ଭୁବନେଶ୍ବର: ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ୍‌ରେ ଆୟୋଜିତ ଦଶମ ଉପକନିଷ୍ଠ (୧୫ ବର୍ଷରୁ କମ୍‌) ଜାତୀୟ ବାଳିକା ରଗ୍‌ବି ସେଭେନ୍ସ ପ୍ରତିଯୋଗିତାରେ ବିହାର ବିଜେତା ହୋଇଥିଲା ବେଳେ ଆୟୋଜକ ଓଡ଼ିଶାକୁ କାଂସ୍ୟ ପଦକ ମିଳିଛି। ଫାଇନାଲ୍‌ରେ ବିହାର ୩୪-୭ ପଏଣ୍ଟ୍‌ରେ ଗତ ସଂସ୍କରଣ ବିଜେତା ମହାରାଷ୍ଟ୍ରକୁ ମାତ୍‌ ଦେଇଥିଲା। ଏହି ବିଜୟ ସହ ରାଜସ୍ଥାନଠୁ ଗତ ସଂସ୍କରଣ ଫାଇନାଲ୍‌ର ମଧୁର ପ୍ରତିଶୋଧ ନେଇଛି ବିହାର। ‌ଅନ୍ୟପକ୍ଷରେ ଓଡ଼ିଶା କ୍ବାର୍ଟରଫାଇନାଲ୍‌ରେ କର୍ଣ୍ଣାଟକକୁ ୫୫-୦ ପଏଣ୍ଟ୍‌ରେ ହରାଇବା ପରେ ସେମିଫାଇନାଲ୍‌ରେ କଡ଼ା ସଂଘର୍ଷ କରିବା ସତ୍ତ୍ବେ ମହାରାଷ୍ଟ୍ରଠୁ ୧୪-୧୭ ପଏଣ୍ଟ୍‌ରେ ହାରି ଫାଇନାଲ୍‌ ମ୍ୟାଚ୍‌ ଖେଳିବାରୁ ବଞ୍ଚିତ ହୋଇଥିଲା।

Advertisment

ଆୟୋଜକ ଓଡ଼ିଶାକୁ କାଂସ୍ୟ ପଦକ

ଅଧିକପଢ଼ନ୍ତୁ:ବାଂଲାଦେଶରେ ହିନ୍ଦୁ ଦୋକାନ ମାଲିକଙ୍କୁ କୋଦାଳରେ ପିଟିପିଟି ହତ୍ୟା

ତେବେ ତୃତୀୟ ସ୍ଥାନ ମୁକାବିଲାରେ ଘରୋଇ ଦର୍ଶକ ସମ୍ମୁଖରେ ଚମତ୍କାର ପ୍ରତ୍ୟାବର୍ତ୍ତନ କରି ରାଜସ୍ଥାନକୁ ୪୭-୫ ପଏଣ୍ଟ୍‌ରେ ପରାସ୍ତ କରି କାଂସ୍ୟ ପଦକ ନିଶ୍ଚିତ କରିଥିଲା। ଓଡ଼ିଶାର ସୁମି ଗଗାରାଇ ୧୦୪ ପଏଣ୍ଟ୍‌ ସହ ବ୍ୟକ୍ତିଗତ ସର୍ବୋଚ୍ଚ ସ୍କୋରର୍‌ ତାଲିକାରେ ଶୀର୍ଷରେ ରହିଥିଲା ବେଳେ ବିହାର କୋମଲ କୁମାରୀ ୬୬ ଓ ରୋଶନୀ କୁମାରୀ ୫୬ ପଏଣ୍ଟ ଯଥାକ୍ରମେ ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ। ସୂଚନାଯୋଗ୍ୟ ଏହି ପ୍ରତିଯୋଗିତାରେ ମୋଟ ୨୪ ଦଳ ଅଂଶଗ୍ରହଣ କରିଥିଲା ବେଳେ ୧୧୨ ଜଣ ପଏଣ୍ଟ୍‌ କରିବାରେ ସଫଳ ହୋଇଥିଲେ ଏବଂ ମୋଟ ଉପରେ ପୂରା ପ୍ରତିଯୋଗିତାରେ ପ୍ରାୟ ୧୮୦୦ ପଏଣ୍ଟ୍‌ ଦେଖିବାକୁ ମିଳିଥିଲା।

ଉଦ୍‌ଯାପନୀ ଉତ୍ସବରେ ଅତିଥି ଭାବେ କ୍ରୀଡ଼ା ସଚିବ ସଚିନ ରାମଚନ୍ଦ୍ର ଯାଦବ, ନିର୍ଦେଶକ ୟେଦୁଲା ବିଜୟ, ଅତିରିକ୍ତ ସଚିବ ବିଜୟ କୁମାର ସ୍ବାଇଁ. ରଗ୍‌ବି ଇଣ୍ଡିଆ ସଭାପତି ରାହୁଲ ବୋଷ, ସମ୍ପାଦକ ଗେରାଲ୍ଡ ପ୍ରଭୁ, ଓଡ଼ିଶା ରଗ୍‌ବି ଫୁଟ୍‌ବଲ୍‌ ସଂଘ ସଭାପତି ପ୍ରିୟଦର୍ଶୀ ମିଶ୍ର, ଉପସଭାପତି ଉପେନ୍ଦ୍ର କୁମାର ମହାନ୍ତି ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ। ସୂଚନାଯୋଗ୍ୟ ଯେ ବାଳିକା ପ୍ରତିଯୋଗିତା ପରେ ମଙ୍ଗଳବାର ଓ ବୁଧବାର ବାଳକଙ୍କ ପ୍ରତିଯୋଗିତା ଏହି କଳିଙ୍ଗ ‌ଷ୍ଟାଡିୟମ୍‌ରେ ଅନୁଷ୍ଠିତ ହେବ।

ଅଧିକପଢ଼ନ୍ତୁ:ମହାରାଷ୍ଟ୍ରରେ ବିଜେପିର ବଡ଼ ବିଜୟ ଉପରେ ମୋଦୀ କହିଲେ ସାରା ଦେଶରେ ଭୋଟରଙ୍କ ପ୍ରଥମ ପସନ୍ଦ ହେଉଛି ବିଜେପି