ବାଲାୱାଓ: ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଭାରତ ଓ ପାକିସ୍ତାନ ଚଳିତ ୧୯ବର୍ଷରୁ କମ୍ କ୍ରିକେଟ୍ ବିଶ୍ବକପ୍ର ସୁପର-୬ ପର୍ଯ୍ୟାୟରେ ରବିବାର ପରସ୍ପରର ମହାଁମୁହିଁ ହେବେ। ଏହି ପ୍ରତୀକ୍ଷିତ ମ୍ୟାଚ୍ ଅପରାହ୍ଣ ଗୋଟାଏରୁ ଆରମ୍ଭ ହେବ। ପାଞ୍ଚ ଥର ବିଜେତା ଭାରତ ପୁରୁଣା ଶତ୍ରୁ ପାକିସ୍ତାନଠାରୁ ଗତ ଏସିଆ କପ୍ ଫାଇନାଲ୍ର ଲଜ୍ଜାଜନକ ପରାଜୟର ପ୍ରତିଶୋଧ ନେବା ଲକ୍ଷ୍ୟରେ ରହିବ।
ଡିସେମ୍ବର ୨୧ ତାରିଖରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଭାରତ ୧୯୧ ରନ୍ର ବଡ଼ ବ୍ୟବଧାନରେ ପାକିସ୍ତାନଠାରୁ ହାରି ଉପବିଜେତାରେ ସନ୍ତୁଷ୍ଟ ରହିଥିଲା। ଏସିଆ କପ୍ର ଗ୍ରୁପ୍ ପର୍ଯ୍ୟାୟରେ କିନ୍ତ ଭାରତ ୯୦ ରନ୍ରେ ପାକିସ୍ତାନକୁ ହରାଇଥିଲା। ଫାଇନାଲ୍ରେ କିନ୍ତୁ ଏକପ୍ରକାର ଆତ୍ମସମର୍ପଣ କରିଥିଲା। ୧୯ବର୍ଷରୁ କମ୍ ବିଶ୍ବକପ୍ରେ ଭାରତୀୟ ଦଳ ଏପର୍ଯ୍ୟନ୍ତ ଆଧିପତ୍ୟଭରା ପ୍ରଦର୍ଶନ ଦେଇ ଆସିଛି। ଆମେରିକାକୁ ୬ ୱିକେଟ୍ରେ ହରାଇ ଅଭିଯାନ ଆରମ୍ଭ କରିବା ପରେ ଖେଳିଥିବା ସବୁ ମ୍ୟାଚ୍ ଜିତି ଅପରାଜେୟ ରହିଛି।
ନିଜ ପ୍ରଥମ ସୁପର ସିକ୍ସ ମ୍ୟାଚ୍ରେ ଜିମ୍ବାୱେକୁ ୨୦୪ ରନ୍ରେ ହରାଇ ସାରିଛି। ଏଣୁ ପାକିସ୍ତାନ ବିପକ୍ଷରେ ମଧ୍ୟ ଏହି ସଫଳତା ଦୋହରାଇବା ଲକ୍ଷ୍ୟରେ ରହିଛି। ୱିକେଟ୍ ରକ୍ଷକ ଅଭିଜ୍ଞାନ କୁଣ୍ଡୁ ଏବଂ ବିସ୍ମୟ ବ୍ୟାଟର୍ ବୈଭବ ସୂର୍ଯ୍ୟବଂଶୀ ଚମତ୍କାର ଫର୍ମରେ ଅଛନ୍ତି। ବୈଭବ ବିଶ୍ବର ପ୍ରାୟ ସମସ୍ତ ଦଳ ବିପକ୍ଷରେ ବଡ଼ ସ୍କୋର୍ କରି ଆସୁଥିଲେ ମଧ୍ୟ ପାକିସ୍ତାନ ବିପକ୍ଷରେ ସେତେଟା ସଫଳ ହୋଇ ନାହାନ୍ତି। ଏହି ଦୁର୍ବଳତାକୁ ଆସନ୍ତାକାଲି ଦୂର କରିବାକୁ ଆଶାରେ ରହିଛନ୍ତି ସେ। ଏମାନଙ୍କ ଛଡ଼ା ବିହାନ ମାଲହୋତ୍ରା, ଅଧିନାୟକ ଆୟୁଷ ମହାତ୍ରେ ପ୍ରମୁଖ ମଧ୍ୟ ଚମତ୍କାର ଫର୍ମରେ ଅଛନ୍ତି। ହେନିଲ ପଟେଲ ୧୦ ୱିକେଟ୍ ନେଇ ସାରିଲେଣି।
ଆହୁରି ପଢ଼ନ୍ତୁ: Shehbaz said about Pakistan: ମୋତେ ଓ ମୁନିରଙ୍କୁ ବିଭିନ୍ନ ଦେଶକୁ ଭିକାରୀଙ୍କ ପରି ଋଣ ମାଗିବାକୁ ପଡ଼ିଛି: ଶେହବାଜ
ବାମହାତୀ ବୋଲର ଉଦ୍ଧବ ମୋହନ ପ୍ରଥମ ସୁପର ସିକ୍ସ ମ୍ୟାଚ୍ରେ ଜିମ୍ବାୱେର ତିନିଟି ୱିକେଟ୍ ଝାଡ଼ିଥିଲେ। ଅଫ୍ ସ୍ପିନର ଆରଏସ୍ ଅମ୍ବ୍ରିସ୍ ମଧ୍ୟ ଯେ କୌଣସି ପ୍ରକାଶ ବିପର୍ଯ୍ୟୟ ସୃଷ୍ଟି କରିବାକୁ ପୂରା ସକ୍ଷମ। ଭାରତ ପାଇଁ କିନ୍ତୁ ସବୁଠାରୁ ବିପଦଜ୍ଜନକ ହେବେ ପାକିସ୍ତାନର ଓପନର୍ ସମୀର ମୀନହାସ। ଏସିଆ କପ୍ ଫାଇନାଲ୍ରେ ୧୭୨ ରନ୍ର ପାଳି ଖେଳି ସେ ହିଁ ଭାରତକୁ ହରାଇ ଦେଇଥିଲେ। ଚଳିତ ବିଶ୍ବକପ୍ରେ ମଧ୍ୟ ସେ ଭଲ କରୁଛନ୍ତି। ବୋଲିଂ ବିଭାଗରେ ଦ୍ରୁତ ବୋଲର ଅଲୀ ରାଜା (୧୨ ୱିକେଟ୍) ଓ ଅବଦୁଲ ସୁଭନ (୧୦ ୱିକେଟ୍)ଙ୍କୁ ସମ୍ମୁଖୀନ ହେବା ଭାରତୀୟ ବ୍ୟାଟ୍ସମ୍ୟାନ୍ଙ୍କ ପାଇଁ ନିଶ୍ଚିତ ଭାବେ ଆହ୍ବାନ ଭରା ରହିବ। ଫଳାଫଳ ଯାହା ହେଉନା କାହିଁକି ଭାରତୀୟ ଦଳ ରବିବାର ମଧ୍ୟ ପାକିସ୍ତାନ ଖେଳାଳିଙ୍କ ସହ ହାତନମିଳାଇବାର ଧାରା ଜାରି ରଖିବ, ସେକଥା ସ୍ପଷ୍ଟ କରି ଦେଇଛି।
Follow Us