ଭୁବନେଶ୍ବର: କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ୍ର କାଶିଆ ଗାଁ ବାସିନ୍ଦା ତଥା ରାଜ୍ୟର ଯୁବ ଓ ଉଦୀୟମାନ ପର୍ବତାରୋହୀ ଦୀପକ ମହାନ୍ତ ଲଦାଖସ୍ଥିତ ୬୦୭୦ ମିଟର ଉଚ୍ଚତା ବିଶିଷ୍ଟ ମାଉଣ୍ଟ୍ କଙ୍ଗ୍ରିକୁ ସଫଳତାର ସହ ଆରୋହଣ କରିଛନ୍ତି। ଏହି ଦୁଃସାହସିକ ଅଭିଯାନ ଲାଗି ଦୀପକ ଜାନୁଆରି ୧୭ ତାରିଖରୁ ବାହାରି ୧୯ ତାରିଖରେ ଲେହସ୍ଥିତ ବେସ୍ କ୍ୟାମ୍ପରେ ପହଞ୍ଚିଥିଲେ। ସେଠାରୁ ୧୯ ତାରିଖ ଦିନ ଶିଖର ଛୁଇଁବା ଅଭିଯାନ ଆରମ୍ଭ କରି ୨୨ ତାରିଖ ଅପରାହ୍ଣ ୧୨.୩୦ରେ ସଫଳ ହୋଇଥିଲେ। ଏହା ପୂର୍ବରୁ ଶ୍ରୀ ମହାନ୍ତ ଗତବର୍ଷ ହିମାଚଳପ୍ରଦେଶର ମାଉଣ୍ଟ୍ ୟୁନମ (୬୧୫୦ ମିଟର) ଏବଂ ୨୦୨୨ ମସିହାରେ ମାଉଣ୍ଟ୍ ସେଥିଦାର (୫୮୦୦)କୁ ସଫଳତାର ସହ ଆରୋହଣ କରି ସାରିଛନ୍ତି। ପର୍ବତାରୋହଣର ମୌଳିକ ଓ ଉଚ୍ଚସ୍ତରୀୟ ପାଠ୍ୟକ୍ରମ ଶେଷ କରିସାରିଥିବା ଦୀପକ ଆଗାମୀ ସମୟରେ ବିଶ୍ବର ସର୍ବୋଚ୍ଚ ଗିରିଶୃଙ୍ଗ ମାଉଣ୍ଟ ଏଭରେଷ୍ଟ ଆରୋହଣ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏହି ସଫଳତା ଲାଗି ତାଙ୍କୁ କ୍ରୀଡ଼ା ବିଭାଗ ପକ୍ଷରୁ ସୋମବାର ସ୍ବତନ୍ତ୍ର ଭାବେ ସମ୍ବର୍ଦ୍ଧିତ କରାଯାଇଛି। ଏହି ଅବସରରେ ଅତିରିକ୍ତ ସଚିବ ବିଜୟ କୁମାର ସ୍ବାଇଁ, ଏଭରେଷ୍ଟ ବିଜେତା ତଥା ‘ଆସା’ ଫାଉଣ୍ଡେସନ୍ର ସଂପାଦକ ଗଣେଶ ଚନ୍ଦ୍ର ଜେନା, କାର୍ଯ୍ୟକ୍ରମ ଅଧିକାରୀ ହରେଶ କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ‘ଆସା’ର କାର୍ଯ୍ୟକାରୀ ସଭାପତି ଅଶୋକ ମହାନ୍ତି, ଉପସଭାପତି ଶକ୍ତିରଞ୍ଜନ ମହାନ୍ତି, ବିକ୍ରମ କିଶୋର ଦାସ, ବିଜୟ କୁମାର ସାସମଲ ଓ କ୍ଷୀରୋଦ କୁମାର ଷଣ୍ଡ ପ୍ରମୁଖ ଅଭିନନ୍ଦନ ଜଣାଇଛନ୍ତି।
Swachh Bharat Mission: ସହରାଞ୍ଚଳ ପରିମଳ ବ୍ୟବସ୍ଥାକୁ ସୁଦୃଢ଼ କରିବ ଓଡ଼ିଶା
ହରାଇପାରନ୍ତି ଦୁଇଟି ଅଙ୍ଗୁଳି
ମାଉଣ୍ଟ୍ କାଙ୍ଗ୍ରିକୁ ସଫଳତାର ସହ ଆରୋହଣ କରି ଓଡ଼ିଶା ପାଇଁ ଗର୍ବ ଓ ଗୌରବ ଆଣିଥିବା ଦୀପକ କିନ୍ତୁ ଏବେ ଗୁରୁତର ସ୍ବାସ୍ଥ୍ୟଗତ ସମସ୍ୟାରେ ପଡ଼ିଛନ୍ତି। ଶିଖର ଛୁଇଁ ଫେରି ବେସ୍କ୍ୟାମ୍ପକୁ ଫେରିଲା ବେଳେ ହଠାତ୍ ପାଗ ବିଗିଡ଼ି ଯାଇ ତାପମାତ୍ରା ଶୂନରୁ ୩୫ ଡିଗ୍ରି ତଳକୁ ଖସି ଯିବାରୁ ତାଙ୍କର ପାଞ୍ଚଟି ହାତ ଅଙ୍ଗୁଳି ଫ୍ରଷ୍ଟ୍ ବାଇଟ୍ ବା ଶୀତଦଂଶନର ଶିକାର ହୋଇଛି। ଏଗୁଡ଼ିକ ଏବେ ପ୍ରତିକ୍ରିୟା ବିହୀନ ସ୍ଥିତିରେ ରହିଛି। ଲେହରେ ଆଶୁ ଚିକିତ୍ସା କରି ପରେ ଭୁବନେଶ୍ବର ଏମ୍ସ ଓ କଟକସ୍ଥିତ ଏସ୍ସିବି ମେଡିକାଲ କଲେଜ୍ରେ ଚିକିତ୍ସିତ ହେଉଛନ୍ତି ସେ। ତେବେ ମାତ୍ରାଧିକ ଥଣ୍ଡା ପାଇଁ ପ୍ରଭାବିତ ପାଞ୍ଚଟି ଆଙ୍ଗୁଠି ଭିତରୁ ଦୁଇଟିକୁ କାଟିବାକୁ ପଡ଼ିପାରେ ବୋଲି ଡାକ୍ତରମାନେ ତାଙ୍କୁ ଜଣାଇଛନ୍ତି। ଔଷଧ ସେବନ ଜାରି ରଖିବା ସହ ୯ ତାରିଖରେ ପୁନଃ ସ୍ଥିତି ମୂଲ୍ୟାୟନ କରିବାକୁ ପରାମର୍ଶ ଦେଇଛନ୍ତି। ଯାହା ଦୀପକଙ୍କୁ ଚିନ୍ତା ଓ ବିଷାଦରେ ପକାଇଛି। ତାଙ୍କ ପର୍ବତାରୋହଣ କ୍ୟାରିୟର୍ ମଧ୍ୟ ଏହା ଦ୍ବାରା ପ୍ରଭାବିତ ହେବାର ଯଥେଷ୍ଟ ଆଶଙ୍କା ରହିଛି। ଏଥିନେଇ ଦୀପକଙ୍କ ପାଇଁ ଉନ୍ନତ ଚିକିତ୍ସା ବ୍ୟବସ୍ଥା ସହ ସହାୟତାର ହାତ ବଢ଼ାଇବାକୁ ‘ଆସା’ ସଂପାଦକ ତଥା ରାଜ୍ୟରେ ପର୍ବତାରୋହଣର ବିକାଶ ପାଇଁ ନିରନ୍ତର ପ୍ରୟାସ କରି ଆସୁଥିବା ଏଭରେଷ୍ଟର୍ ଗଣେଶ ଜେନା ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି।
Follow Us