ଦୁବାଇ: ଚଳିତ କନିଷ୍ଠ ଏସିଆ କପ୍ (୧୯ ବର୍ଷରୁ କମ୍‌)ରେ ପୁଣି ଥରେ ଭାରତ ଓ ପାକିସ୍ତାନ ମୁକାବିଲା କରିବେ। ଏଥର ଫାଇନାଲ୍‌ରେ ଟକ୍କର ଦେବେ ପରସ୍ପରକୁ। ରବିବାର ଏହି ଫାଇନାଲ୍‌ ମ୍ୟାଚ୍‌ ଦୁବାଇର ଆଇସିସି ଏକା‌ଡେମୀ ଗ୍ରାଉଣ୍ଡ୍‌ରେ ଖେଳାଯିବ। ଶୁକ୍ରବାର ଖେଳାଯାଇଥିବା ସେମିଫାଇନାଲ୍‌ ଦ୍ବୟରେ ଉଭୟ ଦଳ ସମାନ ୮ ୱିକେଟ୍‌ରେ ବିଜୟୀ‌ ହୋଇଛନ୍ତି। ଭାରତ ଶ୍ରୀଲଙ୍କାକୁ ଏବଂ ପାକିସ୍ତାନ ବାଂଲାଦେଶକୁ ପରାସ୍ତ କରିଛି। ସୂଚନାଯୋଗ୍ୟ, ଗ୍ରୁପ୍‌ ପର୍ଯ୍ୟାୟରେ ପାକିସ୍ତାନ ବିପକ୍ଷରେ ଭାରତ ୯୦ ରନ୍‌ରେ ବିଜୟୀ‌ ହୋଇଥିଲା।

Advertisment

Rs 93 crore sanction: ଭୁବନେଶ୍ୱରରେ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ କ୍ଲଷ୍ଟର ଲାଗି ୯୩.୦୯ କୋଟିର ଆର୍ଥିକ ଅନୁଦାନ

ଶୁକ୍ରବାର ଉଭୟ ସେମିଫାଇନାଲ୍‌ ବ‌ର୍ଷା କାରଣରୁ ବାଧାପ୍ରାପ୍ତ ହୋଇଥିଲା। ଓଭର କାଣ୍ଟ୍‌ଛାଣ୍ଟ ସହିତ ଖେଳାଯାଇଥିଲା। ନିର୍ଦ୍ଧାରିତ ୨୦ ଓଭରରେ ଶ୍ରୀଲଙ୍କା ୮ ୱିକେଟ୍ ହରାଇ ୧୩୮ ରନ୍ କରିଥିଲା। ଏକଦା ୨୮/୩ରେ ସଂଘର୍ଷ କରିଥିବା ଶ୍ରୀଲଙ୍କା ପାଳିକୁ ଚାମିକା ହିନାତିଗଲା (୪୨) ଓ ଅଧିନାୟକ ଭିମତ ଦିନସାରା (୩୨) ସଜାଡ଼ିଥିଲେ। ଶେଷ ଭାଗରେ ସେଥମିକା ସେନେଭିରତ୍ନେ (୩୦) ଦ୍ରୁତ ଖେଳି ଦଳକୁ ସମ୍ମାନଜନକ ସ୍କୋର୍‌ ପ୍ରଦାନ କରିଥିଲେ। ଭାରତ ପକ୍ଷରୁ ଦ୍ରୁତ ବୋଲର ହେନିଲ ପଟେଲ୍‌ ଓ ଅଫସ୍ପିନର୍‌ କନିଷ୍କ ଚୌହାନ ପ୍ରତ୍ୟେକେ ୨ ଲେଖାଏଁ ୱିକେଟ୍ ଅକ୍ତିଆର କରିଥିଲେ। କିଷନ ସିଂହ, ଦୀପେଶ ଦେବେନ୍ଦ୍ରନ, ଖିଲନ୍ ପଟେଲ୍‌ ପ୍ରତ୍ୟେକେ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ। ଜବାବରେ ଭାରତର ପ୍ରାରମ୍ଭିକ ଯୋଡ଼ି ଆୟୁଷ ମହାତ୍ରେ (୭) ଓ ବୈଭବ ସୂର୍ଯ୍ୟବଂଶୀ (୯) ବିଦାୟ ନେବା ପରେ ଆରୋନ୍ ଜର୍ଜ (୪୯ ବଲ୍‌ରୁ ୫୮* ରନ୍) ଏବଂ ବିହାନ ମାଲହୋତ୍ରା (୪୫ ବଲ୍‌ରୁ ୬୧*ରନ୍) ଅତୁଟ ତୃତୀୟ ୱିକେଟ୍ ପାଇଁ ୧୪.୩ ଓଭରରେ ୧୧୪ ରନ୍ ଯୋଡ଼ି ଦୁଇ ଓଭର ପୂର୍ବରୁ ଭାରତକୁ ବିଜୟ ଦେଇଥିଲେ। ରସିଥ୍‌ ନିମସାରା ୨ ୱିକେଟ୍ ନେଇଥିଲେ। ଉଭୟ ଆରୋନ୍ ଓ ବିହାନ୍ ଯୁଗ୍ମ ଭାବେ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

MDM: ମଧ୍ୟାହ୍‌ଣ ଭୋଜନ ହେଲା ପିଏମ୍‌ ପୋଷଣ, ସୁଧୁରିନି ଭିତ୍ତିଭୂମି

ଦ୍ବିତୀୟ ସେମିଫାଇନାଲ୍‌ ୨୭ ଓଭର ବିଶିଷ୍ଟ କରାଯାଇଥିଲା। ବାଂଲାଦେଶ କିନ୍ତୁ ୨୬.୩ ଓଭରରେ ସମସ୍ତ ୱିକେଟ୍ ହରାଇ ୧୨୧ ରନ୍ କରିଥିଲା। ଅବଦୁଲ ଶୁଭନ (୪/୨୦) ବାଂଲା‌ଦେଶର ସର୍ବାଧିକ କ୍ଷତି ଘଟାଇଥିଲେ। ଜବାବରେ ସମିର୍ ମିନହାସ (୬୯*)ଙ୍କ ଅର୍ଦ୍ଧଶତକ ବଳରେ ପାକିସ୍ତାନ ୧୬.୩ ଓଭରରେ ୨ ୱିକେଟ୍ ହରାଇ ୧୨୨ ରନ୍ ସଂଗ୍ରହ କରି ନେଇଥିଲା। ଅବଦୁଲ ଶୁଭନ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥି‌ଲେ। ରବିବାର ଭାରତ ନବମ ଥର ପାଇଁ ଏବଂ ପାକିସ୍ତାନ ଦ୍ବିତୀୟ ଥର ପାଇଁ ୧୯ ବର୍ଷରୁ କମ୍‌ ଏସିଆ କପ୍‌ ଟ୍ରଫି ଜିତିବା ଲକ୍ଷ୍ୟରେ ରହିବେ।