ଦେଢ଼ ମାସରେ ୪,୫୯୯ ଛାତ୍ରଛାତ୍ରୀ ପାଲଟିଲେ କୃଷି ଶ୍ରମିକ

ଗତ ଦେଢ଼ ମାସ ହେବ ଜିଲ୍ଲାର ୧୦ଟି ଯାକ ବ୍ଲକ୍‌ରେ ଧାନ ଅମଳ ପରେ ଏବେ ମକା ଓ ଆଖୁ ଅମଳ କାମ ସହ କେନ୍ଦୁପତ୍ର ତୋଳିବା ଜୋରସୋରରେ ଚାଳିଛି। ଶ୍ରମିକ ସମସ୍ୟାର ଅଭାବ ପୂରଣ କରୁଛନ୍ତି ବିଭିନ୍ନ ବିଦ୍ୟାଳୟରେ ପଢୁଥିବା ଛାତ୍ରଛାତ୍ରୀ...

4,599 students became agricultural laborers in one and a half months

4,599 students became agricultural laborers in one and a half months Photograph: (sambad.in)

ନବରଙ୍ଗପୁର: ଗତ  ଦେଢ଼ ମାସ ହେବ ଜିଲ୍ଲାର ୧୦ଟି ଯାକ ବ୍ଲକ୍‌ରେ ଧାନ ଅମଳ ପରେ ଏବେ ମକା ଓ ଆଖୁ ଅମଳ କାମ ସହ କେନ୍ଦୁପତ୍ର ତୋଳିବା ଜୋରସୋରରେ ଚାଳିଛି।

ତେବେ ଜିଲ୍ଲାର ସବୁ ବ୍ଲକରୁ ବହୁ ପୁରୁଷ, ମହିଳା, ନାବାଳିକା, ନାବାଳକ, ଯୁବକ ଓ ଯୁବତୀମାନେ ଦାଦନ ଖଟିବାକୁ ପଳାଇଛନ୍ତି। କୃଷି ଶ୍ରମିକ ସମସ୍ୟା ଦେଖାଦେଇଛି। ଏହି ଶ୍ରମିକ ସମସ୍ୟାର ଅଭାବ ପୂରଣ କରୁଛନ୍ତି ବିଭିନ୍ନ ବିଦ୍ୟାଳୟରେ ପଢୁଥିବା ଛାତ୍ରଛାତ୍ରୀ। 

ପ୍ରଶାସନ ପକ୍ଷରୁ ତଥ୍ୟ ସଂଗ୍ରହ ବେଳେ ଜଣାପଡିଛି ଯେ, ଜିଲ୍ଲାର ୧୮୯ଟି ପଞ୍ଚାୟତରୁ ପ୍ରାୟ ୪,୫୯୯ଜଣ ଛାତ୍ରଛାତ୍ରୀ ଗତ ଦେଢ଼ ମାସ ମଧ୍ୟରେ କୃଷି ଶ୍ରମିକ ପାଲଟି ଯାଇଛନ୍ତି। ମକା କ୍ଷେତକୁ ଯାଇ ମକା ଆଣିବା,ମକା ମଞ୍ଜିକୁ ବାହାର କରିବା ପାଇଁ ମକା ଯନ୍ତ୍ର ନିକଟରେ କାମ କରିବା ଛାତ୍ରଛାତ୍ରୀ ଜାରି ରଖିଛନ୍ତି।

ଧାନ କଟା ପାଇଁ ଯିବା ଏବଂ ଆଖୁ ପେଡାଯନ୍ତ୍ର ନିକଟରେ ଯାଇ କାମ କରିବା ମଧ୍ୟ ଜାରି ରହିଛି। ତେବେ ବିପଦ ସଙ୍କୁଳ ଭାବେ ମକା ମଞ୍ଜି ଛଡା ଯନ୍ତ୍ର କିମ୍ବା ଆଖୁ କଟା ଯନ୍ତ୍ର ନିକଟରେ ଛାତ୍ରଛାତ୍ରୀମାନେ କାମ କରୁଥିବା ଦେଖିବାକୁ ମିଳିଛି। ଏଭଳି ମକା ମଞ୍ଜି ଛଡା ଯନ୍ତ୍ର ଓ ଆଖୁ କଟା ଯନ୍ତ୍ରରେ ହାତ ପଶି ଜଣେ ପିଲାଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ ଜଣେ ପିଲା ହାତ ହରାଇଛନ୍ତି।

ଏଭଳି ପିଲାମାନଙ୍କର ପାରିବାରିକ ଆର୍ଥିକସ୍ଥିତି ଭଲ ନଥିବାରୁ ଏମାନେ କାମ କରିବାକୁ ଯାଇଥିବା ଦେଖିବାକୁ ମିଳିଛି। ଜିଲ୍ଲାର ରାଇଘର ବ୍ଲକରେ ୬୧୮, ଚନ୍ଦାହାଣ୍ତି ବ୍ଲକରେ ୨୧୪, ଉମରକୋଟ ବ୍ଲକରେ ୪୮୭, ଝରିଗାଁ ବ୍ଲକରେ ୫୧୧, ଡାବୁଗାଁ ବ୍ଲକରେ ୨୫୮, ପାପାଡାହାଣ୍ତି ବ୍ଲକରେ ୬୨୫, କୋଷାଗୁମୁଡା ବ୍ଲକରେ ୬୭୪, ନବରଙ୍ଗପୁର ବ୍ଲକରେ ୫୭୩, ନନ୍ଦାହାଣ୍ତି ବ୍ଲକରେ ୨୮୩ ଓ ତେନ୍ତୁଳିଖୁଣ୍ଟି ବ୍ଲକରେ ୩୫୬ଜଣ ପିଲା ଏଭଳି  ବିଦ୍ୟାଳୟକୁ ନଯାଇ କୃଷି ଶ୍ରମିକ ପାଲଟିଥିବା ସୂଚନା ମିଳିଛି।

ଏହି ପିଲାମାନେ ଗତ ଦେଢ଼ ମାସ ହେବ ବିଦ୍ୟାଳୟକୁ ଯାଉ ନଥିବା ବେଳେ କିଛି ବିଦ୍ୟାଳୟର ପ୍ରଧାନଶିକ୍ଷକ ଓ ଶିକ୍ଷକମାନେ ଜମିକୁ ଯାଇ ସେମାନଙ୍କୁ ଡାକି ବିଦ୍ୟାଳୟ ଆଣିବାକୁ ପ୍ରୟାସ କରି ଫେଲ୍ ମାରିଥିବା କୁହାଯାଉଛି। 

ଅଧିକ ପଢ଼ନ୍ତୁ: ପାକିସ୍ତାନ ସହ କଥାବାର୍ତ୍ତା ପାଇଁ ଏସବୁ ସର୍ତ୍ତ ରଖିଲେ ମୋଦୀ

ଜିଲ୍ଲାରେ ପାଠ ପଡୁଥିବା ଛାତ୍ରଛାତ୍ରୀମାନେ ନିଜ ପାଠପଢ଼ାରେ ଡୋରି ବାନ୍ଧି କୃଷି ଶ୍ରମିକ ପାଲଟୁଥିବା ଘଟଣା କେବେ ବନ୍ଦ ହେବ ତାହାକୁ ନେଇ ବୁଦ୍ଧିଜୀବୀ ମହଲରେ ଚିନ୍ତା ପ୍ରକଟ କରାଯାଇଛି। ଜିଲ୍ଲାପ୍ରଶାସନ ବେଳ ଥାଉଣୁ ଏଦିଗରେ ପଦକ୍ଷେପ ନେବା ସହ ଗ୍ରାମାଞ୍ଚଳରେ ଶିଶୁମାନଙ୍କର ଅଧିକାର ଓ ବାଧ୍ୟତାମୂଳକ ଶିକ୍ଷା ସମ୍ପର୍କରେ ବ୍ୟାପକ ସଚେତନତା ସୃଷ୍ଟି କରିବାର ଆବଶ୍ୟକତା ରହିଛି ବୋଲି ମତ ପ୍ରକାଶ ପାଇଛି।

ଅଧିକ ପଢ଼ନ୍ତୁ: ଆସନ୍ତାକାଲି ସିବିଏସଇ ଦଶମ-ଦ୍ବାଦଶ ଶ୍ରେଣୀ ପରୀକ୍ଷା ଫଳ!

Nabarangpur

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe