କଟକ: ବାରବାଟୀରେ ମଙ୍ଗଳବାର ଭାରତୀୟ ଅଲ୍ରାଉଣ୍ଡର ହାର୍ଦ୍ଦିକ ପାଣ୍ଡା ସମସ୍ତଙ୍କ ହୃଦୟ ଜିତିନେଇଥିଲେ। ବ୍ୟକ୍ତିଗତ ଭାବେ ଶତକୀୟ ଛକା ମାରି ଏଠାରେ ଖେଳିବାକୁ ସ୍ମରଣୀୟ କରିଥିଲେ। କେବଳ ବ୍ୟାଟିଂ ନୁହେଁ ବୋଲିଂରେ ମଧ୍ୟ ସେ ନିଜ ଯାଦୁ ଦେଖାଇଥିଲେ। ଭାରତ ସଙ୍କଟରେ ପଡ଼ିଥିବା ବେଳେ ବିସ୍ଫୋରକ ଅର୍ଦ୍ଧଶତକ ଅର୍ଜନ କରି ସ୍କୋର୍କୁ ୧୭୫/୬ରେ ପହଞ୍ଚାଇଥିଲେ। ପୁଣି ଠିକଣା ସମୟରେ ଗୋଟିଏ ୱିକେଟ୍ ନେଇ ଭାରତ ବିଜୟର ପ୍ରମୁଖ ସୂତ୍ରଧାର ପାଲଟିଥିଲେ।
India vs South Africa T20I: ବାରବାଟୀରେ ଭାରତର ବଡ଼ ବିଜୟ, ୭୪ ରନ୍ରେ ଦକ୍ଷିଣ ଆଫ୍ରିକା ଅଲ୍ଆଉଟ୍
ଆଜି ପ୍ରଥମ ଓଭରରେ ଶୁବମନ ଗିଲ୍ ଆଉଟ ହୋଇଯିବା ପରଠୁ ଦର୍ଶକମାନେ ଶାନ୍ତ ପଡ଼ିଯାଇଥିଲେ। ପୁଣି ସୂର୍ଯ୍ୟକୁମାର ଯାଦବ, ଅଭିଷେକ ଶର୍ମାଙ୍କଠୁ ଦର୍ଶକ ଯାହା ଆଶା ରଖିଥିଲେ, ସେଭଳି ବଡ଼ ଧରଣର ସଟ୍ ଦେଖାଯାଇ ନଥିଲା। ଯଦିଓ ମଝିରେ ଅଭିଷେକ ଓ ଅକ୍ଷର ପଟେଲଙ୍କ ସହ ମିଶି ତିଳକ ବର୍ମା ଭଲ ଭାଗୀଦାରି ଗଢ଼ିଥିଲେ। କିନ୍ତୁ ତାଙ୍କ ୱିକେଟ୍ ଯିବା ପରେ ଦର୍ଶକଙ୍କ ମନରେ ଆଶଙ୍କାର ବାଦଲ ଖେଳିଯାଇଥିଲା। ଅକ୍ଷର ପଟେଲଙ୍କ ସହ ୨୬ ରନ୍, ଶିବମ ଦୁବେଙ୍କ ସହ ୩୩ ରନ୍ ଓ ଜିତେଶ ଶର୍ମାଙ୍କ ସହ ୩୮* ରନ୍ର ଭାଗୀଦାରି କରି ପାଣ୍ଡ୍ୟା ଭାରତୀୟ ଶିବିରରେ ଆଶା ସଂଚାର କରିଥିଲେ। ଦ୍ବାଦଶ ଓଭର ପରଠୁ ସେ ଛକା, ଚୌକାରେ ଦର୍ଶକଙ୍କ ମନୋରଂଜନ କରିଥିଲେ। ୧୯ତମ ଓଭରରେ ଲୁଥୋ ସିପାମ୍ଲାଙ୍କୁ ହାର୍ଦିକ ଚୌକା, ଛକା ଓ ଜିତେଶ ଛକା ମାରି ଚୁପ୍ କରାଇଥିଲେ। ଏହି ଓଭରର ପଞ୍ଚମ ବଲ୍ରେ ହାର୍ଦିକଙ୍କ ବ୍ୟାଟ୍ର ଏଜ୍ ନେଇ ଯାଇଥିବା ଏକ ଉଚ୍ଚ ସଟ୍ ସୌଭାଗ୍ୟବଶତଃ ଖେଳାଳି ନଥିବା ଜାଗାରେ ପଡ଼ିଥିଲା। ତେବେ ଶେଷ ଓଭର ଦ୍ବିତୀୟ ବଲ୍ରେ ହାର୍ଦିକ ଛକା ମାରିବା ପରେ ଅର୍ଦ୍ଧଶତକରେ ପହଞ୍ଚିଯିବାରୁ ଦର୍ଶକମାନଙ୍କ ଊର୍ଜା ବେଶ୍ ବଢ଼ିଯାଇଥିବା ଦେଖାଯାଇଥିଲା। ଏହି ଛକା ସହାୟତାରେ ହାର୍ଦିକ ମଧ୍ୟ ଟ୍ବେଣ୍ଟି-୨୦ରେ ୧୦୦ତମ ଛକା ପୂରଣ କରିଛନ୍ତି। ଭାରତୀୟ ପାଳିରେ ହାର୍ଦିକ ୨୮ ବଲ୍ରୁ ୬ ଚୌକା ଓ ୪ ଛକା ସହାୟତାରେ ୫୯* ରନ୍ର ପାଳି ଖେଳିଥିଲେ।
ତିଳକଙ୍କ ୧୦୦୦ ରନ୍, ବୁମ୍ରାଙ୍କ ୧୦୦ ୱିକେଟ୍
ଟ୍ବେଣ୍ଟି-୨୦ରେ ଭାରତୀୟ ଦ୍ରୁତ ବୋଲର ଯଶପ୍ରୀତ୍ ବୁମ୍ରା ୧୦୦ ୱିକେଟ୍ ହାସଲ କରିଛନ୍ତି। ବାରବାଟୀରେ ମ୍ୟାଚ୍ର ଦ୍ବିତୀୟ ପାଳିରେ ଡିୱାଲ୍ଡ ବ୍ରେଭିସ୍ଙ୍କୁ ଆଉଟ୍ କରି ସେ ଏହି ମାଇଲ୍ଖୁଣ୍ଟରେ ଛୁଇଁଛନ୍ତି। ପରେ କେଶବ ମହାରାଜଙ୍କୁ ଆଉଟ କରି ତାଙ୍କ ଟ୍ବେଣ୍ଟି-୨୦ ୱିକେଟ୍ ସଂଖ୍ୟା ୧୦୧ରେ ପହଞ୍ଚାଇଛନ୍ତି। ଏବେ ସେ ଅର୍ଶଦୀପ ସିଂହଙ୍କ ପରେ ୧୦୦ ୱିକେଟ୍ ନେବାରେ ଦ୍ବିତୀୟ ବୋଲର ହୋଇଛନ୍ତି। ଅର୍ଶଦୀପ ଆଜି ଦୁଇଟି ୱିକେଟ୍ ନେଇ ନିଜର ଟ୍ବେଣ୍ଟି-୨୦ ୱିକେଟ୍ ସଂଖ୍ୟାକୁ ୧୦୭ରେ ପହଞ୍ଚାଇଛନ୍ତି। ଏଥିପୂର୍ବରୁ ପ୍ରଥମ ପାଳିରେ ବାମହାତୀ ବ୍ୟାଟର ତିଳକ ବର୍ମା ମଧ୍ୟ ଟ୍ବେଣ୍ଟି-୨୦ରେ ୧,୦୦୦ ରନ୍ ପୂରଣ କରିଛନ୍ତି। ଏହି ମ୍ୟାଚ୍ ପୂର୍ବରୁ ୯୯୬ ରନ୍ରେ ଥିବା ତିଳକ ଷଷ୍ଠ ଓଭରର ତୃତୀୟ ବଲ୍ରେ ମାର୍କୋ ୟାନ୍ସେନ୍ଙ୍କୁ ମିଡ୍ୱିକେଟ୍ ଅଞ୍ଚଳକୁ ଚୌକା ମାରି ଏହି ମାଇଲ୍ଖୁଣ୍ଟରେ ପହଞ୍ଚିଥିଲେ।
ବାଉଣ୍ଡରି ଓ ୱିକେଟ୍ ପତନର ଲୁଚକାଳି
ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରିତ ଭାରତୀୟ ଖେଳାଳି ବାରବାଟୀ ପ୍ରଶଂସକଙ୍କୁ ମଙ୍ଗଳବାର ଖଟାମିଠା ମିଶ୍ରିତ ଅନୁ୍ଭବ ଦେଇଥିଲେ। ଲାଲ୍ ମାଟିରେ ବ୍ୟାଟିଂ ବୋବାଲ୍ ଦେଖିବାକୁ ଆସିଥିବା ପ୍ରଶଂସକ ନିରାଶ ହୋଇନଥିଲେ। କିନ୍ତୁ ଏକ ଅଜବ ସଂଯୋଗ ରହିଥିଲା ଭାରତୀୟ ପାଳିରେ। ସୁଯୋଗ ପାଇଥିବା ଭାରତର ୮ ବ୍ୟାଟର୍ଙ୍କ ମଧ୍ୟରୁ ୬ ଜଣ ଭଲ ଆରମ୍ଭ କରିଥିଲେ ମଧ୍ୟ ଏହାକୁ ବଡ଼ ପାଳିରେ ପରିଣତ କରିପାରି ନଥିଲେ। ପଞ୍ଚମ ୱିକେଟ୍ ପର୍ଯ୍ୟନ୍ତ ସେମାନେ ଚୌକା ଛକା ପରବର୍ତ୍ତୀ ବଲ୍ରେ ହିଁ ଆଉଟ୍ ହୋଇଥିଲେ। ଉନ୍ମାଦନା ବଢ଼ାଇବାର ପରବର୍ତ୍ତୀ ବଲ୍ରେ ଆଉଟ୍ ହୋଇ ତତ୍କ୍ଷଣାତ ଦର୍ଶକଙ୍କୁ ଶାନ୍ତ କରି ଦେଉଥିଲେ। ଶେଷକୁ ହାର୍ଦିକ ପାଣ୍ଡ୍ୟାଙ୍କ ୨୫ ବଲ୍ ଅର୍ଦ୍ଧଶତକ ଏବଂ ଜିତେଶ ଶର୍ମାଙ୍କ ୫ ବଲ୍ ୧୦* ରନ୍ ଦଳକୁ ୧୭୫ ରନ୍ର ଲଢ଼ୁଆ ସ୍କୋର୍ ପ୍ରଦାନ କରିଥିଲା।
Bhadrak News: ସରକାରଙ୍କ ନିୟମ ଭାଙ୍ଗୁଛି ସରକାରୀ ବିଭାଗ
ଭାରତୀୟ ୱିକେଟ୍
ପ୍ରଥମ (ଗିଲ୍-୪): ପାଳିର ଦ୍ବିତୀୟ ବଲ୍ରେ ଏନ୍ଗିଡିଙ୍କୁ ସ୍ଲାଇସ୍ ଖେଳି ଚୌକାରୁ ଅଭିଯାନ ଆରମ୍ଭ କରିଥିଲେ ଗିଲ୍। କିନ୍ତୁ ପରବର୍ତୀ ବଲ୍ରେ ଅଫ୍ ଷ୍ଟମ୍ପ୍ରେ ପଡ଼ି ଲେଗ୍ ସାଇଡ୍କୁ ଯାଉଥିବା ବଲ୍କୁ ଗିଲ୍ ବୋଲର ମୁଣ୍ଡ ଉପରେ ଖେଳିବାକୁ ଯାଇ ମାର୍କୋ ୟାନ୍ସେନ୍ଙ୍କ ହାତରେ ଧରାପଡ଼ିଯାଇଥିଲେ। ମିଡ୍ ଅଫ୍ରୁ ସାମାନ୍ୟ ପଛକୁ ଦୌଡ଼ି ଆସି ଅଜି ସହଜରେ କ୍ୟାଚ୍ ନେଇଥିଲେ ୟାନ୍ସେନ୍। ଦ୍ବିତୀୟ (ସୂର୍ଯ୍ୟ-୧୨): ପାଳିର ତୃତୀୟ ଓଭରରେ ବି ୱିକେଟ୍ ବାହାର କରିନେଇଥିଲେ ଏନ୍ଗିଡି। ଦ୍ବିତୀୟ ଓ ତୃତୀୟ ବଲ୍କୁ ସୂର୍ଯ୍ୟ ଚୌକା ଓ ଛକା ମାରି ବାରବାଟୀ ପ୍ରଶଂସକଙ୍କୁ ଉଲ୍ଲସିତ କରିଥିଲେ। କିନ୍ତୁ ହ୍ୟାଟ୍ରିକ୍ ବାଉଣ୍ଡରି ଆଶାରେ ପୁଣି ଦୋହରାଇବାକୁ ଯାଇ ଲିଡିଂ ଏଜ୍ ସହିତ ମିଡ୍ଅନ୍ରେ ମାର୍କରାମଙ୍କୁ କ୍ୟାଚ୍ଦେଇ ଫେରି ଆସିଥିଲେ ଅଧିନାୟକ। ତୃତୀୟ (ଅଭିଷେକ-୧୭): ସୂର୍ଯ୍ୟଙ୍କ ଭଳି କ୍ରମାଗତ ତୃତୀୟ ବାଉଣ୍ଡରି ଚକ୍କରରେ ପଡ଼ି ଅଭିଷେକ ଶର୍ମା ବି ୱିକେଟ୍ ହରାଇଥିଲେ। ପ୍ରଥମ ପାୱାର ପ୍ଲେ ପରବର୍ତୀ ପ୍ରଥମ ଦୁଇ ବଲ୍କୁ ଚୌକା ମାରିବା ପରେ ଫାଇନ୍ ଲେଗ୍ ଉପରେ ଛକା ମାରିବାକୁ ଯାଇ ଧରାପଡ଼ିଯାଇଥିଲେ। ନିଜ ବାମକୁ ଦୌଡି ସ୍ଲାଇଡ୍ ମାରିବା ସହ ଏକ ଆଖିବୁଜା କ୍ୟାଚ୍ ନେଇ ବାରବାଟୀ ପ୍ରଶଂସକଙ୍କୁ ଶାନ୍ତ କରିଦେଇଥିଲେ। ବୋଲର ଥିଲେ ଲୁଥୋ ସୁପମାଲା। ଚତୁର୍ଥ (ତିଳକ-୨୬): ପ୍ରଥମ ସ୍ପେଲ୍ରେ ସହରପଟୁ ବୋଲିଂ କରି ଭାରତର ପ୍ରଥମ ଦୁଇ ୱିକେଟ୍ ନେଇଥିବା ଲୁଙ୍ଗି ଏନ୍ଗିଡି ତାଙ୍କ ଦ୍ବିତୀୟ ସ୍ପେଲ୍ରେ ବି କମାଲ କରିଥିଲେ। ଏଥର ମହାନଦୀ ପଟୁ ବୋଲିଂ କରି ସେ ତିଳକ ବର୍ମାଙ୍କୁ ଶିକାର କରିଥିଲେ। କାନ୍ଧ ଉଚ୍ଚା ବଲ୍କୁ ସେ ବାଉଣ୍ଡରି ଉପରେ ଖେଳିବାକୁ ଯାଇ ଡିପ୍ ଫାଇନ୍ଲେଗ୍ରେ ମାର୍କୋ ୟାନ୍ସେନ୍କୁ ଆଉ ଏକ କ୍ୟାଚ୍ ଦେଇ ଫେରିଥିଲେ। ସୀମାରେଖା ନିକଟରେ ନିଜ ନିୟନ୍ତ୍ରଣ ହରାଇବା ପୂର୍ବରୁ ସେ ବଲ୍କୁ କାବୁ କରିନେଇଥିଲେ।
ପଞ୍ଚମ (ଅକ୍ଷର-୨୩): ଭାରତର ପଞ୍ଚମ ୱିକେଟ୍ ବି ବାଉଣ୍ଡରି ପରେ ଆସିଥିଲା। ୧୪ତମ ଓଭର ବୋଲିଂ କରିଥିବା ସିପାମ୍ଲାଙ୍କ ପଞ୍ଚମ ବଲ୍କୁ ଲଙ୍ଗ୍ ଅନ୍ ଉପରେ ଛକା ମାରିଥିଲେ ଅକ୍ଷର ପଟେଲ୍। ଷଷ୍ଠ ବଲ୍ରେ ଅକ୍ଷର ପଟେଲ୍ଙ୍କୁ ସେ ଫେରେଇରାଙ୍କ ହାତରେ କ୍ୟାଚ୍ କରାଇନେଇଥିଲେ।
ଷଷ୍ଠ (ଦୁବେ-୧୧): ଜମି ଆସୁଥିବା ଶିବମ ଦୁବେ ବି ଭଲ ଆରମ୍ଭକୁ ବଡ଼ ପାଳିରେ ପରିଣତ କରିପାରିନଥିଲେ। ଦୁବେ ଭୁଲ୍ ଲାଇନ୍ରେ ବ୍ୟାଟ୍ ବୁଲାଇଥିବାବେଳେ ଡାହାଣହାତୀ ଅଫ୍ସ୍ପିନର୍ ଡୋନୋଭାନ୍ ଫେରେଇରା ତାଙ୍କ ମଝି ଷ୍ଟମ୍ପ୍ ଉଡ଼ାଇନେଇଥିଲେ।
ଟସ୍ ଓ ଟିମ୍
ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ବାମହାତରେ କଏନ୍ ଫିଙ୍ଗିଥିଲେ ଟସ୍ ଟାଇମ୍ରେ। ପ୍ରତିପକ୍ଷ ଅଧିନାୟକ ଐଦେନ ମାର୍କରାମ କିନ୍ତୁ ଟେଲ୍ ଡାକି ବାଜି ମାରି ନେଇଥିଲେ। ଆଉ ଆଶ୍ଚର୍ଯ୍ୟ ହେବାରେ କିଛି ନଥିଲା, ଭାରତକୁ ସେ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ। ଏସିଆ କପ୍ରେ ମଧ୍ୟକ୍ରମରେ ଭଲ ଖେଳିଥିବା ସଂଜୁ ସାମ୍ସନ୍ କିନ୍ତୁ ସୁଯୋଗ ପାଇ ନଥିଲେ। ଜିତେଶ ଶର୍ମା ତାଙ୍କ ସ୍ଥାନ ବଜାୟ ରଖିଥିଲେ। ଅଭିଷେକ ଶର୍ମା, ଶୁବମନ ଗିଲ, ସୂର୍ଯ୍ୟକୁମାର ଯାଦବ, ତିଳକ ବର୍ମା, ହାର୍ଦିକ ପାଣ୍ଡ୍ୟା, ଶିବମ ଦୁବେ, ଜିତେଶ ଶର୍ମା, ଅକ୍ଷର ପଟେଲ୍, ବରୁଣ ଚକ୍ରବର୍ତ୍ତୀ, ଅର୍ଶଦୀପ ସିଂହ, ଯଶପ୍ରୀତ୍ ବୁମ୍ରା ରହିଥିଲେ ଚୂଡ଼ାନ୍ତ ଏକାଦଶରେ।
ହାର୍ଦିକଙ୍କ ସଟ୍ରେ ଦର୍ଶକ ଆହତ
ମ୍ୟାଚ୍ ଆରମ୍ଭ ପୂର୍ବରୁ ଭାରତୀୟ ଖେଳାଳିମାନେ ୱାର୍ମଅପ୍ ଓ ସଟ୍ ଅଭ୍ୟାସରେ ବ୍ୟସ୍ତ ଥିଲେ। ତେବେ ବିସିସିଆଇ ବକ୍ସ ନିକଟରେ ଅଲ୍ରାଉଣ୍ଡର ହାର୍ଦିକ ପାଣ୍ଡ୍ୟା ଷ୍ଟ୍ରେଟ୍ ଡ୍ରାଇଭ୍ ଅଭ୍ୟାସ କରୁଥିବା ସମୟରେ ଏକ ସଟ୍ ବ୍ୟାଟ୍ର ଉପର ଅଂଶରେ ବାଜି ଉପରକୁ ଉଠିଯାଇଥିଲା। ବିସିସିଆଇ ବକ୍ସରେ ବସିଥିବା ଜଣେ ଦର୍ଶକଙ୍କ ମୁହଁରେ ସିଧା ଏହି ବଲ୍ ବାଜିଥିଲା। ପରେ ଭାରତୀୟ ଦଳର ଟ୍ରେନର ଓ ପାଣ୍ଡ୍ୟା ଉଭୟ ତାଙ୍କର ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଥିଲା ବେଳେ ଏଥିପାଇଁ କ୍ଷମା ମାଗିଥିଲେ। ତେବେ ସଂପୃକ୍ତ ଦର୍ଶକ ଜଣଙ୍କ ସବୁକିଛି ଠିକ୍ ଅଛି ବୋଲି କହି ମେଡିକାଲ୍ ରୁମ୍ ଆଡ଼କୁ ଚାଲିଯାଇଥିଲେ।
ବଲ୍କୁ ଷ୍ଟାଡିୟମ୍ ବାହାରକୁ ପଠାଇଲେ ତିଳକ
ପ୍ରଥମ ପାଳିର ଦଶମ ଓଭର ତୃତୀୟ ବଲ୍ରେ ଆନରିକ ନର୍ଖିୟାଙ୍କ ବଲ୍କୁ ବାମହାତୀ ଭାରତୀୟ ବ୍ୟାଟର ତିଳକ ବର୍ମା ଷ୍ଟାଡିୟମ୍ ବାହାରକୁ ପଠାଇ ଦେଇଥିଲେ। ଲଗାତର ଭାବେ ଘଣ୍ଟାପ୍ରତି ୧୪୦ କିଲୋମିଟର ବେଗରେ ବଲ୍ ପକାଉଥିବାରୁ ନର୍ଖିୟାଙ୍କ ପରବର୍ତ୍ତୀ ବଲ୍ ପାଇଁ ତିଳକ ପ୍ରସ୍ତୁତ ଥିଲେ। ବଲ୍ ସାମାନ୍ୟ ସଟ୍ପିଚ୍ ହୋଇଥିଲା ବେଳେ ତିଳକ ତାହାକୁ ହୁକ୍ ମାରି ୫ ନମ୍ବର ଗ୍ୟାଲେରି ଛାତରେ ପକାଇ ଦେଇଥିଲେ। ୮୯ ମିଟରର ଏହି ଛକା ପରେ ବଲ୍ଟି ସେଠାରୁ ସିଧାସଳଖ ବାହାରକୁ ଚାଲିଯାଇଥିଲା। ଫଳରେ କିଛି ସମୟ ମ୍ୟାଚ୍ ବନ୍ଦ ରହିବା ପରେ ବଦଳ ବଲ୍ ଆସିବାରୁ ଖେଳ ସ୍ବାଭାବିକ ହୋଇଥିଲା। ତେବେ ବାରବାଟୀ ଷ୍ଟାଡିୟମ୍ ବାହାରକୁ ବଲ୍ ପଠାଇବାରେ ତିଳକ ଦ୍ବିତୀୟ ଖେଳାଳି ହୋଇପାରିଛନ୍ତି। ପୂର୍ବରୁ ଆଇପିଏଲ୍ ମ୍ୟାଚ୍ ସମୟରେ କିଙ୍ଗ୍ସ ଏକାଦଶ ପଞ୍ଜାବକୁ ପ୍ରତିନିଧିତ୍ବ କରିଥିବା ଇର୍ଫାନ ପଠାନ୍ ସେତେବେଳେ ଏକ ବଲ୍କୁ ୫ ନମ୍ବର ଗ୍ୟାଲେରି ପାର୍ କରାଇଥିଲେ। ସଂଯୋଗବଶତଃ ଉଭୟ ବାମହାତୀ ବ୍ୟାଟର ଏହି ବିରଳ କାରନାମା କରିଦେଖାଇଛନ୍ତି।
Follow Us