ଭୁବନେଶ୍ବର: ଜାମସେଦପୁରର କିନାନ ଷ୍ଟାଡିୟମ୍ରେ ଚାଲିଥିବା ଏଲିଟ୍ ଗ୍ରୁପ୍-ଏ’ ରଣଜୀ ଟ୍ରଫି ମୁକାବିଲାରେ ଓଡ଼ିଶାକୁ ପାଳି ଅଗ୍ରଣୀ ମିଳିଛି। କ୍ବାର୍ଟର ଫାଇନାଲ୍ ଲାଇନ୍ ଅପ୍ ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଥିବା ଏହି ମ୍ୟାଚ୍ର ପ୍ରଥମ ପାଳିରେ ଓଡ଼ିଶା ୨୮୨ ରନ୍ କରିଥିଲା। ଶନିବାର ଭ୍ରମଣକାରୀ ଦଳର ବୋଲର୍ମାନେ ଅସମାପ୍ତ ପାଳିର ଅବଶିଷ୍ଟ ୪ ୱିକେଟ୍ ମାତ୍ର ୧୯ ରନ୍ରେ ନେଇ ଘରୋଇ ଝାଡ଼ଖଣ୍ଡକୁ ୨୬୩ ରନ୍ରେ ଅଲଆଉଟ୍ କରି ଦେଇଛନ୍ତି। ତା’ ସହିତ ଓଡ଼ିଶାକୁ ୨୧ ରନ୍ରେ ଆଗୁଆ ରଖିଛନ୍ତି।
ପଦାର୍ପଣକାରୀ ସୟଦ ତୁଫୈଲ ଅହମଦ ୪ ୱିକେଟ୍ ନେଇ ଚଳିତ ଋତୁରେ ଏ ପର୍ଯ୍ୟନ୍ତ ଚମତ୍କାର ଫର୍ମରେ ଥିବା ଝାଡ଼ଖଣ୍ଡର ବିପର୍ଯ୍ୟୟ ଘଟାଇଛନ୍ତି। ଗୋପିନ୍ଦ ପୋଦ୍ଦାର ୩ ଏବଂ ରାଜେଶ ମହାନ୍ତି ୨ଟି ୱିକେଟ୍ କରାୟତ୍ତ କରିଛନ୍ତି। ଆଜି ପ୍ରଥମ ଅଧିବେଶନରେ ହିଁ ନିଜ ଦ୍ବିତୀୟ ପାଳି ଖେଳ ଅରମ୍ଭ କରି ଷ୍ଟମ୍ପ୍ସ ସୁଦ୍ଧା ଓଡ଼ିଶା ୮ ୱିକେଟ୍ ବିନିମୟରେ ୨୦୨ ରନ୍ କରି ନେଇଛି। ଫଳରେ ହାତରେ ଦୁଇ ୱିକେଟ୍ ଥାଇ ମୋଟ ଉପରେ ଏବେ ୨୨୩ ରନ୍ରେ ଆଗୁଆ ରହିଛି। ଖେଳ ବନ୍ଦ ବେଳକୁ ଗୋବିନ୍ଦ ପୋଦ୍ଦାର ୨୨ ଏବଂ ରାଜେଶ ମହାନ୍ତ କୌଣସି ରନ୍ ନକରି ଅପରାଜିତ ରହିଛନ୍ତି। ଯାହା ଝଡ଼ଖଣ୍ଡର ଚିନ୍ତା ବଢ଼ାଇଛି।
ରବିବାର ପଞ୍ଚମ ତଥା ଶେଷ ଦିନରେ ଓଡ଼ିଶାକୁ ହରାଇ ନପାରିଲେ ଏହି ଦଳ ଗ୍ରୁପ୍-ଏ’ର କ୍ବାର୍ଟର ଫାଇନାଲ୍ ଦୌଡ଼ରୁ ଏକପ୍ରକାର ବାଦ୍ ପଡ଼ିବ। ପଞ୍ଚମ ଦିନ ପିଚ୍ରେ ୨୦୦ରୁ ଅଧିକ ରନ୍ର ପଶ୍ଚାତଧାବନ କରିବା ମଧ୍ୟ ଏହି ଦଳ ପାଇଁ ବେଶ୍ ଆହ୍ବାନପୂର୍ଣ୍ଣ ରହିବ ବୋଲି ଆକଳନ କରାଯାଉଛି। ପୂର୍ବଦିନ ସ୍କୋର୍ ୨୪୪/୬ରୁ ଝାଡ଼ଖଣ୍ଡ ତା’ର ଖେଳ ଆରମ୍ଭ କରିଥିଲା। ସକାଳର ପ୍ରଥମ ୱିକେଟ୍ ଭାବେ ୬ ରନ୍ରେ ଅପରାଜିତ ଥିବା ଆଦିତ୍ୟ ସିଂହଙ୍କୁ ଶିକାର କରି ଓଡ଼ିଶାକୁ ପ୍ରଥମ ସଫଳତା ଉପହାର ଦେଇଥିଲେ ଗୋବିନ୍ଦ ପୋଦ୍ଦାର। ଆଦିତ୍ୟ ତାଙ୍କ ବ୍ୟକ୍ତିଗତ ସ୍କୋର୍ରେ ମାତ୍ର ଗୋଟିଏ ରନ୍ ଯୋଡ଼ି ପାରିଥିଲେ। ଅମିତ କୁମାରଙ୍କୁ ଖାତା ଖୋଲିବା ପୂର୍ବରୁ କ୍ଲିନ୍ ବୋଲ୍ଡ କରି ତୁଫୈଲ ମଧ୍ୟ ପଦାର୍ପଣରେ ୪ ୱିକେଟ୍ ସଫଳତା ଲାଭ କରିଥିଲେ। ହେଲେ ଚାପହୀନ ବ୍ୟାଟିଂ କରି ଅର୍ଦ୍ଧଶତକ ପୂରଣ କରିଥିବା ବିପଜ୍ଜନକ ରବିନ ସିଂହଙ୍କୁ ପୋଦ୍ଦାର ଏକ ସିଧା ଥ୍ରୋ’ରେ ରନ୍ଆଉଟ୍ କରିବା ନିର୍ଣ୍ଣାୟକ ରହିଥିଲା। ସେଥିପାଇଁ ଆଉ ମାତ୍ର ୧୨ ଓଭର ଭିତରେ ହିଁ ଝାଡ଼ଖଣ୍ଡ ପାଳି ଶେଷ ହୋଇଯାଇଥିଲା।
ଆହୁରି ପଢ଼ନ୍ତୁ: Australian Open: ରିବାକିନାଙ୍କୁ ପ୍ରଥମ ଅଷ୍ଟ୍ରେଲିଆନ୍ ଓପନ୍ ଟ୍ରଫି
ଓଡ଼ିଶାର ଦ୍ବିତୀୟ ପାଳି ଆରମ୍ଭ ବି ସେତେଟା ଭଲ ହୋଇ ନଥିଲା। ସ୍ବସ୍ତିକ ସାମଲ ଓ ସନ୍ଦୀପ ପଟ୍ଟନାୟକ ଯୋଡ଼ି ପ୍ରଥମ ୱିକେଟ୍ ଭାଗୀଦାରରେ କେବଳ ୪୫ ରନ୍ ଯୋଡ଼ି ପାରିଥିଲେ। ଉଭୟ ଯଥାକ୍ରମେ ୧୮ ଓ ୨୦ ରନ୍ କରି ଆଉଟ୍ ହୋଇଯାଇଥିଲେ। ତେବେ ଅଧିନାୟକ ଶୁଭ୍ରାଂଶୁ ସେନାପତି ଲଢ଼ୁଆ ଅର୍ଦ୍ଧଶତକ ଅର୍ଜନ କରି ଦଳୀୟ ସ୍କୋର୍କୁ ଆଗକୁ ବଢ଼ାଇଥିଲେ। ଅନିଲ ପରିଡ଼ାଙ୍କ ସହ ମିଶି ସେ ସଂଗ୍ରହ କରିଥିବା ୮୭ ରନ୍ ଥିଲା ଓଡ଼ିଶା ପଳିର ସର୍ବବୃହତ୍ ଭାଗୀଦାର। ୧୬୧ ରନ୍ରେ ୩ ୱିକେଟ୍ ହରାଇ ଓଡ଼ିଶା ଏକପ୍ରକାର ଭଲ ସ୍ଥିତିରେ ଥିଲା ବେଳେ ୪୦ ରନ୍ ଭିତରେ ୫ ୱିକେଟ୍ ନେଇ ଝାଡ଼ଖଣ୍ଡ ସଫଳ ପ୍ରତ୍ୟାବର୍ତ୍ତନ କରିଥିଲା। ଅନକୁଲ ରାୟ ଓ ଆଦିତ୍ୟ ସିଂହ ୭ ୱିକେଟ୍ ବାଣ୍ଟି ନେଇ ଓଡ଼ିଶା ପାଳିରେ ଆବଶ୍ୟକ ବ୍ରେକ୍ ଲଗାଇଥିଲେ। ନିୟମିତ ବ୍ୟବଧାନରେ ୱିକେଟ୍ ପତନ ପାଇଁ ଓଡ଼ିଶାର ରନ୍ ସଂଗ୍ରହ ହାର ମଧ୍ୟ ୩ ରନ୍ ତଳେ ରହିଥିଲା।
ସଂକ୍ଷିପ୍ତ ସ୍କୋର୍: ଓଡ଼ିଶା ପ୍ରଥମ ପାଳି ୧୦୪.୫ ଓଭରରେ-୨୮୨ (ସ୍ବସ୍ତିକ ସାମଲ ୭୯, ଗୋବିନ୍ଦ ପୋଦ୍ଦାର ୬୪, ବିପ୍ଳବ ସାମନ୍ତରାୟ ୩୮, ରାଜେଶ ମହାନ୍ତି-୨୫, ସୌରଭ ଶେଖର ୩/୪୩, ଆଦିତ୍ୟ ସିଂହ ୩/୩୫)। ଝାଡ଼ଖଣ୍ଡ ପ୍ରଥମ ପାଳି ୭୯.୧ ଓଭରରେ-୨୬୩ (ଶିଖର ମୋହନ ୮୦, ରବିନ ମିଞ୍ଜ ୫୨, କୁମାର କୁଶାଗ୍ର ୪୭, ବିରାଟ ସିଂହ ୩୨, ସୟଦ ତୁଫୈଲ ଅହମଦ ୪/୭୮, ଗୋବିନ୍ଦ ପୋଦ୍ଦାର ୩/୭୧, ରାଜେଶ ମହାନ୍ତି ୨/୩୭)। ଓଡ଼ିଶା ଦ୍ବିତୀୟ ପାଳି ୭୬.୫ ଓଭରରେ-୨୦୨/୮ ( ଶୁଭ୍ରାଂଶୁ ସେନାପତି ୭୩, ଅନିଲ ପରିଡ଼ା ୨୮, ଗୋବିନ୍ଦ ପୋଦ୍ଦାର ୨୨*, ସନ୍ଦୀପ ପଟ୍ଟନାୟକ ୨୦, ଅନକୁଲ ରାୟ ୪/୫୬, ଆଦିତ୍ୟ ସିଂହ ୩/୬୯)।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2026/01/01/2026-01-01t113431602z-img_20251207_112601-2026-01-01-17-04-31.jpg)
/sambad/media/media_files/2026/01/31/untitled-23jpg-2026-01-31-19-32-52.jpeg)