ଅହମଦାବାଦ: ଫଟାଫଟ୍‌ କ୍ରିକେଟ୍‌ ମହାକୁମ୍ଭର ମହାମୁକାବିଲା ଲାଗି ବିଶ୍ବର ସର୍ବବୃହତ୍‌ କ୍ରିକେଟ୍‌ ମଞ୍ଚ ‘ନରେନ୍ଦ୍ର ମୋଦୀ କ୍ରିକେଟ୍‌ ଷ୍ଟାଡିୟମ୍‌’ ବି ପୂରା ପ୍ରସ୍ତୁତ ହୋଇ ରହିଛି। କେବଳ ଭାରତ କିମ୍ବା ଏସିଆ ମହାଦେଶ ନୁହେଁ, ସାରା ବିଶ୍ବର ପ୍ରଶଂସକ ଏହି ମହାଲଢ଼େଇକୁ ନେଇ ଢେର ଉଲ୍ଲସିତ ଅଛନ୍ତି। ରାତି ୭ଟାରୁ ଆରମ୍ଭ ହେବାକୁ ଥିବା ରବିବାରର ଏହି ଐତିହାସିକ ଟକ୍କର ଲାଗି ଦୁଇ ଫାଇନାଲିଷ୍ଟ୍‌ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟ ମାନସିକ ଏବଂ ଶାରୀରିକ ଭାବେ ନିଜକୁ ସଜାଡ଼ି ନେଇଛନ୍ତି। ଜୋରଦାର ଅଭ୍ୟାସ କରି ନିଜ ନିଜ ଶକ୍ତିକୁ ଆହୁରି ଶାଣିତ କରିଛନ୍ତି। ଅହମଦାବାଦରେ ଟ୍ବେଣ୍ଟି-୨୦ କ୍ରିକେଟ୍‌ ବିଶ୍ବକପ୍‌ର ଫାଇନାଲ୍‌ ନେଇ ଅପୂର୍ବ ଉତ୍ସାହ ଦେଖିବାକୁ ମିଳିଛି। ଏହି ମୁକାବିଲାରେ ନ୍ୟୁଜିଲାଣ୍ଡ ଟସ୍‌ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି। ଫଳରେ ସୂର୍ଯ୍ୟକୁମାର ଯାଦବଙ୍କ ଟିମ୍‌ ପ୍ରଥମେ ବ୍ୟାଟିଂ କରିବ। 

Advertisment

ସମଗ୍ର ବିଶ୍ବର ନଜର ଯେମିତି ଏହି ହାଇଭୋଲ୍‌ଟେଜ୍‌ ତଥା ପ୍ରତୀକ୍ଷିତ ମହାଲଢ଼େଇ ଉପରେ କେନ୍ଦ୍ରୀଭୂତ ହୋଇଛି। ଆଉ ମାତ୍ର କିଛି ଘଣ୍ଟା ପରେ ହିଁ ଦୁଇ ଦଳ ପଡ଼ିଆକୁ ଓହ୍ଲାଇବେ। ତା’ ସହିତ କ୍ରିକେଟ୍‌ ଇତିହାସରେ ନୂଆ ଫର୍ଦ୍ଦ ଯୋଡ଼ିବାକୁ ଚେଷ୍ଟା କରିବେ। ଉଭୟ ଦଳ ପାଖରେ ଅଭିନବ ଓ ଅନନ୍ୟ ଇତିହାସ ରଚିବାର ସୁଯୋଗ ରହିବ। ଭାରତ ଜିିତିଲେ ଆ‌ୟୋଜକ ଦେଶ ଭାବେ ବିଶ୍ବକପ୍‌ ଜିତିବାର ବିରଳ ଗୌରବ ଗାଥା ଲେଖିବ।

ଆହୁରି ପଢ଼ନ୍ତୁ: Cricket: ଟିମ୍ ଇଣ୍ଡିଆର ବିଜୟ ପାଇଁ ଦେଶବ୍ୟାପୀ ପୂଜାର୍ଚ୍ଚନା, ସ୍ବତନ୍ତ୍ର ଆରତୀ

ସେହିଭଳି ଲଗାତାର ବିଶ୍ବକପ୍‌ ଜିତିବାର ଅସାଧାରଣ ସଫଳତାକୁ ସାକାର କରିବ। ନ୍ୟୁଜିଲାଣ୍ଡ ଜିତିଲେ ପ୍ରଥମ ଥର ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଜିତିବାର ପ୍ରତୀକ୍ଷିତ ସ୍ବପ୍ନକୁ ପୂରଣ କରିବ। ଏହି ବଡ଼ ମୁକାବିଲା ପୂର୍ବର ରେକର୍ଡ କିନ୍ତୁ ଭାରତ ବିପକ୍ଷ‌ରେ ରହିଛି। କାରଣ ବିଶ୍ବକପ୍‌ରେ ଆଜି ପର୍ଯ୍ୟନ୍ତ ନ୍ୟୁଜିଲାଣ୍ଡକୁ କେବେ ବି ହରାଇନି ଟିମ୍‌ ଇଣ୍ଡିଆ। ୩ଥର ଭେଟି ସବୁଥର ପରାଜିତ ହୋଇଛି। ଏଣୁ ରବିବାର ବିଜୟୀ ହେଲେ କିୱି ଦଳଠାରୁ ପୂର୍ବର ସବୁ ପରାଜୟର ମଧୁର ପ୍ରତିଶୋଧ ନେଇ ପାରିବ ସୂର୍ଯ୍ୟକୁମାର ଯାଦବଙ୍କ ଦକ୍ଷ ସେନା। ଭାରତୀୟ କ୍ରିକେଟ୍‌ ଦଳ ପାଖରେ ମଧ୍ୟ ୨୦୨୩ ଦିନିକିଆ କ୍ରିକେଟ୍‌ ବିଶ୍ବକପ୍‌ ଫାଇନାଲ୍‌ ପରାଜୟର ଦୁଃଖକୁ ଦୂର କରିବାର ସୁଯୋଗ ରହିବ। ୩ବର୍ଷ ତଳେ ଏହି ଷ୍ଟାଡିୟମ୍‌ରେ ଅଷ୍ଟ୍ରେଲିଆଠାରୁ ହାରି ଆଉ ଏକ ଏକଦିବସୀୟ ବିଶ୍ବକପ୍‌ ଜିତିବାର ସୁଯୋଗକୁ ହାତଛଡ଼ା କରିଥିଲା ଭାରତ। ଏଥର ସେହି ଭୁଲ୍‌ ନ ଦୋହରାଇବାକୁ ପ୍ରତିଶ୍ରୁତିବଦ୍ଧ ରହିବ। ଏଥରର ଫାଇନାଲ୍‌ରେ ଦୁଇ ଦଳର ଯୁବ ଯୋଦ୍ଧା ସଞ୍ଜୁ ସାମସନ ଓ ଫିନ୍‌ ଆଲେନଙ୍କ ବ୍ୟାଟିଂ ପ୍ରମୁଖ ଆକର୍ଷଣ ହେବ।