ଗୁଆହାଟୀ: ଗତବର୍ଷ ଏହି ସମୟରେ ନ୍ୟୁଜିଲାଣ୍ଡ୍‌ ନିକଟରୁ ୦-୩ରେ ଘରୋଇ ଶୃଙ୍ଖଳା ହାରିଥିବା ଭାରତୀୟ ଦଳ ଏବେ ଆଉ ଏକ ସମାନ ଲଜ୍ଜାର ଦ୍ବାରଦେଶରେ ଛିଡ଼ା ହୋଇଛି। ଏଥିସହିତ ୧୨ ବର୍ଷ ଧରି ଘରୋଇ ମାଟିରେ ଅପ୍ରତିଦ୍ବନ୍ଦ୍ବୀ ରହିବା ପରେ କ୍ରମାଗତ ଦ୍ବିତୀୟ ବର୍ଷ ପାଇଁ ଭାରତ ଶୃଙ୍ଖଳା ପରାଜୟ ବରଣ କରିବାକୁ ଯାଉଛି। ଦକ୍ଷିଣ ଆଫ୍ରିକା ବିପକ୍ଷ କୋଲକାତା ଟେଷ୍ଟ୍‌କୁ ଅଢ଼େଇ ଦିନରେ ହାରିଥିବା ଭାରତ ଏବେ ଗୁଆହାଟୀ ଟେଷ୍ଟ୍‌କୁ ପଞ୍ଚମ ଦିନରେ ହାରିବାକୁ ଯାଉଛି। ୧-୦ରେ ଆଗୁଆ ଥିବା ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ଦଳ ଭାରତ ସମ୍ମୁଖରେ ୫୪୯ ରନ୍‌ର ବିଶାଳ ବିଜୟ ଲକ୍ଷ୍ୟ ଦେଇଛି। ଏହାକୁ ପିଛା କରିବାର ଜୁ ରଖୁନଥିବା ଭାରତ କେବଳ ଡ୍ର’ ରଖିବାର ଆଶାରେ ଥିଲେ ମଧ୍ୟ ଚତୁର୍ଥ ଦିନ ଖେଳ ଶେଷ ସୁଦ୍ଧା ୨୭ ରନ୍‌ରେ ୨ ୱିକେଟ୍ ହରାଇଦେଇଛି। ପ୍ରାରମ୍ଭିକ‌ ଯୋଡ଼ି ଯଶସ୍ବୀ ଜୟସ୍ବାଲ ଓ କେଏଲ୍ ରାହୁଲ୍‌ ପ୍ୟାଭିଲିଅନ୍ ଫେରିଯାଇଛନ୍ତି। ଭାରତକୁ ପଞ୍ଚମ ଦିନତମାମ ବ୍ୟାଟିଂ ହିଁ କେବଳ ଡ୍ର’ ଦେଇପାରିବ। ଦକ୍ଷିଣ ଆଫ୍ରିକା କିନ୍ତୁ ସମ୍ଭାବ୍ୟ ୯୦ ଓଭର କିମ୍ବା ଅବଶିଷ୍ଟ ୫୨୨ ରନ୍ ଭିତରେ ଟିମ୍ ଇଣ୍ଡିଆର ବଳକା ୮ ୱିକେଟ୍‌ ଦଖଲ କରି ଭାରତ ମାଟିରେ ଐତିହାସିକ ଶୃଙ୍ଖଳା ବିଜୟ ଲକ୍ଷ୍ୟରେ ରହିଛି। ୨୫ ବର୍ଷ ପରେ ଭାରତରେ ଶୃଙ୍ଖଳା ବିଜୟ ପଥ କିନ୍ତୁ ପରିସ୍କାର କରି ଦେଇଛି‌ ତେମ୍ବା ବଭୂମାଙ୍କ ବିଶ୍ବ ବିଜେତା ଦଳ।

Advertisment

ଲକ୍ଷ୍ୟ ୫୪୯, ଭାରତ ୨୭/୨
ଦକ୍ଷିଣ ଆଫ୍ରିକାର ଐତିହାସିକ ୨-୦ ବିଜୟ କ୍ଷେତ୍ର ପ୍ରସ୍ତୁତ

Ind Vs SA: ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ଶୃଙ୍ଖଳା ପାଇଁ ଭାରତୀୟ ଟିମ୍‌, କେଏଲ୍‌ ରାହୁଲ ଅଧିନାୟକ, ଫେରିଲେ ଜାଡ଼େଜା

World Ability Sports: ବିଶ୍ବ ଆବିଲିଟି ସ୍ପୋର୍ଟସ୍‌: ଓଡ଼ିଆଙ୍କୁ ଆଉ ୩ ପଦକ

ମଙ୍ଗଳବାର ଦକ୍ଷିଣ ଆଫ୍ରିକା ଏହାର ପୂର୍ବଦିନର ଦ୍ବିତୀୟ ପାଳି ୨୬/୦ରୁ ଖେଳିବା ପରେ ୨୬୦/୫ରେ ପାଳି ଘୋଷଣା କରିଦେଇଥିଲା। ଏପରିକି ଚା’ପାନ ବିରତି ପରେ ଦକ୍ଷିଣ ଆଫ୍ରିକା ୯ ଓଭର ପର୍ଯ୍ୟନ୍ତ ଖେଳିଥିଲା। ବିଶାଳ ଅଗ୍ରଣୀ ମିଳିସାରିଥିଲେ ମଧ୍ୟ ତ୍ରିଷ୍ଟନ୍ ଷ୍ଟବ୍ସଙ୍କୁ ଶତକ ସୁଯୋଗ ଦେବାକୁ ଦକ୍ଷିଣ ଆଫ୍ରିକା ପାଳି ଘୋଷଣାକୁ ସାମାନ୍ୟ ବିଳମ୍ବିତ କରିଥିଲା। ଷ୍ଟବ୍ସ (୧୮୦ ବଲ୍‌ରୁ ୯୪ ରନ୍)ଙ୍କୁ କିନ୍ତୁ ରବୀନ୍ଦ୍ର ଜାଡ଼େଜା ବୋଲ୍ଡ କରିଦେଇ ତାଙ୍କୁ ତୃତୀୟ ଟେଷ୍ଟ୍ ଶତକରୁ ବଞ୍ଚିତ କରିଥିଲେ। ଏହା ପୂର୍ବରୁ ଟୋନି ଡି’ ଜୋର୍ଜି (୪୯)ଙ୍କ ସହ ମିଶି ଷ୍ଟବ୍ସ ଚତୁର୍ଥ ୱିକେଟ୍‌ ପାଇଁ ୧୦୧ ରନ୍ ଯୋଡ଼ିବା ଭାରତକୁ ସମ୍ପୂର୍ଣ୍ଣ ଭାବେ ମ୍ୟାଚ୍‌ରୁ ବାହାର କରି ଦେଇଥିଲା। କେବଳ ବ୍ୟାଟିଂ ନୁହେଁ ଭାରତର ବୋଲିଂ ମଧ୍ୟ ଦକ୍ଷିଣ ଆଫ୍ରିକା ତୁଳନାରେ ବହୁ ପଛରେ ପଡ଼ିଯାଇଥିଲା। ଉଭୟ ପେସ୍‌ ହେଉ କି ସ୍ପିନ୍ ଦକ୍ଷିଣ ଆଫ୍ରିକା ଖେଳାଳି ଅଧିକ ପ୍ରଭାବୀ ରହିଥିଲେ। ଯଶପ୍ରୀତ୍ ବୁମ୍‌ରା ଓ ମହମ୍ମଦ ସିରାଜ ଆଜି ମଧ୍ୟ ୱିକେଟଶୂନ୍ୟ ରହିଥିଲେ। ଅଲ୍‌ରାଉଣ୍ଡର୍ ଭାବେ ଖେଳୁଥିଲେ ମଧ୍ୟ ନୀତୀଶ କୁମାର ରେଡ୍ଡୀ ଦକ୍ଷିଣ ଆଫ୍ରିକାର ଉଭୟ ପାଳିରେ ମୋଟ ୧୦ ଓଭର ବୋଲିଂ କରିବା ତାଙ୍କ ଚୟନକୁ ନେଇ ବି ପ୍ରଶ୍ନବାଚୀ ଛିଡ଼ା କରିଛି। ଜାଡ଼େଜାଙ୍କ ୪ ୱିକେଟ୍‌ ଦଖଲ ମଙ୍ଗଳବାର ଭାରତ ପାଇଁ ଏକମାତ୍ର ସାନ୍ତ୍ବନା ଥିଲା।

ସଂକ୍ଷିପ୍ତ ସ୍କୋର: ଦକ୍ଷିଣ ଆଫ୍ରିକା ପ୍ରଥମ ପାଳି: ୪୮୯/୧୦। ଭାରତ ପ୍ରଥମ ପାଳି: ୨୦୧/୧୦। ଦକ୍ଷିଣ ଆଫ୍ରିକା ଦ୍ବିତୀୟ ପାଳି: ୭୮.୩ ଓଭରରେ ୨୬୦/୫, ଘୋଷଣା (ତ୍ରିଷ୍ଟନ୍ ଷ୍ଟବ୍ସ-୯୪, ଟୋନି ଡି’ ଜୋର୍ଜି-୪୯, ରିୟାନ ରିକେଲଟନ୍-୩୫, ୱିଆନ୍ ମୁଲ୍ଡର-୩୫*, ରବୀନ୍ଦ୍ର ଜାଡ଼େଜା-୪/୬୨, ୱାସିଂଟନ୍ ସୁନ୍ଦର-୧/୬୭)। ଭାରତ ଦ୍ବିତୀୟ ପାଳି (ଲକ୍ଷ୍ୟ ୫୪୯): ୧୫.୫ ଓଭରରେ ୨୭/୨ (ଯଶସ୍ବୀ ଜୟସ୍ବାଲ-୧୩, କେଏଲ୍ ରାହୁଲ-୬, ସାଇ ସୁଦର୍ଶନ-୨*, କୁଲ୍‌ଦୀପ ଯାଦବ-୪*, ସ‌ାଇମନ୍ ହାର୍ମର-୧/୧, ମାର୍କୋ ୟାନ୍‌ସେନ୍‌-୧/୧୪)।