india wins
ରାଞ୍ଚି : ରାଞ୍ଚିଠାରେ ରବିବାର ଖେଳାଯାଇଥିବା ପ୍ରଥମ ଦିନିକିଆରେ ଦକ୍ଷିଣ ଆଫ୍ରିକାକୁ ୧୭ ରନରେ ପରାସ୍ତ କରିଛି ଭାରତ । ୩୫୦ ରନ ଲକ୍ଷ୍ୟର ପିଛା କରୁଥିବା ଦକ୍ଷିଣ ଆଫ୍ରିକା ୩୩୨ ରନ କରି ଅଲଆଉଟ ହୋଇଯାଇଥିଲା ।
ଦକ୍ଷିଣ ଆଫ୍ରିକା ଆରମ୍ଭରୁ ମାତ୍ର ୧୧ ରନରେ ୩ଟି ଓ୍ବିକେଟ ହରାଇ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । କିନ୍ତୁ ଏହା ସତ୍ତ୍ବେ ଏହି ଦଳ ନିଜର ପରିଚିତି ଅନୁସାରେ ଲଢୁଆ ଖେଳ ପ୍ରଦର୍ଶନ କରି ଗୋଟିଏ ସମୟରେ ବିଜୟ ସମ୍ଭାବନା ସୃଷ୍ଟି କରିଥିଲା । ଦଳ ପକ୍ଷରୁ ମାଥ୍ୟୁ ବ୍ରିଜକେ ୭୨ ରନ କରିଥିବାବେଳେ ମାର୍କୋ ଜାନସେନ ୭୦ ରନ, ଟୋନି ଡି ଜୋର୍ଜି ୩୯ ରନ ଓ ଡେଓ୍ବାଲଡ୍ ବ୍ରେଭିସ ୩୭ ରନ କରିଥିଲେ । ତେବେ ୮ ନମ୍ବର ସ୍ଥାନରେ ଆସିଥିବା କୋର୍ବିନ ବୋସ୍ ୬୭ ରନ କରିବା ସହ ଶେଷ ଓଭର ପର୍ଯ୍ୟନ୍ତ ଲଢେଇ କରିଥିଲେ । ତେବେ ଶେଷ ଓଭରରେ ପ୍ରସିଦ୍ଧ କ୍ରିଷ୍ଣା ତାଙ୍କ ଓ୍ବିକେଟ ନେଇ ଭାରତକୁ ବିଜୟୀ କରାଇଥିଲେ । ଭାରତ ପକ୍ଷରୁ କୁଳଦୀପ ଯାଦବ ୪ଟି ଓ୍ବିକେଟ ନେଇଥିବାବେଳେ ହର୍ଷିତ ରାଣା ୩ଟି ଓ୍ବିକେଟ ନେଇଥିଲେ ।
ଆହୁରି ପଢନ୍ତୁ : Barabati T20: ଭାରତ-ଦକ୍ଷିଣ ଆଫ୍ରିକା ବାରବାଟୀ ମ୍ୟାଚ୍ ପାଇଁ ବିକ୍ରି ହେବ ୨,୦୦୦ ଅନ୍ଲାଇନ୍ ଟିକେଟ୍
ଏହି ମ୍ୟାଚରେ ଦକ୍ଷିଣ ଆଫ୍ରିକା ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଭାରତ ପକ୍ଷରୁ ଇନିଂସ ଓପନ କରିଥିବା ଯଶସ୍ବୀ ଜୟସ୍ବାଲ ଓ ରୋହିତ ଶର୍ମା ପ୍ରଥମ ଓ୍ବିକେଟ ଯୋଡ଼ିରେ ମାତ୍ର ୨୫ ରନ କରିବା ପରେ ଜୟସ୍ବାଲ ମାତ୍ର ୧୮ ରନ କରି ଆଉଟ ହୋଇଥିଲେ । ଏହା ପରେ ଭାରତୀୟ ଦଳର ଦୁଇ ପୁରୁଖା ତାରକା ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ମଧ୍ୟରେ ଏକ ଭଲ ପାର୍ଟନରସିପ ଦେଖାଦେଇଥିଲା । ରୋହିତ ୫୭ ରନ କରିଥିବାବେଳେ ବିରାଟ କୋହଲି ନିଜ କ୍ୟାରିୟରର ୫୨ତମ ଶତକ ଅର୍ଜନ କରି ମୋଟ ୧୩୫ ରନ କରିଥିଲେ । ନିଜର ଏହି ଶତକ ପାଇଁ ବିରାଟ ୭ଟି ଛକା ଓ ୧୧ଟି ଚୌକା ମାରିଥିଲେ । ତେବେ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ ଋତୁରାଜ ଗାଇକ୍ବାଡ ଓ ଓ୍ବାସିଂଟନ ସୁନ୍ଦର ଶସ୍ତାରେ ଆଉଟ ହେବା ପରେ ଅଧିନାୟକ କେଏଲ ରାହୁଲ ୬୦ ରନ ଓ ରବୀନ୍ଦ୍ର ଜାଦେଜା ୩୨ ରନ କରି ଭାରତୀୟ ସ୍କୋରକୁ ୩୪୦ ଉପରକୁ ନେଇଯାଇଥିଲେ । ଭାରତ ୯ ଓ୍ବିକେଟ ହରାଇ ୩୪୯ ରନ କରିଥିଲା ।
ଦକ୍ଷିଣ ଆଫ୍ରିକା ପକ୍ଷରୁ ମାର୍କୋ ଜାନସେନ, କାର୍ବିନ ବୋସ, ନାନ୍ଦ୍ରେ ବର୍ଗର ଓ ଓଟନିଲ ବାର୍ଟମାନ ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।
ଆହୁରି ପଢନ୍ତୁ : India Vs South Africa 1st ODI : ବିରାଟଙ୍କ ଶତକ, ଦକ୍ଷିଣ ଆଫ୍ରିକା ଆଗରେ ୩୫୦ ରନର ଲକ୍ଷ୍ୟ
Follow Us