ହରାରେ: ଚଳିତ ୧୯ ବର୍ଷରୁ କମ୍ ବିଶ୍ବକପ୍ର ଶୁକ୍ରବାର ଫାଇନାଲ୍ରେ ଦୁଇ ଅପରାଜେୟ ଦଳ ଭାରତ- ଇଂଲଣ୍ଡ ଟ୍ରଫି ଲାଗି ଲଢ଼େଇ କରିବେ। ୫ ଥରର ବିଶ୍ବ ବିଜେତା ଭାରତ ରେକର୍ଡ ଷଷ୍ଠ ଟ୍ରଫି ଲକ୍ଷ୍ୟରେ ଏହି ମ୍ୟାଚ୍ରେ ତା’ର ବ୍ୟାଟିଂ ଶକ୍ତି ଉପରେ ନିର୍ଭର ରହିବ। ସେମିଫାଇନାଲ୍ରେ ଆଫ୍ଗାନିସ୍ତାନର ୩୦୦ରୁ ଅଧିକ ରନ୍ର ବିଜୟ ଲକ୍ଷ୍ୟକୁ ଆୟୁଷ ମହାତ୍ରେଙ୍କ ଦଳ ୫୩ ବଲ୍ ପୂର୍ବରୁ ୩ ୱିକେଟ୍ ହରାଇ ହାସଲ କରି ନେଇଥିଲା। ଆରୋନ ଜର୍ଜ ଶତକୀୟ ପାଳି ଏବଂ ବିସ୍ମୟ ବାଳକ ବୈଭବ ସୂର୍ଯ୍ୟବଂଶୀ ବିସ୍ଫୋରକ ଅର୍ଦ୍ଧଶତକ ଓ ମହାତ୍ରେଙ୍କ ୬୨ ରନ୍ ଏହି ସହଜ ବିଜୟ ଦେଇଥିଲା। ଯାହା ଶେଷ ଥର ୨୦୨୨ରେ ଟ୍ରଫି ଜିତିଥିବା ଭାରତୀୟ ଦଳର ମନୋବଳକୁ ଆହୁରି ଦୃଢ଼ କରିଦେଇଛି।
ଆସନ୍ତା ମାସରେ ୧୫ ବର୍ଷ ବୟସରେ ପାଦ ଦେଉଥିବା ସୂର୍ଯ୍ୟବଂଶୀ ଏହି ବିଶ୍ବକପ୍ରେ ୩ ଅର୍ଦ୍ଧଶତକ ଅର୍ଜନ କରିଛନ୍ତି। ତାଙ୍କ ବିସ୍ଫୋରକ ଆରମ୍ଭ ଦଳକୁ ଅଧିକ ବଳ ଯୋଗାଉଛି। ମହାତ୍ରେ ମଧ୍ୟ ନିଜ ଅର୍ଦ୍ଧଶତକ ମରୁଡ଼ିର ଅବସାନ ଘଟାଇଛନ୍ତି। ମଧ୍ୟଭାଗରେ ବିହାନ ମାଲହୋତ୍ରା ଏକାଧିକ ଭଲ ପାଳି ଖେଳିଥିଲା ବେଳେ ୱିକେଟ୍ରକ୍ଷକ ବ୍ୟାଟର୍ ଅଭିଜ୍ଞାନ କୁଣ୍ଡୁ ମଧ୍ୟ ଦୁଇଟି ଅର୍ଦ୍ଧଶତକ କରିଛନ୍ତି। ବୋଲିଂରେ ଦୀପେଶ ଦେବେନ୍ଦ୍ରନ, ହେନିଲ ପଟେଲ ଓ ଆର୍ଏସ୍ ଅମ୍ବ୍ରିସ୍ ପୂରା ପ୍ରତିଯୋଗିତାରେ ଭଲ କରିଆସୁଛନ୍ତି। ପିଚ୍ ଯଦି ସ୍ପିନ୍କୁ ସହଯୋଗ କରେ କନିଷ୍କ ଚୌହାନ ଓ ଖିଲାନ ପଟେଲ ବିପକ୍ଷ ବ୍ୟାଟର୍ଙ୍କୁ ହରଡ଼ଘଣାରେ ପକାଇବାର କ୍ଷମତା ରଖିଛନ୍ତି। ଭାରତ ଦଶମ ଥର ଲାଗି ଏହି ଯୁବ ବିଶ୍ବକପ୍ର ଫାଇନାଲ୍ ଖେଳିବାକୁ ଯାଉଛି। ୨୦୨୨ ୱେଷ୍ଟଇଣ୍ଡିଜ୍ ସଂସ୍କରଣରେ ଇଂଲଣ୍ଡକୁ ଫାଇନାଲ୍ରେ ହରାଇ ଭାରତ ପଞ୍ଚମ ଥର ଟ୍ରଫି ହାତେଇଥିଲା। ତେଣୁ ପୁଣି ଥରେ ଏହି ଆଶା ରଖିଛି ଭାରତ।
ଅନ୍ୟପକ୍ଷରେ ଇଂଲଣ୍ଡ ତା’ର ଚିରପ୍ରତିଦ୍ବନ୍ଦ୍ବୀ ଅଷ୍ଟ୍ରେଲିଆକୁ ସେମିଫାଇନାଲ୍ରେ ହରାଇ ଫାଇନାଲ୍ ପହଞ୍ଚିଛି। ୧୯୯୮ରେ ବିଜେତା ହୋଇଥିବା ଇଂଲଣ୍ଡର ଏହା ତୃତୀୟ ଫାଇନାଲ୍। ଅଧିନାୟକ ଥୋମାସ ରିଉ ସେମିଫାଇନାଲ୍ରେ ଶତକୀୟ ପାଳି ଖେଳିବା ସହ ୨ଟି ଅର୍ଦ୍ଧଶତକ ଅର୍ଜନ କରିଛନ୍ତି। ବେନ୍ ମେଜ୍ ୧୯୧ ରନ୍ର ସର୍ବୋଚ୍ଚ ସ୍କୋର୍ ସହ ମୋଟ ୩୯୯ ରନ୍ ସହ ସର୍ବାଧିକ ରନ୍ ସଂଗ୍ରହକାରୀ ତାଲିକାରେ ଦ୍ବିତୀୟ ସ୍ଥାନରେ ରହିଛନ୍ତି। ତେବେ ଏହାର ଦୁଇ ଓପନର୍ ବେନ୍ ଡକିନ୍ସ ଓ ଯୋଶେଫ ମୋରେସ୍ ବିଫଳତା ଦଳକୁ ଚିନ୍ତାରେ ପକାଇଛି। ବୋଲିଂରେ ମାନି ଲମ୍ସଡେନ୍, ସେବସ୍ତିଆନ୍ ମୋର୍ଗାନ ଓ ଜେମ୍ସ ମିଣ୍ଟୋଙ୍କୁ ନେଇ ଇଂଲଣ୍ଡ ଦ୍ବିତୀୟ ବିଶ୍ବକପ୍ ମୁକୁଟ କରାୟତ୍ତ ଲକ୍ଷ୍ୟ ରଖିଛି।
ଆହୁରି ପଢ଼ନ୍ତୁ: Iranian Women: ଇରାନ ମହିଳାଙ୍କୁ ନୂଆ ସ୍ୱାଧୀନତା: ମିଳିବ ମୋଟରସାଇକେଲ ଲାଇସେନ୍ସ
ସମ୍ଭାବ୍ୟ ଭାରତୀୟ ଦଳ: ଆୟୁଷ ମହାତ୍ରେ (ଅଧିନାୟକ), ବୈଭବ ସୂର୍ଯ୍ୟବଂଶୀ, ବିହାନ ମାଲହୋତ୍ରା, ଆରୋନ ଜର୍ଜ, ଅଭିଜ୍ଞାନ କୁଣ୍ଡୁ (ୱିକେଟ୍ରକ୍ଷକ), ବେଦାନ୍ତ ତ୍ରିବେଦୀ, କନିଷ୍କ ଚୌହାନ, ଆର୍ଏସ୍ ଅମ୍ବ୍ରିସ୍, ଦୀପେଶ ଦେବେନ୍ଦ୍ରନ, ହେନିଲ ପଟେଲ, ଖିଲାନ ପଟେଲ।
ସମ୍ଭାବ୍ୟ ଇଂଲଣ୍ଡ ଦଳ: ଥୋମାସ ରିଉ (ଅଧିନାୟକ, ୱିକେଟ୍କିପର), ବେନ୍ ଡକିନ୍ସ, ଯୋଶେଫ ମୋର୍ସ, ବେନ୍ ମେଜ୍, କାଲେବ ଫାଲ୍କର୍ଣ୍ଣର, ରାଲ୍ଫି ଅଲବର୍ଟ, ଫରାନ୍ ଅହମଦ, ସେବସ୍ତିଆନ୍ ମୋର୍ଗାନ, ଜେମ୍ସ ମିଣ୍ଟୋ, ମାନି ଲମ୍ସଡେନ୍, ଆଲେକ୍ସ ଫ୍ରେଞ୍ଚ।
ପ୍ରସାରଣ: ଷ୍ଟାର୍ ସ୍ପୋର୍ଟ୍ସ
ସମୟ: ଅପରାହ୍ଣ ୧ଟା
Follow Us