁବ ତାଙ୍କୁ ବୋଲ୍ଡ କରି ଦେଇଥିଲେ। ଏହି ସ୍କୋର୍ କିନ୍ତୁ ଥିଲା ପାକିସ୍ତାନ ବିପକ୍ଷରେ ଟ୍ବେଣ୍ଟି-୨୦ରେ କୌଣସି ଭାରତୀୟଙ୍କର ତୃତୀୟ ସର୍ବୋଚ୍ଚ ବ୍ୟକ୍ତିଗତ ସ୍କୋର୍ ଥିଲା। ୨୦୨୨ରେ ମେଲବର୍ଣ୍ଣଠାରେ ବିରାଟ କୋହଲି କରିଥିବା ୮୨* ଏବଂ କଲମ୍ବୋରେ ୨୦୨୧ରେ କରିଥିବା ୭୮* ରନ୍ ଏହି କ୍ଷେତ୍ରରେ ପ୍ରଥମ ଦୁଇ ସ୍ଥାନରେ ରହିଛି। ଈଶାନଙ୍କ ବିଦାୟ ପରଠାରୁ ହିଁ ଭାରତର ଅସଲ ସଂଘର୍ଷ ଆରମ୍ଭ ହୋଇଥିଲା। କଠିନ ପିଚ୍ରେ ପାକ୍ ସ୍ପିନର୍କୁ ମୁକାବିଲା କରିବାରେ ପରବର୍ତ୍ତୀ ସମୟରେ ଆସିଥିବା ସବୁ ଭାରତୀୟ ବ୍ୟାଟର୍ ସଂଘର୍ଷ କରିଥିଲେ। ଭାଗୀଦାର ଗଢ଼ିବା ସହ ରନ୍ ଗତି ବଢ଼ାଇବାକୁ ବହୁ ଚେଷ୍ଟା କରିଥିଲେ ମଧ୍ୟ ଏଥିର ଏକରକମ ବିଫଳ ହୋଇଥିଲେ। ପଞ୍ଚଦଶ ଓଭରର ଦ୍ବିିତୀୟ ଓ ତୃତୀୟ ବଲ୍ରେ ତିଳକ ବର୍ମା ଓ ହାର୍ଦିକ ପାଣ୍ଡ୍ୟାଙ୍କୁ ଆଉଟ୍ କରି ଆୟୁବ ଭାରତ ପାଳିକୁ ଆହୁରି ପଛକୁ ଠେଲି ଦେଇଥିଲେ। ତେବେ ସୂର୍ଯ୍ୟକୁମାରଙ୍କ ଲଢ଼ୁଆ ୩୨ ଓ ଶିବମ ଦୁବେଙ୍କ ୨୭ ରନ୍ ବଳରେ ଭାରତ ୧୭୫ ରନ୍ର ସମ୍ମାନଜନକ ସ୍କୋର୍ କରି ନେଇଥିଲା। ଏହା ବିଶ୍ବକପ୍ରେ ପାକିସ୍ତାନ ବିପକ୍ଷରେ ଭାରତର ସର୍ବୋଚ୍ଚ ଦଳଗତ ସ୍କୋର୍ ଥିଲା। ଏହା ପୂର୍ବରୁ ପାକିସ୍ତାନ ବିପକ୍ଷରେ ଭାରତର ସର୍ବୋଚ୍ଚ ଦଳଗତ ସ୍କୋର୍ ଥିଲା କେବଳ ୧୬୦ ରନ୍।
ତାରିକଙ୍କୁ ଚୌକାରେ ସ୍ବାଗତ
ପାକିସ୍ତାନର ଅଣପାରମ୍ପରିକ ବୋଲିଂ ଶୈଳୀ ବିଶିଷ୍ଟ ବୋଲର୍ ତାରିକ ଅହମ୍ମଦଙ୍କୁ ନେଇ ମ୍ୟାଚ୍ ପୂର୍ବରୁ ବେଶ୍ ଆଲୋଡ଼ନ ସୃଷ୍ଟି ହୋଇଥିଲା। ବଲ୍ ପକାଇବା ପୂର୍ବରୁ କିଛି କ୍ଷଣ ଅଟକିବା ଏବଂ ୬ଟି ଯାକ ବଲ୍କୁ ୬ ପ୍ରକାର ପକାଇବାର ବିବିଧତା ପାଇଁ ଭାରତୀୟ ବ୍ୟାଟର୍ ତାଙ୍କୁ ଖେଳିବା ଲାଗି ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ କିନ୍ତୁ ଭିନ୍ନ ଯୋଜନାରେ ଥିଲେ। ତାରିକଙ୍କ ପ୍ରଥମ ବଲ୍କୁ ଡିପ୍ ମିଡ୍ ୱିକେଟ୍ ସୀମା ରେଖା ବାହାରକୁ ପଠାଇ ଆରମ୍ଭରୁ ଚାପ ତାଙ୍କ କାନ୍ଧ ଉପରେ ଲଦି ଦେଇଥିଲେ ସୂର୍ଯ୍ୟ। ପରବର୍ତ୍ତୀ ସମୟରେ ଅବଶ୍ୟ ତାରିକ ନିଜ ଶାଣିତ ତଥା ସଠିକ୍ ଲେନ୍ଥ ବଲ୍ରେ ଭାରତୀୟ ବ୍ୟାଟର୍ଙ୍କୁ ବାନ୍ଧି ରଖିବାରେ ସଫଳ ହୋଇଥିଲେ। ୪ ଓଭର ବୋଲିଂ କରି ୨୪ ରନ୍ ବିନିମୟରେ ସୂର୍ଯ୍ୟକୁମାରଙ୍କ ୱିକେଟ୍ କରାୟତ୍ତ କରିଥିଲେ। ଭାରତୀୟ ବ୍ୟାଟର୍ କିନ୍ତୁ ତାଙ୍କୁ ଗୋଟିଏ ହେଲେ ବି ମେଡେନ୍ ଓଭର ପକାଇବାକୁ ଦେଇ ନଥିଲେ। ସିଙ୍ଗଲ ଓ ଡବଲ୍ ଦେଇ ସ୍କୋର୍ ବୋର୍ଡକୁ ଚଳନଶୀଳ ରଖିଥିଲେ।
Cricket: ପ୍ରଶାନ୍ତ ରାରତରାୟ ସ୍ମାରକୀ ଆଇନଜୀବୀ କ୍ରିକେଟ୍: ଫାଇନାଲ୍ରେ ବୋର୍ଡ ଅଫ୍ ରେଭିନ୍ୟୁ-ଭୁବନେଶ୍ବର ବାର୍
ପ୍ରଥମ ଥର ଅଧଡଜନ୍ ସ୍ପିନର୍
ପାକିସ୍ତାନ ରବିବାର ୭ଜଣ ବୋଲର୍ଙ୍କୁ ଲଗାଇଥିଲା। କେବଳ ସାହିନ ଶାହ ଆଫ୍ରିଦିଙ୍କୁ ଛାଡ଼ି ଅନ୍ୟ ସମସ୍ତ ବୋଲର୍ ଥିଲେ ସ୍ପିନର୍। ଟ୍ବେଣ୍ଟି-୨୦ ବିଶ୍ବକପ୍ ଇତିହାସର କୌଣସି ମ୍ୟାଚ୍ର ଗୋଟିଏ ପାଳିରେ ୬ଜଣ ସ୍ପିନର୍ ବୋଲିଂ କରିବାର ଏହା ଥିଲା ପ୍ରଥମ। ପାକିସ୍ତାନର ଯେଉଁ ୬ ସ୍ପିନର୍ ବୋଲିଂ କରିଥିଲେ ସେମାନେ ହେଲେ, ସଲମାନ ଆଗା (୧/୧୦), ସୈମ ଆୟୁବ (୩/୨୫), ଅବରାର ଅହମ୍ମଦ (୦/୩୮), ସଦାବ ଖାନ (୦/୧୭), ମହମ୍ମଦ ନୱାଜ (୦/୨୮) ଓ ଉସମାନ ତାରିକ (୧/୨୪)। ଏମାନଙ୍କ ମଧ୍ୟରୁ ସଫଳତମ ଥିଲେ ସୈମ ଆୟୁବ। ପାକିସ୍ତାନର ୬ଜଣ ସ୍ପିନର୍ ମିଶି ମୋଟ ୧୮ ଓଭର ପକାଇଥିଲେ। ଅବଶିଷ୍ଟ ୨ ଓଭର ସାହିନ ଶାହ ଆଫ୍ରିଦି ପକାଇ ୩୧ ରନ୍ ଖର୍ଚ୍ଚ କରିଥିଲେ। ଏଣୁ ପାକିସ୍ତାନୀ ସ୍ପିନର୍ଙ୍କୁ ପୂରା ଦମ୍ରେ ମୁକାବିଲା କରି ଭାରତୀୟ ବ୍ୟାଟର୍ ସେମାନେ ବୋଲିଂ କରିଥିବା ୧୮ ଓଭରରୁ ଓଭର ପିଛା ୮ ଏବଂ ମୋଟ ଉପରେ ୧୩୪ ରନ୍ ସଂଗ୍ରହ କରି ନେଇଥିଲେ ଭାରତୀୟ ବ୍ୟାଟର୍। ଏହା କରି ପାକିସ୍ତାନ ନିଜ ରେକର୍ଡର ନିଜେ ସମକକ୍ଷ ହୋଇଥିଲା। ଏହା ପୂର୍ବରୁ ୨୦୧୨ ଟ୍ବେଣ୍ଟି-୨୦ ବିଶ୍ବକପ୍ର ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍ରେ ପାକିସ୍ତାନ ଅଷ୍ଟ୍ରେଲିଆ ୧୮ ଓଭର ସ୍ପିନର୍ଙ୍କ ମାଧ୍ୟମରେ ପକାଇଥିଲା।
Follow Us