ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାଠାରୁ ଲଜ୍ଜାଜନକ ଭାବେ ୦-୨ରେ ଘରୋଇ ଶୃଙ୍ଖଳା ହାରିବା ପରେ ଭାରତୀୟ କ୍ରିକେଟ୍ଦଳର ଉପଅଧିନାୟକ ଋଷଭ ପନ୍ତ ଏକ ଇନ୍ଷ୍ଟାଗ୍ରାମ୍ ପୋଷ୍ଟରେ ପ୍ରଶଂସକଙ୍କୁ କ୍ଷମା ମାଗିଛନ୍ତି। ପନ୍ତ ବ୍ୟକ୍ତିଗତ ଭାବେ ଏହି ଶୃଙ୍ଖଳାରେ ପୂରା ବିଫଳ ହୋଇଥିଲା ବେଳେ ୪ଟି ପାଳିରୁ ଅତ୍ୟନ୍ତ ନୈରାଶ୍ୟଜନକ ଭାବେ ୧୨.୨୫ ହାରରେ ୪୯ ରନ୍ କରିଛନ୍ତି। ଶୁବମନ୍ ଗିଲ୍ଙ୍କ ଅନୁପସ୍ଥିତିରେ ତାଙ୍କ ନେତୃତ୍ବରେ ଭାରତୀୟ ଦଳ ଗୁଆହାଟୀ ଟେଷ୍ଟ୍କୁ ୪୦୮ ରନ୍ରେ ହାରିଥିଲା। ଯାହା ଘରୋଇ ପରିବେଶରେ ଭାରତର ସର୍ବବୃହତ୍ (ରନ୍ ବ୍ୟବଧାନରେ) ପରାଜୟ ଥିଲା। ଏଭଳି ଶୋଚନୀୟ ପ୍ରଦର୍ଶନ ପରେ ପ୍ରଶଂସକ ଭାରତୀୟ ଦଳକୁ ସାମାଜିକ ଗଣମାଧ୍ୟମରେ ଭୀଷଣ ଟ୍ରୋଲ୍ କରୁଛନ୍ତି। ପ୍ରଶିକ୍ଷକ ଗୌତମ ଗମ୍ଭୀର ସର୍ବାଧିକ ସମାଲୋଚନାର ଶିକାର ହେଉଥିଲା ବେଳେ ଖେଳାଳିମାନେ ମଧ୍ୟ ଏଥିରୁ ବର୍ତ୍ତି ନାହାନ୍ତି। ପ୍ରଶଂସକଙ୍କ ମନର ଭାବନା ଓ ଦୁଃଖକୁ ବୁଝି ପାରି ପନ୍ତ ଗୁରୁବାର ପ୍ରକାଶ କରିଥିବା ଲମ୍ବା ଲେଖାରେ ଭାରତୀୟ ଦଳର ଏଭଳି ଅପ୍ରତ୍ୟାଶିତ ବିପର୍ଯ୍ୟୟ ଲାଗି ପଶ୍ଚାତାପ କରିଛନ୍ତି। ଗତ ଦୁଇ ସପ୍ତାହ ଭିତରେ ଭାରତୀୟ ଦଳ ଅତ୍ୟନ୍ତ ନିମ୍ନ ମାନର କ୍ରିକେଟ୍ ଖେଳିଥିବା କଥା ମଧ୍ୟ ସେ ଏଥିରେ ଖୋଲାଖୋଲି ଭାବେ ସ୍ବୀକାର କରିଛନ୍ତି। ଭାରତୀୟ ଦଳର ପ୍ରତିନିଧିତ୍ବ କରିବାକୁ ଜୀବନର ସବୁଠୁ ବଡ଼ ସମ୍ମାନ ଭାବେ ବର୍ଣ୍ଣନା କରିଥିବା ପନ୍ତ ଆଗାମୀ ସମୟରେ ଟିମ୍ ଇଣ୍ଡିଆ ଆହୁରି ଶକ୍ତିଶାଳୀ ହୋଇ ଫେରିବ ବୋଲି ଦୃଢ଼ ଆଶା ପୋଷଣ କରିଛନ୍ତି।
Sports: ହରିୟାଣା ଗଲା ଓଡ଼ିଶା ଆଥଲେଟିକ୍ସ ଦଳ: ୧୯ ବର୍ଷରୁ କମ୍ ବାଳକରେ ୨୦ ଓ ବାଳିକାରେ ୧୨ ଖେଳାଳି
ନିଜ ଲମ୍ବା ପୋଷ୍ଟ୍ରେ ପନ୍ତ ଲେଖିଛନ୍ତି, ଗତ ଦୁଇ ସପ୍ତାହ ହେବ ଆମେ ଅତ୍ୟନ୍ତ ନିମ୍ନମାନର କ୍ରିକେଟ୍ ଖେଳିବା କଥାକୁ ମୁଁ ଆଦୌ ଅସ୍ବୀକାର କରିବିନି। ଏକ ଦଳ ଏବଂ ଜଣେ ଖେଳାଳିଭାବେ ଆମେ ସବୁବେଳେ ସର୍ବୋଚ୍ଚ ସ୍ତରରେ ଶ୍ରେଷ୍ଠ ପ୍ରଦର୍ଶନ କରି କୋଟି କୋଟି ଭାରତୀୟଙ୍କ ମୁହଁରେ ହସ ଫୁଟାଇବାକୁ ଚେଷ୍ଟା କରିଥାଉ। ଏଥର ଆମେ ପ୍ରଶଂସକଙ୍କ ଆଶା ପୂରଣ କରିପାରି ନଥିବାରୁ କ୍ଷମା ମାଗୁଛି। ହେଲେ କ୍ରୀଡ଼ା ଆପଣଙ୍କୁ ସବୁବେଳେ ନୂଆନୂଆ କଥା ଜାଣିବା ଓ ଏହାର ଗ୍ରହଣୀୟତା ଜରିଆରେ ଆଗକୁ ବଢ଼ିବାକୁ ଶିକ୍ଷା ଦେଇଥାଏ। ମୁଁ ଜାଣିଛି ଆମ ଦଳର ପୂରା ଦକ୍ଷତା ଅଛି। ଆମେ କଠିନ ପରିଶ୍ରମ କରିବାକୁ, ପୁଣି ଥରେ ଏକାଠି ହୋଇ ଦେଶ ପାଇଁ ଗର୍ବ ଓ ଗୌରବ ଆଣିବାକୁ ଚେଷ୍ଟା କରିବୁ। ନିସ୍ବାର୍ଥପର ଭଲପାଇବା ଲାଗି ଆପଣମାନଙ୍କୁ ଅଶେଷ କୃତଜ୍ଞତା। ଜୟ ହିନ୍ଦ। ଟେଷ୍ଟ୍ ଶୃଙ୍ଖଳାକୁ ଅପ୍ରତ୍ୟାଶିତ ଭାବେ ହାରିବା ପରେ ଭାରତୀୟ ଦଳ ୩୦ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ଦିନିକିଆ ଶୃଙ୍ଖଳାରେ ଏହାର ପ୍ରତିଶୋଧ ନେବାକୁ ଚେଷ୍ଟା କରିବ। ଏହା ପୂର୍ବରୁ ପନ୍ତଙ୍କ ଏହି ଲେଖା ପ୍ରଶଂସକଙ୍କ ରାଗ, କ୍ଷୋଭ ଓ ଅଭିମାନକୁ କିଛିଟା ଲାଘବ କରିବ ବୋଲି ଭାରତୀୟ ଦଳ ଆଶା ରଖିଛି।
ଗାଏକ୍ବାଡ୍, ରିଙ୍କୁ ଓ ପଟିଦାରଙ୍କୁ ଟେଷ୍ଟ୍ ସୁଯୋଗ ମିଳିବା ସମ୍ଭାବନା
ଦକ୍ଷିଣ ଆଫ୍ରିକା ଶୃଙ୍ଖଳାରେ ନୀତୀଶ କୁମାର ରେଡ୍ଡୀ, ଧ୍ରୁବ ଜୁରେଲ ଓ ସାଇ ସୁଦର୍ଶନ ପ୍ରଭାବହୀନ କ୍ରିକେଟ୍ ଖେଳିବା ପରେ ତିନି ଯୁବ ତାରକା ଋତୁରାଜ ଗାଏକ୍ବାଡ୍, ରଜତ ପଟିଦାର ଓ ରିଙ୍କୁ ସିଂହଙ୍କୁ ସେମାନଙ୍କ ସ୍ଥାନରେ ଭାରତୀୟ ଟେଷ୍ଟ୍ ଦଳରେ ସୁଯୋଗ ଦେବାକୁ ଦାବି ଉଠିଛି। ସେହିଭଳି ଘରୋଇ କ୍ରିକେଟ୍ରେ ୭୮ ହାରରେ ରନ୍ କରିଥିବା ସ୍ମରଣ ରବିଚନ୍ଦ୍ରନ୍ ଓ ୟଶ୍ ରାଠୋଡ୍ (ଗତ ଋତୁରେ ୯୬୦ ରନ୍)ଙ୍କୁ ବି ମଧ୍ୟକ୍ରମରେ ସୁଯୋଗ ଦେବାର ସାହସ ଦେଖାଇବାକୁ ବିଶେଷଜ୍ଞମାନେ ଭାରତୀୟ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କ ନିକଟରେ ଦାବି ଉପସ୍ଥାପନ କରିଛନ୍ତି। ସର୍ଫରାଜ ଖାନ୍ ଓ ଅଭିମନ୍ୟୁ ଈଶ୍ବରନ୍ଙ୍କୁ ଚୟନ କରି ନଥିବାରୁ ସେମାନେ ମଧ୍ୟ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ବିଶେଷ କରି ନୀତୀଶ କୁମାର ରେଡ୍ଡୀଙ୍କୁ ଦଳରେ ଅଲ୍ରାଉଣ୍ଡର୍ ଭାବେ ଖେଳାଇବାର ନିଷ୍ପତ୍ତି ନେଇ ଅନେକ ପୂର୍ବତନ କ୍ରିକେଟର୍ ପ୍ରଶ୍ନ ଉଠାଇଛନ୍ତି। ରେଡ୍ଡୀ କେବଳ ଟ୍ବେଣ୍ଟି-୨୦ ଖେଳି ପାରିବେ। ତାଙ୍କୁ ଟେଷ୍ଟ୍ ଛାଡ଼ନ୍ତୁ ଦିନିକିଆରେ ମଧ୍ୟ ସୁଯୋଗ ମିଳିବା ଉଚିତ ନୁହେଁ ବୋଲି ଜଣେ ପୂର୍ବତନ କ୍ରିକେଟର୍ ନିଜ ନାମ ଗୋପନ ରଖି ମତ ରଖିଛନ୍ତି। ରେଡ୍ଡୀଙ୍କ ପରିସଂଖ୍ୟାନ ମଧ୍ୟ ତାଙ୍କ ଯୁକ୍ତି ଯଥାର୍ଥ ବୋଲି କହୁଛି। ଗତ ୧୦ ଟେଷ୍ଟ୍ରୁ ରେଡ୍ଡୀ ୨୬ ହାରରେ ରନ୍ କରିଥିଲା ବେଳେ ୧୫ ପାଳିରେ ମାତ୍ର ୮୬ ଓଭର ବୋଲିଂ କରିଛନ୍ତି। ଅଲ୍ରାଉଣ୍ଡର୍ଙ୍କୁ ଗମ୍ଭୀର ଦେଉଥିବା ମାତ୍ରାଧିକ ଗୁରୁତ୍ବକୁ ମଧ୍ୟ ବହୁ ପୂର୍ବତନ କ୍ରିକେଟର୍ ପସନ୍ଦ କରିନାହାନ୍ତି। ବିରାଟ କୋହଲିଙ୍କ ଅବସର ପରେ ତିନି ନମ୍ବର ସ୍ଥାନରେ ଖେଳିବା ଲାଗି ଋତୁରାଜ ଗାଏକ୍ବାଡ୍ ଜଣେ ଭଲ ବିକଳ୍ପ ହୋଇପାରନ୍ତି। ୪୩ ପ୍ରଥମ ଶ୍ରେଣୀ ମ୍ୟାଚ୍ରୁ ୪୫ରୁ ଅଧିକ ହାରରେ ରନ୍ କରିଛନ୍ତି। ଚଳିତ ଋତୁରେ ଦୁଇ ଥର ୯୦ରୁ ଅଧିକ ରନ୍ ବି କରିସାରିଛନ୍ତି। ରଜତ ପଟିଦାର ମଧ୍ୟ ୭୪ ପ୍ରଥମ ଶ୍ରେଣୀ ମ୍ୟାଚ୍ରୁ ୪୫ରୁ ଅଧିକ ହାରରେ ରନ୍ କରିଛନ୍ତି। ରିଙ୍କୁ ଜଣେ ଟ୍ବେଣ୍ଟି-୨୦ ଖେଳାଳିର ମାନ୍ୟତା ଲାଭ କରିଥିଲେ ମଧ୍ୟ ଟେଷ୍ଟ୍ରେ ସେ ଭଲ କରିବାର ଦକ୍ଷତା ରଖନ୍ତି ବୋଲି ଆଉ ଜଣେ ପୂର୍ବତନ କ୍ରିକେଟର୍ ମତ ପୋଷଣ କରିଛନ୍ତି।
ଛୋଟ ଆଇପିଏଲ୍, ଅଧିକ ଟେଷ୍ଟ୍ ଖେଳିବାକୁ ଗିବ୍ସଙ୍କ ପରାମର୍ଶ
ଭାରତୀୟ ଦଳର ଦୁର୍ବଳ ପ୍ରଦର୍ଶନ ନେଇ ପୂର୍ବତନ ଦକ୍ଷିଣ ଆଫ୍ରିକୀୟ କ୍ରିକେଟର୍ ମଧ୍ୟ ଚିନ୍ତା ପ୍ରକଟ କରିଛନ୍ତି। ଲାଲ୍ ବଲ୍ କ୍ରିକେଟ୍କୁ ବଞ୍ଚାଇ ରଖିବା ଲାଗି ଆଇପିଏଲ୍ର ଅବଧିକୁ କମାଇ, ଅଧିକରୁ ଅଧିକ ଟେଷ୍ଟ୍ ଖେଳିବାକୁ ପରାମର୍ଶ ଦେଇଛନ୍ତି ସେ। ଗତ ୧୨ ମାସ ଭିତରେ ଘରୋଇ ପରିବେଶରେ ଭାରତର ଟେଷ୍ଟ୍ ଦୂର୍ଗ ଭୁଶୁଡ଼ି ପଡ଼ିଥିଲା ବେଳେ ଦଳ ପ୍ରଥମେ ନ୍ୟୁଜିଲାଣ୍ଡଠାରୁ ୦-୩ ଏବଂ ଏବେ ଦକ୍ଷିଣ ଆଫ୍ରିକାଠାରୁ ୦-୨ରେ ହାରିଛି। ଦକ୍ଷିଣ ଆଫ୍ରିକା ଶୃଙ୍ଖଳାରେ ଭାରତୀୟ ବ୍ୟାଟର୍ ମାତ୍ର ୧୫.୨୩ ହାରରେ ରନ୍ କରିବା ନେଇ ବିସ୍ମୟ ପ୍ରକଟ କରିଛନ୍ତି ସେ। ଏଣୁ ନିଜ ପରାମର୍ଶକୁ ଏକ୍ସ ପୃଷ୍ଠାରେ ପ୍ରକାଶ କରି ବିସିସିଆଇର ଧ୍ୟାନ ଆକର୍ଷଣ କରିବାକୁ ଚେଷ୍ଟା କରିଛନ୍ତି ଗିବ୍ସ। ସୂଚନାଯୋଗ୍ୟ ଯେ ଦକ୍ଷିଣ ଆଫ୍ରିକା ଶୃଙ୍ଖଳାରେ ଭାରତୀୟ ବ୍ୟାଟର୍ଙ୍କ ଦାୟିତ୍ବହୀନତା ଏବଂ ବେପରୁଆ ବ୍ୟାଟିଂ ଚରମସୀମାରେ ପହଞ୍ଚିଥିଲା। ସେମାନେ ଯେମତି କ୍ରିଜ୍ରେ ସମୟ ବିତାଇବାର କଳା ଭୁଲି ଯାଇଥିଲେ। ଅଲ୍ରାଉଣ୍ଡର୍ ୱାସିଂଟନ୍ ସୁନ୍ଦର ସର୍ବାଧିକ ୩୧୦ ବଲ୍ର ସମ୍ମୁଖୀନ ହୋଇଥିଲା ବେଳେ କେଏଲ୍ ରାହୁଲ ୨୧୭, କୁଲଦୀପ ଯାଦବ ୧୯୩, ସାଇ ସୁଦର୍ଶନ ୧୭୯ ଓ ରବୀନ୍ଦ୍ର ଜାଡ଼େଜା ମାତ୍ର ୧୭୬ ବଲ୍ର ସମ୍ମୁଖୀନ ହୋଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/11/25/pant-2025-11-25-01-08-08.jpg)