କାଳିଆପାଣି (ରବି ନାରାୟଣ କର): ହାଇଦ୍ରାବାଦର ଜିଏମ୍‌ସି ବାଲାଯୋଗୀ ସ୍ପୋର୍ଟ୍ସ କମ୍ପ୍ଲେକ୍ସରେ ଅନୁଷ୍ଠିତ ୨୫ତମ ଜାତୀୟ ପାରା ସନ୍ତରଣ ପ୍ରତିଯୋଗିତାରେ ଯାଜପୁରଜିଲ୍ଲା କାଳିଆପାଣି ଥାନା କାକୁଡ଼ିଆ ଗାଁର ଝିଅ ଗୋଲାପୀ ସିର୍‌କା ଓଡ଼ିଶା ରାଜ୍ୟର ପ୍ରତିନିଧିତ୍ବ କରି ଗୋଟିଏ ସ୍ବର୍ଣ୍ଣ ଓ ଆଉ ଗୋଟିଏ ରୌପ୍ୟ ପଦକ ହାସଲ କରିଛନ୍ତି। ସୋମବାର ସେ ମହିଳା ୧୦୦ ମିଟର ବ୍ୟାକ୍‌ଷ୍ଟ୍ରୋକ୍‌ ପ୍ରତିଯୋଗିତାରେ ସେ ସ୍ବର୍ଣ୍ଣ ପଦକ ଓ ଏସ୍‌ବି-୪ ବ୍ରେଷ୍ଟ‌୍‌ଷ୍ଟ୍ରୋକ୍‌ ୫୦ ମିଟର ପ୍ରତିଯୋଗିତାରେ ରୌପ୍ୟ ପଦକ ଜିତି ରାଜ୍ୟକୁ ଗୌରବାନ୍ବିତ କରିଛନ୍ତି।

Advertisment

ସୁକିନ୍ଦା ବ୍ଲକ ରାଁସୋଳ ପଞ୍ଚାୟତର ବଣପାହାଡ଼ ଘେରା ଅଖ୍ୟାତ ପଲ୍ଲୀ କାକୁଡ଼ିଆ ଗାଁର ଦିନ ମଜୁରିଆ ଗରିବ ଆଦିବାସୀ ଦମ୍ପତି ଜୀରା ଓ ବୀରସିଂହ ସିର୍‌କାଙ୍କ ୬ ଝିଅଙ୍କ ମଧ୍ୟରୁ ଦ୍ବିତୀୟ ଝିଅ ଗୋଲାପୀ ବହୁ ଘାତ ପ୍ରତିଘାତକୁ ଏଡ଼ାଇ ସଫଳତାର ଶିଡ଼ି ଚଢ଼ିଚାଲିଛନ୍ତି। ତାଙ୍କ ପ୍ରତିବଦ୍ଧତା ଆଗରେ ସବୁ ପ୍ରକାର ପ୍ରତିକୂଳ ପରିସ୍ଥିତି ହାର୍‌ ମାନିଛି। ଗତମାସ ୨୬ ତାରିଖ ଭୁବନେଶ୍ବର କଳିଙ୍ଗ ଷ୍ଟାଡିଅମ୍‌ରେ ଅନୁଷ୍ଠିତ ଓଡ଼ିଶା ରାଜ୍ୟ ପାରା ସନ୍ତରଣ ପ୍ରତିଯୋଗିତାରେ ଅଳ୍ପକେ ‌ସ୍ବର୍ଣ୍ଣରୁ ବଞ୍ଚିତହୋଇ ସେ ରୌପ୍ୟ ପଦକ ହାସଲ କରିଥିଲେ। ଏହାପରେ ଦୃଢ଼ମନା ଗୋଲାପୀ ସନ୍ତରଣ ଅଭ୍ୟାସ ଜାରିରଖିବା ସହ ଜାତୀୟ ପ୍ରତିଯୋଗିତା ପାଇଁ ନିଜକୁ ପ୍ରସ୍ତୁତ କରିଥିଲେ। ଏହା ପୂର୍ବରୁ ଏହି ପାରା ଆଥଲେଟ୍‌ ଓଡ଼ିଶା ରାଜ୍ୟ ଦୌଡ଼କୁଦ ପ୍ରତିଯୋଗତା ୨୦୨୪-୨୫ ଓ ୨୦୨୫-୨୬ରେ ଲଗାତାର ୨ ବର୍ଷ ଧରି ୩ ବିଭାଗ ସଟ୍‌ପୁଟ୍‌, ଡିସ୍କସ ଓ ଜାଭେଲିନ୍‌ ଥ୍ରୋ’ ବିଭାଗରେ ସେ ଗୋଟିଏ ଲେଖାଏଁ ସ୍ବର୍ଣ୍ଣ ପଦକ ବିଜୟିନୀ ହୋଇଥିଲେ। 

ଆହୁରି ପଢ଼ନ୍ତୁ: Molestation In SCB: ଏସ୍‌ସିବିରେ ମହିଳା ରୋଗୀଙ୍କୁ ଅସଦାଚରଣ, ଗିରଫ ପରେ ଅଭିଯୁକ୍ତକୁ କୋର୍ଟ ଚାଲାଣ

କଠିନ ପରିସ୍ଥିତିରେ ସଫଳ

ଗୋଲାପୀଙ୍କ ଏତାଦୃଶ ସଫଳତାରେ ଜିଲ୍ଲାପାଳ ଅମ୍ବର କୁମାର କର ଖୁସିବ୍ୟକ୍ତ କରି ତାଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିଛନ୍ତି। କଠିନ ପରିସ୍ଥିତିରେ ସଫଳ ହୋଇଥିବା ଗୋଲାପୀ ରାଜ୍ୟ ତଥା ଦେଶର ବିଭିନ୍ନ ପାରା ପ୍ରତିଯୋଗିତା ପାଇଁ ଉଜ୍ଜଳ ଭବିଷ୍ୟତ ବୋଲି ଜିଲ୍ଲା ପାରା ସ୍ପୋର୍ଟ୍ସ ଆସୋସିଏସନ୍ ସଭାପତି ମଣ୍ଟୁ ଦାସ ଓ ଅନ୍ତର୍ଜାତୀୟ ପାରା ଆଥଲେଟ୍‌ ଦେବାମୃତ ସାହୁ କହିଛନ୍ତି। 

ଆହୁରି ପଢ଼ନ୍ତୁ: Naxal Encounter : ହିଡମା କିଏ ?