ଚଣ୍ଡିଗଡ଼: ବାରବାଟୀରେ ୧୦୧ ରନ୍‌ର ବଡ଼ ବିଜୟ ହାସଲ କରିବା ପରେ ଭାରତୀୟ କ୍ରିକେଟ୍ ଦଳ ଏବେ ନ୍ୟୁ ଚଣ୍ଡିଗଡ଼ରେ ଗୁରୁବାର ଖେଳାଯିବାକୁ ଥିବା ଦ୍ବିତୀୟ ଟ୍ବେଣ୍ଟି-୨୦ ଉପରେ ନଜର ପକାଇଛି। ଭାରତୀୟ ଖେଳାଳିମାନେ ସେଥିପାଇଁ କଟକ ଟକ୍କରର ମାତ୍ର କିଛି ଘଣ୍ଟା ପରେ ଭୁବନେଶ୍ବର ବିମାନବନ୍ଦରରୁ ସେଠାକୁ ଯାତ୍ରା କରିଛନ୍ତି। ଚଣ୍ଡିଗଡ଼ରେ ପହଞ୍ଚିବା ପରେ ଦଳ ପାଇଁ ସ୍ବେଚ୍ଛାକୃତ ଅଭ୍ୟାସ ଅଧିବେଶନ ଥିଲେ ମଧ୍ୟ ଏଥିରୁ ଅଧିକାଂଶ ଖେଳାଳି ଦୂରେଇ ରହିଛନ୍ତି। ତେବେ ବିଜୟ ଉପରୁ ଧ୍ୟାନ ହଟାଇ ନାହାନ୍ତି। ବାରବାଟୀ ଭଳି ନ୍ୟୁ ଚଣ୍ଡିଗଡ଼ ଷ୍ଟାଡିୟମ୍‌ରେ ମଧ୍ୟ ସୂର୍ଯ୍ୟକୁମାରଙ୍କ ସେନା ଆଉ ଏକ ଆଧିପତ୍ୟଭରା ବିଜୟ ହାସଲ କରି ୫ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାରେ ୨-୦ରେ ଆଗୁଆ ହେବା ଲକ୍ଷ୍ୟରେ ରହିଛି। ଘରୋଇ ପରିବେଶରେ ଖେଳାଯିବାକୁ ଥିବା ଟ୍ବେଣ୍ଟି-୨୦ ବିଶ୍ବକପ୍‌କୁ ଆଉ ମାତ୍ର ଦୁଇ ମାସ ବାକି ଥିବାରୁ ଏହି ଶୃଙ୍ଖଳାର ପ୍ରତ୍ୟେକ ମ୍ୟାଚ୍ ଟିମ୍ ଇଣ୍ଡିଆ ପାଇଁ ନିଜ ଶକ୍ତି, ସାମର୍ଥ୍ୟ ଏବଂ ଦୋଷ, ଦୁର୍ବଳତା ଠଉରାଇ ତଦନୁଯାୟୀ ରଣନୀତି ପ୍ରସ୍ତୁତ କରିବାର ଅପୂର୍ବ ସୁଯୋଗ ନେଇ ଆସିଛି। 

Advertisment

Accident: ଓଲଟିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଡ୍ରାଇଭର ଗୁରୁତର

କଟକରେ ଶୀର୍ଷକ୍ରମର ବିଫଳତା କିନ୍ତୁ ଭାରତ ପାଇଁ ସତର୍କ ଘଣ୍ଟି ହୋଇଛି। ବିଶେଷ କରି ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଏବଂ ଉପଅଧିନାୟକ ଶୁବମନ୍ ଗିଲ୍‌ଙ୍କ ବିଫଳତା ଦଳ ପାଇଁ ବୋଝ ସଦୃଶ ହେବାରେ ଲାଗିଛି। ଏଣୁ ଉଭୟ ଗୁରୁବାର ନିଜନିଜ ପୁରୁଣା ଚମକ ଫେରି ପାଇବାକୁ ଚେଷ୍ଟା କରିବେ। ବୋଲିଂ ବିଭାଗ ଜବରଦସ୍ତ ପ୍ରଦର୍ଶନ କରିଥିବାରୁ ଦ୍ବିତୀୟ ଲଢ଼େଇରେ ମଧ୍ୟ ଏଭଳି ଫର୍ମ‌କୁ ଜାରି ରଖିବା ଲକ୍ଷ୍ୟରେ ରହିବ। ନିକଟ ଅତୀତରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳିଥିବା ୮ଟି ଟ୍ବେଣ୍ଟି-୨୦ରୁ ୬ଟି ଜିତିଥିବାରୁ ଭାରତୀୟ ଖେଳାଳିଙ୍କ ମନୋବଳ ଉଚ୍ଚରେ ରହିଛି। ତେବେ ଦକ୍ଷିଣ ଆଫ୍ରିକା ଦଳ ଯେକୌଣସି ପ୍ରକାର ବଡ଼ ବିପର୍ଯ୍ୟୟ ସୃଷ୍ଟି କରିବାକୁ ପୂରା ସକ୍ଷମ ଥିବାରୁ ସୂର୍ଯ୍ୟ ଓ ଗିଲ୍‌ଙ୍କ ଫର୍ମକୁ ଫେରିବା ଭାରତ ପାଇଁ ନିଶ୍ଚିତ ଭାବେ ଗୁରୁତ୍ବପୂର୍ଣ୍ଣ କଥା ହେବ। ନ୍ୟୁ ଚଣ୍ଡିଗଡ଼ ଷ୍ଟାଡିୟମ୍‌ରେ ପୂର୍ବରୁ ୧୦ରୁ ଅଧିକ ଆଇପିଏଲ୍ ମ୍ୟାଚ୍ ସହ ମହିଳା ବିଶ୍ବକପ୍‌ର ଦୁଇଟି ମ୍ୟାଚ୍ ଖେଳାଯାଇଛି। ପ୍ରଥମ ଥର ପାଇଁ ଏଠାରେ କୌଣସି ପୁରୁଷ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳାଯାଉଥିବାରୁ ସ୍ଥାନୀୟ ପ୍ରଶଂସକ ମଧ୍ୟ ଏହି ମ୍ୟାଚ୍‌କୁ ନେଇ ବେଶ୍ ଉତ୍ସାହିତ ଅଛନ୍ତି। କଟକରେ ଦ୍ରୁତ ବୋଲର ଅର୍ଶଦୀପ ସିଂହ ଦ୍ବିତୀୟ ବଲ୍‌ରେ ଦକ୍ଷିଣ ଆଫ୍ରିକା ଓପନର୍ କ୍ବିଣ୍ଟନ୍ ଡି’ କକ୍‌ଙ୍କୁ ଆଉଟ୍ କରିଦେଇଥିବାରୁ ସେ ଏହାର ପ୍ରତିଶୋଧ ନେବା ଲକ୍ଷ୍ୟ‌ରେ ରହିବେ। ଉଭୟ ଦଳ ବେଶ୍ ସନ୍ତୁଳିତ ଥିବାରୁ ଚୂଡ଼ାନ୍ତ ଏକାଦଶରେ ପରିବର୍ତ୍ତନର ଆଶା କମ୍ ରହିଛି। ନ୍ୟୁ ଚଣ୍ଡିଗଡ଼ ପିଚ୍ କାକର ଦ୍ବାରା ବିଶେଷ ପ୍ରଭାବିତ ହେବାର ଆଶଙ୍କା ନଥାଏ। ଏଠାରେ ଖେଳାଯାଇଥିବା ୧୧ ଆଇପିଏଲ୍ ମ୍ୟାଚ୍ ମଧ୍ୟରୁ ପ୍ରଥମେ ବ୍ୟାଟିଂ କରିଥିବା ଦଳ ୬ ଏବଂ ଦ୍ବିତୀୟରେ ବ୍ୟାଟିଂ କରିଥିବା ଦଳ ୫ଟି ମ୍ୟାଚ୍ ଜିତିଛନ୍ତି। ଏଣୁ ଟସ୍‌ର ଗୁରୁତ୍ବ ଅପେକ୍ଷାକୃତ କମ୍ ରହିବ। ଏଠାରେ ପ୍ରଥମେ ବ୍ୟାଟିଂ କରି ୨୦୦ରୁ ଅଧିକ ରନ୍ କରିପାରିଲେ ସୁରକ୍ଷିତ ରହିବାର ସମ୍ଭାବନା ଅଧିକ। 

ସମ୍ଭାବ୍ୟ ଭାରତ: ଅଭିଷେକ ଶର୍ମା, ଶୁବମନ୍ ଗିଲ୍, ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ତିଳକ ବର୍ମା, ଜିତେଶ ଶର୍ମା (ୱିକେଟ୍‌ରକ୍ଷକ), ହାର୍ଦିକ ପାଣ୍ଡ୍ୟା, ଶିବମ ଦୁବେ, ଅକ୍ଷର ପଟେଲ, ଅର୍ଶଦୀପ ସିଂହ, ବରୁଣ ଚକ୍ରବର୍ତ୍ତୀ, ଯଶ୍ରପୀତ୍ ବୁମ୍‌ରା।
ସମ୍ଭାବ୍ୟ ଦକ୍ଷିଣ ଆଫ୍ରିକା: କ୍ବିଣ୍ଟନ୍ ଡି’ କକ୍, ଐଦେନ ମାର୍କରାମ (ଅଧିନାୟକ), ତ୍ରିଷ୍ଟନ ଷ୍ଟବ୍ସ, ଡେୱାଲ୍‌ଡ ବ୍ରେଭିସ୍, ଡେଭିଡ୍ ମିଲର, ଡୋନୋଭାନ ଫେରେରା, ମାର୍କୋ ୟାନ୍‌ସେନ୍, ଲୁଥୋ ସିପାମ୍‌ଲା/ କର୍ବିନ ବସ୍, ଜର୍ଜ ଲିଣ୍ଡେ, କେଶବ ମହାରାଜ, ଲୁଙ୍ଗି ଏନ୍‌ଗିଡି, ଅନରିକ୍‌ ନର୍ଖିୟା। 

ବାହୁଡ଼ିଲେ ବିଶେଷ ଅତିଥି

ଭୁବନେଶ୍ବର: ବାରବାଟୀରେ ବିଜୟ ବାନା ଉଡ଼ାଇ ଓଡ଼ିଶା କ୍ରୀଡ଼ାପ୍ରେମୀଙ୍କ ହୃଦୟ ଜିତିଥିବା ଭାରତୀୟ କ୍ରିକେଟର୍‌ମାନେ ଚଣ୍ଡିଗଡ଼ରେ ଦ୍ବିତୀୟ ଟ୍ବେଣ୍ଟି-୨୦ ଖେଳିବା ଲାଗି ବୁଧବାର ସ୍ଥାନୀୟ ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ସେଠାକୁ ଯାତ୍ରା କରିଛନ୍ତି। ତିନି ଦିନ ହେଲା ଏହି ବି‌ଶେଷ ଅତିଥିଙ୍କୁ ପାଖରୁ ପାଇ ଉଲ୍ଲସିତ ଥିବା ରାଜ୍ୟ କ୍ରୀଡ଼ାପ୍ରେମୀ ମଧ୍ୟ ସେମାନଙ୍କୁ ଭବ୍ୟ ବିଦାୟ ସମ୍ବର୍ଦ୍ଧନା ଦେଇଛନ୍ତି। ହୋଟେଲ୍‌ଠାରୁ ବିମାନବନ୍ଦର ରାସ୍ତା ଉଭୟ ପାର୍ଶ୍ବରେ ଛିଡ଼ା ହୋଇ ସେମାନଙ୍କୁ ଅଭିବାଦନ ଜଣାଇଥିଲେ। ବିଭିନ୍ନ ପ୍ରକାର ପ୍ଲାକାର୍ଡ ଦେଖାଇ ଓ ସ୍ଲୋଗାନ୍‌ ଦେଇ ନିଜ ଭଲପାଇବା ଅଜାଡ଼ି ଦେଇଥିଲେ। ପ୍ରଶଂସକଙ୍କ ସେଲ୍‌ଫି ଉଦ୍ୟମ ଓ ଫଟୋ ଉଠାଇବାର ପ୍ରବଳ ଉତ୍ସ‌ାହ ଓ ଉନ୍ମାଦନା ଭିତରେ ବାରବାଟୀ ବିଜୟର ପ୍ରମୁଖ ନାୟକ ହାର୍ଦିକ ପାଣ୍ଡ୍ୟା ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲେ। ଅର୍ଶଦୀପ ସିଂହଙ୍କ ଭଳି ଉତ୍ସାହୀ କ୍ରିକେଟର୍‌ ମଧ୍ୟ ପ୍ରଶଂସକଙ୍କ ମନ ଜିତିବାକୁ ବିମାନବନ୍ଦର ଭିତରକୁ ଯିବା ବେଳେ ଭାଙ୍ଗ୍‌ଡ଼ା କରୁଥିବା ଦେଖିବାକୁ ମିଳିଥିଲା।

Ahilyabai Programme: ରାଜମାତା ଅହିଲ୍ୟାବାଇ ହୋଲକରଙ୍କ ୩୦୦ ବର୍ଷ ଅବସରରେ ସ୍ମରଣ ସଭା ଆୟୋଜିତ

ଭାରତୀୟ ଖେଳାଳି ଜଣକ ପରେ ଜଣେ ବିମାନବନ୍ଦର ଭିତରକୁ ପ୍ରବେଶ କରୁଥିଲା ବେଳେ ପ୍ରଶଂସକଙ୍କ ଖୁସି ଦେଖିଲା ଭଳି ଥିଲା। ଏମାନଙ୍କ ସହ ପରାଜିତ ଦକ୍ଷିଣ ଆଫ୍ରିକା ଖେଳାଳିମାନେ ମଧ୍ୟ ଚଣ୍ଡିଗଡ଼ ଯାତ୍ରା କରିଥିଲେ। ଉଭୟ ଦଳର ଖେଳାଳିଙ୍କ ସହ ଓଡ଼ିଶାର ଅନ୍ୟତମ ସଫଳ କ୍ରୀଡ଼ା ତାରକା, ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର୍ ତଥା ଜାତୀୟ ଚୟନକର୍ତ୍ତା ଶିବସୁନ୍ଦର ଦାସଙ୍କ ଉପସ୍ଥିତି ସ୍ଥାନୀୟ ଦର୍ଶକଙ୍କ ଖୁସିକୁ ଦ୍ବିଗୁଣିତ କରିଥିଲା। କଟକ ଟ୍ବେଣ୍ଟି-୨୦ରେ ଖେଳାଳିଙ୍କ ପ୍ରଦର୍ଶନକୁ ପାଖରୁ ପରଖିବା ପରେ ଶିବସୁନ୍ଦର ମଧ୍ୟ ସମାନ ବିମାନରେ ଚଣ୍ଡିଗଡ଼ ଯାତ୍ରା କରିଥିଲେ। ସୂଚନା ଅନୁସାରେ ବୁଧବାର ପୂର୍ବାହ୍ନ ୧୦.୪୫ରେ ପ୍ରଥମେ ଦକ୍ଷିଣ ଆଫ୍ରିକାର ୪ଜଣ ଖେଳାଳି ଚଣ୍ଡିଗଡ଼ ଅଭିମୁଖେ ଯାତ୍ରା କରିଥିଲେ। ଏହା ପରେ ଅପରାହ୍‌ଣ ୧.୨୦ରେ ଭାରତ ଓ ଦକ୍ଷିଣ ଆଫ୍ରିକାର ଖେଳାଳିମାନେ ଯାଇଥିଲେ। ସଂଧ୍ୟାରେ ମଧ୍ୟ କିଛି ଦକ୍ଷିଣ ଆଫ୍ରିକା ଖେଳାଳି ଓ ସପୋର୍ଟ ଷ୍ଟାଫ୍ ଭୁବନେଶ୍ବରରୁ ମେଲାଣି ନେଇଥିବା ଜଣାପଡ଼ିଛି। କମିସନରେଟ୍ ପୁଲିସ ପକ୍ଷରୁ ଆଜି ବି ଖେଳାଳିଙ୍କ ସୁରକ୍ଷା ପାଇଁ କଡ଼ା ସୁରକ୍ଷା ବନ୍ଦୋବସ୍ତ କରାଯାଇଥିଲା।