ନୂଆଦିଲ୍ଲୀ: ଗତକାଲି ରାତିରେ, ଭାରତର ମହିଳା କ୍ରିକେଟ୍ ଦଳ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ୫୨ ବର୍ଷର ମହିଳା କ୍ରିକେଟ୍ ବିଶ୍ବକପ୍ ଇତିହାସରେ ଯାହା ହୋଇ ନଥିଲା ତାହା କରି ଦେଖାଇଥିଲା। ବ୍ୟାଟିଂ ପରେ ଦକ୍ଷିଣ ଆଫ୍ରିକାକୁ ୨୯୯ରନର ଲକ୍ଷ୍ୟ ଦେଇଥିଲା ଭାରତ। ହେଲେ ୪୫.୩ ଓଭରରେ ୨୪୬ ରନ କରି ଦକ୍ଷିଣ ଆଫ୍ରିକା ଅଲଆଉଟ୍ ହୋଇଯାଇଥିଲା। ଭାରତୀୟ ମହିଳା ଦଳ ରୋମାଞ୍ଚକ ଭାବେ ପ୍ରଥମ ଥର ଫାଇନାଲିଷ୍ଟ୍ ଦକ୍ଷିଣ ଆଫ୍ରିକାକୁ ୫୨ ରନ୍ରେ ହରାଇ ବିଶ୍ବକପ୍ ହାତେଇ ନେଇଥିଲା। ଏହି ଐତିହାସିକ ସଫଳତା ପରେ ଏବେ ଭାରତୀୟ ଟିମ୍ ପାଖକୁ ଅଭିନନ୍ଦନର ସୁଅ ଛୁଟୁଛି। ଦେଶର ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି କ୍ରୀଡ଼ା ଜଗତର ପ୍ରସିଦ୍ଧ ବ୍ୟକ୍ତିମାନଙ୍କ ପର୍ଯ୍ୟନ୍ତ, ସମସ୍ତେ ମହିଳା ଦଳକୁ ପ୍ରଶଂସା କରିବାରେ ଲାଗିପଡ଼ିଛନ୍ତି। ଏହି ଧାରାରେ ଏବେ ସାମିଲ ହୋଇଛି ଶତ୍ରୁ ଦେଶ ପାକିସ୍ତାନ। ସେଠାକାର କିମ୍ବଦନ୍ତୀ ପୂର୍ବତନ କ୍ରିକେଟରମାନେ ଟିମ୍ ଇଣ୍ଡିଆକୁ ପ୍ରଶଂସା କରିବା ସହ ନିଜ ଦେଶର ଦଳକୁ ଶିଖିବାକୁ ପରାମର୍ଶ ଦେଇଛନ୍ତି।
ବ୍ୟାଟିଂ, ବୋଲିଂ, ଫିଲ୍ଡିଂରେ କମାଲ କରିଛି ଭାରତ: ୱସିମ ଅକ୍ରମ
ପୂର୍ବତନ ପାକିସ୍ତାନ ଅଧିନାୟକ ୱସିମ ଅକ୍ରମ ଭାରତୀୟ ମହିଳା ଦଳକୁ ଅଭିନନ୍ଦନ ଜଣାଇ କହିଛନ୍ତି, "ସେମାନେ ଖେଳରେ ସମ୍ପୂର୍ଣ୍ଣ ଭାବରେ ପ୍ରାଧାନ୍ୟ ବିସ୍ତାର କରିଥିଲେ। ବ୍ୟାଟିଂ ହେଉ, ବୋଲିଂ ହେଉ, କିମ୍ବା ଫିଲ୍ଡିଂ ହେଉ, ସେମାନେ ତିନୋଟି କ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିଥିଲେ। ଏହି ଟୁର୍ଣ୍ଣାମେଣ୍ଟଟି ଟିମ୍ ଇଣ୍ଡିଆ ବନାମ ବିଶ୍ୱର ଅନ୍ୟ ଦଳ ଥିଲା।"
ଭାରତକୁ ଅଭିନନ୍ଦନ: ଶୋଏବ ଅଖତର
ବିଶ୍ୱର ଦ୍ରୁତତମ ବୋଲର ଶୋଏବ ଅଖତର କହିଛନ୍ତି ଯେ, "ମୁଁ ଭାବୁଛି ଭାରତର ବିଜୟ କୌଣସି ସଂଯୋଗ ନୁହେଁ। ସେମାନଙ୍କର କ୍ରିକେଟ୍ ବ୍ୟବସ୍ଥା ଦେଖନ୍ତୁ। ସେମାନେ ଏମିତି ସହଜରେ ସଫଳ ହୋଇନାହାନ୍ତି। ଏହା ସେମାନଙ୍କର ବର୍ତ୍ତମାନର ପରିସ୍ଥିତିକୁ ପ୍ରତିଫଳିତ କରୁଛି। ଭାରତକୁ ଅଭିନନ୍ଦନ। ତୁମେ ବହୁତ ଭଲ ଖେଳିଲ। ସେମାନଙ୍କର ପରିବର୍ତ୍ତନ ଦେଖନ୍ତୁ, ସେମାନଙ୍କର ଅଧିନାୟକଙ୍କ ଉଦ୍ଦେଶ୍ୟ ଦେଖନ୍ତୁ, ସେମାନଙ୍କର ଖେଳ ଶୈଳୀ ଦେଖନ୍ତୁ।"
ପାକିସ୍ତାନକୁ ଶିଖିବାକୁ ପରାମର୍ଶ ଦେଲେ ଶୋଏବ୍
ସେ ଆହୁରି କହିଛନ୍ତି ଯେ, "ଏକ ସମୟ ଥିଲା ଯେତେବେଳେ ପାକିସ୍ତାନ ଏପରି ଖେଳୁଥିଲା, କିନ୍ତୁ ଏବେ ଭାରତ ଖେଳୁଛି। ବେଳେ ବେଳେ ଏଭଳି ଏକ ସମୟ ଆସେ... ଯେଉଁ ଦେଶଗୁଡ଼ିକ ତଳକୁ ଖସନ୍ତି, ସେମାନେ ହିଁ ଉପରକୁ ଉଠନ୍ତି। କିନ୍ତୁ ଏପରି ନହେଉ; ଯେମିତି ୱେଷ୍ଟଇଣ୍ଡିଜ୍ ଶେଷ ହୋଇଗଲା ସେମିତି ପାକିସ୍ତାନ କ୍ରିକେଟ ମଧ୍ୟ ଶେଷ ହୋଇଯାଉ। ଆମ ସହିତ ହକି ଏବଂ ସ୍କ୍ୱାସ୍ରେ ଏଭଳି ଘଟିସାରିଛି। କ୍ରିକେଟରେ ମଧ୍ୟ ଆମ ସହ ଏଭଳି ନହେଉ। ଆମକୁ ଏହା ବିଷୟରେ ଚିନ୍ତା କରିବା ଏବଂ ଭାରତଠାରୁ ଶିଖିବା ଆବଶ୍ୟକ। ମୁଁ ସେମାନଙ୍କୁ ଅଭିନନ୍ଦନ ଜଣାଉଛି; ସେମାନେ ବହୁତ ଭଲ ଖେଳିଛନ୍ତି।"
ରମିଜ ରାଜାଙ୍କ ପ୍ରତିକ୍ରିୟା
ପାକିସ୍ତାନର ପୂର୍ବତନ କ୍ରିକେଟର ରମିଜ୍ ରାଜା କହିଛନ୍ତି ଯେ, "ଏହି ଦିନଟି ଭାରତର, ଏବଂ ଏହି ଟୁର୍ଣ୍ଣାମେଣ୍ଟ ମଧ୍ୟ ଭାରତର। ଆମକୁ ସେମାନଙ୍କଠାରୁ ଶିଖିବାକୁ ପଡିବ। ଏହା ଏକ ଲମ୍ବା ପ୍ରକ୍ରିୟା। କିନ୍ତୁ ଏହା କରାଯାଇପାରିବ। କାରଣ ପାକିସ୍ତାନ ଦକ୍ଷତା ଦୃଷ୍ଟିରୁ ବହୁତ ପଛରେ ନାହିଁ, କିନ୍ତୁ ଖେଳର କାର୍ଯ୍ୟାନ୍ୱୟନ ଏବଂ ବୁଝାମଣା ଭାରତଠାରୁ ଶିଖିବାକୁ ପଡିବ।"
ଆହୁରି ପଢ଼ନ୍ତୁ: Child Crying Inside Bloodied: ଭଲପାଇ ବାହା ହୋଇଥିବା ସ୍ତ୍ରୀଙ୍କୁ ଲୁହାରଡ଼ରେ ପିଟିପିଟି ହତ୍ୟା କଲେ ସ୍ବାମୀ
ଆହୁରି ପଢ଼ନ୍ତୁ: Shafali Verma's Journey: ଭଲ ବ୍ୟାଟିଂ କରୁନଥିବାରୁ ଦଳରୁ ବାହାର ହୋଇଥିଲେ, ଏବେ ଦେଶକୁ ବିଶ୍ବକପ ଦେଲେ ଶେଫାଳି
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2025/11/03/pakistan-2025-11-03-16-15-18.jpg)