ବାରବାଟୀରୁ ସୁରେଶ ସ୍ବାଇଁଙ୍କ ରିପୋର୍ଟ
କଟକ: ଆଜିକୁ ଠିକ୍ ଦୁଇ ମାସ ଅର୍ଥାତ୍ ୬୦ ଦିନ ପରେ ଭାରତ ଆରମ୍ଭ କରିବ ଆଇସିସି ଟ୍ବେଣ୍ଟି-୨୦ ବିଶ୍ବକପ୍ ଅଭିଯାନ। ଏହା ପୂର୍ବରୁ ନିଜ ପ୍ରସ୍ତୁତିକୁ ଚୂଡ଼ାନ୍ତ ରୂପରେଖ ଦେବା, ଖେଳାଳିଙ୍କ ଲୟକୁ ଜାରି ରଖିବା, ଦଳୀୟ ସମନ୍ବୟକୁ ସଜାଡ଼ିନେବାକୁ ରହିଛି ସୀମିତ ସୁଯୋଗ। ବିଶ୍ବକପ୍ ପୂର୍ବରୁ ୧୦ଟି ମ୍ୟାଚ୍ ଖେଳିବ ଦ୍ବିପାକ୍ଷିକ ଶୃଙ୍ଖଳାରେ। ପ୍ରତିଦ୍ବନ୍ଦ୍ବୀ ଅଛନ୍ତି ଦକ୍ଷିଣ ଆଫ୍ରିକା ଓ ନ୍ୟୁଜିଲାଣ୍ଡ୍। ଆଉ ଏହି ଅଭିଯାନର ପୂର୍ବୋଦୟ ହେବାକୁ ଯାଉଛି ଐତିହାସିକ ବାରବାଟୀ ଷ୍ଟାଡିୟମ୍ରୁ। ମଙ୍ଗଳବାର ଏହି ଐତିହ୍ୟଭରା ଷ୍ଟାଡିୟମ୍ରୁ ଆରମ୍ଭ ହେବ ଭାରତ-ଦକ୍ଷିଣ ଆଫ୍ରିକା ଟ୍ବେଣ୍ଟି-୨୦ ଶୃଙ୍ଖଳା। ୫ ମ୍ୟାଚ୍ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ ବାରବାଟୀରୁ ଆରମ୍ଭ ହେବ। ସୂର୍ଯ୍ୟକୁମାର ଯାଦବଙ୍କ ଭାରତୀୟ ଦଳ ସୋମବାର ଅପରାହ୍ଣରେ ଜୋରଦାର୍ ଅଭ୍ୟାସ କରିଥିବା ବେଳେ ସଂଧ୍ୟାରେ ନିଜ ଦକ୍ଷତାକୁ ଶାଣିତ କରିବାକୁ ଚେଷ୍ଟା କରିଛି ଦକ୍ଷିଣ ଆଫ୍ରିକା। ଘରୋଇ ଦଳ ଟେଷ୍ଟ୍ ଶୃଙ୍ଖଳାକୁ ୦-୨ରେ ହାତଛଡ଼ା କରିବା ପରେ ଦିନିକିଆ ଶୃଙ୍ଖଳାକୁ ୨-୧ରେ ଜିତି ସମ୍ମାନ ବଜାୟ ରଖିଛି। ଏବେ ନୂଆ ଶୃଙ୍ଖଳା ଓ ନୂଆ ଆହ୍ବାନ ସହିତ ସୂର୍ଯ୍ୟ ସେନା ଏହି ଛୋଟ ଫର୍ମାଟ୍ରେ ନିଜ ପ୍ରାଧାନ୍ୟ ବିସ୍ତାର କରିବ ବୋଲି ବିଶ୍ବାସ କରାଯାଉଛି।
Goa Nightclub Fire : ଇଣ୍ଡିଗୋ ବିମାନରେ ବିଦେଶ ଫେରାର ହୋଇଗଲେ ଗୋଆ ନାଇଟକ୍ଲବ ମାଲିକ
ଦୁଇ ଦଳ ଏହି ଶୃଙ୍ଖଳାରେ ଭିନ୍ନଭିନ୍ନ ପ୍ରତିଶୋଧ ନେବା ଆଶାରେ ରହିବେ। ବାରବାଟୀରେ ଅନୁଷ୍ଠିତ ଦୁଇଟି ଯାକ ଟ୍ବେଣ୍ଟି-୨୦ ମ୍ୟାଚ୍ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳିଛି ଭାରତ ଏବଂ ଉଭୟ ଥର ପରାସ୍ତ ହୋଇଛି। ଭାରତ ଏହି ଧାରାକୁ ଭାଙ୍ଗିବାକୁ ଚେଷ୍ଟା କରିବ। ଅନ୍ୟପକ୍ଷରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ଗତବର୍ଷ ଟ୍ବେଣ୍ଟି-୨୦ ବିଶ୍ବକପ୍ ଫାଇନାଲ୍ ପରାଜୟର କ୍ଷତକୁ ଶୃଙ୍ଖଳା ବିଜୟରେ ବଦ୍ଲା ନେବାକୁ ଚାହିବ। ଏଥିପାଇଁ କିନ୍ତୁ ଦଳକୁ ବାରବାଟୀରୁ ହିଁ ଏହି ଲୟ କାବୁ କରିବାକୁ ପଡ଼ିବ। ନଚେତ ଏହି ଫର୍ମାଟ୍ରେ ଭାରତ ଖେଳୁଥିବା ଆକ୍ରମଣାତ୍ମକ ଖେଳକୁ ପରାହତ କରିବା ଯେ କୌଣସି ଦଳ ପାଇଁ ଅଭେଦ୍ୟ ଦୁର୍ଗ ଭଳି ହେବ। ଆହତ ସମସ୍ୟା ପରେ ଭାରତୀୟ ଦଳକୁ ଫେରିଥିବା ଅଲ୍ରାଉଣ୍ଡର୍ ହାର୍ଦିକ ପାଣ୍ଡ୍ୟା ଏବଂ ଉପଅଧିନାୟକ ଶୁବମନ ଗିଲ୍ଙ୍କ ଉପସ୍ଥିତିକୁ ନେଇ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ବି ସନ୍ତୋଷ ବ୍ୟକ୍ତ କରିଛନ୍ତି। ସୂର୍ଯ୍ୟଙ୍କ ବ୍ୟକ୍ତିଗତ ଫର୍ମ କିନ୍ତୁ ଦଳ ପାଇଁ ଏକମାତ୍ର ଚିନ୍ତାର କାରଣ ରହିଛି। ସଂଜୁ ସାମସନଙ୍କୁ କିନ୍ତୁ ପୁଣି ଥରେ ଦଳ ଭିତରେ ପ୍ରତିଦ୍ବନ୍ଦ୍ବିତା କରିବାକୁ ପଡ଼ିବ। ମଧ୍ୟକ୍ରମରେ ତାଙ୍କ ପାଇଁ ୱିକେଟ୍ରକ୍ଷକ ଜିତେଶ ଶର୍ମା ବଡ଼ ପ୍ରତିବନ୍ଧକ ସାଜିଛନ୍ତି। କିପିଂ ଓ ବ୍ୟାଟିଂରେ ବି ଜିତେଶ ଦଳ ପାଇଁ ସମ୍ପତ୍ତି ପାଲଟିଛନ୍ତି। ସଂଜୁ କିନ୍ତୁ ଓପନିଂ ସ୍ଲଟ୍ ଛାଡ଼ି ଯେ କୌଣସି ସ୍ଥାନରେ ବ୍ୟାଟିଂ କରିବାକୁ ପ୍ରସ୍ତୁତ ବୋଲି ସୂର୍ଯ୍ୟ ଘୋଷଣା କରି ଦେଇଛନ୍ତି। ହାର୍ଦ୍ଦିକ ଓ ଶିବମ ଦୁବେଙ୍କ ଅଲରାଉଣ୍ଡ୍ ଭୂମିକା ଦଳ ପାଇଁ ବିକଳ୍ପକୁ ଖୋଲା ରଖିଛି। ଯଶପ୍ରୀତ୍ ବୁମ୍ରା, ଅର୍ଶଦୀପ ସିଂହ, ବରୁଣ ଚକ୍ରବର୍ତ୍ତୀ, କୁଲଦୀପ ଯାଦବଙ୍କୁ ନେଇ ଭାରତର ବୋଲିଂ ବିଭାଗ ବି ଦୃଢ଼ ରହିଛି।
Winter Session, Winter Looks: ଶୀତ ଆସିଛି, ଶୀତ ଅଧିବେଶନ ଚାଲିଛି... ସଂସଦରେ ସାଂସଦଙ୍କ ୱିଣ୍ଟର ଲୁକ୍
ବାରବାଟୀ ଦର୍ଶକ ସିନା ଟ୍ବେଣ୍ଟି-୨୦ ଫର୍ମାଟ୍ରେ ବିରାଟ କୋହଲି, ରୋହିତ ଶର୍ମା, ରବୀନ୍ଦ୍ର ଜାଡ଼େଜା, କେଏଲ୍ ରାହୁଲଙ୍କ ଖେଳରୁ ବଞ୍ଚିତ ହେବେ। କିନ୍ତୁ ନୂଆ ପିଢ଼ିର ଅଭିଷେକ ଶର୍ମା, ଶୁବମନ ଗିଲ୍, ତିଳକ ବର୍ମା, ଜିତେଶ ଶର୍ମା, ସଂଜୁ ସାମସନ୍, ଶିବମ ଦୁବେ, ୱାସିଂଟନ୍ ସୁନ୍ଦରଙ୍କ ଖେଳ ସେମାନଙ୍କ ପାଇଁ ଢେର୍ ରୋମାଞ୍ଚର ପ୍ରତିଶ୍ରୁତି ରଖିଛି। ଭାରତୀୟ ସମୟ ସଂଧ୍ୟା ୭ଟାରେ ଏହି ମ୍ୟାଚ୍ ଖେଳାଯିବାକୁ ଥିବାରୁ କାକର ସମସ୍ୟା ଉଭୟ ଦଳକୁ ପ୍ରଭାବିତ କରିବା ନିଶ୍ଚିତ। ପଶ୍ଚାତ୍ଧାବନ କରୁଥିବା ଦଳ କିନ୍ତୁ ଏହି କାରଣରୁ ସାମାନ୍ୟ ଫାଇଦାରେ ରହିବ। ବାରବାଟୀରେ ଲାଲ୍ ମାଟିରେ ପିଚ୍ ପ୍ରସ୍ତୁତ ହେବା ପରେ ଏହା ପ୍ରଥମ ଅନ୍ତର୍ଜାତୀୟ ମୁକାବିଲା ହୋଇଥିବାରୁ ଲାଲ୍ ଲଢ଼େଇ ବି ଏଠାରେ ପ୍ରଥମ ପରୀକ୍ଷାରେ ଅବତୀର୍ଣ୍ଣ ହେବ। ସାଧାରଣତଃ ଲାଲ୍ ମାଟିରେ ପ୍ରସ୍ତୁତ ପିଚ୍ ଅଧିକ ପେସ୍ ଓ ବାଉଁସ ଦେବା ସହ ପାଳିର ବିଳମ୍ବିତ ଭାଗରେ ସ୍ପିନର୍ଙ୍କୁ ସୁଯୋଗ ଦେଇଥାଏ। କିନ୍ତୁ ମ୍ୟାଚ୍ରେ ଦୁଇ ଦଳ ମଧ୍ୟରେ ସନ୍ତୁଳନ ରକ୍ଷା କରିବା ଆଶାରେ ଏଭଳି ପିଚ୍ ଉପରେ ଭରସା କରାଯାଇଛି। ଅତୀତରେ ବାରବାଟୀରେ ଲୋ ସ୍କୋରିଂ ଟ୍ବେଣ୍ଟି-୨୦ ହେଉଥିବାରୁ ଏଥର ଅପେକ୍ଷାାକୃତ ଉନ୍ନତ ବ୍ୟାଟିଂ ଅନୁକୂଳ ପିଚ୍ ରହିବ ବୋଲି ଆଶା କରାଯାଉଛି।
ଅତୀତ ରେକର୍ଡ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ମୋଟ ୩୧ ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟ ଆୟୋଜିତ ହୋଇଛି। ଭାରତ ୧୮ ଜିତି ୧୨ ହାରିଛି। ଘରୋଇ ମାଟିରେ ଭାରତ ୫-୪ରେ ଆଗୁଆ ରହିଥିବା ବେଳେ ଦକ୍ଷିଣ ଆଫ୍ରିକା ମାଟିରେ ବି ୯-୬ର ଉନ୍ନତ ବ୍ୟବଧାନ ରଖିଛି। ନିରପେକ୍ଷ ପଡ଼ିଆରେ ମଧ୍ୟ ଭାରତ ୪-୨ରେ ଅଗ୍ରଣୀ ଲାଭ କରିଛି। ଗୋଟିଏ ମାତ୍ର ମୁକାବିଲା ଟାଇ ରହିଛି। ସବୁଠାରୁ ବଡ଼ କଥା ହେଉଛି ୨୦୧୫-୧୬ ପରଠାରୁ ଦକ୍ଷିଣ ଆଫ୍ରିକାଠାରୁ ଭାରତୀୟ ଦଳ ଦ୍ବିପାକ୍ଷିକ ଶୃଙ୍ଖଳା ହାରିନାହିଁ। ବିଗତ ଦଶନ୍ଧିରେ ଖେଳାଯାଇଥିବା ୬ଟି ଦ୍ବିପାକ୍ଷିକ ଶୃଙ୍ଖଳାରୁ ଭାରତ ୩ଟି ଜିତିଥିବା ବେଳେ ଦକ୍ଷିଣ ଆଫ୍ରିକା ୩ଟିକୁ ଡ୍ର’ ରଖିବାରେ କେବଳ ସକ୍ଷମ ହୋଇଛି।
ସମ୍ଭାବ୍ୟ ଭାରତୀୟ ଦଳ: ଶୁବମନ ଗିଲ୍, ଅଭିଷେକ ଶର୍ମା, ସୂର୍ଯ୍ୟକୁମାର ଯାଦବ, ତିଳକ ବର୍ମା, ଜିତେଶ ଶର୍ମା, ହାର୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ, ବରୁଣ ଚକ୍ରବର୍ତ୍ତୀ, ଅର୍ଶଦୀପ ସିଂହ, ଯଶପ୍ରୀତ୍ ବୁମରା, କୁଲଦୀପ ଯାଦବ।
ଦକ୍ଷିଣ ଆଫ୍ରିକା ଦଳ ସମ୍ଭାବ୍ୟ: ଐଦେନ ମାର୍କରାମ (ଅଧିନାୟକ), କ୍ବିଣ୍ଟନ୍ ଡି’କକ୍, ଦିୱାଲ୍ଡ ବ୍ରେଭିସ୍, ଟୋନି ଡି ଜୋର୍ଜି, ମାର୍କୋ ୟାନ୍ସେନ୍, କେଶବ ମହାରାଜ, ଡେଭିଡ୍ ମିଲର୍. ତ୍ରିଷ୍ଟନ୍ ଷ୍ଟବ୍ସ, ରିଜା ହେଣ୍ଡ୍ରିକ୍ସ, ଲୁଙ୍ଗି ଏନ୍ଗିଡି, ଅନରିକ୍ ନର୍ଖିୟା।
ପ୍ରସାରଣ: ରାତି ୭.୦୦ ଷ୍ଟାର୍ ସ୍ପୋର୍ଟସ/ଜିଓହଟ୍ଷ୍ଟାର୍
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/12/09/india-vs-southafrica-barabati-match-2025-12-09-03-08-16.jpg)